ଧୂପ୍‍ଛାୟା

 

 

 

 

 

 

 

 

 

ଧୁପ୍‌ଛାୟା

ଶ୍ରୀ ବାଙ୍କନିଧି ପଟ୍ଟନାୟକ

 

ସୂଚୀପତ୍ର

 

୧-

ପୌଷ୍ୟପୁତ୍ର

୨-

ଲଛମନ ଜି

୩-

ବିଡ଼ମ୍ୱନା

୪-

ମୋହର ଚୋରି

୫-

ପ୍ରତିଦାନ

୬-

ମୁକ୍ତି

୭-

ମାଳତୀ

 

 

ପୋଷ୍ୟପୁତ୍ର

 

(୧)

 

ନାନା ବ୍ରତଯଜ୍ଞ, ବାରବ୍ରତ କରି ଭାଗୀରଥି ତର୍କାଳଙ୍କାର ମହାଶୟ ଯେତେବେଳେ ସନ୍ତାନଲାଭର କୌଣସି ସମ୍ଭାବନା ଦେଖି ନ ପାରିଲେ ସେତେବେଳେ ସେ ନିରାଶାରେ ଅତ୍ୟନ୍ତ କାତର ହୋଇ ପଡ଼ିଲେ । ଉତ୍ତରାଧିକାରୀ ଅଭାବରୁ ଯେତେଗୁଡ଼ିଏ ସମ୍ପତ୍ତିର ଦୁର୍ଦ୍ଦଶା, ‘ପୁତ୍’ ନଥିଲେ କଳ୍ପିତ ବିଭତ୍ସ ଦୃଶ୍ୟ ପିତୃପରୁଷମାନଙ୍କର ନିଜର ପ୍ରେତାତ୍ମାମାନଙ୍କର ଦର୍ପରେ ଅଭାବ ଏହି ସମସ୍ତ ଦୁରୂହ ଚିନ୍ତାରେ ତାଙ୍କର ହୃଦୟ ମନ ବ୍ୟାକୁଳ ହୋଇ ପଡ଼ିଲା । ଅତୀତରେ ଅତି ଦୁଃଖ ବିକଳରେ ଖଣ୍ଡିଏ ଅସ୍ପଷ୍ଟ ଚିତ୍ର ତାଙ୍କ ଆଖି ଆଗରେ ନାଚି ଉଠିଲା । ଦରିଦ୍ର ବ୍ରାହ୍ମଣମାନେ ଭାଗୀରଥି କିପରି ଜଗନ୍ନାଥ ଦର୍ଶନ ନିମନ୍ତେ ପୁରୀ ଯାଇ ପଣ୍ଡିତ ପଞ୍ଚାନନ ନାୟରଙ୍କ କୃପାଦୃଷ୍ଟି ଆକର୍ଷଣ କଲେ, ତାଙ୍କ ଅନ୍ନରେ ପ୍ରତିପାଳିତ ହୋଇ ତାଙ୍କର ଚତୁଷ୍ପାଠୀରେ ଅଧ୍ୟୟନ କରି ଶେଷରେ କିପରି ଜଣେ ବିଖ୍ୟାତ ପଣ୍ଡିତ ହୋଇ ଅର୍ଥ ଓ ସମ୍ମାନ ଅର୍ଜନ କଲେ, ଏ ସମସ୍ତ କଥା ଗୋଟି ଗୋଟି ହୋଇ ତାଙ୍କ ଆଗରେ ଫୁଟି ଉଠିଲା । ସେ ଜୀବନରେ ସବୁ କାର୍ଯ୍ୟରେ ଜୟୀ ହୋଇଅଛନ୍ତି, ସବୁଠାରେ ଆଶାତୀତ ଫଳ ପାଇଅଛନ୍ତି, କିନ୍ତୁ ଦୈବର କଠୋର ନିୟମ ନିକଟରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଲା । କେବଳ ଗୋଟିଏ ସନ୍ତାନ ଅଭାବରୁ ତାଙ୍କର ସମସ୍ତ ଅର୍ଥ, ସମସ୍ତ ଯଶ ଅସାର ବୋଧ ହେଲା । ଶେଷରେ ସେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ମନସ୍ଥ କଲେ ।

 

 

 

 

ହରିହର ରଥେ ତର୍କାଳଙ୍କାରଙ୍କର ଖୁଡ଼ୁତାପୁଅ ଭାଇ । ବିଷୟ ସମ୍ପତ୍ତି ଖୁବ୍‌ଅଛି । ବୈଦ୍ୟବୃତ୍ତି କରି ସେ ବେଶ୍‌ ଦୁଇ ପଇସା କରିପାରିଅଛନ୍ତି । ତାଙ୍କର ତିନି ପୁଅ ମଧ୍ୟରୁ ମଝିଆଁଟିର ନାମ ଲୋକନାଥ । ତର୍କାଳଙ୍କାରଙ୍କର କାତର ପ୍ରାର୍ଥନାରେ ହରିହର ରଥେ ଲୋକନାଥକୁ ତାଙ୍କୁ ଦେବାକୁ ସମ୍ମତ ହେଲେ । ଯେଉଁ ଦିନ ଲୋକନାଥ ତର୍କାଳଙ୍କାରଙ୍କ ଘରକୁ ଅନୁକୁଳ କରିଗଲା, ସେ ଦିନ ରଥଙ୍କ ଆଖିରୁ ଦି’ଟୋପା ଲୁହ ଗଡ଼ି ପଡ଼ିଲା । ରକ୍ତର ବନ୍ଧନ କ’ଣ କମ୍‌ ବନ୍ଧନ । ହେଲେ କ’ଣ ହେବ, ଭାଇଟା ପରା ଏଡ଼େ ବଡ଼ ଘରଟା ନାରଖାର ହୋଇଯିବ, ଏ କଥା ତାଙ୍କ ଦେହ ସହିଲା ନାହିଁ ।

 

ଏତେ ଦିନେ ତର୍କାଳଙ୍କାର ମହାଶୟ ଅକୂଳରେ କୂଳ ପାଇଲେ । ଯେଉଁ ଚିନ୍ତା ଏତେ ଦିନେଯାଏ ଭୂତପରି ତାଙ୍କ ହୃଦୟକୁ ମାଡ଼ି ବସିଥିଲା, ସେ ଆଜି ତହିଁରୁ ଟିକିଏ ଅବ୍ୟାହତି ପାଇଲେ-। ଏଣିକି ପିଲାଟି କିପରି ନୀରୋଗ ହୋଇ ଦୀର୍ଘଜୀବୀ ହେବ, ଭଲ ପଢ଼ାଶୁଣା କରି କୁଳ ଉଜ୍ଜ୍ୱଳ କରିବ, ଏହିସବୁ ଚିନ୍ତା କରି କରି ମନେ ମନେ ଲୋକନାଥର ଭବିଷ୍ୟତ୍‌ ଜୀବନର କାର୍ଯ୍ୟକ୍ରମ ତିଆରି କରିଦେଲେ । ତର୍କାଳଙ୍କାରଙ୍କର ଯେଉଁ ବାତ୍ସଲ୍ୟ ଅନ୍ତଃସଲିଳା ଫଲ୍‌ଗୁସ୍ରୋତପରି ଅନ୍ତରର କେଉଁ ନିଭୃତ କନ୍ଦରରେ ନିଃଶବ୍ଦ କ୍ଷୀଣଧାରାରେ ବହି ଯାଉଥିଲା, ସେ ବର୍ତ୍ତମାନ ଉଚ୍ଛ୍ୱସିତ ହୋଇ ଉଠିଲା । ଲୋକନାଥ ଏଣିକି ତର୍କାଳଙ୍କାରଙ୍କ ହୃଦୟରେ ଗୋଟିଏ ବିଶିଷ୍ଟ ସ୍ଥାନ ଅଧିକାର କରି ବସିଲା । ଯେଉଁ ତର୍କାଳକାରଙ୍କର ରୁକ୍ଷ, କର୍କଶ ମୂର୍ତ୍ତି ଦେଖି ଲୋକନାଥ ତାଙ୍କର ତ୍ରିସୀମା’ ମାଡ଼ୁ ନ ଥିଲା, ଯାହାଙ୍କଠାରୁ ଭର୍ତ୍ସନା ବିନା ସେ କେବେ ପଦେ ନରମ କଥା ଶୁଣି ନାହିଁ, ସେ ଆଜି ସବୁ ଆଦର ଯତ୍ନ ତାହାରି ଉପରେ ଢାଳି ଦେଉଛନ୍ତି କାହିଁକି ? ହଠାତ୍‌ ଏପରି ଘୋର ପରିବର୍ତ୍ତନ କିପରି ହେଲା ? ଏ ଜଟିଳ ପ୍ରଶ୍ନର ଉତ୍ତର ଦେବ କିଏ ?

 

ଏଥି ମଧ୍ୟରେ ଦୁଇଟା ବର୍ଷ ବର୍ତ୍ତମାନର ସୀମା’ ଅତିକ୍ରମ କରି କାଳସମୁଦ୍ରରେ କେଉଁଆଡ଼େ ମିଶିଗଲାଣି । ତର୍କାଳଙ୍କାର ମହାଶୟ ନିଜର ଭାଗ୍ୟ ସଙ୍ଗେ ସନ୍ଧି ସ୍ଥାପନ କରି ବେଶ୍‌ ସୁଖ ଶାନ୍ତିରେ ଅଛନ୍ତି । ସେ ବର୍ଷ ସାଇଁଲୋ ଗ୍ରାମରେ ଅକାଳରେ ଝାଡ଼ାକଲରା ଆବିର୍ଭାବ ହେଲା । ସାଇଁଲୋ କଟକଠାରୁ ବାଟ ପାଞ୍ଚ ପା, କି ଦେଢ଼ କ୍ରୋଶ ହେବ ଗାଁର କୁଲି ମଜୁରିଆ ଯାଇ ପ୍ରତିଦିନ କଟକରେ ମୂଲ ଲାଗନ୍ତି । ପ୍ରତିବର୍ଷ କଟକରେ ହଇଜା ହେବା ସଙ୍ଗେ ସଙ୍ଗେ ତାର ଢେଉଟା ପ୍ରାୟ ସାଇଁଲୋ ଆଡ଼କୁ ଟିକିଏ ମାଡ଼ିଆସେ । କିନ୍ତୁ କେଜାଣି କାହିଁକି ଏଥର ଦେବୀଙ୍କର ସାଇଁଲୋ ଉପରେ ବଡ଼ରାଗ, ଗାଁରୁ ପ୍ରାୟ ବାରଚଉଦ ମୁଣ୍ଡ ଗଲେଣି; ଯାହାକୁ ଧରୁଛି, ଦୁଇ ତିନିଟା ଝାଡ଼ାରେ ସେ ନିରାଶ । ଗାଁରେ ଗୋଟିଏ ଛାନିଆ ପଶିଗଲାଣି । ବେଳ ଥାଉ ଥାଉ ସମସ୍ତଙ୍କ ଘରେ ତାଟି କବାଟ ପଡ଼ୁଛି । ଗଲାରାତିରୁ ହରିହର ରଥଙ୍କ ସାନ ପୁଅଟିକୁ ଧରି ସବୁ ଶେଷ ହୋଇଗଲାଣି । ବର୍ତ୍ତମାନ ଝିଅ ଓ ସ୍ତ୍ରୀ ଆସି ଅଠାଠିକ୍‌ ହେଲେଣି । ରଥେ ପ୍ରଥମରେ ଚିକିତ୍ସା କରୁଥିଲେ, ବର୍ତ୍ତମାନ କାଠପରି ରହିଗଲେଣି । ଯନ୍ତ୍ରଚାଳିତ ପରି ଯାହା କିଛି କରି ଯାଉଅଛନ୍ତି । ବାକୀ ଥିଲା କେବଳ ବଡ଼ ପୁଅଟି, ସେ ମଧ୍ୟ ହାଲିଆ ହୋଇ ପଡ଼ିଗଲା । ବୃଦ୍ଧା କେବଳ ଦୀପଟିଏ ଜାଳି ଘର ଭିତରେ ସ୍ଥିର ହୋଇ ବସି ଚାରିଆଡ଼କୁ ଅନାଉଅଛନ୍ତି । ସବୁ ତାଙ୍କୁ ପ୍ରହେଳିକା ପରି ବୋଧ ହେଉଅଛି । ରଥଙ୍କ ଜାଗରଣ-ମିଳନ ଚକ୍ଷୁରେ ବସି ପ୍ରଭାତ ହୋଇଗଲା । କିନ୍ତୁ ସେତେବେଳକୁ ସମସ୍ତେ ଯାଇ ଯମରାଜଙ୍କ ମୃଗୟା-ଅଳିରେ ନିରାପଦରେ ବନ୍ଦ ହୋଇ ସାରିଲେଣି । ବାକୀ ଅଛନ୍ତି କେବଳ ବୃଦ୍ଧ ରଥେ ତୃଣଲତାଶୂନ୍ୟ କିଙ୍କରମୟ ନିଜନ ମରୁରାଜ୍ୟରେ ଶୁଷ୍କ ନୀରସ ବୃଦ୍ଧ ବନସ୍ପତି ଯେପରି ପ୍ରକୃତିର ବିଭୀଷିକାମୟ ତାଣ୍ଡବନୃତ୍ୟ ମଧ୍ୟରେ ଅତୀତର ସ୍ନିଗ୍‌ଧ ସ୍ମୃତି ଘେନି ଉଦାସପ୍ରାଣରେ ଆକାଶ ଆଡ଼କୁ ଅନାଇ ଥାଏ, ରଥେ ସେହିପରି ନୈରାଶ୍ୟର ବିକଟ ନର୍ତ୍ତନ ମଧ୍ୟରେ ପଲକଶୂନ୍ୟ ଦୃଷ୍ଟିରେ ଉର୍ଦ୍ଧ୍ୱକୁ ଚାହିଁ ରହିଲେ ।

 

ଦିନେ ରଥେ ତର୍କାଳଙ୍କାରଙ୍କୁ ଡାକି କହିଲେ, ‘‘ଜାଣିଲୁ ଭାଇଗା, ମୋ ଦୁର୍ଦ୍ଦଶା ତ ଦେଖୁଛୁ, ମୁଁ ଆଉ ବେଶୀଦିନ ବଞ୍ଚିପାରିବି ନାହିଁ । ମୋର ଦେହଟା ଅବସନ୍ନ ହୋଇ ଆସିଲାଣି, ମନଭିତରେ ସର୍ବଦା ଗୋଟାଏ ଅଗ୍ନିକୁଣ୍ଡ ଦାଉ ଦାଉ ହୋଇ ଜଳୁଛି । ମୁଁ ଭଲକରି ବୁଝିପାରିଲିଣି, ଅନ୍ତିମ କାଳ ଅତି ନିକଟ । କେତେ ଲୋକ କହୁଛନ୍ତି, ଗୋଟିଏ ପୋଷ୍ୟପୁତ୍ର କର, ନ ହେଲେ କୁଳରେ ପାଣି ଦବ କିଏ ? ଏଥିରେ ମୋ ମନ ମାନୁ ନାହିଁ । ଲୋକନାଥ ଥାଉ ଥାଉ ମୁଁ କାହିଁକି ଏ ବିଷୟରେ ଆଉ ଗୁଡ଼ାଏ ଘାଣ୍ଟିହେବି ? ତୋର ବିଚାର କ’ଣ ?’’ ତର୍କାଳଙ୍କାର କହିଲେ, ‘‘ମୋ କଥା ଟିକିଏ ଭାବୁଛ ନା, ଭାଇନା ? ଯେତେବେଳେ ଲୋକନାଥ ତୁମ ଘରେ ଥିଲା, ଥିଲା; କିନ୍ତୁ ଏଇ କେତେ ବର୍ଷ ହେଲା ସେ ମୋର ପ୍ରାଣର ଦୋପର ହୋଇ ଗଲାଣି । ସେ ମୋତେ ଯେଉଁ ବନ୍ଧନରେ ବାନ୍ଧିଛି, ତାକୁ ଛିଣ୍ଡାଇଦେଲେ ମୋର ଜୀବନତନ୍ନୀ ତା ସଙ୍ଗେ ସଙ୍ଗେ ଛିଣ୍ଡିଯିବ ।’’ ‘‘ନାହିଁ ରେ, ନାହିଁ ରେ ଭାଇଗା,’’ ରଥେ ଟିକିଏ ବିସ୍ମୟର ସହିତ କହିଲେ, ‘‘ମୁଁ ସେ କଥା କହୁ ନାହିଁ । ମୁଁ କହୁଥିଲି ଯେ, ସେ ତ ଆମ ଦୁଇକୁଳର ଏକମାତ୍ର ଚନ୍ଦ୍ରମା, ସେ ଯେପରି ଏ କୁଳ ସେ କୁଳ ଦୁଇକୁଳ ରକ୍ଷା କରିବ । ମୋର ତ ଆଉ ଘରେ ବିଲେଇ ପିଲାଟିଏ ନାହିଁ, ସେ ବିଷୟ-ବାଡ଼ି ଆଉ କିଏ ଭୋଗ କରିବ ?’’

 

ରଥଙ୍କୁ ଆଉ ବେଶିଦିନ ଦୁର୍ବହ ଜୀବନ ଭାର ବହନ କରିବାକୁ ପଡ଼ିଲା ନାହିଁ । ମୃତ୍ୟୁ ଆସି ଶୀଘ୍ର ତାଙ୍କୁ ଛୁଟି ଦେଲା ।

 

(୨)

 

ମନୁଷ୍ୟ ଯାହା ଲୋଡ଼େ ସବୁବେଳେ ତାହା ପାଏ ନାହିଁ । ପୁଣି ଯାହା ପାଇବାର କଥା, ଯେତେବେଳେ ଇଚ୍ଛା କରେ ପାଏ ନାହିଁ; ମଧ୍ୟ ଯେତେବେଳେ ଲୋଡ଼ୁ ନ ଥାଏ ସେତେବେଳେ ପାଏ । ମନୁଷ୍ୟର ଇଚ୍ଛା ଉପରେ ଯେ ତାହାର ସୌଭାଗ୍ୟ ଦୁର୍ଭାଗ୍ୟ ନିର୍ଭର କରେ ନାହିଁ, ଏହି ଶିକ୍ଷା ଦେବାଲାଗି ହୁଏତ ଭଗବାନ ମନୁଷ୍ୟର ଭାଗ୍ୟର କଣ୍ଟାକୁ ଟିକିଏ ଆଗକୁ ବା ପଛକୁ ଚଳାଇ ଦିଅନ୍ତି-। ଅଥବା ମନୁଷ୍ୟର କେତେବେଳେ କ’ଣ ଲୋଡ଼ା, ସେ ଠିକ୍‌କରି ବୁଝିପାରେ ନାହିଁ । ତର୍କାଳଙ୍କାର ସନ୍ତାନଟି ଲାଗି କେତେ ଉପାୟ ଯନ୍ତ୍ର ନ କରିଛନ୍ତି, ପ୍ରଭୁଙ୍କ ଚରଣତଳେ କେତେ ଆକୁଳ ପ୍ରାର୍ଥନା ଢାଳି ନ ଦେଇଛନ୍ତି ? କିନ୍ତୁ ବର୍ତ୍ତମାନ ଯେତେବେଳେ ସେ ଭାବନାକୁ ଚିରକାଳ ପାଇଁ ମନରୁ ନିର୍ବାସିତ କରି ନିଜ ଭାଗ୍ୟରେ ସନ୍ତୁଷ୍ଟ ହୋଇ ରହିବାକୁ ଶିକ୍ଷା କରି ଅଛନ୍ତି, ସେତେବେଳେ ସେ ଅଯାଚିତଭାବରେ ଗୋଟିଏ ପୁତ୍ରସନ୍ତାନ ଲାଭକଲେ । ଏପରି ଅପ୍ରତ୍ୟାଶିତ ସୌଭାଗ୍ୟ ଲାଗି ସେ ଆଦୌ ପ୍ରସ୍ତୁତ ନ ଥିଲେ । ସୁତରାଂ ଏ ଘଟଣା ତାଙ୍କ ମନରେ ଗୋଟାଏ ବିପ୍ଳବ ଜନ୍ମାଇ ଦେଲା । ଏକମାତ୍ର ପୁତ୍ରସ୍ନେହର ବନ୍ୟାରେ ଆଉ ସମସ୍ତ ଭାବ କେଉଁଆଡ଼େ ଭାସିଗଲା । ନୈଷ୍ଠିକ ତର୍କାଳଙ୍କାରଙ୍କର ସନ୍ଧ୍ୟା ଆହ୍ନିକ, ଅଧ୍ୟୟନ ଅଧ୍ୟାପନ କେବଳ ବିଧିରକ୍ଷାରେ ପରିଣତ ହେଲା । ତର୍କାଳଙ୍କାରଙ୍କର ହୃଦୟର ସ୍ନେହ ଆଦର ଆଦି ସମସ୍ତ ମଧୁର କୋମଳଭାବ ପୁତ୍ରର ଚତୁପାର୍ଶ୍ୱରେ ଅନବରତ ବେଷ୍ଟନ କରି ରହିଲା । କେବଳ ଦୀନବନ୍ଧୁ ବର୍ତ୍ତମାନ ଅସଯତ୍ନ ଭାବରେ ତର୍କାଳଙ୍କାରଙ୍କ ହୃଦୟରେ ରାଜତ୍ୱ କଲା । ଏ ଦିଗରେ ଅତ୍ୟଧିକ ଆକର୍ଷଣ ସଙ୍ଗେ ସଙ୍ଗେ ଅନ୍ୟ ଦିଗରେ ବିପରୀତ ଶକ୍ତିର କାର୍ଯ୍ୟ ଆରମ୍ଭ ହେଲା । ଏପରି ଟଣାଓଟରାରେ ଲୋକନାଥର କ୍ଷୀଣ ବନ୍ଧନ ଛିଣ୍ଡିଯାଇ ସେ କେଉଁଆଡ଼େ କକ୍ଷଚ୍ୟୁତ ହୋଇ ପଡ଼ିଗଲା । ତର୍କାଳଙ୍କାର ଦୁଗ୍‌ଧ ପାନର ଇଚ୍ଛା ଘୋଳରେ ପୂର୍ଣ୍ଣ କରିବେ ବୋଲି ବସିଥିଲେ । କିନ୍ତୁ ଦୁଗ୍ଧ ମିଳିବାରୁ ଘୋଳଟା ଖଟା ଲାଗିଲା ।

 

ଏତେଦିନଯାଏ କେଜାଣି କାହିଁକି ଲୋକନାଥର ପଢ଼ାଶୁଣା ଆଡ଼କୁ ତର୍କାଳଙ୍କାରଙ୍କର ବିଶେଷ ନଜର ପଡ଼ି ନ ଥିଲା । ଦିନେ ହଠାତ୍‌ ଦୈବକ୍ରମେ ସେ ବୁଝିପାରିଲେ ଯେ, ଲୋକନାଥଟା ବଡ଼ ମୋଟାବୁଦ୍ଧିଆ । ତାକୁ ପାଠ ପଢ଼ାଇବାର ଅର୍ଥ ଟଙ୍କାର ଶ୍ରାଦ୍ଧ ଛଡ଼ା ଆଉ କଡ଼ାକର ଲାଭ ନାହିଁ-। ବିଶେଷତଃ ତାର ଦୁଷ୍ଟପଣିଆ କଥା କାନରେ ଶୁଣି ଶୁଣି ସେ ଅସ୍ଥିର ହୋଇ ସାରିଲେଣି । ନା, ଆଉ ତାକୁ ପଢ଼ାଇବେ ନାହିଁ, ବରଂ ଏ ସମୟରୁ ଅନ୍ୟ କିଛି ବାଟ ଧରିଲେ ଲାଭ ଅଛି । ଲୋକନାଥକୁ ଡାକି କହିଲେ, ‘‘ମୁଁ ଭଲ କରି ଜାଣି ସାରିଲିଣି, ତୋର ଆଉ ପାଠଶାଠ ହେବ ନାହିଁ-। ତୁ ତ ଆଉ ପିଲା ନୋହୁ ଯେ, ମୁଁ ତୋତେ ଛାଟ ମାରି ଶିଖାଇବି ? ତୋ କପାଳରେ ଯାହା ଥିଲା, ହୋଇଗଲା । ଏଣିକି ତୁ ହେଲେ ବିଷୟଧନ୍ଦା ବୁଝାଶୁଝା କର । ମୁଁ ତ ଆସି ରହିଗଲିଣି, ଆଉ ବିଲବାଡ଼ିକୁ ଯାଇପାରୁ ନାହିଁ । ଜଣେ ତ ପୁଣି କେହି ଦେଖୁଶୁଣା କରିବ ।’’ ଲୋକନାଥ ମୋଟାବୁଦ୍ଧିଆ ଥିଲା କି ନାହିଁ, ଏକଥା ଠିକ କରି କୁହାଯାଇ ନ ପାରେ । ତେବେ ତାର ଯେ କେବେ ବିଦ୍ୟାନୁରାଗ କେବେ ଥିଲା, ଏକଥା କେହି ଦେଖି ନାହିଁ । ଯାହାହେଉ ସଂସାରୀ ହେବାରେ କି ସୁଖ ଅଛି, ଏ କଥା ସେ ବୁଝି ନ ଥିଲେ ସୁଦ୍ଧା ବର୍ତ୍ତମାନ ଆପାତତଃ ଯେ ପଢ଼ାପଢ଼ିର ନିର୍ମମ କବଳରୁ ରକ୍ଷା ମିଳିବ ଏ କଥାରେ ତାର ଖୁବ ଆନନ୍ଦ ହେଲା । ସେହିଦିନଠାରୁ ଲୋକନାଥଙ୍କର ଅଧ୍ୟୟନ ପର୍ବ ସାଙ୍ଗ ହେଲା । ତର୍କାଳଙ୍କାରଙ୍କର ମଧ୍ୟ ଉଦ୍ଦେଶ୍ୟ ସିଦ୍ଧ ହେଲା ।

 

 

 

 

ଆଜିକାଲି ଲୋକନାଥ ଚାଷବାସ, ବୁଝାଶୁଝା କରେ, ସନ୍ଧ୍ୟାବେଳେ ଭାଗବତଘରେ ଭାଗବତ ଚର୍ଚ୍ଚା, ସଂକୀର୍ତ୍ତନ ପ୍ରଭୃତିରେ ଯୋଗ ଦିଏ ଏବଂ ବାକୀ ସମୟଟା ଛୋଟ ଭାଇ ଦୀନେଇକୁ ନେଇ ହସ ଖେଳରେ କଟାଇଦିଏ । ଲୋକନାଥକୁ ଦିନେ କେହି ବିରସ ହେବାର ଦେଖି ନାହିଁ । ସେ ଗପସପ ହାସ୍ୟ ପରିହାସରେ ସର୍ବଦା ମନକୁ ସରସ ଓ ସଜୀବ ରଖିଥାଏ । ଗ୍ରାମର ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ସେ ବନ୍ଧୁ, ସମସ୍ତଙ୍କର ସେ ଆପଣାର; ତାହାର ଆଉ କିଛି ଥାଉ ନ ଥାଉ, ସମସ୍ତେ ତାହାର ସରଳତା ଓ ମଧୁର ବ୍ୟବହାରରେ ମୁଗ୍‌ଧ । କାହାରି କିଛି ବିପଦ ପଡ଼ିଲେ ଲୋକନାଥ ସେଠାରେ ଉପସ୍ଥିତ ହୋଇ ଅଯାଚିତ ଭାବରେ ନିଜର କର୍ତ୍ତବ୍ୟ କରିଯାଏ । କିନ୍ତୁ କେହି ଟିକିଏ କୌଣସି ପ୍ରକାରେ ତା’ ଆଗରେ କୃତଜ୍ଞତା ପ୍ରକାଶ କଲେ ସେ କିଛି ଦିନ ତା ଦୁଆର ମାଡ଼େ ନାହିଁ । ଏହିପରି କେତେ କାରଣରୁ ଲୋକେ ତାକୁ ଖାମ୍‌ଖିଆଲ ବୋଲି କହନ୍ତି । ଲୋକନାଥର ସ୍ୱାସ୍ଥ୍ୟ ଅନିନ୍ଦ୍ୟ, ଦେହରେ ମଧ୍ୟ କାଠିଏ ବଳ । କୌଣସିଠାରେ କଳହ ଉପସ୍ଥିତ ହେଲେ ନିଜର କୌଣସି ବିପଦ ପ୍ରତି ଭ୍ରୁକ୍ଷେପ ନ କରି ସେ ସ୍ୱୟଂ ରଣକ୍ଷେତ୍ରରେ ଉପସ୍ଥିତ ହୋଇ କ୍ଷତ୍ରିୟର କାର୍ଯ୍ୟ କରିବାକୁ ମଧ୍ୟ ଛାଡ଼େ ନାହିଁ । ତାହା ବୋଲି ସେ ନିଜେ ଯେ କେବେ କଳହ କରେ ନାହିଁ, ଏପରି ନୁହେ । ନିଜର ମତ ସଙ୍ଗେ କାହାରି ମତର ଅମେଳ ହେଲେ ସମୟ ସମୟରେ ସେ ଉତ୍ତମ ମଧ୍ୟମ ଗୋଟାକେତେ ଦେଇ ନିଜ ମନର ସତ୍ୟତା ଅନ୍ୟମାନଙ୍କୁ ଦାରୁଣ ଭାବରେ ଉପଲବ୍‌ଧ କରାଇ ଦିଏ ।

 

କିନ୍ତୁ ଲୋକନାଥ ଯଦି କାହାରି କିଛି ଅନିଷ୍ଟ କରେ, ସେ ନିଜର । ତାହାର ଅତୀତ ପାଇଁ ଅନୁଶୋଚନା ନାହିଁ; ଭବିଷ୍ୟତ ପାଇଁ ଚିନ୍ତା ନାହିଁ । ତାହାର ପୋଷାକ ପରିଚ୍ଛେଦରେ ଆଡ଼ମ୍ୱର ନାହିଁ; ଖଣ୍ଡେ ଛିଣ୍ଡା ଖଦୀ ହେଲେ କାମ ଚଳିଲା । ଭୋଜନାଦିରେ ମଧ୍ୟ ଆଗ୍ରହ ନାହିଁ- ଘରେ ମୋଟା ବଗଡ଼ା ଯାହା ପାଇଲା, ସେ ସେଥିରେ ସନ୍ତୁଷ୍ଟ । ଲୋକନାଥ ଆସିଲା ଦିନଠାରୁ ତର୍କାଳଙ୍କାରଙ୍କ ଗୃହିଣୀ ଦିନେ ତାକୁ ସ୍ନେହଚକ୍ଷୁରେ ଦେଖି ନାହାନ୍ତି । ସେ ଏଡ଼େ ନିର୍ବୋଧ ନୁହନ୍ତି ଯେ, ପର ପୁଅକୁ ପୁଅ ବୋଲି ଡାକି ଗୌରବ ବୋଧ କରିବେ । ବରଂ ସେ ନିଜେ ଯେ ପୁତ୍ରହୀନା, ଲୋକନାଥକୁ ଦେଖି ଏକଥା ସେ ଗଭୀର ଯନ୍ତ୍ରଣାର ସହିତ ସ୍ପଷ୍ଟତର ରୂପେ ଅନୁଭବ କଲେ । ଏ ଭାବ ଏ ପର୍ଯ୍ୟନ୍ତ ତାଙ୍କ ମନମଧ୍ୟରେ ଘୁଙ୍ଗାଳି ହୋଇ ତାଙ୍କୁ ପୋଡ଼ି ଦେଉଥିଲା । କିନ୍ତୁ ଦୀନବନ୍ଧୁର ଜନ୍ମ ପରେ ପୁତ୍ରଗରବିଣୀ ଆଉ ଅନ୍ତରବ୍ୟଥାକୁ ଚପାଇ ରଖିପାରିଲେ ନାହିଁ । ଭିତର ଅଗ୍ନି ଦାରୁଣ ତେଜରେ ଜଳି ଉଠିଲା । ସେ ପ୍ରଥମେ ଅନ୍ୟ କାହାରି ସାହାଯ୍ୟ ଅପେକ୍ଷା ନ କରି ନୀରବରେ ଲୋକନାଥ ଉପରେ ଅତ୍ୟାଚାର କରିବା ଲାଗି ନାନା ଉପାୟ ଅବଲମ୍ୱନ କଲେ । କିନ୍ତୁ ଲୋକନାଥର ସରଳ, ଅଲପଟ ସ୍ୱଭାବ ନିକଟରେ ସବୁ ବ୍ୟର୍ଥ ହୋଇଗଲା । ଶେଷରେ ଏଥିରୁ ନିରସ୍ତ ହୋଇ ଗୃହିଣୀ ସ୍ୱାମୀଙ୍କର ଆଶ୍ରୟ ନେଲେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ-ପ୍ରଣୟ କେତେଦୂର ପ୍ରଗାଢ଼ ଥିଲା, ତାହା ଠିକ୍‌ ବୋଲାଯାଇ ନ ପାରେ; ତେବେ ଦୀନବନ୍ଧୁର ଜନ୍ମଦିନଠାରୁ ସ୍ତ୍ରୀଙ୍କ ପ୍ରତିପତ୍ତି ସ୍ୱାମୀଙ୍କଠାରେ ଖୁବ୍‌ ବଢ଼ିଯାଇଛି । ଗୃହିଣୀ ଏହି ସୁଯୋଗ ପାଇ ଆକାର ଇଙ୍ଗିତ, କଥାବାର୍ତ୍ତା ନାନା ଉପାୟରେ କ୍ରମେ ତର୍କାଳଙ୍କାରଙ୍କୁ ଲୋକନାଥ ବିରୁଦ୍ଧରେ ଉତ୍ତେଜିତ କରିଦେଲେ-। ଯେଉଁ ସ୍ତ୍ରୀ ନିଜ ସ୍ୱାମୀକୁ ଆପଣାର ମୁଠାରେ ରଖି ନ ପାରିଲା, ତାହାର ନାରୀଜନ୍ମ ଘେନି ଫଳ କ’ଣ ? କେତୋଟା ଦିନରେ ତର୍କାଳଙ୍କାର ବୁଝିଗଲେ ଯେ, ଲୋକନାଥକୁ ଆଣି ଯେ ସେ ଏକ ବିଷମ ଭୁଲ କରିଅଛନ୍ତି । ତର୍କାଳଙ୍କାରଙ୍କ ମନରେ ଏକଥା ଯେ ଆଦୌ ଉଦୟ ହୋଇ ନ ଥିଲା, ତାହା ନୁହେଁ; ତେବେ ସ୍ତ୍ରୀ ଦିବ୍ୟଚକ୍ଷୁ ଦେଇ ତାଙ୍କୁ ଭବିଷ୍ୟତର କୁରୁକ୍ଷେତ୍ରର ଚିତ୍ର ଟିକିଏ ଭଲ କରି ଦେଖାଇଦେଲେ । ବୃଦ୍ଧ ମଧ୍ୟ ଏହି ଚିନ୍ତାରେ ଅସ୍ଥିର ହୋଇ ପଡ଼ିଲେ । ଯହିଁରେ ଦୀନେଇର ଭବିଷ୍ୟତରେ ଘୋର ଅକଲ୍ୟାଣ ହେବ, ସେ କଣ୍ଟା ଦୂର ନ କରିବାଯାଏ ମନରେ ଆଉ ଶାନ୍ତି ନାହିଁ-? ଗୃହିଣୀ ମଧ୍ୟ ବେଳକାଳ ଦେଖି ଟିକିଏ ଟିକିଏ ଆହୁତି ପକାବାକୁ ଲାଗିଲେ ।

 

ଦିନେ ଦୀନବନ୍ଧୁ ପାଠଶାଳାରୁ ଫେରିବା ବେଳେ ଅନ୍ୟ ଗୋଟିଏ ପିଲା ସହିତ ତାହାର କଳି ହେଲା । ବାକ୍‌ଯୁଦ୍ଧରେ କିଛି ମୀମାଂସା ନ ହେବାରୁ ଉଭୟଙ୍କ ମଧ୍ୟରେ ହାତ ଚଳାଚଳି ଆରମ୍ଭ ହେଲା । ଅନ୍ୟାନ୍ୟ ଛାତ୍ରମାନେ କୌତୂହଳ ହେତୁ ଏ ଆନନ୍ଦ ଉପଭୋଗରୁ ବଞ୍ଚିତ ହେବାକୁ ଇଚ୍ଛୁକ ନ ଥିଲେ ସୁଦ୍ଧା କେତେ ଜଣ ମଧ୍ୟସ୍ଥତାର ଅଭିନୟ ଦେଖାଇଥିଲେ । କିନ୍ତୁ ଏଥିରେ କିଛି ଫଳ ହେଲା ନାହିଁ । ଶେଷରେ ବାହୁବଳ ଏ ଦ୍ୱନ୍ଦଯୁଦ୍ଧର ନିଷ୍ପତ୍ତି କରି ଦେଲା । ଦୀନବନ୍ଧୁ ସଙ୍ଗୀମାନଙ୍କ ହାସ୍ୟ କରତାଳି ମଧ୍ୟରେ ପରାଜିତ ପ୍ରତିଦ୍ୱନ୍ଦୀକୁ ଭୂତଳଶାୟୀ କରି ଦେଇ ଜୟଧ୍ୱଜା ପରିବର୍ତ୍ତରେ ଉକ୍ତ ବାଳକର ପୁସ୍ତକର ଛିନ୍ନପତ୍ରସବୁ ଉଡ଼ାଇ ଉଡ଼ାଇ ବିଜୟୋଲ୍ଲାସରେ ଗୃହାଭିମୁଖରେ ଅଗ୍ରସର ହେଲା । ଏପରି ସମୟରେ ଲୋକନାଥ ବିଲଆଡ଼ୁ ଫେରି ସେଠାରେ ଉପସ୍ଥିତ । ସେ ଭୂମିରେ ପଡ଼ିଯାଇଥିବା ବାଳକଟିକୁ ଉଠାଇ ତା ମୁଣ୍ଡରୁ ଯେଉଁ ରକ୍ତ ବୋହୁଥିଲା, ତାହା ପୋଛି ପକାଇଲା । ଗ୍ରାମର ପିଲାମାନଙ୍କ ମଧ୍ୟରେ ଲୋକନାଥର ଏକଚ୍ଛତ୍ର ସାମ୍ରାଜ୍ୟ । ସେ ସମସ୍ତଙ୍କୁ ଆନ୍ତରିକ ସ୍ନେହ କରୁଥିଲା ଏବଂ ସମସ୍ତେ ତାର ନିରପେକ୍ଷ ବିଚାରରେ ସନ୍ତୁଷ୍ଟ ଥିଲେ । ଉପସ୍ଥିତ କ୍ଷେତ୍ରରେ ସେ ଦୀନବନ୍ଧୁର ପୂରା ଦୋଷ ଦେଖିପାରି ସମସ୍ତଙ୍କ ସମକ୍ଷରେ ତାକୁ ଚଟକଣିଟାଏ ଦେଇ ଭବିଷ୍ୟତ ପ୍ରତି ସତର୍କ କରାଇ ଦେଲା । ଦୀନେଇ ତର୍କାଳଙ୍କାରଙ୍କର ସେରନ୍ତା ପୁଅ, ଚିରକାଳ ଆଦର ସ୍ନେହରେ କୋଳରେ ଲାଳିତ; ତା ଦେହରେ କେହି ହାତ ଛୁଇଁବା ଦୂରେ ଥାଉ, ଦିନେ କେହି ତାକୁ ତୁ ବୋଲି କହି ଦେଇ ନାହିଁ । ସେ ଏ ଘୋର ଅପମାନ ସହି ନ ପାରି କୋହରେ କାନ୍ଦି କାନ୍ଦି ଘରକୁ ଚାଲିଗଲା । ଘରେ ଗୋଡ଼ ଦେଲାମାତ୍ରେ ତାହାର ମନର କୋହ ପ୍ରବଳତର ହୋଇ ଉଠିଲା ଏବଂ ଗଳାର ସ୍ୱର ସପ୍ତମକୁ ବଢ଼ାଇ ଦେଇ ସେ ଚିତ୍କାର କରି ଉଠିଲା । ଦୀନାବୋଉ ହାଣ୍ଡିଶାଳରେ ଥିଲେ । ସେ ଦୀନେଇର କିଛି ଅକଲ୍ୟାଣ ଆଶଙ୍କା କରି ହଠାତ୍‌ ଦୌଡ଼ି ଆସୁ ଆସୁ ତାଙ୍କୁ ମୁଣ୍ଡ ଦୁଆରବନ୍ଧରେ ବାଜି ସେ ଲଥ୍‌କିନା ବସିଗଲେ । ପରେ ମନର ରାଗ ମନରେ ମାରି ଦେଇ ଯାଇ ଦୀନେଇ ପାଖରୁ ସବୁ ହାଲ ହଇକତ ଶୁଣିଲେ । ଶୁଣି ତାଙ୍କର ଧୈର୍ଯ୍ୟଚ୍ୟୁତି ହେବାର ସମ୍ଭାବନା ହେଲା । ପୁଣି ମନରେ ଆନନ୍ଦ ମଧ୍ୟ ଟିକିଏ ହେଲା ଯେ, ସେ ଏପର୍ଯ୍ୟନ୍ତ ଯେଉଁ ସୁବିଧା ଖୋଜୁଥିଲେ, ତାହା ଆସି ଆଜି ଉପସ୍ଥିତ । ଲୋକନାଥକୁ ଦେଖିପାରି ମନକୁ ଟିକିଏ ଦୃଢ଼ କଲେ । ପୁଅ ଉପରେ ରାଗିଯାଇ କହିଲେ, ‘‘ଛତରା ଟୋକା, ଯା- ତୁ ମୋ ଘରୁ ଯା । ହେଉଛି କଅଣ କି ? ଆହୁରି ହବ; ତତେ ହୀନମାନ ଦେଖି ହାଡ଼ି ପାଣ ତ ମାଡ଼ ମାରିବେ ।’’ ଏ କଥା କହି ଦୀନବନ୍ଧୁକୁ ଦୁଇ ଚାପୁଡ଼ା ମାରି ଜୋରରେ ପେଲି ଦେଲେ । ଦୀନବନ୍ଧୁ ମୁହଁମାଡ଼ି ପଡ଼ିଗଲା ବେଳେ ତଳେ ଖଣ୍ଡେ ଖପରା ତା ମୁଣ୍ଡରେ ପଶିଯାଇ ଝରଝର ହୋଇ ରକ୍ତ ବୋହିଗଲା । ଦୀନାବୋଉ ଏହା ଦେଖି ସୁଦ୍ଧା ବିଚଳିତ ହେଲେ ନାହିଁ । ଲୋକନାଥଙ୍କୁ ନିକଟରେ ଦେଖି ପୁଅ ଆଡ଼କୁ ଅନାଇଁ ‘ମର’ ବୋଲି କହି ରାଗରେ ଗରଗର ହୋଇ ଚାଲିଗଲେ । ଲୋକନାଥ କାରଣ ବୁଝିବାକୁ ଚେଷ୍ଟା ନକରି ହଠାତ୍‌ ଦୀନବନ୍ଧୁକୁ ଭୂଇଁରୁ ଉଠାଇ ପୋଡ଼ାକନା ଖଣ୍ଡେ କଟା ସ୍ଥାନରେ ମାଡ଼ି ଦେଇ ତା ଉପରେ ଗୋଟିଏ ପଟି ବାନ୍ଧି ଦେଲା ଏବଂ ମୋ ବାପା, ମୋ ଧନ, କହି ତାକୁ ତୁନିକରି ଦେଇ ଶୁଆଇ ପକାଇଲା । ତର୍କାଳଙ୍କାର ସେ ଦିନ ଦୀନେଇର ଉପନୟନ ଲାଗି କିଛି ଟଙ୍କାର ଯୋଗାଡ଼ କରିବା ପାଇଁ ଗୋଟିଏ ପାଖ ଗାଁକୁ ଯାଇଥିଲେ, କିଛିକ୍ଷଣ ପରେ ଆସି ପହଞ୍ଚିଲେ । ଖରାରେ ଦେହରୁ ଝାଳ ବୋହି ଯାଉଛି, ତହିଁରେ ପୁଣି ସକାଳୁ ଖିଆପିଆ ନାହିଁ । ଆସି ଦେଖନ୍ତି ତ ଘରେ ସବୁ ଶୂନ-ଶାନ । ‘‘ଦୀନେଇ ରେ’’ ‘‘ଦୀନେଇ ରେ’’ କେତେ ଥର ଡାକି କିଛି ଜବାବ ପାଇଲେ ନାହିଁ । ଭିତରକୁ ଯାଇ ଦେଖିଲେ, ଦୀନେଇ ମୁଣ୍ଡରେ ଗୋଟିଏ ପଟି ବନ୍ଧା, ସେ ଘର ଭିତରେ ଶୋଇଛି, ଆଉ ଗୃହିଣୀ ପିଣ୍ଡା ଉପରେ ଭୂଇଁରେ ପଡ଼ିଛନ୍ତି । ସେ ପହିଲେ କିଛି ବୁଝି ପାରିଲେ ନାହିଁ । ପରେ ଗୃହିଣୀଙ୍କି ଡାକିବାରୁ ସେ ବହୁକଷ୍ଟରେ ଉଠିଲେ । ତାଙ୍କର ଚକ୍ଷୁ ରକ୍ତବର୍ଣ୍ଣ, କେଶ ବିପର୍ଯ୍ୟସ୍ତ ଓ ମୁଖ ମେଘାଚ୍ଛନ୍ନ । ତର୍କାଳଙ୍କାର କିଛି ପଚାରିବା ଆଗରୁ ସେ କନ୍ଦ୍ରନ ସ୍ୱରରେ ଚିତ୍କାର କରି ଉଠିଲେ- ‘‘ମୋ ଦୀନେଇ କାହିଁ, ମୋ ଦୁଃଖୀଧନ କାହିଁ; ସେ ଅସୁର ତାକୁ କ’ଣ ଆଉ ଜୀବନରେ ରଖିଛି ?’’

 

‘‘କ’ଣ, ହେଲା କ’ଣ ? ଦୀନେଇର କ’ଣ ହୋଇଛି ?’’ ‘‘ମୁଁ ଆଉ ଏ ରାକ୍ଷସ ପୁରୀରେ ତିଳେ ରହିବି ନାହିଁ ଲୋ ମା, ଆଉ କ’ଣ ମୁଁ ସତେ ଦୀନେଇକି ଦେଖିଥାନ୍ତି ?’’ ଏହି କଥା କହି ଗୃହିଣୀ କ୍ରନ୍ଦନର ସ୍ୱର ଆଉ ଟିକିଏ ବଢ଼ାଇ ଦେଲେ । ଶେଷରେ ସ୍ୱାମୀଙ୍କର ତୀବ୍ର ଉତ୍କଣ୍ଠା ଦେଖି ଆନୁପୂର୍ବିକ ସବୁ ସାଳଙ୍କାରରେ ବର୍ଣ୍ଣନା କରି ସାବ୍ୟସ୍ତ କରିଦେଲେ ଯେ, ଦୀନେଇକି ବିନାଦୋଷରେ ଲୋକନାଥ ମାଡ଼ ମାରି ତା ମୁଣ୍ଡ ଦି’ଫାଳ କରି ଦେଇଛି, ବଞ୍ଚିବି କି ନାହିଁ ସନ୍ଦେହ, ସେ ନଥିଲେ ଏତେବେଳକୁ ଦୀନେଇ ମଶାଣି ପଦାରେ ଗଡ଼ୁଥାନ୍ତା । ଗୃହିଣୀ ଅନେକ ଦିନୁ ଲୋକନାଥର ହିଂସ୍ରକ-ପ୍ରବୃତ୍ତିର ନମୁନା ପାଇଲେଣି, କିନ୍ତୁ ପର ପୁଅ କାଳେ କ’ଣ ଭାବିବ, ଏଥିଲାଗି କିଛି କହନ୍ତି ନାହିଁ । ଦୀନେଇ ସମସ୍ତ ସମ୍ପତ୍ତି ଉପରେ ଲୋକନାଥର ଏକାଧିପତ୍ୟ ନଷ୍ଟ କରି ଦେଇଛି କିନା, ସେଥିଲାଗି ତା ଉପରେ ଲୋକାର ଏତେ ରାଗ । ‘‘ମୁଳୁ ମାଇଲେ ଯାଉ ସରି, ଦେବଙ୍କ ସଙ୍ଗେ କିପାଁ କଳି ।’’ ‘‘ପୋଷା ପୁଅ, ଗୁଞ୍ଜା ରୁଅ; ସେ କି କେବେ ଆପଣାର ହୁଏ’’, ଇତ୍ୟାଦି ।

 

ଏକେ ତ ତର୍କାଳଙ୍କାର ଯେଉଁ କାର୍ଯ୍ୟଲାଗି ଗ୍ରାମାନ୍ତରକୁ ଯାଇଥିଲେ, ସେଥିରେ ନିରାଶ ହୋଇ ଫେରି ଆସିଛନ୍ତି; ଏଣେ କ୍ଷୁଧା ତୃଷ୍ଣା ଓ ପଥକ୍ଳାନ୍ତିରେ ଶରୀର ମନ ଅବସନ୍ନ । ତା ଉପରେ ଲେକନାଥର ଏପରି କାଣ୍ଡ ଶୁଣି ଆଉ ଧୈର୍ଯ୍ୟ ଧରି ପାରିଲେ ନାହିଁ । ଜଳନ୍ତା ନିଆଁରେ ଶୁଖିଲା କୁଟା ପଡ଼ିଗଲା । ଲୋକନାଥ ଭାଗବତ ଘରେ ବସିଥିଲା, ନନାଙ୍କ ଫେରିବା ଖବର ପାଇ ଘରକୁ ଆସିଲା । ତାକୁ ଦେଖି ତର୍କାଳଙ୍କାର ତା ମୁହଁକୁ ଅନାଇଁ ପ୍ରଥମେ ଗୁମ୍‌ମାରି ଛିଡ଼ା ହୋଇଗଲେ । ନିଜକୁ ଟିକିଏ ସମ୍ଭାଳି ନେଇ ସ୍ଥିର ଭାବରେ କହିଲେ, ‘‘ଦେଖ ଲୋକେଇ, ମୁଁ ଆଜିଯାଏ ଘରେ କାଳସାପଟାଏ ପାଳିଛି ବୋଲି ଜାଣି ନ ଥିଲି । ଏତେ ଦିନେ ମୋ ଆଖି ଫିଟିଲା । ହଉ, ମୁଁ ଆଜିଠାରୁ ସଫା କହି ଦଉଛି, ତୋର ମୋ ଘରେ ଆଉ ସ୍ଥାନ ନାହିଁ । ତୁ ଆଜିଠାଉଁ ମୋ ଦୁଆର ମାଡ଼ିବୁ ନାହିଁ । ତୋ ସଙ୍ଗେ ମୋର ସମ୍ପର୍କ ଆଜିଠାରୁ ଛିଣ୍ଡିଲା ।’’ ଲୋକନାଥ ଏ କଥା ଶୁଣି ବିସ୍ମୟରେ ଆବାକ୍‌ ହୋଇଗଲା । ଏଇଟା ସ୍ୱପ୍ନ କି ଜାଗରଣ, ସେ ଠିକ୍‌କରି ପାରିଲା ନାହିଁ । କିଛିକ୍ଷଣ ପରେ ଟିକିଏ ପ୍ରକୃସ୍ଥିତ ହୋଇ ସାହାସ ଅବଲମ୍ୱନ କରି କହିଲା, ‘‘ନନା ! ମୁଁ କ’ଣ ଦୋଷ କରିଛି କିଛି ବୁଝିପାରୁନାହିଁ ।’’ ଏ କଥା ଶୁଣି ତର୍କାଳଙ୍କାର ଗର୍ଜନ କରି କହିଲେ, ‘‘ତୁ ମୋ ଆଗରୁ ଶୀଘ୍ର ଚାଲି ଯା’ । ତୋର ଆଜିର କାଣ୍ଡ ଶୁଣି ମୋର ଗୋଡ଼ଠଉଁ ମୁଣ୍ଡ ପର୍ଯ୍ୟନ୍ତ ଜଳୁଛି, ତୁ ଆଉ ବେଶି ମୋତେ ଜଳାନା । ଏହିକ୍ଷଣି ମୋ ମନ କିଛି ଠିକ୍‌ ନାହିଁ ।’’ ଏକଥା କହି ତର୍କାଳଙ୍କାର ସେଠାରୁ ଚାଲିଗଲେ । ଲୋକନାଥ ମଧ୍ୟ ଘର ଆଡ଼କୁ ଗୋଟିଏ କରୁଣ ଦୃଷ୍ଟି ପକାଇ ସେଠାରୁ ଚାଲିଆସିଲା ।

 

ସେ କେଉଁଆଡ଼େ ଯିବ, କିଛି ସ୍ଥିର କରି ପାରିଲା ନାହିଁ । ତାହାର ପ୍ରତି ପଦକ୍ଷେପରେ ପୃଥିବୀ ଘାଉଁରି ଖାଇବାକୁ ଲାଗିଲା; ତା ଉପରେ ଆକାଶ ଯେପରି ଭାଙ୍ଗି ପଡ଼ିଲା । ସେ ଦିନର ଘଟଣା ଗୋଟି ଗୋଟି ହୋଇ ତା ମନରେ ଉଦୟ ହେଲା । ଅତୀତର ଅନେକ ତୁଚ୍ଛ ସାମାନ୍ୟ ଘଟଣା ନିଜ ନିଜର ଗୁଢ଼ ଅର୍ଥସମ୍ଭାର ଘେନି ତା ନିକଟରେ ଉପସ୍ଥିତ ହେଲେ । ପ୍ରତ୍ୟେକ ପରସ୍ପରଠାରୁ ବିଚ୍ଛିନ୍ନ ହେଲେ ସୁଦ୍ଧା ସମସ୍ତେ ତାହା ପାଖରେ ଏକ ନିଦାରୁଣ ସତ୍ୟ ପ୍ରଚାର କରି ଦେଇଗଲେ- ‘‘ତୁ ଯେ ପୋଷ୍ୟପୁତ୍ର ।’’

 

(୩)

 

ଲୋକନାଥ ବର୍ତ୍ତମାନ ସଂସାରରେ ନିତାନ୍ତ ଅସହାୟ, ନିତାନ୍ତ ଅନାଥ । ସେ ଏ ପର୍ଯ୍ୟନ୍ତ ହରିଣଶିଶୁ ପରି ଖେଳି ଚାରିଆଡ଼େ ସ୍ୱଚ୍ଛନ୍ଦ ମନରେ ନାଚି ବୁଲୁଥିଲା । ଧୂଳିଖେଳ ପରି ମନେ କରୁଥିଲା, ତାର ଜୀବନର ଖେଳ ମଧ୍ୟ ସୁଖରେ ସୁଖରେ ଶେଷ ହୋଇଯିବ । କିନ୍ତୁ ସେ ସ୍ୱପ୍ନରୁ ଉଠି ଦେଖିଲା, ବାଲିଘରରେ ସଂସାର ଚଳେ ନାହିଁ, ତାକୁ ସତରେ କାଠି କୁଟା ମାଟି ପତର ଲଗାଇ ଖଣ୍ଡି, ଘର ତିଆରି କରିବାକୁ ହେବ । ଦେଖିଲା, ଜୀବନଟା କେବଳ ହସ ଖେଳରେ, ଆମୋଦ ଆହ୍ଲାଦରେ ଗଢ଼ା ନୁହେ; ତହିଁରେ ନୟନର ଅଶ୍ରୁ - ଅନ୍ତରର ଦୀର୍ଘଶ୍ୱାସର ହିଂସା ମଧ୍ୟ ଅଛି-। ସେ କେବଳ ସଂସାରର ଖଣ୍ଡିଏ ମାନଚିତ୍ର ଆଜନ୍ମ ଦେଖି ଆସୁଥିଲା, କିନ୍ତୁ ଭାଗ୍ୟର ପରିବର୍ତ୍ତନ ସଙ୍ଗେ ବୁଝି ପାରିଲା, ଯେ ପ୍ରକୃତ ବସ୍ତୁର ଗୋଟିଏ ଅଂଶମାତ୍ର ଦେଖିଅଛି ।

 

ଏକା ହୋଇଥିଲେ ସେ ସଂସାରକୁ ଏତେ ଖାତିର କରନ୍ତା ନାହିଁ । ନିଜର କ୍ଷୁଦ୍ର ତରଣୀ ଖଣ୍ଡିକ ଅକାତରରେ ସଂସାର ସ୍ରୋତରେ ଛାଡ଼ିଦେଇ ସେ ନିଶ୍ଚିନ୍ତ ରହନ୍ତା - ଚାଲୁ, ଯେଉଁଯାଏ ଚାଲିବ, ବୁଡ଼ୁ, ଯେଉଁଠାରେ ବୁଡ଼ିବ, ଭାଙ୍ଗୁ, ଯେଉଁଠାରେ ଭାଙ୍ଗିବ; କିନ୍ତୁ ତା ପଛରେ ଯେ ଖଣ୍ଡିଏ ଛୋଟ ପତର ବନ୍ଧା, ସେ ଟିକି ଡଙ୍ଗା ଖଣ୍ଡି ଯେ ସାମାନ୍ୟ ଟିକିଏ ଝଞ୍ଜା ପବନ ଲାଗିଲେ ବୁଡ଼ିଯିବ । ଲୋକନାଥର ସ୍ତ୍ରୀ ପାର୍ବତୀ ବିବାହ ପରେ ବରାବର ବାପ ଘରେ ଥିଲା । ପାର୍ବତୀର ପିତା ବଡ଼ ଗରିବ, ତହିଁରେ ପୁଣି କୁଟୁମ୍ୱ ଅନେକ । ସେ ଆଉ ବେଶିଦିନ ବଢ଼ିଲା କନ୍ୟାକୁ ଘରେ ରଖି ନ ପାରି ଶାଶୁ ଘରକୁ ପଠାଇବାର ବନ୍ଦୋବସ୍ତ କଲେ । ଏହି ସମ୍ୱାଦ ଶୁଣି ତର୍କାଳଙ୍କାର କିପରି ବନ୍ଦୋବସ୍ତ କଲେ, ତାହା ସହଜରେ ଅନୁମେୟ । ଖୋଦ ଲୋକନାଥର ଅବସ୍ଥା ଯେତେବେଳେ ଏପରି ତାହାର ପିଲା କବିଲାଙ୍କ କଥା ପଚାରୁଛି କିଏ ? ଶେଷରେ ଲୋକନାଥ ନିଜ ବୋଝ ନିଜେ ମୁଣ୍ଡେଇ ବାଟ ଚାଲିବାକୁ ଅଗ୍ରସର ହେଲା । ସେ ବିଶ୍ୱରଙ୍କଠାରୁ କିଛି ଦିନର ମହଲତ ମାଗି ଖଣ୍ଡିଏ କୁଡ଼ିଆ ଘର ସଜିଲ କରିବାକୁ କାଉଳି ହୋଇ ପଡ଼ିଲା । ନାନା ଚେଷ୍ଟାରେ ବିଫଳ-ମନୋରଥ ହୋଇ କ’ଣ କରିବ କିଛି ଠିକ୍‌ କରିପାରିଲା ନାହିଁ । ଶେଷରେ ଗୋଟିଏ ବିଧବା ବ୍ରାହ୍ମଣୀ ତା ଦୁଃଖରେ କାତର ହୋଇ ତାକୁ ଆଶ୍ରୟ ଦେବାକୁ ପ୍ରସ୍ତୁତ ହେଲା । ବିଧବାର ଗାଁ ମୁଣ୍ଡରେ ବଖୁରିଟିଏ ଛୋଟ କୁଡ଼ିଆ ଘର- ଘରକୁ ଲାଗି ଖଣ୍ଡିଏ ଗଳି ବାହାରଛି । ଜୀବନ ନିର୍ବାହର ଏକମାତ୍ର ଉପାୟ ତାହାର ଗାଈଟି ମରିଗଲା ଦିନଠାରୁ ଚାଳି ଖଣ୍ଡିକ ଖାଲି ପଡ଼ିଛି । ସେ ଲୋକନାଥକୁ ଡାକି କହିଲା, ‘‘ବାପା, ତୁ ତ ଏତେ ଆଡ଼େ ଧନ୍ଦି ହେଲୁଣି, କିଛି ହେଲା ନାହିଁ । ଏହିକ୍ଷଣି କେତେଟା ଦିନ ମୋ ଚାଳିଘର ଖଣ୍ଡିକରେ ବୋହୂକୁ ଆଣି ଟିକିଏ ମୁଣ୍ଡ ଗୁଞ୍ଜି ରହିଯା’ । ପଛେ ଘର ମିଳିଲେ ସେଠାକୁ ଉଠିଯିବୁ ।’’ ନିଃସହାୟା ବିଧବାଠାରୁ ଏପରି ଅଯାଚିତ ଅନୁଗ୍ରହ ପାଇ ଲୋକନାଥର ଚକ୍ଷୁ ଥନ ଥନ ହୋଇ ଆସିଲା ।

 

ଲୋକନାଥ ଆଉ ପାର୍ବତୀ ଆସି ଚାଳଘର ଖଣ୍ଡିକରେ ଆଶ୍ରୟ ନେଲେ । ପାର୍ବତୀର ମନରେ ଟିକିଏ ସାନ୍ତ୍ୱନା ହେଲା- ଯାହା ହେଉ ସ୍ୱାମୀଙ୍କ ଦୁଃଖରେ ମୁଁ ଦୁଃଖିନୀ ହୋଇ ପାରିବି । ଲୋକନାଥ ମନରେ ଚିନ୍ତା ହେଲା- ଶୋକ ଦୁଃଖରେ ଅନଭ୍ୟସ୍ତା ଯୁବତୀ ସ୍ତ୍ରୀକୁ ମୁଁ କିପରି ସନ୍ତୁଷ୍ଟ କରିବି ।

 

ଲୋକନାଥ ନିଜ ଗ୍ରାମରୁ କାହାରି କାହାରିଠାରୁ ସାହାଯ୍ୟ ସ୍ୱରୂପ କିଛି କିଛି ପାଏ । ମଝିରେ କେବେ କେବେ ପାଖ ଗାଁକୁ, କେବେ କଟକକୁ ଚାଲିଯାଇ ଭିକ୍ଷାଦ୍ୱାରା କିଛି ରୋଜଗାର କରି ଆଣେ । କିନ୍ତୁ ‘ମାଗିଆଣିଲା ତଉଣ ଷୋଡ଼କାଏ’ । କେଉଁଦିନ ଓଳିଏ, କେଉଁଦିନ କିଛି ନାହିଁ, ଏହିପରି କଷ୍ଟେ ମଷ୍ଟେ ଦୁଇ ପ୍ରାଣୀ ଚଳୁଥାଆନ୍ତି ।

 

ଗ୍ରାମର ଅନେକ ଲୋକ ଅନେକ ଥର ଲୋକନାଥକୁ କହିଲେଣି- ଥରେ ଯାଇଁ ତର୍କାଳଙ୍କାରଙ୍କୁ କହ, ଯାହା ହେଲା ତ ହେଲା, ଏବେ ମୋର ଜମିବାଡ଼ି ମୋତେ ଦିଅ, ମୁଁ ଆଉ କେତେଦିନ ଏପରି କଷ୍ଟରେ ଚଳିବି ? ଲୋକନାଥ ଶୁଣି ନ ଶୁଣିଲା ପରି ହୁଏ । କେବେ ଅବା କହେ, ‘‘ମିଛରେ ତୁଣ୍ଡ ହରେଇବି କାହିଁକି ?’’ ଦିନେ ଗ୍ରାମର ମୁଖିଆ ମୁଖିଆ କେତେ ଜଣ ଲୋକ ମେଳ ହୋଇ ତର୍କାଳଙ୍କାରଙ୍କ ପାଖରେ ଲୋକନାଥ କଥା ପକାଇଲେ । ତର୍କାଳଙ୍କାରେ କହିଲେ, ‘‘ଲୋକନାଥର କି ସମ୍ପତ୍ତି ଗୁଡ଼ାଏ ଅଛି ଯେ ମୁଁ ତାକୁ ଦେବି ? ସମସ୍ତ ବିଷୟ ତ ହରିଭାଇନା ବିକ୍ରି ବନ୍ଧକ କରି ଖାଇଥିଲେ, ମୁଁ ସେଥିରୁ କେତେକ ଖରିଦ କରିଅଛି, ଆଉ କେତେକ ବିକ୍ରି ଦାମରେ ମୁକୁଳାଇ ଅଛି । ମୋ ଟଙ୍କାଗୁଡ଼ାକ କ’ଣ ତେବେ ବାଏଁ ବାଏଁ ଉଡ଼ିଯିବ ?’’

 

ସଦାଶିବ ନନ୍ଦ କହିଲେ, ‘‘ହଉ, ସେ କଥା ନ ହେଲା, ତୁମେ ତ ତାକୁ ପୋଷ୍ୟପୁତ୍ର କରିଥିଲ । ସେ ତୁମ ସମ୍ପତ୍ତିରୁ ତ ଗୋଟାଏ ଭାଗ ପାଇଥାନ୍ତା ?’’

 

ତର୍କାଳଙ୍କାର- ‘‘ମୁଁ ତାକୁ ଦିନାକେତେ ଘରେ ରଖିଥିଲି, ଏଣିକି ଆଉ ନ ରଖିଲି । ମୁଁ ତ ଆଉ ପୋଷ୍ୟପୁତ୍ର ବୋଲି ତାକୁ ରେଜେଷ୍ଟରୀ କରିଦେଇ ନାହିଁ ଯେ, ସେ ମୋ ସଙ୍ଗରେ ଭାଗ ବସେଇବ ?’’

 

 

 

 

ଏକଥା ଶୁଣି ଗୋବିନ୍ଦ ମିଶ୍ରେ କହିଲେ, ‘‘ଛାଡ଼ ହୋ ! ଏତେ ଯୁକ୍ତିରେ ଆଉ କାମ କ’ଣ-? ତୁମେ ତ ଆଗରେ ଦେଖୁଛ, ସେଇଟା କି କଲବଲ ହେଉଛି । ସଂସାରରୁ କିଏ କ’ଣ ନେଇଯିବ-? ଦିଅ, ତାକୁ ଚଳିବା ମାଫିକେ କିଛି ଦେଇ ଦୁଇଟା ପ୍ରାଣୀଙ୍କୁ ବଞ୍ଚାଇ ନିଅ । ଆମେ ସମସ୍ତେ ତାହାଲାଗି ବହୁତ କହୁଛୁଁ, ଆଉ ମନରେ କିମ୍ୱା କର ନାହିଁ । ତୁମେ ତ ବୁଝିବା ଲୋକ, ତୁମକୁ ଆଉ କ’ଣ ବୁଝେଇବୁଁ ?’’

 

ତର୍କାଳଙ୍କାର- ‘‘ଆପଣମାନେ ମୋତେ କ୍ଷମା’ କର । ମୋତେ ଆଉ କାହିଁକି ବିରକ୍ତ କରୁଛ-? ମୋ କଥା ତ ମୋତେ ବଳେଇଲାଣି । ଦୀନେଇର ମଙ୍ଗଳକୃତ୍ୟ ବାବଦ ଖରଚଟା ଏପର୍ଯ୍ୟନ୍ତ ମୋ ଉପରେ ପଡ଼ି ରହିଛି । କ’ଣ କରିବି, ମୁଁ କିଛି ଠିକଣା କରିପାରୁ ନାହିଁ ।’’

 

ଏହା କହି ତର୍କାଳଙ୍କାର ସେଠାରୁ ଚାଲିଗଲେ ଏବଂ ଅନ୍ୟାନ୍ୟମାନେ ମଧ୍ୟ ପରସ୍ପର ଆଡ଼କୁ ଅନାଅନି ହୋଇ ଗୋଟି ଗୋଟି ହୋଇ ଖସିଲେ । ଭୋଳି ରଥେ ନିଃଶ୍ୱାସଟାଏ ପକାଇ କହିଲେ, ‘‘ଏ ଅନ୍ୟାୟ ଧର୍ମ ସହିବଟିକି ?’’

 

ଏବର୍ଷ ନଅଙ୍କ- ସେହି ନଅଙ୍କ, ଯାହାର ଭୀଷଣ ସ୍ମୃତି ଏପର୍ଯ୍ୟନ୍ତ ଉତ୍କଳବାସୀର ହୃଦୟରେ ରକ୍ତାକ୍ଷରରେ ଲେଖା ରହିଅଛି । ଚାରିଆଡ଼େ ଅନାହାରର ଆର୍ତ୍ତନାଦ, ମଡ଼କର ହାହାକାର । ଚାରିଆଡ଼େ ଦରିଦ୍ରର ସତୃଷ୍ଣ ନୟନରେ ଅନ୍ନର ପ୍ରତୀକ୍ଷା, ଧନୀର ଆତଙ୍କରେ ରାତ୍ରି-ଜାଗରଣ । ମଫସଲର କଥା ଦୂରେ ଥାଉ, ସେ ବର୍ଷ କଟକ, ପୁରୀ ପ୍ରଭୃତି ସହରରେ ଧାନ ଚାଉଳ ଦୁଷ୍ପ୍ରାପ୍ୟ । ଯାହାର କିଛି ନାହିଁ, ତାହାର ତ ସହଜେ ଉପବାସ; ଯାହାର ଖାଲି ଟଙ୍କା ଟୋକର ଅଛି, ତାହାର ମଧ୍ୟ ଉପବାସ । ଲୋକନାଥର ଏଥିମଧ୍ୟରେ ଟିକିଏ ପରିବାର ବୃଦ୍ଧି ହୋଇଅଛି । ପାର୍ବତୀ ଛଡ଼ା ଆହୁରି ତିନୋଟି- ଦିଓଟି ପୁତ୍ର, ଗୋଟିଏ କନ୍ୟା- ପୋଷ୍ୟ । ଲୋକନାଥର ଭିକ୍ଷା ପ୍ରଧାନ ଆଶ୍ରୟ । ବର୍ତ୍ତମାନ ଯେପରି କାମ ପଡ଼ିଛି, ସେଥିରେ ଭିକ୍ଷା ମିଳିବା ତ ଦୁରର କଥା, ମୂଲିଆକୁ ମୂଲ ମିଳିବା କାଠିକର ପାଠ ।

 

ଲୋକନାଥ କିଛି ଦିନ ମାଣ୍ଡିଆ ଓ ବାଉଁଶ ଧାନରେ କୌଣସି ମତେ ଅନଶନ ଅର୍ଦ୍ଧାଶନରେ ପରିବାରକୁ ଚଳାଇ ଆଣିଲା । ଏଣିକି ତାକୁ ଚାରିଆଡ଼ ଶୂନ୍ୟ ଦିଶିଲାଣି । ସେ କି ଶୟନରେ କି ଜାଗରଣରେ ଚାରିଦିଗରେ ନୈରାଶ୍ୟର ତାମସୀ ଛାୟା ଦେଖି ପାରୁଛି । ନିଜେ ଅନାହାରରେ ମରିବ, ଏଥିପାଇଁ ତାହାର ଆଦୌ ଭ୍ରୂକ୍ଷେପ ନାହିଁ, କିନ୍ତୁ ତାହାରି ଆଖି ଆଗରେ ତାହାରି ସ୍ତ୍ରୀ ପୁତ୍ର ଜୀଅନ୍ତାମଡ଼ା ହେବେ, ଏହି କଥା ଭାବିଲା ବେଳକୁ ତାହାର ହୃତ୍‌ପିଣ୍ଡ ଛିନ୍ନ ହୋଇ ଯାଉଛି । ସେମାନଙ୍କର କାତର ଦୃଷ୍ଟି ଦେଖି ତାହାର ପ୍ରତି ନିଃଶ୍ୱାସରେ ଦେହରୁ ଅର୍ଦ୍ଧେକ ରକ୍ତ ଶୁଖି ଯାଉଛି । ପ୍ରଭୁ କ’ଣ ଏହି ଅନାଥଗୁଡ଼ିକଙ୍କ ଆଡ଼କୁ ଟିକିଏ ଫେରି ଚାହିଁବେ ନାହିଁ ?

 

ସେ ବର୍ଷ ଗଭର୍ଣ୍ଣମେଣ୍ଟ ଦୁର୍ଭିକ୍ଷପୀଡ଼ିତ ଲୋକମାନଙ୍କୁ କାର୍ଯ୍ୟ ଯୋଗାଇବା ଲାଗି ଯୋବରାରେ ଆନିକଟ କାମ ଆରମ୍ଭ କଲେ । ସେଠାରେ କୁଲି ମୂଲିଆ ଶ୍ରେଣୀର ଲୋକମାନେ ମୂଲ ଲାଗି ଦୁର୍ଭିକ୍ଷର ତୋଡ଼ଟା କେତେକ ପରିମାଣରେ ସମ୍ଭାଳି ଗଲେ । ଲୋକନାଥ ପୁତ୍ରକନ୍ୟାମାନଙ୍କର କରୁଣ ଚିତ୍କାର ଶୁଣି ଆଉ ଥୟ ହୋଇପାରିଲା ନାହିଁ । ଭାବିଲା, ଯେ ଯାହା କହିଲେ କହୁ, ମୁଁ ଆଉ ଏମାନଙ୍କର ଦାରୁଣ ଯନ୍ତ୍ରଣା ସହ୍ୟ କରିପାରିବି ନାହିଁ । ମରିବା ଆଗରୁ ଥରେ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ଦେଖେଁ, ସେମାନଙ୍କୁ କିଛି ଦିନ ସମ୍ଭାଳି ନେଇପାରିବି କି ନା । ଭଗବାନ ଏ ଅଧମ ଉପରେ ଏପରି ଗୁରୁଭାର କାହିଁକି ଦେଲେ ? ଦେଲେ ତ, ମୁଠାଏ ଅନ୍ନର ବ୍ୟବସ୍ଥା କଲେ ନାହିଁ କାହିଁକି ? ବଞ୍ଚିବାକୁ ସୁଦ୍ଧା ଆମ୍ଭମାନଙ୍କର ଅଧିକାର ନାହିଁ ? ହେଉ ତୁମ ଇଚ୍ଛା-! ଲୋକନାଥ ଜାତିର ଅଭିମାନ, ସମାଜର ତାଡ଼ନା ସବୁ ତୁଚ୍ଛ କରି ଦେଇ ଶେଷରେ ଯୋବରାରେ ଯାଇଁ ମୂଲିଆ କାମ ଆରମ୍ଭ କଲା । ଭଲା ଜାତିର ଚିହ୍ନ, ମହତ୍ତ୍ୱର ଧ୍ୱଜା ସେହି ପଇତାଖଣ୍ଡି ଅଣ୍ଟାତଳେ ଗୁଡ଼ାଇ ଦେଇ ପରମ ଉତ୍ସାହରେ କାର୍ଯ୍ୟରେ ତାହାର ମନ ପ୍ରାଣ ଢାଳି ଦେଲା । ଲୋକନାଥର ଦେହରେ ବଳ ଯଥେଷ୍ଟ । ସେ ଠିକା କାମରେ କଠିନ ପରିଶ୍ରମ କରି କେଉଁ ଦିନ ତିନିଅଣା କେଉଁ ଦିନ ଚାରିଅଣା ରୋଜଗାର କରି ଦୁର୍ଭିକ୍ଷର ପ୍ରବଳ ଭୋକକୁ କୌଣସି ପ୍ରକାରେ ସମ୍ଭାଳି ଗଲା । ସେ ପଥରବୁହା କାମ କରେ । ପ୍ରଥମରେ ଛୋଟ ପଥର ସେ ଏକା ବୋହୁଥିଲା । ପରେ ବଡ଼ ପଥର ବୋହିବାକୁ ପଡ଼ିବାରୁ ଜଣକଦ୍ୱାରା ସେହିଟା ଅସମ୍ଭବ ହୋଇ ପଡ଼ିଲା । ଶେଷରେ ସେ ଗତ୍ୟନ୍ତର ନ ଦେଖି ନିଜ ଗାଁର ପଞ୍ଚୁଆ ବାଉରିକୁ ସଙ୍ଗୀ କରି ଉଭୟ ମିଳି ସାଙ୍ଗରେ ପଥର ବୋହିବାକୁ ଲାଗିଲେ । ପ୍ରଥମେ ପଞ୍ଚୁଆ ବ୍ରାହ୍ମଣ ସାଙ୍ଗେ ପଥର ବୋହିବାକୁ ଡରରେ ମଙ୍ଗୁ ନ ଥିଲା, କିନ୍ତୁ ଲୋକନାଥର ବିଶେଷ ଅନୁରୋଧରେ ଶେଷରେ ସେ ରାଜି ହେଲା ।

 

କାନ୍ତରାଟି (କଣ୍ଟ୍ରାକ୍‌ଟର) ବାବୁ ଲୋକନାଥର ଆଚାର ବ୍ୟବହାର, କଥାବାର୍ତ୍ତା, ରୀତି ନୀତିରେ ଟିକିଏ ବିଶେଷତ୍ୱ ଦେଖି ଦିନେ ତାର ପରିଚୟ ପଚାରିଲେ । ସେ କହିଲା, ‘‘ମୂଲିଆ ତ ମୂଲିଆ, ତାର ଆଉ ଅଧିକ ପରିଚୟ କ’ଣ ଲୋଡ଼ା ?’’ ବେଶି ବଳାବଳି କରିବାରୁ ଶେଷରେ ସେ ତାହାର ଜୀବନର କରୁଣ-କାହାଣୀ ତାଙ୍କ ଆଗରେ କହିଗଲା । ତା କଥା ଶୁଣି ବାବୁ ଲୁଗାକାନିରେ ଆଖି ପୋଛି ଦେଇ କହିଲେ, ‘‘ବଡ଼ କୁଳରେ ଜନ୍ମ ହୋଇ ତୁମେ ବହୁତ କଷ୍ଟ ପାଇଲଣି । ହେଉ ଧର୍ମ ତୁମ ଆଡ଼େ । ଭଗବାନ ନିଶ୍ଚୟ ଦିନେ ତୁମ୍ଭର ଦୁଃଖ ମୋଚନ କରିବେ ।’’ ଅନ୍ୟାନ୍ୟ କଥାବାର୍ତ୍ତାପରେ କଣ୍ଟ୍ରାକ୍‌ଟର ବାବୁ ତାକୁ କହିଲେ, ‘‘ମୁଁ କେତେ ଦିନ ହେଲା ଗୋଟିଏ ପୂଜାହାରୀ ଖୋଜି ବୁଲୁଛି, ମିଳୁ ନାହିଁ । ତୁମେ ଆଉ ଏ କାମ କାହିଁକି କରିବ ? ଚାଲ ଆମ ବସାରେ ରହି ମୋତେ ମୁଠାଏ ରୋଷେଇ କରି ଦେବ ।’’ ଲୋକନାଥ ଟିକିଏ ତୁନି ହୋଇ ପରେ କମ୍ପିତ ସ୍ୱରରେ କହିଲା, ‘‘ଆପଣ ମୋ ପ୍ରତି ଯେଉଁ ଦୟା ଦେଖାଉଛନ୍ତି, ମୁଁ କିପରି ତାହା ଶୁଝିବି ? କିନ୍ତୁ ମୁଁ ତ କେବେ ରୋଷେଇ ବାସ କରି ନାହିଁ,’’ ବାବୁ କହିଲେ ‘‘ସେଥିଲାଗି ଚିନ୍ତା ନାହିଁ, ଏଇଟା ତ ଭାରି କଷ୍ଟ କାମ ନୁହେଁ, ଦିନାକେତେ କରିଗଲେ ହୋଇଯିବ ଯେ ।’’

 

ଲୋକନାଥ ଉପରେ ଭାଗ୍ୟର ଶୁଭଦୃଷ୍ଟି ପଡ଼ିଲା । ସେ କଣ୍ଟ୍ରାକ୍‌ଟର ବାବୁଙ୍କ ବସାରେ ଥାଏ ଓ ସେଠେଇଁ ଖାଏ । ବାବୁଙ୍କଠାରୁ ଟଙ୍କା ପଇସା, ଜିନିଷ ପତ୍ର ଯାହା କିଛି ପାଏ, ସବୁ ଘରକୁ ପଠାଇ ଦିଏ । ପାର୍ବତୀ ପିଲାଟିମାନଙ୍କୁ ଖୋଇ ପେଇ କ୍ରମେ ଦି’ ପଇସା ମଧ୍ୟ ସଞ୍ଚୟ କରି ପାରିଲା-। ଲୋକନାଥର ସାଧୁତା ଓ ଉଦାର ସ୍ଵଭାବରେ ମୁଗ୍ଧହୋଇ କଣ୍ଟ୍ରାକ୍ଟର ବାବୁ ତାକୁ ପରପୁଅ ବୋଲି ଜ୍ଞାନ କରନ୍ତି ନାହିଁ । ବାବୁ ଖରରପତ୍ର, ତହବିଲ ଇତ୍ୟାଦି ସବୁ ତା ହାତରେ ସମର୍ପି ଦେଇ ନିଶ୍ଚିନ୍ତ ଥାନ୍ତି ।

 

ଉଦାରପ୍ରାଣ ଲୋକନାଥ ବାବୁ ଚତୁର ଲୋକନାଥର ବିଚକ୍ଷଣ ବୁଦ୍ଧିର ସଦ୍‌ବ୍ୟବହାର କରିବା ଲାଗି ତାକୁ ଦଶଟଙ୍କା ବେତନରେ ମୂଲିଆଙ୍କ କାମ ତନଖିବାକୁ ‘ଉଆର୍ଜ-ସର୍କାର’ କାମରେ ନିଯୁକ୍ତ କଲେ । ତାହା ଛଡ଼ା ତାଙ୍କ ମୁନାଫାରୁ ମଧ୍ୟ ତାକୁ କିଛି ଭାଗ ଦିଅନ୍ତି । କିଛିଦିନ ପରେ କଣ୍ଟ୍ରାକ୍‌ଟର ବାବୁ ଲୋକନାଥର ଦରମା’ ଟଙ୍କା ଓ ନିଜ ହାତରୁ କିଛି ଦେଇ ସାଇଁଲୋରେ ତା ପାଇଁ ଖଣ୍ଡେ ଘର ତିଆରି କରାଇଦେଲେ । ଲୋକନାଥର ବଡ଼ ପୁଅଟି ମଧ୍ୟ ଆସି କଟକ ବସାରେ ରହି ଇଂରାଜି ପଢ଼ା ଆରମ୍ଭ କଲା । ପରେ ଲୋକନାଥର ଅଦ୍ଭୁତ କାର୍ଯ୍ୟକୁଶଳତାରେ ସନ୍ତୁଷ୍ଟ ହୋଇ ବାବୁ ତାକୁ ପେଟୀ କାନ୍ତାରାଟକାର କରାଇ ଦେଲେ । ଲୋକନାଥ କ୍ରମେ ଏପରି ଅନୁଗ୍ରହରେ ୠଣଭାରରେ ନଇଁ ପଡ଼ିଲା । ସେ ସଦାବେଳେ ସୁଯୋଗ ଖୋଜୁଥାଏ, କିପରି ମୁଁ ବାବୁଙ୍କୁ ଦେଖାଇ ଦେବି ଯେ, ମୋ ପ୍ରାଣଟା ନିତାନ୍ତ ଜଡ଼ ନୁହେ । ପ୍ରାଣ-ଦେଇ ସୁଦ୍ଧା ଦିନେ କ’ଣ ଏପରି ମୁନିବର କିଛି ହେଲେ ଉପକାର କରି ପାରିବି ନାହିଁ ?

 

(୪)

 

ବୃଦ୍ଧ ତର୍କାଳଙ୍କାରେ ଶେଷ ଜୀବନରେ ପୁତ୍ରର ନିଷ୍ଠୁର ବ୍ୟବହାରରେ ମର୍ମାହତ ହୋଇ ଅନେକ ଦିନୁଁ କାଳଗ୍ରାସରେ ପଡ଼ି ସାରିଲେଣି । ଦୀନବନ୍ଧୁ ବର୍ତ୍ତମାନ ଯୌବନ ଓ ବାର୍ଦ୍ଧକ୍ୟର ସନ୍ଧିସ୍ଥଳରେ । ପୁତ୍ରାଦି କିଛି ନ ହେବାରୁ ସେ ଦ୍ୱିତୀୟ ଦାରପରିଗ୍ରହ କରିଥିଲା, କିନ୍ତୁ ସେଥିରେ ମଧ୍ୟ କିଛି ଫଳ ହେଲା ନାହିଁ । ଶେଷରେ ଉପାୟାନ୍ତର ନ ଦେଖି ଗୋଟିଏ ପୋଷ୍ୟ ପୁତ୍ରର ଅନୁସନ୍ଧାନରେ ରହିଲା । ଅନେକ ଚେଷ୍ଟା କଲା, କେତେ ଲୋକଙ୍କୁ କେତେ ଅନୁରୋଧ କଲା, କିନ୍ତୁ କେହି ତା କଥାରେ କର୍ଣ୍ଣପାତ କଲେ ନାହିଁ । ସମସ୍ତଙ୍କ ମନରେ ସେହି ଏକ ଭାବ- ‘‘ଆହା ହା ! ୟା ବଂଶର ଯେଉଁ ଉଜ୍ଜ୍ୱଳ କୀର୍ତ୍ତିଟା ଅଛି ନା ! ୟାଙ୍କ ବାପେ ଗୋଟାଏ ଏଡ଼େ ବଡ଼ ଘରୁଆ ପିଲାକୁ ଦାଣ୍ଡର ଭିଖାରି କରି ଦେଇଥିଲେ ଟିକି ! ସେହି ବାପର ପୁଅ ନା, ଆଉ କୁଆଡ଼ୁ ଆସିବ ? ଜାଣିଶୁଣି କିଏ ନିଜର ପୁଅକୁ ଅକୂଳରେ ଭସାଇଦେବ ?’’ ଦୀନବନ୍ଧୁ ସବୁଠାରୁ ନିରାଶାର ବାଣୀ ଶୁଣି ଚତୁର୍ଦ୍ଦିଗ ଅନ୍ଧକାର ଦେଖିଲା । ସଂସାର କ’ଣ ଏପରି ଭାବରେ ପ୍ରତିଶୋଧ ନିଏ ? ସେ କ’ଣ ଲୋକର ଦୁଃଖ ଦୁର୍ଦ୍ଦଶା ପ୍ରତି ଟିକିଏ ଆଡ଼ଦୃଷ୍ଟିରେ ସୁଦ୍ଧା ଚାହେଁ ନାହିଁ ?

 

ବାହାରର ଅନ୍ଧକାର ଘନତର ହେବା ସଙ୍ଗେ ସଙ୍ଗେ ଭିତରର ମୋହ ଆବରଣ ପରସ୍ତ ପରସ୍ତ ହୋଇ ଫିଟିବାକୁ ଆରମ୍ଭ କଲା । ଅନ୍ତରର ସେହି ଆଲୋକରେ ଦୀନବନ୍ଧୁ ସବୁକଥା ଟିକିଏ ସ୍ପଷ୍ଟ କରି ଦେଖି ପାରିଲା । ସେ ଭାବିଲା, ଏତେ ଦିନେ ଲୋକନାଥର ଦୀର୍ଘ ନିଃଶ୍ୱାସ ଫଣା ବିସ୍ତାର କରି ତାକୁ ଗ୍ରାସ କରିବାକୁ ଉଦ୍ୟତ । ଲୋକନାଥପ୍ରତି ତର୍କାଳଙ୍କାର କି ଅତ୍ୟାଚାର ନ କରିଛନ୍ତି ? କିନ୍ତୁ ପିତା ଯାହାର ବୀଜ ବପନ କରିଥିଲେ, ପୁତ୍ର ବହୁ ଯତ୍ନରେ ତାକୁ ସଞ୍ଜୀବିତ ରଖିଛନ୍ତି । ତର୍କାଳଙ୍କାରେ ପଛରେ ଅନୁତାପ କରି କେତେ ଥର ଲୋକନାଥକୁ ଫେରାଇ ଆଣିବାକୁ ବସିଥିଲେ, ତାର ପୈତୃକ ସମ୍ପତ୍ତି ତାକୁ ପ୍ରତ୍ୟର୍ପଣ କରିବାକୁ ଉଦ୍ୟତ ହୋଇଥିଲେ, କିନ୍ତୁ ଦୀନବନ୍ଧୁର ତୀବ୍ର ପ୍ରତିବାଦରେ ସବୁ ବ୍ୟର୍ଥ ହୋଇଯାଇଛି । ଲୋକନାଥର ଦୁଃଖ ସମୟରେ ସେ କେତେଥର ତାକୁ ତୁଚ୍ଛ ତାଚ୍ଛଲ୍ୟ ନ କରିଛି ? ଏ ସମସ୍ତ କଥା ଗୋଟି ଗୋଟି ହୋଇ ବର୍ତ୍ତମାନ ଦୀନବନ୍ଧୁ ମନରେ ଡେଇଁ ଉଠିଲା । ଲୋକନାଥ ଜଣେ ପ୍ରଧାନ କଣ୍ଟ୍ରାକ୍‌ଟର ହୋଇ ପ୍ରଚୁର ସମ୍ପତ୍ତିର ଅଧିକାରୀ ହୋଇଅଛି; ତାର ଜ୍ୟେଷ୍ଠପୁତ୍ର ନୀଳମଣି ପଢ଼ାଶୁଣା କରି ଗୋଟିଏ ବଡ଼ ସରକାରୀ ଚାକିରି ପାଇଛି; ସାନପୁଅ କୁଳମଣି ମଧ୍ୟ ସ୍କୁଲରେ ପଢ଼ା କରୁଅଛି; ବର୍ତ୍ତମାନ ଲୋକନାଥ ଠାରୁ ବଳି ଆଉ ଭାଗ୍ୟବାନ୍‌କିଏ ? ସେ କ’ଣ ସତେ ତାର ଦୋଷ କ୍ଷମା’ କରିବ ? ଲୋକନାଥ କ’ଣ ସତେ ଅପୁତ୍ରକର ଅନ୍ତର୍ଦାହ ବୁଝି ପାରିବ ?

 

ଦୀନବନ୍ଧୁ ଆଉ ନିଶ୍ଚିନ୍ତ ହୋଇ ରହିପାରିଲା ନାହିଁ । ନାନା ଭାବନା ଚିନ୍ତା ପରେ ଦିନେ ଲୋକନାଥ ନିକଟକୁ ଯାଇ ତାର ପାଦ ଧରି ‘‘ମୋର ସବୁ ଦୋଷ କ୍ଷମା’ କର’’ କହି କାନ୍ଦିପକାଇଲା-। ଭାବପ୍ରବଣ ଲୋକନାଥ ଦୀନବନ୍ଧୁକୁ ବକ୍ଷକୁ ଟାଣିଆଣି ଗାଢ଼ ଆଲିଙ୍ଗନରେ ଆବଦ୍ଧ କରିପକାଇଲା । ଦୀନବନ୍ଧୁ କେତେ କଥା କହିବ ବୋଲି ଭାବିଥିଲା, କିଛି କହି ପାରିଲା ନାହିଁ । ଭାବର ପ୍ଲାବନରେ ତାହାର କଣ୍ଠରୋଧ ହୋଇ ଆସିଲା । କ୍ରନ୍ଦନର ବେଗ ସମ୍ଭାଳି ନ ପାରି ସେ ଭୋ ଭୋ ରଡ଼ି ଛାଡ଼ିଲା । ଲୋକନାଥର ଚକ୍ଷୁ ଥନ ଥନ ହୋଇ ଉଠିଲା । ସେ ଆତ୍ମସମର୍ପଣ କରି କହିଲା, ‘‘ଦୀନେଇ ଭାଇଟି ମୋର ! ଆଉ କାନ୍ଦନା, ଯାହା ହେବାର ହୋଇ ଯାଇଛି, ଆଉ ସେ କଥା ଭାବି କ’ଣ ହେବ ? ବିଧିର ବିଡ଼ମ୍ବନା ହେତୁ ଏତେ ଦିନଯାଏ ଦିହେଁ ଅଲଗା ଅଲଗା ହୋଇ ରହିଥିଲେଇଁ। ପ୍ରଭୁଙ୍କ ଇଚ୍ଛାରୁ ଆଉ ସବୁ ଦୁଃଖ ଯାତନା ଦୂର ହୋଇଅଛି । ଭାଇ ! ଆଜି କି ସୁଖର ଦିନ ! ଏ ଦୀର୍ଘ ବିଚ୍ଛେଦ ନ ହୋଇଥିଲେ ବୋଧହୁଏ ଆଜି ମିଳନର ଏପରି ଅପୂର୍ବ ସୁଖ ମିଳି ନ ଥାନ୍ତା । ମନରେ କଳ୍ପନା ରଖି ମୁଁ ତୋତେ ଏପରି ଆଲିଙ୍ଗନ କରି ପାରି ନ ଥାନ୍ତି । ମନୁଷ୍ୟ ଆଖିରେ ବେଳେ ବେଳେ ନେନ୍ଦରା ଲାଗି ତାକୁ ଟିକିଏ ବାଟବଣା ଓ ଜଳକା କରିଦିଏ, କିନ୍ତୁ ସେ ଟିକକ ପୋଛି ହୋଇଗଲେ ଯେଉଁତାକୁ ସେଇତା । ରତ୍ନ କାଦୁଅରେ ପଡ଼ିଗଲେ ତାହାର ରତ୍ନତ୍ୱ କ’ଣ କୁଆଡ଼େ ଚାଲିଯାଏ ? କେବଳ ମଝିରେ ଟିକିଏ ଲାଞ୍ଛନା ଭୋଗ ମାତ୍ର । ଛାଡ଼ ସେ କଥା, ଆଜିଠାରୁ କୁଳମଣି ତୋର । ମୋର ଆଉ ତା’ ଉପରେ କିଛି ଦାବୀ ନାହିଁ ।’’

 

ଲୋକନାଥର କନିଷ୍ଠ ପୁତ୍ର କୁଳମଣି ତର୍କାଳଙ୍କାରଙ୍କ କୁଳମଣ୍ଡନ କଲା । ଉଭୟ ପରିବାରର ବହୁ ଦିନର ବ୍ୟବଧାନ ଉପରେ ଗୋଟିଏ ସେତୁ ନିର୍ମିତ ହୋଇଗଲା ।

 

ଲଛମନ ଜି

 

(୧)

 

‘‘ଖାଇ ପିଇ ଦିନରେ ଥରେ କଚେରୀକୁ ଗଲେ ତମର କାମ ଛୁଟି । ମୁଁ ପଛେ ଏଣେ ହଟହଟା ହୋଇ ମରୁଥାଏଁ । ତମର ବା ଏତେ ଭାବନା ଚିନ୍ତା କିଆଁ ? ଉପରେ ପଡ଼ିଲେ ସିନା କାଟନ୍ତା ?’’

 

ବଳରାମ ବାବୁ ସ୍ତ୍ରୀଙ୍କ କଥା ଶୁଣି ମୁହଁରୁ ଗୁଡ଼ାଖୁ ନଳଟା ଟିକିଏ କାଢ଼ିଦେଇ କହିଲେ, ‘‘କ’ଣ, କଥା କ’ଣ ?’’

 

‘‘ନାହିଁ, କିଛି ନାହିଁ ! ତେମେ କି ଦିନ କି ରାତି ବହି ଖଣ୍ଡେ ଧରି ଆରାମ ଚୌକିରେ ପଡ଼ି ଭଡ଼ ଭଡ଼ କରି ଗୁଡ଼ାଖୁ ଟାଣୁଥାଅ, ଏସବୁ ଛୋଟ କଥାରେ ତମର ଲୋଡ଼ା କଅଣ ଥାଏ ? ଘରେ କ’ଣ ହେଲା, କ’ଣ ନ ହେଲା, ଏଥିରେ ତମର ଯାଏ ଆସେ କେତେ ?

 

ବଳରାମ ବାବୁ ଈଷତ୍‌ହାସ୍ୟ କରି କହିଲେ, ‘‘ଗୋଟାଏ ଲମ୍ବ ମୁଖବନ୍ଧ ନ ଦେଇ କଥାଟାଏ କହିବାକୁ ସ୍ତ୍ରୀଜାତିକୁ ଶାସ୍ତ୍ରରେ ମନା ଅଛି ନା କ’ଣ ? ଏଇଟା କେଉଁ ୠଷିଙ୍କ ଅଭିଶାପ-?’’

 

‘‘ହଁ, ଯେତେ ଦୋଷ ସବୁ ତ ସେହି ମାଇପି ଜାତିର ପୁରୁଷକୁ ଗଢ଼ିସାରି ଯେତେକ ମଳୁଖ ବଳିଲା ତାକୁ ନେଇ ରେ ବିଧାତା ଗୋଟିଏ ସ୍ତ୍ରୀ ଗଢ଼ିଦେଲା ଯେ, ସେ ଚିରକାଳ ପୁରୁଷର ଦାସୀ ହୋଇ ରହିବି । ଆଉ ଜୀବନର ଯେତେ ଦୁଃଖ କଷ୍ଟ, ଗାଳି ଅପମାନ, ନିନ୍ଦା ଅପନିନ୍ଦା ସବୁ ନିଜର ଭାଗ ବୋଲି ମୁଣ୍ଡ ପତେଇ ନେବ । ଆଖି ପାଣି ଗୋଡ଼ରେ ମାରି ସେ ଦଶମାସ କାଳ ପିଲାକୁ ପେଟରେ ଧରିବ, ପୁଣି ପିଲାର ଭଲ ମନ୍ଦରେ ପଦେ ପାଟି ଫିଟେଇଲେ ତାର ଆଉ ରକ୍ଷା ନାହିଁ । କିଏ, ତେମେ ବାହାଘର କଲେ କର, ନ କଲେ ନାହିଁ, ମୋର ସେଥିରେ କ’ଣ ଅଛି ? ଘରେ ଯୁବା ଝିଅକୁ ରଖି ବୁଢ଼ୀ କଲା ବୋଲି ମତେ ତ ଆଉ କେହି ନିନ୍ଦା କରିବେ ନାହିଁ । ତେବେ ମୋ ମନ ସହି ପାରେ ନାହିଁ । ବୋଲି ପଦେ କହିଦିଏଁ । ଏଣିକି-’’

 

‘‘କାହାର ? ମାଳୀର ବିଭାଘର କଥା କହୁଛ ?’’

 

‘‘ନ ହେଲେ ଆଉ କ’ଣ ତମର ଦୁତୀୟ ବିଭା କଥା ?’’

 

‘‘କାହିଁକି ? ହେଲେ ବା ମନ୍ଦ କ’ଣ ହୁଅନ୍ତା ? ମୁଁ ତ ଆଉ ସେପରି ପାକୁଆ ବୁଢ଼ା ହୋଇ ଯାଇ ନାହିଁ ? ତେମେ କ’ଣ କହୁଚ ? ଆଉ ମଧ୍ୟ ବୟସ ସଙ୍ଗେ ମନର ସମ୍ପର୍କ କ’ଣ ?’’

 

ବଳରାମ ବାବୁଙ୍କ ସ୍ତ୍ରୀ ସେଦିନ ରସିକତା ଉପଭୋଗ ବା ଉଆପସ କରିବାର ମିଞ୍ଜାସରେ ନ ଥିଲେ, ଏଣୁ ସେ ‘‘ଯା ମଁ ! ତମ ଇଚ୍ଛା ଯାହା କର, ମୁଁ ଆଉ ଏଥିରେ ପାଟି ଫିଟେଇବି ନାହିଁ’’ କହି ମୁହଁ ବୁଲାଇ ଗରଗର ହୋଇ ସେଠାରୁ ଚାଲିଗଲେ ।

 

ବଳରାମ ବାବୁ ବାହାରେ ଏପରି ଔଦାସିନ୍ୟ ଦେଖାଇଲେ ସୁଦ୍ଧା ସେ ଦିନ ଆଉ ସ୍ଥିର ହୋଇ ରହି ପାରିଲେ ନାହିଁ । ପୁଅ ବିଭାଘର ନୁହେଁ ଯେ ଦି ବର୍ଷ ଛାଡ଼ି ଚାରିବର୍ଷ ଡେରି ହେଲେ କିଛି କ୍ଷତି ନାହିଁ । ମାଳୀ ଏବେ ଚୌଦ ପାଗ ହୋଇ ପନ୍ଦର ବର୍ଷରେ ଗୋଡ଼ ଦେଲାଣି । ଆଉ ବଡ଼ ଜୋର ବର୍ଷଟାଏ । ତା ଛଡ଼ା ସେ ନିଜେ ଘର ପାଖରେ ଥିଲେ ଯୋଗାଡ଼ ଯତ୍ନ କରି ଶୀଘ୍ର ଗୋଟାଏ କିଛି କିନାରା କରି ଦିଅନ୍ତେ । ଏତେ ଦୂରରେ, ସମସ୍ତ ବନ୍ଧୁ ବାନ୍ଧବଙ୍କଠାରୁ ବିଚ୍ଛିନ୍ନ ଥାଇ ସେ କିପରି ଏ ଗୂଢ଼ ସମସ୍ୟାର ମୀମାଂସା କରିବେ, କିଛି ବୁଝି ପାରିଲେ ନାହିଁ । ବିଶେଷତଃ ମାଳୀ ତାଙ୍କର ଦୁଇ ପୁଅରେ ଏକମାତ୍ର କୋଡ଼ପୋଛା ଗେଲବସର ଝିଅ; ତାକୁ ବା ସେ କିପରି ଘର ବର ସବୁ ଭଙ୍ଗ କରି ନ ଦେଖି ନ ଶୁଣି ନିର୍ମମଭାବରେ ଦରିଆକୁ ପେଲିଦେବେ ? ଏହିପରି ନାନା ଭାବନାରେ ବାହାରର ଗୁଡ଼ାଖୁ ଧୂଆଁରେ ସେ ଯେପରି ଘର ମଧ୍ୟରେ ଅଦୃଶ୍ୟ ହୋଇଗଲେ, ଭିତରର ଚିନ୍ତାକାଳରେ ମଧ୍ୟ ସେହିପରି ନିଜର ମନକୁ କେଉଁଠାରେ ହରାଇ ବସିଲେ । କିଛିକ୍ଷଣ ପରେ ହଠାତ୍‌ ଉଠି ସେ ସେହିଲାଗେ ନିଜର ବନ୍ଧୁ ଓ ଆତ୍ମୀୟମାନଙ୍କ ନିକଟକୁ ଏ ସମ୍ବନ୍ଧରେ କେତେ ଖଣ୍ଡ ପତ୍ର ଲେଖି ପଠାଇଲେ ।

 

ଏହାର ଚାରିଦିନ ପରେ ବଳରାମ ବାବୁ କୌଣସି ସରକାରୀ କାର୍ଯ୍ୟ ଉପଲକ୍ଷରେ ବାଙ୍କିପୁର ଯାତ୍ରା କଲେ ।

 

ସନ୍ଧ୍ୟାର ସ୍ନିଗ୍‌ଧ କିରଣରେ ନଦୀତୀରସ୍ଥ ବୃକ୍ଷଗୁଡ଼ିକ ଝଟକୁଛି ଏବଂ ଗଙ୍ଗା ଖରତର ଉଛୁଳ ସଳିଳ-ବିଭବରେ ଉନ୍ମତ୍ତ ହୋଇ କଳକଳ ଢଳଢଳ ହୋଇ ବହି ଯାଉଅଛି; ବାଙ୍କିପୁରରେ ବଳରାମବାବୁ ପ୍ରକୃତର ଏ ରମଣୀୟ ଦୃଶ୍ୟ ଦେଖି ଏକାଗ୍ର ମନରେ ନଦୀକୁଳରେ ପରିଭ୍ରମଣ କରୁଅଛନ୍ତି; ଏପରି ଅପରିଚିତ ସ୍ଥଳରେ ହଠାତ୍‌ପଦେ ପଡ଼ିଆ କଥା ଶୁଣି ଯେ ଚକିତଭାବରେ ଛିଡ଼ା ହୋଇ ରହିଲେ । ଆହା ! କି ମଧୁର ସେ ସ୍ୱର ! କି ପ୍ରାଣସ୍ପର୍ଶୀ ସେ ଭାଷା ! ସେ ମନେ କଲେ, କାହିଁ ? ଆଜିଯାକେ ତ ମୋର ମାତୃଭାଷା ସଙ୍ଗେ ଏପରି ନିଗୂଢ଼ ପରିଚୟ ହୋଇ ନ ଥିଲା । ସେ ଯେ ମୋର ହୃଦୟର ପ୍ରତ୍ୟେକ ତାର ସହିତ ଏପରି ଘନିଷ୍ଠ ଭାବରେ ବନ୍ଧା, ମୁଁ ତ କାହିଁ ଜାଣି ନ ଥିଲି ! ଧନ୍ୟ ରେ ବିଦେଶ ! ତୁ ପୁଣି ଆପଣା ଜିନିଷକୁ ଏତେ ଆପଣାର କରିଦେଉ ? ପଦେ କଥାରେ ଏତେ ଶକ୍ତି ! କେଉଁ କବିତାରେ ଏଡ଼େ ମାଧୁରୀ ଅଛି ? କେଉଁ ସଙ୍ଗୀତରେ ଏଡ଼େ ମୋହ ଅଛି ? କେଉଁ ଭାଷାରେ ଏତେ ମାଦକତା ଅଛି ?

 

ବଳରାମ ବାବୁ ପଛକୁ ବୁଲି ଦେଖିଲେ ମୂଲିଆ ଶ୍ରେଣୀର ଗୋଟିଏ ଲୋକ ଜଣେ ଭଦ୍ରଲୋକଙ୍କ ସଙ୍ଗେ କଥାଭାଷା ହେଉଛି । ଭଦ୍ରଲୋକଟି ମଧ୍ୟ ତା ସଙ୍ଗେ ଓଡ଼ିଆରେ କଥାବାର୍ତ୍ତା କରୁଅଛନ୍ତି । ବେଶଭୂଷା ଚାଲିଚଳନ ଦେଖି ତ ଏ ଭଦ୍ରଲୋକଟିକୁ ଓଡ଼ିଶାର ଲୋକ ବୋଲି ବୋଧ ହେଉନାହିଁ, ଅଥଚ ଏପରି ଶୁଦ୍ଧ ଓଡ଼ିଆ କହୁଅଛି କିପରି ? ଦେଖାଯାଉ, ଥରେ ପଚାରି ବୁଝିଲେ କ୍ଷତି କ’ଣ ?

 

ବଳରାମ ବାବୁ

-

‘‘ଆପଣଙ୍କ ନିବାସ କ’ଣ ଓଡ଼ିଶାରେ ?’’

ଭଦ୍ରଲୋକ

-

‘‘ଆଜ୍ଞା ! ଆପଣଙ୍କ ଅନୁମାନ ଠିକ୍‌। ମୋ ଘର ଓଡ଼ିଶାରେ, ଆପଣଙ୍କ ନିବାସ ?’’

ବଳରାମ ବାବୁ

-

‘‘ସେହି ଓଡ଼ିଶାରେ, ଆପଣ ଏଠାରେ କିଛି କାର୍ଯ୍ୟ କରନ୍ତି ?’’

ଭଦ୍ରଲୋକ

-

‘‘ଆଜ୍ଞା, ମୁଁ ଏଠାରେ ସବ୍‌ଡ଼େପୁଟି କାର୍ଯ୍ୟ କରେ ।’’

ବଳରାମ ବାବୁ

-

‘‘ଆପଣ ଏଠାରେ କେତେ ବର୍ଷ ହେଲ କାର୍ଯ୍ୟ କଲେଣି ?’’

ଭଦ୍ରଲୋକ

-

‘‘ନା, ମୁଁ ଏହିବର୍ଷ ସେ କାର୍ଯ୍ୟରେ ନିଯୁକ୍ତ ହୋଇ ଏଠାରେ ପ୍ରୋବେଶନର ରୂପେ କାର୍ଯ୍ୟ କରୁଅଛି । ତେବେ, ପାଟଣାରେ ଆସି ରହିବାର ଅନେକ ବର୍ଷ ହୋଇଗଲାଣି ।’’

ବଳରାମ ବାବୁ

-

‘‘ତାହାହେଲେ ଏଥି ପୂର୍ବରୁ ଆପଣ ଏଠାରେ କ’ଣ କରୁଥିଲେ ?’’

ଭଦ୍ରଲୋକ

-

‘‘ମୋର ପିତା ଏଠାରେ ଚାକିରି କରୁଥିବା ସମୟରେ ମୁଁ ତାଙ୍କ ପାଖରେ ରହି ପଢ଼ାଶୁଣା କରୁଥିଲି । ତାଙ୍କର କାଳ ହେବା ପରେ ମଧ୍ୟ ମାତା ପ୍ରଭୃତିଙ୍କୁ ଘରେ ଛାଡ଼ିଦେଇ ଆସି ପିତାଙ୍କର ତ୍ୟକ୍ତ କେତେକ ସମ୍ପତ୍ତି ବାଡ଼ି ବିଷୟ ବୁଝାସୁଝା କରିବା ଲାଗି ମୋତେ ଏଠାରେ ରହିବାକୁ ପଡ଼େ-। ସେହି ଦିନଠାରୁ ମୁଁ ଏଠାରେ ରହି ଏହିଠା କଲେଜରୁ ବି.ଏ. ପାସ କଲି ଏବଂ ତା’ ପର ଏ ଚାକରିଖଣ୍ଡ ହେବାରୁ ଏ ପର୍ଯ୍ୟନ୍ତ ରହିବାକୁ ପଡ଼ିଅଛି-।’’

ବଳରାମ ବାବୁ

-

‘‘ଆପଣଙ୍କ ପିତାଙ୍କ ନାମ କ’ଣ ?

ଭଦ୍ରଲୋକ

-

‘‘ଗୋପୀନାଥ ଦାସ ।’’

ବଳରାମ ବାବୁ

-

‘‘ଏଁ, ଆପଣଙ୍କ ଘର ଓଡ଼ିଶାର କେଉଁ ସ୍ଥାନରେ କହିଲେ ?’’

ଭଦ୍ରଲୋକ

-

‘‘ଆମ ଘର କଟକଜିଲା କଲ୍ୟାଣପୁର ।’’

 

 

ବଳରାମ ବାବୁ ସବିସ୍ମୟରେ କହିଲେ, ‘‘ତମ ନାମ ଲକ୍ଷ୍ମୀଧର ନା ।’’

ଭଦ୍ରଲୋକ

-

‘‘ଆପଣ କିପରି ମୋ ନାମ ଜାଣିଲେ ?’’

 

ବଳରାମ ବାବୁ ଆନନ୍ଦରେ ଗଦ୍‌ଗଦ ହୋଇ କହିଲେ, ‘‘ମୁଁ କିପରି ଜାଣିଲି ? ଗୋପୀ ମୋର ଅନ୍ତରଙ୍ଗ ବନ୍ଧୁ ଥିଲା ମାଇନରଠାରୁ ଆରମ୍ଭ କରି କଲେକ ପର୍ଯ୍ୟନ୍ତ ଏକସଙ୍ଗେ ପଢ଼ିବା ଏକସଙ୍ଗେ ଖେଳିବା ସବୁ କରି ଆସିଅଛୁଁ । ସେ ପାଟନା ଆସିବା ଦିନଠାରୁ ଆମର ଆଉ ତେତେ ଚିଠିପତ୍ରର ଆଦାନ ପ୍ରଦାନ ନ ଥିଲା । ତମର କ’ଣ ମନେ ନାହିଁ ? ନାଁ, ସେତେବେଳକୁ ନିତାନ୍ତ ପିଲା, କୁଆଡ଼ୁ ମନେ ଥିବ ? ମୁଁ ତମକୁ କେତେ ଥର କାଖକରି ଗେଲ କରିଛି, କେତେଥର ଆମ ହରି ଆଉ ତମେ ସାଙ୍ଗ ହୋଇ ଖେଳିଛ ।’’

 

 

 

ଲକ୍ଷ୍ମୀଧର ଟିକିଏ ଇତସ୍ତତଃ ହୋଇ କହିଲେ, ‘‘ଆଜ୍ଞା ! ମୁଁ ଏ ପର୍ଯ୍ୟନ୍ତ ସୁଦ୍ଧା ଭଲ କରି ଚିହ୍ନି ପାରିଲି ନାହିଁ ।’’

 

ବଳରାମ ବାବୁ

-

‘‘କଲ୍ୟାଣପୁର ନିକଟରେ ଭାତପଡ଼ା ଗ୍ରାମର ନାମ ଶୁଣିଛ ? ଆମ ଘର ସେହିଠାରେ । ମୋ ନାମ ବଳରାମ ମହାନ୍ତି । ମୁଁ ବର୍ତ୍ତମାନ ଗୟାରେ ଥାଏଁ । ଏଠା କୋର୍ଟରେ ଟିକିଏ କାର୍ଯ୍ୟ ଥିବାରୁ ଆସିଥିଲି ।’’

ଲକ୍ଷ୍ମୀଧର

-

‘‘ପିତାଙ୍କ ମୁଖରୁ ଅନେକ ଥର ଆପଣଙ୍କର ନାମ ଶୁଣିଛି । ଭାତପଡ଼ାଟା ଆପଣଙ୍କ ଜିମଦାରି ନାଁ ?’’

ବଳରାମ ବାବୁ

-

‘‘ହଁ !’’

ଲକ୍ଷ୍ମୀଧର

-

‘‘ଆପଣ ଗୟାରେ କ’ଣ କରନ୍ତି ?’’

ବଳରାମ ବାବୁ

-

‘‘ମୁଁ ସେଠିକାର ଫାଷ୍ଟ ମୂନସଫ୍‌ । ଆଚ୍ଛା, ତେମେ ତ ଏଠାରେ ଅଛ, ସେଠାରେ ତମର ଇଲାକା ବାଡ଼ି କିଏ ବୁଝାଶୁଝା କରେ ?’’

ଲକ୍ଷ୍ମୀଧର

-

‘‘ଆମ ମାମୁ ସବୁ ବୁଝାବୁଝି କରନ୍ତି । ତାଙ୍କ ଘର ଆମରି ଗ୍ରାମରେ । ପିତାଙ୍କ କାଳ ହେବା ପରେ ସେ ଆମ ଘରର ମୁରବି । ସେ ନଥିଲେ ବୋଧହୁଏ ମୋତେ ଅନେକ ଦିନୁଁ ପଢ଼ାପଢ଼ି ବନ୍ଦ କରିବାକୁ ହୋଇଥାନ୍ତା ଏବଂ ମୁଁ ଏଠାରେ ମଧ୍ୟ ରହିପାରି ନ ଥାନ୍ତି ।’’

ବଳରାମ ବାବୁ

-

‘‘ତମ ମାମୁ କିଏ ?’’

ଲକ୍ଷ୍ମୀଧର

-

‘‘ତାଙ୍କ ନାମ ମାୟାଧର ଦାସ । ସେ କଲେକ୍‌ଟରୀର ହେଡ଼ କ୍ଲର୍କ ।’’

ବଳରାମ ବାବୁ

-

‘‘ତଃ, ମାୟାଧର ବାବୁ ତମ ମାମୁ, ସେ ତ ଅତି ଭଲ ଲୋକ, ସେ କାହିଁକି ନ କରନ୍ତେ ? ହୁଁ ।’’ କିଛିକ୍ଷଣ ନୀରବ ରହି ପୁନରାୟ କହିଲେ, ‘‘ତମ ବିଭାଘର ଆଦି ହୋଇଗଲାଣି ତ ?’’ ଲକ୍ଷ୍ମୀଧର ତଳକୁ ମୁହଁ ପୋତି ଟିକିଏ ସଙ୍କୁଚିତ ଭାବରେ କହିଗଲ, ‘‘ନାଁ ।’’

ବଳରାମ ବାବୁ

-

‘‘କାହିଁକି, ଏପର୍ଯ୍ୟନ୍ତ ହୋଇନାହିଁ ଯେ ?’’

ଲକ୍ଷ୍ମୀଧର

-

‘‘ମୋର ସେଥିରେ କ’ଣ ଅଛି, ମାମୁ ଯାହା କରିବେ ।’’

 

 

ଉଭୟେ କିଛିକ୍ଷଣ ନିସ୍ତବ୍‌ଧ ରହିଲା ପରେ ଲକ୍ଷ୍ମୀଧର କହିଲେ ‘‘ଆପଣ ଏଠାରେ କେଉଁଠି ଅଛନ୍ତି ?’’

ବଳରାମ ବାବୁ

-

‘‘ମୁଁ ସୁରେନ୍ଦ୍ରବାବୁଙ୍କ ବସାରେ ଅଛି ।’’

 

ଲକ୍ଷ୍ମୀଧର ଟିକିଏ ବିନୀତ ଭାବରେ କହିଲେ, ‘‘କାଲି ଆମ ବସାରେ ଆପଣଙ୍କର ଗଣ୍ଡାଏ ପ୍ରସାଦସେବା ହୁଅନ୍ତା । ମୁଁ କାଲି ସକାଳେ ଯାଇ....’’

 

ବଳରାମ ବାବୁ

-

ମୁଁ ତ ଆଜି ୯ଟା ଗାଡ଼ିରେ ଚାଲିଯିବି । ହଉ, ସେଥିରେ କ’ଣ ଅଛି ? ତେମେ ତ ଆମର ଆପଣାର ଲୋକ । ଏଣିକି ଆସିଲେ ମୁଁ ପଛକେ ତମ ବସାରେ ରହିକରି ଯିବି । ଯାହାହେଉ, ତମ ସଙ୍ଗେ କଥାବାର୍ତ୍ତା କରି ମୁଁ ଅତ୍ୟନ୍ତ ସୁଖୀ ହେଲି । ଭଗବାନ ତମର ମଙ୍ଗଳ କରନ୍ତୁ । ହଉ, ତେମେ ତେବେ ଯାଅ, ମୋତେ ଶୀଘ୍ର ଷ୍ଟେସନକୁ ଯିବାକୁ ହେବ ।

 

ବଳରାମ ବାବୁ ଲକ୍ଷ୍ମୀଧରଠାରୁ ବିଦାୟ ନେଇ ବସାକୁ ଫେରିଲେ ଏବଂ ମନେ ମନେ ଭାବିଲେ, ପିଲାଟି ଦେଖିବାକୁ ଯେପରି ଡଉଲ, ସ୍ୱଭାବଟି ମଧ୍ୟ ସେହିପରି ଶାନ୍ତଶିଷ୍ଟ । ଆମ ମାଳୀ ପାଇଁ ୟାକୁ କଲେ ତ ବେଶ ହୁଅନ୍ତା । ଅଦୃଷ୍ଟରେ ଥିଲେ ହୋଇପାରେ, କିଏ କହିବ ? ଦେଖାଯାଉ ଭଗବାନଙ୍କର କି ଇଚ୍ଛା !

 

ବଳରାମ ବାବୁ ସେହି ଦିନ ରାତ୍ରିଗାଡ଼ିରେ ଗୟାକୁ ଫେରି ଆସିଲେ ।

 

(୨)

 

ବଳରାମ ବାବୁଙ୍କ ପତ୍ର ପାଇ ମାୟାଧର ବାବୁ ଭାବିଲେ, ହେଲେ ବା ମନ୍ଦ କ’ଣ ? ଲକ୍ଷ୍ମୀଧରର ତ ଆସି ବିବାହର ବୟସ ହୋଇଗଲା, ଆଉ ଏଣିକି ବିଳମ୍ବ କରିବା ଅନୁଚିତ । ଏହାଠାରୁ ତ ଆଉ ଗୋଟାଏ ଭଲ ଘର ମିଳିବ ନାହିଁ । ତାଙ୍କର ଅନେକ ଦିନର ଗୋଟାଏ ଖାନ୍‌ଦାନ୍‌ଘର । ବିଷୟ ଆଶୟର ତ କଥା ନାହିଁ, ତା ଛଡ଼ା ବଳରାମବାବୁ ନିଜେ ଜଣେ ଓଡ଼ିଶାର ଗଣ୍ୟମାନ୍ୟ ବ୍ୟକ୍ତି । କନ୍ୟାଟି ମଧ୍ୟ ଖୁବ୍‌ରୂପବତୀ ଏ ତ ମୋର ନିଜର ଦେଖିବା କଥା; ପୁଣି ଶୁଣିଲି ଲେଖାପଢ଼ା ବେଶ ଶିଖିଛି ଓ ଆଉ ସବୁ ବିଷୟରେ ମଧ୍ୟଯୋଗ୍ୟ, ବିଶେଷତଃ ଭଲ ଜାତି ବୋଲି ସେମାନଙ୍କର ଅନେକ ଦିନରୁ ଗୋଟାଏ ଅଭିମାନ ଥିଲା, ଆମ୍ଭମାନଙ୍କ ସଙ୍ଗେ ବନ୍ଧୁ କରିବାକୁ ସେମାନେ ଯେପରି ଗୋଟାଏ ମର୍ଯ୍ୟାଦାହାନି ବୋଲି ମନେ କରୁଥିଲେ । ନାଁ, ଏ ସୁଯୋଗ ଛାଡ଼ିବାର ନୁହେଁ । ବାକୀ ଲକ୍ଷ୍ମୀଧର କଥା, ସେ ଯେପରି ଶାନ୍ତ ସୁଶୀଳ, ସେ ଯେ ମୋ କଥାରୁ ବାହାର ହେବ ଏପରି ତ ବୋଧ ହେଉ ନାହିଁ । ତେବେ ଆଜି କାଲିକାର ଶିକ୍ଷିତ ବର, ତାର ମତ ଅନୁଯାୟୀ କାର୍ଯ୍ୟ କରିବା ଭଲ । ଏହିପରି ନାନାକଥା ଭାବି ମାୟାଧର ବାବୁ ଲକ୍ଷ୍ମୀଧର ନିକଟକୁ ସେହି ଦିନ ଏ ବିଷୟରେ ଖଣ୍ଡେ ପତ୍ର ଲେଖିଲେ ଏବଂ ସେଠାରେ ସମ୍ବନ୍ଧ କରିବା ଯେ ସର୍ବତୋଭାବରେ କର୍ତ୍ତବ୍ୟ ଓ ବାଞ୍ଛନୀୟ ଏକଥା ମଧ୍ୟ ଉଲ୍ଲେଖ କଲେ ।

 

ବଳରାମ ବାବୁଙ୍କୁ କ’ଣ ଲେଖିବେ, କିଛି ସ୍ଥିର କରି ନପାରି ପରିଶେଷରେ ମନେ କଲେ, ଆମର ତ ବରପକ୍ଷ, ଏବେ ଭୟ ଉଦ୍‌ବେଗର କାରଣ କ’ଣ ? ଏହା କହି ତାଙ୍କ ନିକଟକୁ ଖଣ୍ଡେପତ୍ର ଲେଖିଲେ । ପତ୍ରର ସାରମର୍ମ ଏହି- ମୋର ଏ ପ୍ରସ୍ତାବରେ ଆଦୌ ଅମତ ନ ଥିଲେ ସୁଦ୍ଧା ଲକ୍ଷ୍ମୀଧରର ମତାମତ ନ ବୁଝି ମୁଁ ବର୍ତ୍ତମାନ କିଛି ସ୍ଥିର କରିପାରୁ ନାହିଁ । ଯଥାସମୟରେ ସମସ୍ତ ବିଷୟ ବୁଝି ପାରିବେ ।

 

ମାୟାଧର ବାବୁଙ୍କ ପତ୍ର ପାଇ ଲକ୍ଷ୍ମୀଧର ବିଶେଷ ଆଗ୍ରହ ପ୍ରକାଶ କରିବାର ବୋଧ ହେଲା ନାହିଁ । ତଥାପି ମାମୁଙ୍କ ମନରକ୍ଷା କରିବା ଲାଗି ସେ ତାଙ୍କ ନିକଟକୁ ଏହିପରି ଖଣ୍ଡେ ପତ୍ର ଲେଖିଦେଲା ନିଶ୍ଚିନ୍ତ ହୋଇ ରହିଲା ।

 

ଶ୍ରୀଚରଣକମଳେଷୁ-

 

ଆପଣଙ୍କ ପତ୍ର ପାଇ ସମସ୍ତ ବିଷୟ ଅବଗତ ହେଲି । ଏସବୁ ବିଷୟରେ ମୋର ମତ ବୁଝିବା ଅନାବଶ୍ୟକ, ଆପଣଙ୍କ କଥା ମୋର ସର୍ବଦା ଶିରୋଧାର୍ଯ୍ୟ । ଆପଣ ଚିରକାଳ ଆମ୍ଭମାନଙ୍କର ଶୁଭାକାଙ୍‌କ୍ଷୀ ଏବଂ ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଆପଣ ଯେ ସମସ୍ତ ବିଷୟ ଭଲ କରି ବିବେଚନା କରି କାର୍ଯ୍ୟ କରିବେ, ଏଥିରେ ମୋର ଲେଶମାତ୍ର ସନ୍ଦେହ ନାହିଁ ।

 

ବର୍ତ୍ତମାନ ଟିକିଏ ବ୍ୟସ୍ତ ଥିବାରୁ ବେଶି କିଛି ଲେଖି ପାରିଲି ନାହିଁ, ପରେ ସବିଶେଷ ଲେଖିବି ।ଇତି।

 

ନିବେଦକ ସେବକ

ଲକ୍ଷ୍ମୀଧର

 

 

ଲକ୍ଷ୍ମୀଧରର ପତ୍ରପାଇ ମାୟାଧର ବାବୁ ଏକପ୍ରକାର ନିଶ୍ଚିନ୍ତ ହୋଇଗଲେ ଏବଂ ସେହିଦିନ ଏ ବିଷୟରେ ବଳରାମ ବାବୁଙ୍କ ନିକଟକୁ ପତ୍ର ଲେଖିଲେ ।

 

ବିବାହର ଦିନ ଇତ୍ୟାଦି ସ୍ଥିର ହୋଇଯିବା ପରେ ମାୟାଧର ବାବୁ ଲକ୍ଷ୍ମୀଧରକୁ ଲେଖିଲେ-

 

ଆଗାମୀ ମାଘମାସ ଶୁକ୍ଲପକ୍ଷ ସପ୍ତମୀ ଅର୍ଥାତ ଜାନୁୟାରି ମାସ ୨୩ ତାରିଖରେ ବିଭାଘର ଦିନ ଧାର୍ଯ୍ୟ ହୋଇଅଛି । ଅନ୍ତତଃ ୧୫ ଦିନ ପୂର୍ବରୁ ଯେପରି ତୁମ୍ଭେ ଏଠାକୁ ଆସ, ସେ ବିଷୟରେ ଚେଷ୍ଟା କରିବ । ଏ ବିବାହ କଥା ଶୁଣି ସମସ୍ତେ ସୁଖୀ ଅଛନ୍ତି । ଇତ୍ୟାଦି ।

 

ଏତେ ଶୀଘ୍ର ଏ କଥାର ନିଷ୍ପତ୍ତି ହୋଇଯିବ ବୋଲି ଲକ୍ଷ୍ମୀଧର ଘୂଣାକ୍ଷରେ ସୁଦ୍ଧା ଭାବି ନ ଥିଲେ । ସେ ମନେ କରିଥିଲେ, ମୁଁ ପ୍ରକାଶ୍ୟ ଭାବରେ କୌଣସି ପ୍ରତିବାଦ ନ କଲେ ସୁଦ୍ଧା ପତ୍ରରେ ଯେଉଁ କ୍ଷୀଣ ଇଙ୍ଗିତ ହୋଇଅଛି ସେଥିରେ ମୋର ଅନ୍ୟ କିଛି ପତ୍ରାଦି ନ ପାଇବା ପର୍ଯ୍ୟନ୍ତ ମାମୁ କିଛି କରିବେ ନାହିଁ, ଅନ୍ତତଃ ଶେଷ ଜବାବ ଦେବା ପୂର୍ବରୁ ସେ ନିଶ୍ଚୟ ମୋତେ ସମ୍ବାଦ ଦେବେ । କିନ୍ତୁ ହଠାତ୍‌ ଏପରି ପତ୍ର ପାଇ ଲକ୍ଷ୍ମୀଧର ବଡ଼ ବିଷମ ସମସ୍ୟାରେ ପଡ଼ିଲେ । କି ଉତ୍ତର ଦେବେ, କିଛି ଠିକ୍‌ କରିପାରିଲେ ନାହିଁ । ଶେଷରେ ନାନା ଚିନ୍ତା ପରେ ସେ ତାଙ୍କର ବାଲ୍ୟସଖା ବିନୋଦ ନିକଟକୁ ନିଜର ମନୋଭାବ ବ୍ୟକ୍ତ କରି ନିମ୍ନୋକ୍ତ ପ୍ରକାରର ଖଣ୍ଡେ ପତ୍ର ଲେଖିଲେ:-

 

ଭାଇ ବିନୋଦ,

 

ତେମେ ବୋଧହୁଏ ବଳରାମ ବାବୁଙ୍କ କନ୍ୟା ସହିତ ମୋର ବିବାହ ହେଉଥିବା କଥା ଶୁଣିଥିବ । ମୁଁ କାଲି ମାମୁଙ୍କ ପତ୍ରରୁ ଏ ଖବର ପାଇ ଆନନ୍ଦିତ ହେବି କି ଦୁଃଖିତ ହେବି, କିଛି ଭାବି ପାରୁ ନାହିଁ । ବଳରାମ ବାବୁ ଅବଶ୍ୟ ଆମ ଦେଶର ଜଣେ ବିଶିଷ୍ଟ ଲୋକ ଏବଂ ତାଙ୍କ ସହିତ ସମ୍ପର୍କ କରିବା ଗୋଟାଏ ଗୌରବର ବିଷୟ ହୋଇପାରେ, କିନ୍ତୁ ଯାହା ଭାଗ୍ୟ ସହିତ ମୋ ଭାଗ୍ୟ ଚିରଦିନ ଅଚ୍ଛେଦ୍ୟ ବନ୍ଧନରେ ବନ୍ଧା ହେବ, ତାକୁ ଥରେ ଆଖିରେ ଦେଖିବା କଥା ଦୂରେ ଥାଉ, ତା ସ୍ୱଭାବ ଚରିତ୍ର ଦୋଷ ଗୁଣ ସମ୍ବନ୍ଧରେ ମୁଁ ବିନ୍ଦୁ ବିସର୍ଗ ଜାଣେ ନାହିଁ ବା ଜାଣିବାର ସୁବିଧା ସୁଦ୍ଧା ନାହିଁ । ଏପରି ପରଚକ୍ଷୁରେ କନ୍ୟା ଦେଖି ବିବାହ କରିବା କେତେଦୁର ସମୀଚୀନ, ତାହା ତେମେ ବୁଝି ପାରୁଥିବ । ମୁଁ ଅବଶ୍ୟ ସାହେବମାନଙ୍କପରି କୋଟ୍‌ସିପ୍‌ କରି ବିବାହ କରିବାକୁ କହୁନାହିଁ, ତେବେ ଏପରି ଗୋଟାଏ ପବିତ୍ର ସମ୍ପର୍କକୁ ବ୍ୟବସାୟ ବାଣିଜ୍ୟପରି କେବଳ ଚୁକ୍ତି ଜବାବରେ ସ୍ଥିର କରିବାର ମୁଁ ପକ୍ଷପାତୀ ନୁହେଁ । କେଜାଣି ଅବା, ସେ ରୂପ ଗୁଣରେ ଅସାମାନ୍ୟା, କିନ୍ତୁ ସେଇଟା ମୋର ସୌଭାଗ୍ୟ ଉପରେ ନିର୍ଭର କରେ; ପୁଣି ଅନ୍ୟ ଦିଗରେ ସମ୍ଭାବନା ତ କମ୍‌ ନୁହେ । ତେବେ ଏପରି ଗୋଟାଏ ଗୁରୁତର ବିଷୟକୁ କେବଳ ସୁର୍ତ୍ତି ଖେଳର ହାରଜିଣ ଉପରେ ଛାଡ଼ିଦେବା ଉଚିତ କି ?

 

ଯାହା ହେଉ ତମକୁ ମୋର ବିଶେଷ ଅନୁରୋଧ ଯେ, ତେମେ କନ୍ୟା ସମ୍ବନ୍ଧରେ ଯାବତୀୟ ବିଷୟ ଭଲ କରି ବୁଝି ସରଳ ଭାବରେ ମୋ ନିକଟକୁ ଲେଖିବ । ମୁଁ ତମର ପ୍ରତି କଥାରେ କେତେଦୂର ଆସ୍ଥା ସ୍ଥାପନ କରେଁ, ତାହା ତେମେ ଜାଣ । ଏ ବିଷୟରେ ମୋର ଭବିଷ୍ୟତର ସୁଖ ଦୁଃଖ ତମ ହାତରେ । ମୁଁ ମଧ୍ୟ ଏସବୁ ବିଷୟ ଘରେ କାହା ନିକଟକୁ ଲେଖିପାରୁ ନାହିଁ ଅଭିଭାବକମାନେ ଯେ ଆମ୍ଭର ମଙ୍ଗଳ ବା ସୁଖ ନ ଖୋଳନ୍ତି ତାହା ମୁଁ କହୁ ନାହିଁ, ତେବେ ସେମାନେ ଯଦି ଯୁବକର ହୃଦୟ ଘେନି ବିଚାର କରୁଥାନ୍ତେ, ତାହାହେଲେ ଅନେକ ଅକଲ୍ୟାଣର ହାତରୁ ରକ୍ଷା ମିଳୁଥାନ୍ତା ।

 

ମୁଁ ଏତିକି ଲେଖିଦେଇ ନିଶ୍ଚିନ୍ତ ନୁହେଁ । ଯଦି ସୁବିଧା ହୁଏ ମୁଁ ପୂର୍ବରୁ ଯାଇ ତମ ସହିତ ପରାମର୍ଶ କରିବି ଓ ଅନ୍ୟାନ୍ୟ ବିଷୟ ବିଶଦ ଭାବରେ ବୁଝିବାକୁ ଚେଷ୍ଟା କରିବି । ବର୍ତ୍ତମାନ ପ୍ରାୟ ଦୁଇ ମାସରୁ ଅଧିକ ସମୟ ଅଛି, ଆବଶ୍ୟକ ହେଲେ ଏଥିମଧ୍ୟରେ ଭଙ୍ଗା ଗଢ଼ା ଅକ୍ଲେଶରେ ହୋଇପାରେ ।

 

ଏ ବିଷୟ ଅନ୍ୟ କାହାରି ଆଗରେ ଯେପରି ପ୍ରକାଶ ନ ହୁଏ । ଆଶା କରେଁ, ତମମାନଙ୍କର ସମସ୍ତ ମଙ୍ଗଳ ।ଇତି।

 

ତମର ସ୍ନେହର

ଲକ୍ଷ୍ମୀଧର

 

ପତ୍ରଖଣ୍ଡି ଡାକରେ ପକାଇ ଦେଇ ଲକ୍ଷ୍ମୀଧର ଟିକିଏ ଆଶ୍ୱସ୍ତ ହେଲେ, କିନ୍ତୁ ମନରେ ଆଉ ଶାନ୍ତି ରହିଲା ନାହିଁ ।

 

(୩)

 

ବିଭାଘର ତିଥି ପ୍ରାୟ ମାସକରୁ ଊର୍ଦ୍ଧ୍ୱ ଅଛି । ଏତେ ପୂର୍ବରୁ ତ ଆଉ ବଳରାମ ବାବୁଙ୍କୁ ଛୁଟି ମିଳିବ ନାହିଁ । ଏଣୁ ସେ ତାଙ୍କର କନିଷ୍ଠ ପୁତ୍ର ହରିକୁ କହିଲେ, ‘‘ତୁ ତେବେ ପିଲାମାନଙ୍କୁ ଘେନି ଆଗରୁ ଚାଲି ଯା, ମୁଁ ପଛେ ୧୦।୧୫ ଦିନ ପୂର୍ବରୁ ଛୁଟି ନେଇ ଏକା ଚାଲିଯିବ । ଆଉ ବିଳମ୍ବ କଲେ ତ ହେବ ନାହିଁ । ପୂର୍ବରୁ ଯାହା ସବୁ ଆୟୋଜନ କରିବାକୁ ହେବ । ତା ଛଡ଼ା ସ୍ୱୀକାର ସମ୍ମତ ଯିବା ଆସିବା ସମୟ ନିକଟ ହୋଇଗଲା । ତେମେମାନେ ନ କଲେ ଗୋବିନ୍ଦ ଏକା କ’ଣ କରିବ-?’’

 

ଏ ପ୍ରସ୍ତାବରେ ସମସ୍ତେ ସମ୍ମତ ହେଲେ ଏବଂ ରବିବାର ଦିନ ଯାତ୍ରା କରିବାର ସ୍ଥିର ହେଲା । ବଳରାମ ବାବୁଙ୍କ ସ୍ତ୍ରୀଙ୍କର ପୂର୍ବରୁ ଉଦରାମୟ ପୀଡ଼ା ଥିଲା । ବାହାରିବାର ସବୁ ଠିକ୍‌ ହେଉଅଛି, ଏପରି ସମୟରେ ତାଙ୍କର ଭୟଙ୍କର ବେଦନା ଆରମ୍ଭ ହେଲା ଏପରି ଅବସ୍ଥାରେ ଏତେ ସୁଦୀର୍ଘ ପଥ ରେଳରେ ଯିବାକୁ କେହି ପରାମର୍ଶ ଦେଲେ ନାହିଁ । ଏଣୁ ବାଧ୍ୟ ହୋଇ ତାଙ୍କର ଯିବା ସ୍ଥଗିତ ରହିଲା । ବଳରାମ ବାବୁ କହିଲେ, ‘‘ତେମେମାନେ ତେବେ ଯାଅ । ମୁଁ ପରେ ତାଙ୍କୁ ଘେନିକରି ଯିବି । ଅନ୍ୟାନ୍ୟମାନଙ୍କ କଥା ଅଲଗା, ମାଳୀ ତ ଆଉ ବେଶି ଦିନ ରହି ପାରିବ ନାହିଁ । ତାର ଟିକିଏ ଆଗରୁ ଯିବା ନିତାନ୍ତ ଆବଶ୍ୟକ । ତାର ମା’ ଯାଇଥିଲେ ଅବଶ୍ୟ ଟିକିଏ ସୁବିଧା ହୋଇଥାନ୍ତା । କିନ୍ତୁ କ’ଣ କରାଯିବ ? ଦୈବୀ ଘଟନା ଉପରେ କାହାର ଚାରା ଅଛି ?’’

 

ସେହି ଦିନ ସନ୍ଧ୍ୟା ବେଳେ ହରି ମାଳୀ ଓ ନିଜ ସ୍ତ୍ରୀ ହେମକୁ ଘେନି ଷ୍ଟେସନ ଅଭିମୁଖେ ଯାତ୍ରା କଲେ ।

 

କୁଲିଦ୍ୱାରା ଜିନିଷପତ୍ର ସବୁ ଗାଡ଼ିକୁ ପଠାଇ ଦେଇ ହରି ସ୍ତ୍ରୀଲୋକମାନଙ୍କ ସହିତ ଯାଇ ଖଣ୍ଡିଏ ଦ୍ୱିତୀୟ ଶ୍ରେଣୀ କୋଠରୀରେ ପ୍ରବେଶ କଲେ । କୋଠରୀ ମଧ୍ୟରେ ଖୁବ୍‌ ସମ୍ଭବ ଜଣେ ହିନ୍ଦୁସ୍ଥାନୀ ଯୁବକ ଛଡ଼ା ଅନ୍ୟ କେହି ନ ଥିଲେ । ହରି ଜିନିଷପତ୍ର ସବୁ ଯଥାସ୍ଥାନରେ ରଖିବାର ବନ୍ଦୋବସ୍ତ କରି ଦେଇ ଓ ସମସ୍ତଙ୍କର ବସିବାର ସ୍ଥାନ୍‌ ଠିକ୍‌ କରି ଦେଇ ଗୋଟାଏ ସିଗାରେଟ୍‌ ଲଗାଇ ଯୁବକଟି ସହିତ ହିନ୍ଦୀରେ କଥାବାର୍ତ୍ତା ଆରମ୍ଭ କରି ଦେଲେ ।

 

କଥାବାର୍ତ୍ତା କରୁ କରୁ ସେ ହଠାତ୍‌ ଚାହିଁ ଦେଖିଲେ ଯେ ବ୍ୟାଗ୍‌ଖଣ୍ଡି କାହିଁ ଦେଖାଯାଉ ନାହିଁ । ଜିନିଷପତ୍ର ସବୁ ଲେଉଟପାଉଟ କରି ଦେଖିଲେ ଯେ ଗାଡ଼ିରେ ବ୍ୟାଗ୍‌ ନାହିଁ । ନିଶ୍ଚୟ ଉଏଟିଙ୍ଗ୍‌ ରୁମ୍‌ରେ ଛାଡ଼ି ଆସିଛି ମନେ କରି ସେ ତରତର ହୋଇ ଗାଡ଼ିରୁ ଓହ୍ଲାଇ ଷ୍ଟେସନ ଘର ଆଡ଼କୁ ଦୌଡ଼ିଲେ । ସେତେବେଳକୁ ପ୍ରଥମ ବେଲ୍‌ (ଘଣ୍ଟା) ବାଜି ଗଲାଣି । ବାକୀ ପ୍ରାୟ ୨।୩ ମିନିଟରୁ ବେଶି ସମୟ ନାହିଁ ।

 

ଚାହୁଁ ଚାହୁଁ ଦ୍ୱିତୀୟ ବେଲ୍‌ ବାଜିଗଲା, ପ୍ଲାଟଫର୍ମ ଉପରେ ଛୁଟାଛୁଟି ଦୌଡ଼ା ଦୌଡ଼ି ଲାଗିଅଛି । ଲୋକ କୋଳାହଳରେ ପଦେକଥା ଶୁଣିବାର ଜୁ’ ନାହିଁ । ମାଳୀ ଓ ହେମ ଝରକାବାଟେ ମୁହଁ ବାହାର କରି ଯେତେଦୂରକୁ ଦୃଷ୍ଟି ଯାଏ ଉତ୍କଣ୍ଠାର ସହିତ ଅନାଇ ରହିଛନ୍ତି, କିନ୍ତୁ ଲୋକଗହଳି ତ କ୍ରମେ କମି ଆସିଲାଣି, କାହିଁ ହରି ତ କେଉଁଠାରେ ଦେଖା ଯାଉନାହାନ୍ତି ! କାଳର ଗତିପରି ରେଲଗାଡ଼ି କାହାରିକି ଅପେକ୍ଷା କରେ ନାହିଁ । ପେଁ କରି ଗୋଟାଏ ବିକଟ ସିଟି ମାରି ଗାଡ଼ି ଛାଡ଼ିଦେଲା ଏବଂ ତାହା ସଙ୍ଗେ ସଙ୍ଗେ ଦିଓଟି ରମଣୀ କଣ୍ଠର କ୍ଷୀଣ କ୍ରନ୍ଦନଧ୍ୱନି କେଉଁଆଡ଼େ ମିଶିଗଲା, ତାହା ସେହିମାନଙ୍କ ଛଡ଼ା ଅନ୍ୟ କେହି ଜାଣିପାରିଲେ ନାହିଁ ।

 

ମାଳୀ ଓ ହେମ କ୍ରମେ ବେଶି ଅଧୀର ହୋଇ ଉଠିଲେ କ’ଣ କରିବେ କିଛି ଠିକ୍‌ କରି ପାରିଲେ ନାହିଁ । ଯେତିକି ନିଜର ଅବସ୍ଥା ଭାବିବାକୁ ଲାଗିଲେ, ତେତିକି ମନରେ କୋହ ଦ୍ୱିଗୁଣ ହୋଇ ଉଠିଲା । ଏକେ ଅବଳା ସ୍ତ୍ରୀ ଜାତି, ସଂସାରରେ ଗତିବିଧି ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ, ତହିଁରେ ପୁଣି ବହୁ ଯତ୍ନରେ ବର୍ଦ୍ଧିତା କୁଣ୍ଡର ସୁକୁମାର ଫୁଲଗଛ ପରି ସେମାନେ ଗୃହର ଚତୁଃସୀମା’ ଛଡ଼ା ଦିନେ ହେଲେ ବାହାରର ଦାରୁଣ ଘାତ ପ୍ରତିଘାତ ଦେଖି ନାହାନ୍ତି । ଏତେ ତ ପାଖରେ ଚିହ୍ନା ବିଲେଇ ପିଲାଟିଏ ସୁଦ୍ଧା ନାହିଁ, ତହିଁରେ ଯେଉଁ ଲୋକଟି କୋଠରୀ ମଧ୍ୟରେ ଅଛି, ତାହାର ନ ଥିବା ଅପେକ୍ଷା ଥିବାକୁ ସେମାନେ ଆହୁରି ଭୟାବହ ମନେ କରୁଅଛନ୍ତି । ନିଜର ଅବସ୍ଥା ଭଲକରି ଟିକିଏ ଭାବିବାକୁ ବା ସ୍ୱାଧୀନ ଭାବରେ କଥାଭାଷା ହେବାକୁ ସୁଦ୍ଧା ସେମାନଙ୍କର କ୍ଷମତା ନାହିଁ । ସେମାନେ ଚତୁର୍ଦ୍ଦିଗରେ କେବଳ ଅନ୍ଧକାର- ସୁବିଭେଦ୍ୟ ଅନ୍ଧକାର ଦେଖୁଅଛନ୍ତି । ସେମାନଙ୍କର ମନେ ହେଉଅଛି, ଯେପରି ଗୋଟାଏ ଭୀମକାୟ ଦୁର୍ବୃତ୍ତ ଦୈତ୍ୟ ସେମାନଙ୍କୁ ଗୋଟାଏ ରଥରେ ବସାଇ ଆକାଶ ମାର୍ଗରେ ଅସୁର ରାଜ୍ୟ ଆଡ଼କୁ ଘେନି ଯାଉଅଛି ।

 

ଏମାନଙ୍କର ଏପରି ଅବସ୍ଥା ଦେଖି ଯୁବକଟି ଆଉ ବେଶିକ୍ଷଣ ନିଶ୍ଚିନ୍ତି ରହି ପାରିଲା ନାହିଁ-। ସେ ସେମାନଙ୍କୁ ନାନା ଉପାୟରେ ପ୍ରବୋଧ ଦେବାକୁ ଚେଷ୍ଟା କଲା, କିନ୍ତୁ ଫଳ ମଧ୍ୟରେ ଏତିକି ହେଲା ଯେ, ସେମାନେ ତା କଥାରେ କର୍ଣ୍ଣପାତ ନ କରି କ୍ରମେ ଆହୁରି ଅଧୀର ହୋଇ ଉଠିଲେ । ଯୁବକଟି ମଧ୍ୟ ନିରସ୍ତ ହୋଇ ନିଜ ସ୍ଥାନରେ ଯାଇ ବସିଲା ।

 

 

ହରି ସଙ୍ଗେ କଥାବାର୍ତ୍ତା କରିବା ସମୟରେ ଯୁବକ ସେମାନଙ୍କ ସମ୍ବନ୍ଧରେ କିଞ୍ଚିତ୍‌ ଆଭାସ ପାଇଥିଲା । କିଛିକ୍ଷଣି ପରେ ସେମାନଙ୍କୁ ଟିକିଏ ଆଶ୍ୱସ୍ତ ହେବାର ଦେଖି ସେମାନଙ୍କ ଘର, କେଉଁଠାରେ ଥିଲେ, କେଉଁଠାକୁ ଯାଉଛନ୍ତି ଇତ୍ୟାଦି ବିଷୟରେ ଅଧା ବଙ୍ଗଳା ଅଧା ହିନ୍ଦି ଭାଷାରେ ନାନାପ୍ରକାର ପ୍ରଶ୍ନ କଲା ଏବଂ ସେମାନେ ମଧ୍ୟ ଯନ୍ତ୍ରଚାଳିତ ପରି କେତେଗୁଡ଼ିଏ ପ୍ରଶ୍ନର ଉତ୍ତର ଦେଇଗଲେ, କିନ୍ତୁ ମନେ ମନେ ଯୁବକ ସମ୍ବନ୍ଧରେ ସେମାନଙ୍କର ସନ୍ଦେହ ଆହୁରି ଦୃଢ଼ୀଭୂତ ହେବାକୁ ଲାଗିଲା । ସେମାନେ ମନେ କଲେ କୌଣସି ଦୁରଭିସନ୍ଧି ନ ଥିଲେ ଏ ଏତେ ପଚାରନ୍ତା କାହିଁକି ? ରେଳଗାଡ଼ିରେ ଯେ ନାନା ରକମର ଅତ୍ୟାଚାର ହୁଏ, ଶୁଣାଶୁଣିରେ ସେମାନେ କିଛି ଜାଣିଥିଲେ । ବିଶେଷତଃ ରୁଷ ହିନ୍ଦୁସ୍ଥାନୀ ପୋଷାକର ଅନ୍ତରାଳରେ ଯେ କେବେ ମାୟା ମମତାର ସ୍ନିଗ୍‌ଧ ଧାରା ବହିପାରେ ଏଇଟା ସେମାନଙ୍କ ଧାରଣାର ଗୋଚର ନ ଥିଲା । ଫଳତଃ ମନର ସନ୍ଦେହଟିକୁ ସେମାନେ ବହୁଯତ୍ନରେ ବଢ଼ାଇବାକୁ ଲାଗିଲେ । ଯେଉଁସବୁ ଘଟଣା ବା ପ୍ରମାଣ ଏହାର ପୋଷକତା କଲା, ସେମାନେ ତାକୁ ଆଦର ସହିତ ଅଭ୍ୟର୍ଥନା କରିନେଲେ ଏବଂ ବାକୀ ଯେସବୁ ଏହାର ବିରୁଦ୍ଧାଚରଣ କଲା, ସେମାନେ ତାକୁ ମିଥ୍ୟାସାକ୍ଷ୍ୟ ବୋଲି ଇଜିଲାସରୁ ବିଦାୟ ଦେଲେ ।

 

ଟିକିଏ ପ୍ରକୃତିସ୍ଥ ହେଲା ପରେ, ପରିଣାମ କ’ଣ ହେବ, ସେ ବିଷୟରେ ଚିନ୍ତା ନ କରି ସେମାନେ ବର୍ତ୍ତମାନ କ’ଣ କର୍ତ୍ତବ୍ୟ, ତାହା ସ୍ଥିର କରିବାକୁ ଲାଗିଲେ । ପ୍ରଥମେ ସେମାନେ ନିଜ ନିଜର ଗହଣାପାତି କ୍ରମେ କ୍ରମେ ଦେହରୁ କାଢ଼ି କାନିରେ ବାନ୍ଧିଲେ- ଏତେ ଅଳଙ୍କାର ଦେଖିଲେ କାଳେ ସେ ଲୋଭ ସମ୍ଭାଳି ନ ପାରିବ । ଯୁବକଟି ଏ ସବୁ ଲକ୍ଷ୍ୟ କରି କାହାରିକୁ କିଛି ନ କହି ମନେ ମନେ ଟିକିଏ ନ ହସି ରହି ପାରିଲା ନାହିଁ ।

 

ବଡ଼ ବଡ଼ ଷ୍ଟେସନ ନିକଟରେ ଯୁବକଟି ଯାଇ ସେମାନଙ୍କର କ’ଣ ଦରକାର, କ’ଣ ଆଣିବାକୁ ହେବ ଇତ୍ୟାଦି ପ୍ରଶ୍ନ କରେ, କିନ୍ତୁ ସେମାନେ ସବୁ କଥାରେ ନିରୁତ୍ତର । ମନେ ମନେ ଭାବନ୍ତି, ଶାଠ୍ୟର ମୁଖ ସବୁବେଳେ ମଧୁର ।

 

ସେମାନଙ୍କର ଆଖିକି ନିଦ ଆସିବା ଦୁରେ ଥାଉ, ଜଣକଠାରୁ ଅନ୍ୟ ଜଣେ ମୁହୂର୍ତ୍ତକ ସକାଶେ ସୁଦ୍ଧା ଅନ୍ତର ହେବାକୁ ସାହସ କଲେ ନାହିଁ, କେଜାଣି ଯଦି ଏଥିମଧ୍ୟରେ କିଛି ବିପଦ ଘଟିଯାଏ । ସେମାନଙ୍କର ଏପରି ଦୁରବସ୍ଥା ଦେଖି ଯୁବକ ଟିକିଏ ଶୋଇବାର ଛଳନା କଲା, କିନ୍ତୁ ଏମାନଙ୍କୁ ଲାଗି ତା ଆଖିରେ ନିଦ କାହିଁ ?

 

ଆସନ୍‌ସୋଲ ଜଙ୍କ୍‌ସନରେ ଗାଡ଼ି ପହଞ୍ଚିଲା । ଏହିଠାରୁ ଏ ଗାଡ଼ି ବଦଳାଇ ଅନ୍ୟ ଗାଡ଼ିରେ ଚଢ଼ିବାକୁ ହେବ । ଯୁବକ ସେମାନଙ୍କୁ ଅନ୍ୟ ଗାଡ଼ିକୁ ଯିବାକୁ ଯେତେ ପ୍ରବର୍ତ୍ତାଇଲା, ସେମାନେ ମାନିଲେ ନାହିଁ, କେଜାଣି ଯଦି ଏହା ମଧ୍ୟରେ କିଛି ଚଞ୍ଚକତା ଥାଏ । ଶେଷରେ ଅନ୍ୟାନ୍ୟ ଆରୋହୀମାନେ ଓହ୍ଲାଇବାର ଦେଖି ସେମାନେ ଯୁବକର ନିର୍ଦ୍ଦେଶ ଅନୁଯାୟୀ ଅନ୍ୟ ଗାଡ଼ିରେ ଯାଇ ବସିଲେ, ଯୁବକ ମଧ୍ୟ କେତେକ କୁଲିଦ୍ୱାରା ଓ କେତେକ ନିଜେ ସେମାନଙ୍କର ସବୁ ଜିନିଷ ଅନ୍ୟ ଗାଡ଼ିକୁ ବୁହାଇ ନେଇଗଲା ।

 

ପ୍ରଭାତ ହେବାରୁ ସେମାନଙ୍କ ମନରେ ଟିକିଏ ସାହସ ହେଲା ଏବଂ ଯୁବକ ପ୍ରତି ଅବିଶ୍ୱାସ ମଧ୍ୟ ଟିକିଏ କମିଲା । ଯୁବକ ସେମାନଙ୍କ ସୁବିଧା ସକାଶେ ପାଣି ଆଣି ଦେବାରୁ ଆରମ୍ଭ କରି ଜଳଖିଆ ଇତ୍ୟାଦିର ବନ୍ଦୋବସ୍ତ କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଅଯାଚିତ ଭାବରେ କରୁଥାଏ-ଯେପରି କି ଏମାନେ ତାର କୌଣସି ଘନିଷ୍ଠ ଆତ୍ମୀୟ । ବୋଧହୁଏ ନିଜେ ହରି ଥିଲେ ସେମାନଙ୍କ ଲାଗି ଏତେ ଯତ୍ନ କରିଥାଆନ୍ତା କି ନାହିଁ ସନ୍ଦେହ । ଅଥଚ ପ୍ରତି କାର୍ଯ୍ୟ ଭଦ୍ରତା ଓ ଲୌକିକତାର ସୀମା’ ମଧ୍ୟରେ ରହି ଏପରି ଧୀର ବିନୀତ ଭାବରେ କରି ଯାଉଥାଏ ଯେପରି କି ଏମାନଙ୍କ ପାଇଁ ସେ ଗୋଟାଏ ବିଶେଷ କିଛି କାର୍ଯ୍ୟ କରୁ ନାହିଁ- ଏସବୁ ତାର କର୍ତ୍ତବ୍ୟର ସୀମା ଭିତରେ ।

 

ଏତେ ଅକାଟ୍ୟ ପ୍ରମାଣ ସମ୍ମୁଖରେ ସେମାନଙ୍କର ମନର ସଂସ୍କାର ଆଉ ବେଶିକ୍ଷଣ ତିଷ୍ଠି ପାରିଲା ନାହିଁ । କଠିନ ବରଫ ଯେପରି ଥରେ ଦ୍ରବ ହେବାକୁ ଆରମ୍ଭ କଲେ ଜଳ ପରି ତରଳ ନ ହେବା ପର୍ଯ୍ୟନ୍ତ କ୍ଷାନ୍ତ ହୁଏ ନାହିଁ, ସେମାନେ ସେହିପରି ତା ଉପରେ ଥରେ ବିଶ୍ୱାସ ସ୍ଥାପନ କଲା ଉତ୍ତାରୁ ତା ଆଡ଼କୁ କ୍ରମଶଃ ଆକୃଷ୍ଟ ନ ହୋଇ ରହିପାରିଲେ ନାହିଁ । ସେମାନେ ଏଣିକି ତାର ପ୍ରତିକାର୍ଯ୍ୟ ଓ କଥାରେ ମହତ୍ତ୍ୱରେ ସୂଚନା ଦେଖି ପାରିଲେ । ଆହା ! ଏପରି ପର-ଉପକାରୀ ଲୋକ ପୁଣି ସଂସାରରେ ଅଛନ୍ତି ? ଚିହ୍ନା ପରିଚୟ କିଛି ନାହିଁ, ଆମର ବିପତ୍ତି ଦେଖି ଏତେ ତରଳିଗଲା ଯେ, ନିଜର ସୁଖ ସୁବିଧା ସବୁ ଛାଡ଼ିଦେଇ ଆମମାନଙ୍କ ପିଛା ବରାବର ଲାଗିଛି । ପ୍ରଭୁ ଏପରି ଲୋକଟାଏ ନ ଯୁଟାଇଥିଲେ ଆମର ଦଶା କ’ଣ ହୋଇଥାନ୍ତା ? ଛି, ଛି, ଏପରି ଲୋକକୁ ପୁଣି ଆମେ ଅବିଶ୍ୱାସ କରିଥିଲୁଁ ? ଏଥିରେ ନିଶ୍ଚୟ ଆମର ପାପ ହୋଇଛି ।

 

ମାଳୀ କହିଲା, ‘‘ତେମେ ଯାହା କହ, ତାଙ୍କୁ ଦେଖି ମୋ ମନରେ କାହିଁକି ପ୍ରଥମରୁ ସନ୍ଦେହ ଛୁଉଁ ନ ଥିଲା । ଏଡ଼େ ସୁନ୍ଦର ଗଢ଼ଣ, ଏଡ଼େ ଅବିଶ୍ୱାସୀ ହୁଅନ୍ତା ନା ?’’

 

ହେମ ହସି ହସି କହିଲା, ‘‘ତେମେ ତ କ’ଣ ତା ରୂପରେ ଏକାବେଳକେ ମଜ୍ଜିଗଲଣି ! ତେଣେ ତ ସବୁ ଠିକ୍‌ଠାକ୍‌ ସରିଲାଣି, ନ ହେଲେ ଅବା ଦେଖା ଯାଇଥାନ୍ତା । ଆଉ ନ ହେଲେ କ’ଣ-! ଦେଖାନାହିଁ କି ଶୁଣାନାହିଁ, କୁଆଡ଼ୁ ଗୋଟାଏ ବର ଧରିଆଣିବେ ଯେ ସେ କାଳିଆଭୁଆ ହେଉଛି, ନା କ’ଣ ହେଉଛି କେଜାଣି ?’’

 

ମାଳୀ ‘‘ଯା ମଁ’’ କହିଦେଇ ମୁହଁ ବୁଲାଇ ବସିଲା ।

 

ହେମ କହିଲା, ‘‘ମନକଥାଟା ଖୋଲି ଦେଲି କି ନା, ସେଥିଲାଗି ହେଲା ମୋର ଦୋଷ । ଆଉ ସେ ଲୋକଟିର ଆମ ସକାଶେ ଏତେ ଧାଆଁ ଧପଡ଼ା ଲାଗିଛି କାହିଁକି ଜାଣିଛ ?’’

 

ମାଳୀ ଟିକିଏ ବିରକ୍ତି ପ୍ରକାଶ କରି କହିଲା, ‘‘ଯା ମୁଁ, ମୁଁ କିଛି ଜାଣେ ନାହିଁ, ମୋ ସାଙ୍ଗରେ ସିମିତି ଲଗାଅନା ।’’

 

ହେମ କହିଲା, ‘‘ମୁଁ କହି ଦେବି ? କେବଳ ତମରି ଏହି ଚାନ୍ଦମୁହଁ ଖଣ୍ଡିକ ଲାଗି । ସୁନ୍ଦର ମୁହଁର ସବୁଠାରେ ଜୟ । ଉଞ୍ଚେଇଲା ଖଣ୍ଡା ତ ହାତରୁ ଖସିପଡ଼ିବ, ଏ ଅବା କେଉଁ ଛାର ? ନ ହେଲେ କ’ଣ ତାର ଗରଜ ସରୁ ନ ଥିଲା ଯେ, ସେ ଆମପାଇଁ ଏତେ ମିହନ୍ତ କରନ୍ତା ? ମଝିରେ ଥାଇ ଲାଭଟା ଏଥିରେ ମୋରି ଏକା ସବୁଠାରୁ ବେଶି । ‘କୁସୁମ ପରଶେ ପଟ ନିସ୍ତରେ’ ।’’

 

ମାଳୀ ଆଉ ସମ୍ଭାଳି ନପାରି କହିଲା, ‘‘ତମର କ’ଣ ଭାତ ହଜମ ହେଉନାହିଁ କି ?’’ ହେମ କହିଲା, ‘‘ହେଲାଣି ନାଁ, ଏହିକ୍ଷଣି କିଛିଦିନ ପର୍ଯ୍ୟନ୍ତ ହବ ? ମନରେ ରୋଗ ଥିଲେ, ପେଟ କଥା ପଚାରୁଛି କିଏ ?’’

 

ଖଡ଼ଗପୁରଠାରେ ଯୁବକ ସେମାନଙ୍କ ମତ ଅନୁଯାୟୀ ଗୋବିନ୍ଦ ବାବୁଙ୍କ ଠିକଣାରେ ସଂକ୍ଷେପରେ ବାଟର ଦୁର୍ଘଟଣା ଲେଖି ଖଣ୍ଡେ ଟେଲିଗ୍ରାମ କରିଦେଲା ଏବଂ ସେମାନେ ରାତି ୪ଟା ସମୟରେ କଟକ ଷ୍ଟେସନରେ ପହଞ୍ଚିବାର ସମ୍ବାଦ ମଧ୍ୟ ଦେଇଗଲା ।

 

ହେମ ଓ ମାଳୀ ମନେ ମନେ ଭାବିଲେ, ଆଉ କିଛି ସମୟ ପରେ ତ ଆମେ ଗାଡ଼ିରୁ ଓହ୍ଲାଇଯିବା । ଏଲୋକଟି ଆମ ସକାଶେ ଏତେ କଷ୍ଟ ସ୍ୱୀକାର କଲା, ଅଥଚ ଆମେ ଏପର୍ଯ୍ୟନ୍ତ ତା ସମ୍ବନ୍ଧରେ କିଛି ଜାଣି ପାରିଲେଇଁ ନାହିଁ । ଆମେ ଡରିଲୁ ବୋଲି ଯେ ଆମର ଏତେ ଉପକାର କଲା, ତାକୁ କଥାରେ ହେଲେ ଟିକିଏ କୃତଜ୍ଞତା ଜଣାଇବାକୁ କ’ଣ ଆମର ଅଧିକାର ନାହିଁ ? ସେ ଯଦି କଟକରେ ଓହ୍ଲୋଉଥାନ୍ତା, ତାହା ହେଲେ ଅବା ଅନ୍ୟ କାହାଦ୍ୱାରା ସବୁ ବୁଝି ଯାହା କିଛି କରନ୍ତେଇଁ, କିନ୍ତୁ ସେ କୁଆଡ଼େ ଯାଉଛି, କେଉଁଠାରେ ଓହ୍ଲାଇବ, କିଏ ଜାଣେ ? ଆଉ ମଧ୍ୟ ସେ ତ ଅଜଣା, ଅଚିହ୍ନା ଲୋକ, ତା ଆଗରେ ବା ଏତେ ଲାଜ କାହିଁକି ? ଏହିପରି ସାତପାଞ୍ଚ ଭାବି ହେମ ପ୍ରଥମରେ ସ୍ତ୍ରୀସୁଲଭ ସଙ୍କୋଚ ସହିତ, ସେପରି ଅବସ୍ଥାରେ ଯେତେଦୂର ସମ୍ଭବ ଟିକିଏ କୃତଜ୍ଞତା ଜଣାଇ ପରୋକ୍ଷରେ ତାକୁ ଶୁଣାଇ ଶୁଣାଇ ଯୁବକର ପରିଚୟ ଆଦି ପଚାରିଲା ।

 

ଯୁବକ ସଂକ୍ଷେପରେ ତାର ଏତିକି ପରିଚୟ ଦେଲା ଯେ, ତାର ଘର ପଶ୍ଚିମରେ, ତାର ଭାଇ କଟକରେ କୌଣସି ସ୍ଥାନରେ କାର୍ଯ୍ୟ କରୁଥିବାରୁ ସେ ତାହା ନିକଟକୁ ଯାଉଅଛି । ଉଦ୍ଦେଶ୍ୟ, ଯଦି ଚାକିରି ବାକିରି ଖଣ୍ଡେ ବାଜିଯାଏ, ସୁବିଧା ଦେଖି ଥାକି ଯିବ ।

 

ଯୁବକର କଥା ଶୁଣି ହେମ ଓ ମାଳୀ ସ୍ଥିରକଲେ, ଏ ଯେତେବେଳେ ଚାକିରି ଅନୁସନ୍ଧାନରେ ଆସିଛି, ଆମେମାନେ ଘରେ ସମସ୍ତଙ୍କୁ କହି ସେ ଯେପରି କୌଣସିଠାରେ ଖଣ୍ଡିଏ ଭଲ କାର୍ଯ୍ୟପାଏ, ତାର ଚେଷ୍ଟା କରିବା । ସେ ଆମର ଯେଉଁ ଉପକାର କରିଛି, ଆମେ ଜୀବନରେ ତ କଦାପି ସେ ୠଣ ଶୁଝିପାରିବା ନାହିଁ । ତେବେ ଆମଦ୍ୱାରା ଯଦି ତାର କିଛି ହେଲେ ଉପକାର ହୁଏ, ତେବେ ଆମ ମନ ଟିକିଏ ଉଶ୍ୱାସ ହେବ ।

 

ଏହିପରି ମନେ ମନେ ବିଚାରି ସେମାନେ ଅତି ସାବଧାନରେ ତାର ନାମ, ଠିକଣା ଆଦି କଥା ଉଠାଇଲେ, ଯେପରି କି ସେମାନଙ୍କ ମନୋଭାବ ସେ କିଛି ଜାଣି ନ ପାରେ । ଉତ୍ତରରେ ଯୁବକ କହିଲା, ‘‘ମୁଁ ତ ବର୍ତ୍ତମାନ କେଉଁଠାରେ ରହିବି, କ’ଣ କରିବି, କିଛି ଠିକ୍‌ନାହିଁ । ଭାଇର ଠିକଣା ସୁଦ୍ଧା ମୁଁ ଜାଣେ ନାହିଁ । ଯଦି କୌଣସି ସ୍ଥାନରେ ମୁଁ ଟିକିଏ ସ୍ଥାୟୀଭାବରେ ରହେଁ, ତେବେ ପତ୍ରଦ୍ୱାରା ଜଣାଇ ପାରେଁ । ମୋ ଠିକଣା ଜାଣି ଅବା ଆପଣମାନଙ୍କର କ’ଣ ହେବ ? କେବଳ ମୋର ନାମଟା ଜାଣି ରଖନ୍ତୁ ଯେ ‘ଲଛମନ ଜି’ ।’’

 

ଗାଡ଼ି ଆସି କଟକ ଷ୍ଟେସନରେ ପହଞ୍ଚିଗଲା । ଯୁବକଟି ତାହାର ଅନୁସନ୍ଧାନରେ ଯେପରି ସାଙ୍ଗେ ସାଙ୍ଗେ ଗାଡ଼ିରୁ ଓହ୍ଲାଇ ପଡ଼ିଲା । ଗୋବିନ୍ଦ ବାବୁ ପୂର୍ବରୁ ସବାରି ଇତ୍ୟାଦି ଘେନି ବଡ଼ ଉତ୍କଣ୍ଠିତ ଭାବରେ ସେଠାରେ ଅପେକ୍ଷା କରିଥିଲେ । ବ୍ୟସ୍ତଭାବରେ ଅନେକ କୋଠରୀ ଖୋଜାଖୋଜି କଲାପରେ ଯେତେବେଳେ ମାଳୀ ପ୍ରଭୃତିଙ୍କୁ ଦେଖି ପାରିଲେ, ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ ଦେଇ ସେ ଟିକିଏ ଆଶ୍ୱସ୍ତ ହେଲେ ।

 

ଗୋବିନ୍ଦ ବାବୁଙ୍କ ପୁତ୍ର ରାମ ମଧ୍ୟ ତାଙ୍କ ସହିତ ଷ୍ଟେସନକୁ ଆସିଥିଲା । ଗାଡ଼ିରୁ ସମସ୍ତେ ‘‘ଓହ୍ଲାଇ ସାରିଲା ପରେ ହେମ ରାମଦ୍ୱାରା ଗୋବିନ୍ଦ ବାବୁଙ୍କୁ ଖବର ପଠାଇଲା ଯେ, ସେମାନଙ୍କ ସଙ୍ଗେ ଯେଉଁ ପଶ୍ଚିମା’ ଯୁବକଟି ଥିଲା, ସେ ବାଟରେ ସେମାନଙ୍କର ଅନେକ ଉପକାର କରିଅଛି, ଏପରି କି ସେ ପାଖରେ ନ ଥିଲେ ସେମାନଙ୍କୁ ଆଉ କେହି ଦେଖିଥାନ୍ତେ କି ନାହିଁ ସନ୍ଦେହ ।

 

ଏ କଥା ଶୁଣି ଗୋବିନ୍ଦ ବାବୁ ନିଜେ ଓ ଅନ୍ୟାନ୍ୟମାନଙ୍କ ଦ୍ୱାରା ଯୁବକର ଅନେକ ଅନୁସନ୍ଧାନ କଲେ, କିନ୍ତୁ କୌଣସିଠାରେ ତାକୁ ନ ପାଇ ନିରସ୍ତ ହୋଇ ରହିଲେ । ହେମ ଓ ମାଳୀ କିନ୍ତୁ ଏଥିରେ ବଡ଼ ଦୁଃଖିତ ହେଲେ । ସେମାନେ ଆଉ ଥରେ ଗୋପନରେ ଭୋଳା ଚାକରଦ୍ୱାରା ନାନା ସ୍ଥାନରେ ଅନେକ ଖୋଜାଖୋଜି କଲେ ଓ ଶେଷରେ ହତାଶ ହୋଇ କ୍ଷୁର୍ଣ୍ଣ ମନରେ ଯାଇ ସବାରିରେ ବସିଲେ ।

 

(୪)

 

ଆଜି ମାଳୀର ବିଭାଘର । ବଳରାମ ବାବୁଙ୍କ ଘର ନିକଟରେ ଲୋକାରଣ୍ୟ । ବାଦ୍ୟ କୋଳାହଳ ଓ ଜନତାର କଳରାବରେ କାନ ଅତଡ଼ା ପଡ଼ି ଯାଉଛି । ମଝିରେ ମଝିରେ ରମଣୀ-କଣ୍ଠ-ନିଃସୃତ ହୁଳହୁଳିର ଢେଉ ଗ୍ରାମମୟ ଉଛୁଳି ପଡ଼ୁଛି । ସର୍ବୋପରି ମାଳୀର ବ୍ୟାକୁଳ କ୍ରନ୍ଦନ ଧ୍ୱନି ଘରର ଚାରିଆଡ଼େ ବୁଲି ବୁଲି ସମସ୍ତଙ୍କ ଚରଣତଳେ ଲୋଟି ଯେପରି କୃପାଭିକ୍ଷା କରୁଅଛି ଏବଂ ତା’ ସଙ୍ଗେ ମହୁରୀର କରୁଣ ମଧୁର ରାଗିଣୀ ମିଶି ମନକୁ ପଦେ ପଦେ ବିଚଳିତ କରି ଦେଉଅଛି । ଆଜି ସମସ୍ତଙ୍କ ଚକ୍ଷୁ ଆର୍ଦ୍ର ଓ ସମସ୍ତଙ୍କ ମୁଖରେ ଗୋଟାଏ ବିଷାଦର ଛାୟା ପଡ଼ିଯାଇଅଛି । ବଳରାମ ବାବୁଙ୍କ ସ୍ତ୍ରୀ ତ ଗୋଟାଏ ଘରେ ପଡ଼ି ଅଛନ୍ତି ଯେ ତାଙ୍କର ଉଠିବାର ଶକ୍ତି ନାହିଁ । ବଳରାମ ବାବୁ ଏଡ଼େ ଧୀର ଗମ୍ଭୀର ଲୋକ, କିନ୍ତୁ ତାଙ୍କର ଚକ୍ଷୁଦ୍ୱୟ ଆଜି ରକ୍ତବର୍ଣ୍ଣ । ସେ ତୁହାକୁ ତୁହା ଲୁଗା କାନିରେ ଆଖି ପୋଛୁଅଛନ୍ତି । ଏତେବଡ଼ ଗୋଟାଏ କାର୍ଯ୍ୟ, କ’ଣ ହେଲା, କ’ଣ ନ ହେଲା ସେ ଆଡ଼କୁ ତାଙ୍କର ଦୃଷ୍ଟି ନାହିଁ । କେହି କିଛି ପଚାରିଲେ, କେତେବେଳେ ପଦେ କ’ଣ କହି ଦେଉ ଅଛନ୍ତି, ନ ହେଲେ କେବଳ ମୂକପରି ବସି ଅଛନ୍ତି ।

 

କ୍ରମେ ବେଦିର ସମସ୍ତ କାର୍ଯ୍ୟ ଶେଷ ହୋଇଗଲା । ଜୁଆ ଖେଳିବା ପାଇଁ ବର କନ୍ୟାଙ୍କୁ ଘର ଭିତରକୁ ନେଇଗଲେ । ବରକୁ ଦେଖିବା ଲାଗି ସ୍ତ୍ରୀଲୋକମାନେ ଆସି ଯୁଟ୍‌ ବାନ୍ଧି ଛିଡ଼ା ହୋଇଗଲେ । ହେମ ବରକୁ ଦେଖି ପ୍ରଥମେ ଥକାମରା ହୋଇ ଛିଡ଼ା ହୋଇଗଲା । କିଛିକ୍ଷଣ ପରେ ସେ ସମ୍ଭାଳି ହୋଇ ନ ପାରି ପାଟି କରି ଉଠିଲା, ‘‘ହଇହେ ! ଏତ ଆମର ସେହି ଲଛମନ ଜି-।’’ ହେମ କଥା ଶୁଣି ମାଳୀ ଓଢ଼ଣା ଭିତରୁ ଚମକି ଉଠିଲା । ସମସ୍ତେ ପରସ୍ପର ଆଡ଼କୁ କେବଳ ଅନାଅନି ହେଲେ । ହେମ ମଧ୍ୟ କିଛିକ୍ଷଣ ଅବାକ୍‌ ହୋଇ ରହିଗଲା । ବର ଟିକିଏ ମୁଡ଼ୁକେଇ ମୁଡ଼ୁକେଇ ହସି ମୁହଁକୁ ତଳକୁ ପୋତି ଦେବାରୁ ମନ ମନରେ ଆଉ ସନ୍ଦେହ ରହିଲା ନାହିଁ । ଯାହା ସହିତ ସେମାନେ ପ୍ରାୟ ଦେଢ଼ଦିନ କାଳ ଏକ ରେଳ କାମରାରେ କଟାଇ ଆସି ଅଛନ୍ତି, ତା’ ବିଷୟରେ କ’ଣ ଏତେ ଭ୍ରମ ହୋଇପାରେ ।

 

ପ୍ରଥମ ବିସ୍ମୟଟା ନିବର୍ତ୍ତିଯିବାରୁ ହେମ ମନରେ ଟିକିଏ ଆନନ୍ଦ ହେଲା । ସେ ଏ ସୁଯୋଗ ଛାଡ଼ି ନ ପାରି କହିଲା, ‘‘ଏ ତ ଆଚ୍ଛା ଭଲ ଲୋକ । ଗୁପ୍ତବେଶରେ ଭଦ୍ରଲୋକ ଘରର ବୋହୂ ଝିଅଙ୍କ ସଙ୍ଗେ କଥାବାର୍ତ୍ତା କରି, ଶେଷରେ କ’ଣ ନା ଆସି ଅବରଣୀୟା ରଜା ପରି ବେଦିରେ ବସିଗଲେ । ମୁଁ ପରା ସମସ୍ତଙ୍କୁ କହୁଛି, ଏ ବାହାଘର ଠିକ୍‌ହେଲା ନାହିଁ । ଏହା ଭିତରେ ଏତେ କୁଟ କପଟ ଥିଲା ବୋଲି କିଏ ଜାଣିଥିଲା ? ନ ହେଲେ ଜାଣି ଶୁଣି କିଏ ଗୋଟାଏ ପଶ୍ଚିମା’ ଚପରାଶି ସଙ୍ଗେ ଆମର ଏପରି ଝିଅକୁ ବିଭା ଦେଇଥାନ୍ତା ? ଯେଉଁ ଲୋକ ଘଡ଼ି ଘଡ଼ି ବହୁରୂପା ପରି ବେଶ ବଦଳାଇ ଲୋକଙ୍କୁ ଠକାଏ ତାଠେଇଁ ବା ବିଶ୍ୱାସ କ’ଣ ? ପଶ୍ଚିମରୁ ଏତେ ବାଟ ଏହି ଚାକିରି ପାଇବାଲାଗି ଆସିଥିଲ ପରା ? ହଉ ତେବେ ଆମେ ସମସ୍ତେ ଆଶୀର୍ବାଦ କରୁଛୁ, ତେମେ ଚିରକାଳ ଆମ ମାଳୀଙ୍କର କିଣାଚାକର ହୋଇଥାଅ ।’’

 

ବର ଟିକିଏ ହସି ହସି କହିଲା, ‘‘କାହିଁ ? ଏ ପର୍ଯ୍ୟନ୍ତ ଖାଉନ୍ଦାଣୀଙ୍କଠଉଁ ତ ପରୁଆନା ଖଣ୍ଡି ମିଳିଲା ନାହିଁ । ନ ହେଲେ ପୁଣି ଅନ୍ୟ ସ୍ଥାନରେ ଚେଷ୍ଟା କରିବାକୁ ହେବ ତ ?’’

 

ବର ମୁହଁରୁ କଥା ଶେଷ ନ ହଉଣୁ କିଏ ଗୋଟିଏ ଆସି ‘‘ହେଇଟି ନିଅ ପରୁଆନା’’ କହି ବରର ପୃଷ୍ଠଦେଶରେ ଗୋଟିଏ ସୁମଷ୍ଟି ବିତିଶପଳିଆ ବିଧା ବସାଇ ଦେଲା ଏବଂ ସାଙ୍ଗେ ସାଙ୍ଗେ ହାସ୍ୟର କଲ୍ଲୋଳରେ ଘରଟି ଉଛୁଳି ଉଠିଲା ।

 

ବିବାହ କାର୍ଯ୍ୟ ଶେଷ ହୋଇଯିବା ପରେ ହେମ ମାଳୀକୁ କହିଲା, ‘‘କଳିକାଳିଆ ଝିଅଙ୍କୁ ଆଉ ବିଶ୍ୱାସ ନାହିଁ ପରା । ମୁଁ ସେଦିନୁ ଜାଣେ ଯେ ୟା ଭିତରେ ଗୋଟାଏ କିଛି ଗୁମର ଅଛି । ଆଖିରେ ଆଖିରେ ତମର ଏତେ କଥାବାର୍ତ୍ତା ହୋଇଗଲା, ମୋତେ ଟିକିଏ ଜଣେଇଥିଲେ ମୁଁ କ’ଣ ତମ ବରକୁ କୁଆଡ଼େ ନେଇ ପଳାଉଥିଲି ? ଦମୟନ୍ତୀ ପରି ତେମେ କିପରି ତମର ଛଦ୍ମବେଶୀ ନଳକୁ ବରଣ କରି ନେଲ, ମୋତେ ପରା ସେଇତା ଆଚମ୍ବିତ ଲାଗୁଛି !’’

 

କଥାଟା ଚାରିଆଡ଼େ ରାଷ୍ଟ୍ର ହୋଇଯିବା ପରେ ବିନୋଦ ଆସି ଲକ୍ଷ୍ମୀଧରକୁ କହିଲା, ‘‘କି ହେ ଲଛିମନ ଜି ! ଏଇଥିଲାଗି ପତ୍ରରେ ଏତେ ସ୍ୱାଧୀନତାର ଢେଉ ଖେଳି ଯାଉଥିଲା ନା ? କାହାରିକୁ ପରା ଧରା ଛୁଆଁ ଦେଉ ନ ଥିଲ; ଶେଷରେ କ’ଣ ନାଁ ନିଜେ ଯାଇ ତୁନି ତାନି ହୋଇ ଫାଶରେ ବେକଟି ଗଳାଇ ଦେଲା ? ମୁଁ ଜାଣେ, ସେ ସ୍ରୋତରେ ଦମ୍ଭ ଅଭିମାନ ତୃଣ ପରି କୁଆଡ଼େ ଭାସିଯିବ । ଭାଗୀରଥୀ ତରଙ୍ଗରେ କେତେ ଐରାବତ ଭାସି ଯାଇଛନ୍ତି, ଦର୍ଶନ ବିଜ୍ଞାନର ବାଲିବନ୍ଧ କି ସେଠାରେ ସମ୍ଭଳା ପଡ଼େ ?’’

 

ଲକ୍ଷ୍ମୀଧର କହିଲା, ‘‘ଭାଇ, ମୋର ଏଥିରେ କ’ଣ ଅଛି ? ବିଧିର ନିର୍ବନ୍ଧ ନିକଟରେ ମନୁଷ୍ୟ କି ଛାର !’’

 

ଧୂପ୍‍ଛାୟା

ବିଡ଼ମ୍ବନା

 

(୧)

 

ସେତେବେଳେ ମୋର ବୟସ ୨୧ ବର୍ଷ । ଏଫ୍‌.ଏ. ପାଶ କରି ନୂତନ ଥାର୍ଡ଼ ଇୟରରେ ଯୋଗ ଦେଇଅଛି । ମାୟାଧାର ମଧ୍ୟ ସେ ବର୍ଷ କଠିନ ରୋଗାକ୍ରାନ୍ତ ହୋଇ ପରୀକ୍ଷା ଦେଇପାରିନଥିବାରୁ ଆମ୍ଭେମାନେ ଏକ ଶ୍ରେଣୀରେ ଅଧ୍ୟୟନ କରୁଅଛୁଁ । ଆମ୍ଭ ଗ୍ରାମର ସମସ୍ତ ନିରକ୍ଷର ଅଧିବାସୀଙ୍କ ମଧ୍ୟରେ ଗୋବରଗଦାରେ ପଦ୍ମ ଉକୁଟିଲା ପରି କେବଳ ମୁଁ ଓ ମାୟାଧର । କଲେଜରେ ପ୍ରବେଶ ଲାଭ କଲା ଦିନଠାରୁ ଆମ୍ଭେମାନେ ନାନାବିଧ ଦେଶହିତକର ଓ ଲୋକହିତକର କାର୍ଯ୍ୟରେ ଯୋଗଦାନ କରୁଅଛୁଁ । ସ୍ତ୍ରୀଶିକ୍ଷା, ବିଧବାବିବାହ, ବାଲ୍ୟବିବାହ, ପୌତ୍ତଳିକତା ପ୍ରଭୃତି ବିଷୟରେ ନାନା ପ୍ରକାର ନର୍ତ୍ତନ-କୂର୍ଦ୍ଦନ, ଆନ୍ଦୋଳନ-ଆସ୍ଫାଳନ ହୋଇ ପାଇଅଛି । ସମାଜ ଓ ଦେଶର ଯାବତୀୟ ଅଭାବ, ଅସୁବିଧା ଦୁର କରିବା ଲାଗି ଆମ୍ଭେମାନେ ନିଜକୁ ସମ୍ପୂର୍ଣ୍ଣ ଦାୟୀ ମନେ କରିଅଛୁଁ ଏବଂ ସେଥିଲାଗି ଦୃଢ଼ପ୍ରତିଜ୍ଞ ହୋଇଅଛୁଁ । ଦେଶର ସର୍ବପ୍ରକାର କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାରେ ମୁଁ ଓ ମାୟାଧର ଧୁରନ୍ଧର । ଆମ୍ଭମାନଙ୍କ ଆବିର୍ଭାବରେ ଖୋରଧା ଅଞ୍ଚଳରେ ଗୋଟାଏ ଚହଳ ପଡ଼ି ଯାଇଅଛି । ଆମ୍ଭମାନଙ୍କର ଶରବ୍ୟ କେତେଜଣଙ୍କୁ ଛାଡ଼ିଦେଲେ ଅନ୍ୟାନ୍ୟମାନେ ବିସ୍ମୟବିସ୍ଫାରିତ ନେତ୍ରରେ ଆମ୍ଭମାନଙ୍କ କାର୍ଯ୍ୟାବଳୀ ଦେଖୁ ଅଛନ୍ତି ଏବଂ ତାହାର ଆଲୋଚନା କରୁଅଛନ୍ତି ।

 

ଏପରି ସମୟରେ ମୋର ହଠାତ୍‌ ଏକ ଦାରୁଣ ଆତ୍ମ-ପରୀକ୍ଷ ଆସି ଉପସ୍ଥିତ । ଆମ ମେସ୍‌ରେ ପ୍ରତିଦିନ ସନ୍ଧ୍ୟାବେଳେ ଗୋଟିଏ ଛୋଟ ମଜଲିସ୍‌ ବୈଠକ ହୁଏ । ଆମ ଦଳର ପ୍ରାୟ ସମସ୍ତେ ସେଠାକୁ ଆସନ୍ତି ଏବଂ ସେଠାରେ ଚୂରୁଟ୍‌ ଧୂଆଁ ସହିତ ରାଜନୀତି, ସମାଜନୀତିଠାରୁ ଆରମ୍ଭ କରି ଛୋଟ ବଡ଼ କୌଣସି ଆଲୋଚନା ବାଦ୍‌ପଡ଼େ ନାହିଁ । ସେଦିନ ଆମର ଏହି ପ୍ରାତ୍ୟହିକ ସଭାଟିର ଅଧିବେଶନ ବେଶ୍‌ ଉତ୍ସାହ ଓ ଆଡ଼ମ୍ବରରେ ଚାଲିଛି । ସନ୍ଧ୍ୟା ପରେ ମେଘାଡ଼ମ୍ବର ହୋଇ ବୃଷ୍ଟି ହେବାରୁ ବାହାରର ‘ପିଲା’ମାନେ କେହି ବସାକୁ ଫେରିଯାଇ ପାରି ନାହାନ୍ତି । ତେଣୁ ଅନ୍ୟାନ୍ୟ ଦିନ ଅପେକ୍ଷା ଆଜି ଟିକିଏ କାର୍ଯ୍ୟର ଘଟାଟା ବେଶି । ପିଆଲାକୁ ପିଆଲା ଚାହା ପରିବେଷଣ କରାହେଉଅଛି ଏବଂ ସିଗାରେଟ୍‌ ଧୂଆଁରେ ଘରଟି କୁହେଳିବାଚ୍ଛନ୍ନ ହୋଇ ଯାଇଅଛି । ପ୍ରଥମେ କିଛି ସମୟ ସଙ୍ଗୀତ ଚର୍ଚ୍ଚା ହେଲା ପରେ ବର୍ତ୍ତମାନ ନାନାବିଧ ଯୁକ୍ତି ତର୍କରେ ବୈଠକଟି ବେଶ୍‌ ସରଗରମ ହୋଇଉଠିଛି । ସମସ୍ତଙ୍କ ହୃଦୟ ଉତ୍ତେଜନାପୂର୍ଣ୍ଣ ଏବଂ ବଦନମଣ୍ଡଳ ଦୀପ୍ତିବ୍ୟଞ୍ଜନ । ନାନା କଥା ପରେ ମାୟାଧର କହିଲା, ‘‘ଆମ୍ଭେମାନେ କେବଳ ବଡ଼ ବଡ଼ କଥା ନେଇ ମାତିଲେଇଁ ଏବଂ ସେଥିରେ ମଧ୍ୟ କଳ୍ପନା କଳ୍ପନା ମାତ୍ର ସାର ହେଉଅଛି । କିନ୍ତୁ କେତେଗୁଡ଼ିଏ କ୍ଷୁଦ୍ର ଅଥଚ ଅତ୍ୟାବଶ୍ୟକ ବିଷୟ ଯେ ଆମ୍ଭମାନଙ୍କ ଚକ୍ଷୁର ଅନ୍ତରାଳରେ ରହି ଯାଉଅଛି ସେ ଆଡ଼କୁ କାହାରି ଦୃଷ୍ଟି ନାହିଁ ।’’ ଆମ୍ଭମାନଙ୍କ ମଧ୍ୟରୁ ଜଣେ କହିଲା, ‘‘କେଉଁ ବିଷୟ କଥା କହୁଛ ?’’
 

ମାୟା- ଏପରି କେତେ ବିଷୟ ଅଛି, ଯାହା ଅନ୍ୟ କାହାରି ଅପେକ୍ଷା ଆମ୍ଭମାନଙ୍କଦ୍ୱାରା ସୁଚାରୁରୂପେ ସମ୍ପନ୍ନ ହୋଇ ପାରିବି ଏବଂ ଯେଉଁ ବିଷୟରେ ଆମ୍ଭେମାନେ ଯତ୍ନବାନ୍‌ ନ ହେଲେ ତାହା ସମ୍ପନ୍ନ ହେବା ଏକପ୍ରକାର ଅସମ୍ଭବ ।

 

ଗୋପାଳ କହିଲା- କଥାଟା କ’ଣ ଖୋଲି କହୁ ନାହଁ କାହିଁକି ?

 

ମାୟା- ଏଇ ଯେ ବଙ୍ଗଦେଶ ପରି ଆମ ଦେଶରେ ବର ଶୁଳ୍କ ପ୍ରଥା କ୍ରମେ କ୍ରମେ ବିସ୍ତାର ଲାଭ କରୁଛି, ଏହାର ଉପାୟ କ’ଣ କରୁଛି ? ଏହାଦ୍ୱାରା ଯେ କି ଅକଲ୍ୟାଣ ସାଧିତ ହେଉଛି, ଟିକିଏ ସୂକ୍ଷ୍ମ ଦୃଷ୍ଟିରେ ନ ଦେଖିଲେ ସହଜରେ ବୁଝାଯିବ ନାହିଁ । ଆଜି କାଲି ଯେ ପାଞ୍ଚ ଅକ୍ଷର ପଢ଼ିଲା, ସେ ବିବାହ ସମୟରେ ନିଜର ବିଦ୍ୟା ଅନୁପାତରେ ଟଙ୍କା ଓ ଯୌତୁକର ଅଯଥା ଦାବି କରି ବସିଲା । ବରଂ ଯେଉଁମାନେ ଯେତିକି ଉଚ୍ଚଶିକ୍ଷିତ, ସେମାନଙ୍କ ମଧ୍ୟରେ ଏ ବ୍ୟାଧି ସେହି ପରିମାଣରେ ପ୍ରବଳତର । କନ୍ୟାକର୍ତ୍ତାଙ୍କ ପକ୍ଷରେ ଏହା ଯେ କି ଗଭୀର ଚିନ୍ତାର ବିଷୟ, ତାହା ଭୁକ୍ତଭୋଗୀ ନ ହେଲେ ବୁଝିବା କଠିନ । ଯାହାର ଚାରି ପାଞ୍ଚୋଟି କନ୍ୟା ଅଛନ୍ତି ତାହାର ତ ଦୁର୍ଗତିର ସୀମା’ ନାହିଁ । ଧନୀ ଲୋକଙ୍କର ତ ଏଥିରେ ସର୍ବସ୍ୱାନ୍ତ ହୋଇଯିବାର କଥା; ଦରିଦ୍ର ଲୋକର କଥା ବା କ’ଣ କହିବା ! ଏଥିରେ ପିତା ଯେ ଗୋଟିଏ ଗୋଟିଏ କନ୍ୟାରୁ ଗୋଟିଏ ଗୋଟିଏ ଦାରୁଣ ଅଭିସମ୍ପାତର ଫଳ ବୋଲି ମନେ କରିବେ, ସେଥିରେ ବୈଚିତ୍ର୍ୟ କ’ଣ ଏଥିଲାଗି ଶିକ୍ଷିତ ଯୁବକ ସମ୍ପ୍ରଦାୟ ସମ୍ପୂର୍ଣ୍ଣ ଦାୟୀ ଏବଂ ଯଦି ସେମାନଙ୍କର ସମାଜପ୍ରତି କିଛି କର୍ତ୍ତବ୍ୟ ଥାଏ, ତେବେ ଏ ବିଷବୃକ୍ଷକୁ ସମୂଳେ ଉତ୍ପାଟନ କରିବା ଅପେକ୍ଷା ବୋଧହୁଏ ଆଉ କିଛି ପବିତ୍ରତର କର୍ତ୍ତବ୍ୟ ନାହିଁ ।

 

ମୁଁ କହିଲି ବାସ୍ତବିକ ଏ କୁପ୍ରଥା ଯେ କିପରି ଏତେ ଶୀଘ୍ର ଆମ ଦେଶରେ ବ୍ୟାପ୍ତ ହୋଇ ପଡ଼ିଲା, ବଡ଼ ଆଶ୍ଚର୍ଯ୍ୟର କଥା ! ଏତେବେଳେ ସୁଦ୍ଧା ବେଳ ଅଛି, ଦୃଢ଼ ଭାବରେ କାର୍ଯ୍ୟ ଆରମ୍ଭ କଲେ ଯଥେଷ୍ଟ ଫଳ ହେବାର ଆଶା ।

 

ମାୟା- ଆରମ୍ଭ କରିବ କିଏ ? ସମସ୍ତେ ନିଜ ନିଜ ସ୍ୱାର୍ଥ ଘେନି ବ୍ୟସ୍ତ ! ‘‘ଅଖଣ୍ଡମଣ୍ଡଳକାର’’କୁ ଏପରି କରତଳ-ଆମଳକ ବର ଲାଭ କଲେ କେତେ ଜଣ ପ୍ରତ୍ୟାଖ୍ୟାନ କରି ପାରନ୍ତି ?

 

ମୁଁ ଟିକିଏ ଉତ୍ତେଜିତ ଭାବରେ କହିଲି- ସ୍ୱାର୍ଥ କ’ଣ ଏତେଦୂର ମନୁଷ୍ୟର ବିବେକ ଲୋପ କରିଦେଇପାରେ ! ଏହି ସାମାନ୍ୟ ପ୍ରଲୋଭନ ଯଦି ଆମ୍ଭେମାନେ ଦମନ କରି ନ ପାରିବା, ତେବେ ବୃଥା ଦେଶର ଦ୍ରୋହୀ ହୋଇ ସ୍ୱାର୍ଥତ୍ୟାଗର ଦୁନ୍ଦୁଭି ବଜାଇବାର ଆବଶ୍ୟକତା କ’ଣ-? ମୋ କଥା ମୁଁ କହୁଛି, ମୁଁ କେବେହେଁ ଏ ନିଚ୍ଚ କଳଙ୍କରେ ନିଜକୁ କଳଙ୍କିତ କରିବି ନାହିଁ, ଏ ମୋର ଦୃଢ଼ ପ୍ରତିଜ୍ଞା; ବରଂ କୌଣସି ଦରିଦ୍ର କନ୍ୟାକର୍ତ୍ତାଙ୍କର ଦୁଃଖାପନୋଦନ କରି ପାରିଲେ ନିଜକୁ କୃତାର୍ଥ ମନେକରିବି ।

 

ଗୋପାଳ ପ୍ରକୃତରେ ପ୍ରତ୍ୟେକ ଶିକ୍ଷିତ ଯୁବକ ଏହିପରି ସଂକଳ୍ପ କରି ଏହାର ମୂଳ ନ ମାରିଲେ ଶେଷରେ ଏହାକୁ ଦମନ କରିବା ଦୁଃସାଧ୍ୟ ହୋଇ ଉଠିବ ଏବଂ ଘରେ ଘରେ ଏହାର ବିଷମୟ ଫଳ ଦେଖାଦେବ ।

 

ମାୟା- ଦେଖା ଦେଲାଣି ନା ଦେବ ? ଏଇ ତ, ଗୋପୀନାଥପୁରର ଜଣେ କରଣ ଭଦ୍ରଲୋକଙ୍କର ଗୋଟିଏ ସପ୍ତଦଶବର୍ଷୀୟା କନ୍ୟା କେବଳ ଏହି କାରଣରୁ ଅନୁଢ଼ା ରହିଅଛି । ଚାରିବର୍ଷ କାଳ ନାନା ସ୍ଥାନରେ ଅନୁସନ୍ଧାନ କରି କରି ଏପର୍ଯ୍ୟନ୍ତ ସୁଦ୍ଧା ବରଟିଏ ଯୋଗାଡ଼ ହୋଇପାରିଲା ନାହିଁ । ସେମାନେ ବେଶ୍‌ କୁଳୀନ ଏବଂ ଘରଟା ମଧ୍ୟ ବଡ଼ ଖାନ୍‌ଦାନ୍‌ ଥିଲା । କନ୍ୟାର ପିତାଙ୍କ ମୃତ୍ୟୁ ପରେ ଯାହା କିଛି ପୈତୃକ ସମ୍ପତ୍ତି ଥିଲା, ତାହା ମଧ୍ୟ ଉପଯୁକ୍ତ ତତ୍ତ୍ୱାବଧାନ ଅଭାବରୁ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ମାତାଙ୍କର ଏକାନ୍ତ ଇଚ୍ଛା ଯେ, କନ୍ୟାଟି ଯେପରି ଗୋଟିଏ ଶିକ୍ଷିତ ପାତ୍ର ହାତରେ ପଡ଼େ । ଏକମାତ୍ର ସନ୍ତାନ ଥିବାରୁ ସେ ପିତାମାତାଙ୍କର ବହୁ ସ୍ନେହଯତ୍ନରେ ପାଳିତା ହେଉଥିଲା । ତାହା ଛଡ଼ା, ପିଲାଟି ଯେପରି ଶିକ୍ଷିତା ସେଥିରେ କେଉଁ ପାଷାଣ ହୃଦୟ ତାକୁ ଗୋଟାଏ କାଣ୍ଡଜ୍ଞାନଶୂନ୍ୟ ମୂର୍ଖ ହାତରେ ଅର୍ପଣ କରି ନିଶ୍ଚିନ୍ତ ରହିବ ? କିନ୍ତୁ ଉପାୟ କ’ଣ ? ଯାହା ପାଖକୁ ଗଲେ ସେହି ଏକ କଥା- ‘‘ଦେବା ନେବା କଥାଟା ଛିଣ୍ଡାଅ ।’’ କିନ୍ତୁ ବର୍ତ୍ତମାନ ତାଙ୍କ ଘରର ଯେପରି ଅବସ୍ଥା, ସେଥିରେ କୌଣସିମତେ କାର୍ଯ୍ୟଟି ଉଠାଇବା ଦୁଷ୍କର । ପିଲାଟିର ଦୋଷ ମଧ୍ୟରେ ଟିକିଏ ଶ୍ୟାମଳବର୍ଣ୍ଣ, ନ ହେଲେ ଏପରି ଗୁଣବତୀ ପତ୍ନୀଲାଭ ଖୁବ୍‌ କମ୍‍ଲୋକଙ୍କ ଭାଗ୍ୟରେ ଘଟିଥାଏ । କିନ୍ତୁ ସମାଜ ଦୋଷରୁ ତାକୁ ଏପରି ନିର୍ଯ୍ୟାତନା ଭୋଗ କରିବାକୁ ପଡ଼ୁଛି । ସେଦିନ ତାଙ୍କ ମାତା ଗୋଟିଏ ପାତ୍ର ଅନୁସନ୍ଧାନ କରିବାକୁ ମୋତେ ଯେପରି ଅଶ୍ରୁପୂର୍ଣ୍ଣ ଲୋଚନରେ ଆକୁଳ ଭାବରେ କହିଲେ, ସେଥିରେ ମୋର କଠୋର ହୃଦୟ ସୁଦ୍ଧା ଦ୍ରବୀଭୂତ ହୋଇଗଲା । ମୋର ବିବାହ ହୋଇନଥିଲେ, ସେହି ମୁହୂର୍ତ୍ତରେ ସମସ୍ତ ବିଷୟ ସ୍ଥିର ହୋଇ ଯାଇଥାନ୍ତା ।

 

ମାୟାଧରର କରୁଣ କାହାଣୀ ଶୁଣି ମୋର ନେତ୍ର ବାଷ୍ପାକୁଳ ହୋଇ ଆସିଲା । ସେ ପର୍ଯ୍ୟନ୍ତ ‘ହୋହା’ର ଧୂଆଁ ମୋ ମସ୍ତିଷ୍କରେ ପୂର୍ଣ୍ଣମାତ୍ରାରେ ବର୍ତ୍ତମାନ । ବିଶେଷତଃ ନାନା ଯୁକ୍ତିତର୍କରେ ହୃଦୟ ମନ ତୀବ୍ର ଉତ୍ତେଜନାରେ ପୂର୍ଣ୍ଣ । ସୁତରାଂ ମୁଁ ଏ ପ୍ରଲୋଭନ ସମ୍ବରଣ କରି ନ ପାରି କହିଲି, ‘‘ସେମାନଙ୍କର ଯଦି କିଛି ଆପତ୍ତି ନ ଥାଏ, ତେବେ ମୁଁ ଏ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।’’ ମୋର ହୃଦୟ ଆବେଗରେ ପୂର୍ଣ୍ଣ ହୋଇ ଆସିଲା । ମୁଁ ଆଉ କିଛି କହି ନ ପାରି ନୀରବ ରହିଲି । ମୋ କଥା ଶୁଣି କ୍ଷଣକାଳ ସମସ୍ତେ ନୀରବ ହୋଇଗଲେ । ଶେଷରେ ନିସ୍ତବ୍‌ଧତା ଭଙ୍ଗ କରି ମାୟାଧର କମ୍ପିତ କଣ୍ଠରେ କହିଲା, ‘‘ଭାଇ ବସନ୍ତ, ଏ ପୌରୁଷପୂର୍ଣ୍ଣବାକ୍ୟ ତୁମ୍ଭର ସମ୍ପୂର୍ଣ୍ଣ ଉପଯୁକ୍ତ । କିନ୍ତୁ କଥାର ଗୁରୁତ୍ୱ ତୁମେ ଭଲ କରି ଉପଲବ୍‌ଧି କରି ପାରି ନାହଁ । ନ ହେଲେ ଏପରି ଦୁରୂହ କାର୍ଯ୍ୟର ମୀମାଂସା ଏତେ ଶୀଘ୍ର କରି ନ ଥାନ୍ତ । ତୁମ୍ଭେ ଜଣେ ଦେଶମାନ୍ୟ ଜମିଦାରଙ୍କର ଏକମାତ୍ର ଉତ୍ତରାଧିକାରୀ । ପୁଣି ନିଜେ ରେଭେନ୍‌ସା କଲେଜର ଗୋଟିଏ ଉଜ୍ଜ୍ୱଳ ରତ୍ନ । କେତେ ଓକିଲ ଜିମଦାର ତୁମ୍ଭଙ୍କୁ ଜାମାତାରୂପେ ଲାଭ କରିବାକୁ ଲାଳାୟିତ । ବିଶେଷତଃ ତୁମ୍ଭ ପିତାଙ୍କର ମତାମତ ତ ତୁମ୍ଭେ ଭଲ କରି ଜାଣ । ଏପରି ସ୍ଥଳରେ ଏପରି ଅସମ୍ଭବ କାର୍ଯ୍ୟରେ ହସ୍ତକ୍ଷେପ କରିବା ତୁମ୍ଭର ଅନୁଚିତ । ତାହା ଛଡ଼ା ଏପରି ସାମୟିକ ଉତ୍ତେଜନାର ମଧ୍ୟ ବିରାମ ଅଛି । କିଛିକ୍ଷଣ ପରେ ତୁମ୍ଭେ ନିଜେ ଏ ପ୍ରସ୍ତାବର ଅସାରତା ଭଲ କରି ବୁଝିପାରିବ ।’’

 

ଗୋପାଳ- ଠିକ୍‌କଥା କହିଛି, ଆମ୍ଭମାନଙ୍କ କଥା ଟିକିଏ ଅଲଗା, କିନ୍ତୁ ବସନ୍ତ ପକ୍ଷରେ ଏ କାର୍ଯ୍ୟ ଏକପ୍ରକାର ଅସମ୍ଭବ କହିଲେ ଚଳେ ।

 

‘‘ଥାଉ ସେ କଥା, ଯାହା ହେବାର ପରେ ହେବ’’, ଏହି କଥା କହି ମୁଁ ସେ ଘରୁ ବାହାରି ଆସିଲି ।

ସେଦିନ ସକାଶେ ସଭା-ଭଙ୍ଗ ହେଲା ।

 

(୨)

 

ମୋର ଏ ‘‘ସମ୍ବନ୍ଧ’’ କଥା କ୍ରମେ ପିତାଙ୍କ କାନକୁ ଗଲା । ସେ ଏ କଥା ଶୁଣି ହସି ଉଡ଼ାଇ ଦେଲେ ଏବଂ ଆଜିକାଲିକା ଇଂରାଜୀ ପାଠୁଆ ପିଲାଙ୍କ ଅଦ୍ଭୁତ ଖିଆଲ ବିଷୟରେ ପଦେଅଧେ ସମାଲୋଚନା କରିବାକୁ ମଧ୍ୟ ଛାଡ଼ିଲେ ନାହିଁ । ଯାହା ହେଉ ଏ କଥାକୁ ସେ ଆଦୌ ବିବେଚନାର ଯୋଗ୍ୟ ବୋଲି ମନେ କଲେ ନାହିଁ-। ମୁଁ ଏହା ଶୁଣି ବଡ଼ ମର୍ମାହତ ହେଲି, କିନ୍ତୁ ହତାଶ ହେଲି ନାହିଁ-। ଯେତିକି ବାଧାବିଘ୍ନ ସମ୍ମୁଖରେ ଉପସ୍ଥିତ ହେଉଥାଏ, ସେତିକି ମୋର ସଂକଳ୍ପ କ୍ରମେ ଦୃଢ଼ତର ହେଉଥାଏ । କାର୍ଯ୍ୟସିଦ୍ଧିର ନାନା କୌଶଳ ଉଦ୍ଭାବନ କରିବାକୁ ଲାଗିଲା, କିନ୍ତୁ କୌଣସିଟି କେତେ ଫଳପ୍ରଦ ବୋଲି ବୋଧ ହେଲା ନାହିଁ । ଏହି କଥା ହିଁ ମୋର ପ୍ରଧାନ ଚିନ୍ତାର ବିଷୟ ହୋଇ ଉଠିଲା । କ୍ରମେ ପଢ଼ାଶୁଣା ସ୍ମୃତି ବିରାଗ ଜନ୍ମିବାକୁ ଆରମ୍ଭ ହେଲା । ଏହିପରି ନାନା ଚିନ୍ତା କଳ୍ପନାରେ କିଛି ଦିନ ଚାଲିଗଲା । ଦିନେ ହଠାତ୍ ପିତାଙ୍କର କଠିନ ପୀଡ଼ାର ସମ୍ବାଦ ପାଇ ମୁଁ ଘରକୁ ଚାଲିଗଲି । ଅନେକ ଡାକ୍ତର କବିରାଜ ଲାଗି ଚିକିତ୍ସା କଲେ, କିନ୍ତୁ ନିୟତିର ଆଦେଶ କେହି ବଦଳାଇ ପାରିଲେ ନାହିଁ । ମୋର ପହଞ୍ଚିବାର ତିନିଦିନ ପରେ ପିତା ଆମ୍ଭମାନଙ୍କ ହୃଦୟରେ ନିଦାରୁଣ ଆଘାତ ଦେଇ ସଂସାରବନ୍ଧନ କାଟି ଚାଲିଗଲେ ।

 

ଏହାପରେ ଅନେକ ଦିନ ଚାଲିଗଲା । ସମୟର ପ୍ରଭାବରେ ଆମ୍ଭମାନଙ୍କର ଶୋକର ବେଗ ଅନେକ ପରିମାଣରେ ମନ୍ଦୀଭୂତ ହୋଇଯାଇଛି । ଦିନେ ମାତା ସାଶ୍ରୁ ନୟନରେ ମୋର ବିବାହ କଥା ଉତ୍‌ଥାପନ କଲେ ଏବଂ ମୁଁ ମଧ୍ୟ ସୁଯୋଗ ଦେଖି ମୋର ନିର୍ବାଚିତା ପାତ୍ରୀଙ୍କ କଥା ତାଙ୍କ ଆଗରେ କହିଲି । ବୋଲିବା ବାହୁଲ୍ୟ ଯେ, ସେ ତାଙ୍କର ନୟନର ମଣି, ସଂସାରର ଏକମାତ୍ର ବନ୍ଧନ ମୋତେ ଏପରି ଗରିବ ଘରେ ବିବାହ ଦେବାକୁ ସମ୍ପୂର୍ଣ୍ଣ ଅସମ୍ମତା ହେଲେ । ଏଥିରେ ମୋର ଏକାନ୍ତ ଜିଦ୍ ଦେଖି ସେ ତାଙ୍କର ପ୍ରାଣୋପମ ପୁତ୍ରର ମନରେ ଯହିଁରେ କଷ୍ଟ ହେବ, ସେଥିରେ ଆଉ ବେଶି ଜିଗର କଲେ ନାହିଁ । ଶେଷରେ କହିଲେ, ‘‘ତେବେ ମୁଁ ଝିଅକୁ ଆଖିରେ ନ ଦେଖିଲେ କେବେ ବାହାଘର କରିବି ନାହିଁ ।’’ ଏ ଅଭିଳାଷ ମଧ୍ୟ ତାଙ୍କର ପୂର୍ଣ୍ଣ ହୋଇପାରିଲା ନାହିଁ । ମୁଁ କହିଲି, ‘‘ଯେତେବେଳେ ନିଶ୍ଚେ ସେଠାରେଇ କରିବାକୁ ହେବ, ତେବେ ଦେଖିଲେ କ’ଣ ବା ନ ଦେଖିଲେ କ’ଣ ?’’ ଶେଷରେ ଅବାଧରେ ମୋହର ପ୍ରସ୍ତାବ ଗୃହୀତ ହେଲା ଏବଂ ବିବାହର ଦିବସ ମଧ୍ୟ ସ୍ଥିର ହୋଇଗଲା ।

 

ମୋର ବହୁକାଳ-ପୋଷିତ ବାଞ୍ଛା ପୂର୍ଣ୍ଣ ହେବାର ଆଶାରେ ହୃଦୟ ଆନନ୍ଦରେ ନାଚି ଉଠିଲା । ଏହି ଥର ଜଗତକୁ ତ୍ୟାଗର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖାଇଦେବି । ଦେଶ ପ୍ରତି ମୋହର ଦୃଢ଼ କର୍ତ୍ତବ୍ୟନିଷ୍ଠାରେ ଦେଶବାସୀଙ୍କୁ ସ୍ତମ୍ଭିତ କରିଦେବି । ଏ ନୂତନ ଆଦର୍ଶ ଶିକ୍ଷିତ ସମାଜରେ ଏକ ଗଭୀର ଆନ୍ଦୋଳନର ସୂତ୍ରପାତ କରିଦେବି । ପ୍ରତ୍ୟେକ କନ୍ୟାକର୍ତ୍ତା ମୋତେ ଶୁଳ୍କ-ଦାନବ-ସଂହାରରୂପୀ ଅବତାର ବୋଲି ଜ୍ଞାନ କରିବେ । ପ୍ରତ୍ୟେକ ସମ୍ବାଦପତ୍ରରେ ମୋର ନାମ ଉଚ୍ଚସ୍ୱରରେ ଘୋଷିତ ହେବ ଏବଂ ଦେଶବାସୀଙ୍କର ଏ ଅଭିନବ-ବିଜୟମାଲ୍ୟ କଣ୍ଠରେ ଧାରଣ କରି ଜୀବନ ସାର୍ଥକ କରିବି । ଏହିପରି ନାନା ସୁଖକଳ୍ପନାରେ ମୋର ହୃଦୟ ପୂର୍ଣ୍ଣ ହୋଇ ଆସିଲା-। କ୍ଷଣକାଳ ପାଇଁ ମୁଁ ଜଗତର ଅସ୍ତିତ୍ଵ ବିସ୍ମୃତ ହୋଇଗଲି ।

 

(୩)

 

ଶୁଭଲଗ୍ନ ଶୁଭକ୍ଷଣରେ ମୋର ବିବାହ ହୋଇଗଲା । ଯେତେବେଳେ ପ୍ରଥମେ ମୋର କନ୍ୟା ଦର୍ଶନର ସୁଯୋଗ ଘଟିଲା, ସେତେବେଳେ ସେ ଭୂମିରେ ଶାୟିତା । କନ୍ୟାର ଆପାଦ ମସ୍ତକ ବସ୍ତ୍ରରେ ଆବୃତ୍ତ, କେବଳ ଗୋଟିଏ ହସ୍ତ ବାହାରକୁ ଦେଖାଯାଉଅଛି । ହା ଭଗବାନ ! ମୋ ଅଦୃଷ୍ଟରେ କ’ଣ ଏଇୟା ଲେଖିଥଲ ? ପାଠକ, କିପରି ବର୍ଣ୍ଣନା କରିବି, ସେ ବର୍ଣ୍ଣଜଟା କିପରି ? ଭାଷାର ସେ ଶକ୍ତି କାହିଁ । ତୁମ୍ଭମାନଙ୍କ ମଧ୍ୟରୁ କେହି ଅବଲୁପ କାଠର ମଞ୍ଜି ଦେଖିଛ କି ? ବର୍ଣ୍ଣଟି ଠିକ୍ ସେହିପରି । ଯେପରି ଅମାବାସ୍ୟାର ସମସ୍ତ ଅନ୍ଧକାର ସେଠାରେ ପୁଞ୍ଜୀଭୂତ ହୋଇଅଛି । ମୁଁ ଆଉ ବେଶି କ୍ଷଣ ସେ ଆଡ଼କୁ ଅନାଇ ପାରିଲି ନାହିଁ । ମୋର ମସ୍ତକ ଘୂର୍ଣ୍ଣିତ ହୋଇ ଆସିଲା । ଚିନ୍ତାସ୍ରୋତ ସ୍ତମ୍ଭିତ ହୋଇଗଲା । କ’ଣ କରିବି, କିଛି ବୁଝି ପାରିଲି ନାହିଁ । ଶେଷରେ କ’ଣ ଭାବି କେଜାଣି ପ୍ରବଳ ବେଗରେ ସେ ଘରୁ ନିଷ୍କ୍ରାନ୍ତ ହୋଇ ପଡ଼ିଲି । ସେତେବେଳେ ରାତ୍ରି ଦ୍ୱିପ୍ରହରରୁ କିଛି ବଳି ଯାଇଅଛି । ନୈଶ ପ୍ରକୃତି ଚିନ୍ତା ସ୍ରୋତ ସ୍ତବ୍‌ଧ, ଗମ୍ଭୀର । ଉପରେ ଚନ୍ଦ୍ରଦେବ ନକ୍ଷତ୍ର ମଣ୍ଡଳୀ ମଧ୍ୟରେ ଏକ ବିରାଟ ସଭାର ଆୟୋଜନ କରି ବସିଅଛନ୍ତି । ମୋତେ ଦେଖି ସମସ୍ତେ ଯେପରି ବିଦ୍ରୂପରେ ହସି ହସି ପରସ୍ପର ଉପରକୁ ଢଳି ପଡ଼ିଲେ । ଯେଉଁ ଜ୍ୟୋସ୍ନାମୟୀ ରଜନୀର ଅପରୂପ ସୌନ୍ଦର୍ଯ୍ୟ-ବିଳାସରେ ମୁଗ୍‌ଧହୋଇ ମୁଁ ଆତ୍ମବିସ୍ତୃତ ହୋଇ ପଡ଼ୁଥିଲି, ସେ ଆଜି ମୋ ପକ୍ଷରେ ଭବିତବ୍ୟ ପରି ଦୁର୍ବୋଧ୍ୟ, ଗୃଢ଼ ରହସ୍ୟମୟ । ଏପରି ସମୟରେ ଗୋଟାଏ ନିଶାଚର ପକ୍ଷୀ ଯେପରି ମୋତେ ଉପହାସ କରି ମୋ ମୁଣ୍ଡ ଉପର ଦେଇ କେଁ କେଁ ଶବ୍ଦ କରି ଉଡ଼ିଗଲା । ମୁଁ ଆଉ ବେଶି କ୍ଷଣ ସେଠାରେ ରହି ପାରିଲି ନାହିଁ । ମୋର ପଢ଼ିବା ଘର ବିଛଣାରେ ଯାଇଁ ଶୋଇ ପଡ଼ିଲି । ଭାବିଲି କିଛିଦିନ ପୂର୍ବରେ ଯାହାଲାଗି ମୁଁ ପ୍ରାଣ ପର୍ଯ୍ୟନ୍ତ ପଣ କରିଥିଲି, ସେ ଆଜି ମୋ ଜୀବନକୁ ବିଷରେ ଜର୍ଜରିତ କରିଦେଲା । କଳ୍ପନାପଟରେ ଯଶୋଲିଫ୍‌ସାର ତାଳିକା ଦେଇ ଭବିଷ୍ୟତର କେତେ ସୁଖଚିତ୍ର ଆଙ୍କୁଥିଲି; କିନ୍ତୁ ସବୁ କୁଆଡ଼େ ସ୍ୱପ୍ନରାଜ୍ୟ ପରି ଉଭେଇଗଲା । ସାଗରବକ୍ଷରେ ଯେତେବେଳେ ଜୁଆର ଉଠେ, ସେତେବେଳେ ବୋଧହୁଏ ସେ ମନେ କରେ, ମୋର ଅସାଧ୍ୟ କିଛି ନାହିଁ, ମୁଁ ମୋର ପ୍ରବଳ ବନ୍ୟାରେ ସମଗ୍ର ଜଗତକୁ ଭସାଇ ଦେବି, ସେତେବେଳେ କୌଣସି ବାଧା ବିଘ୍ନ କଥା ମନରେ ଉଦୟ ସୁଦ୍ଧା ହୁଏ ନାହିଁ । କିନ୍ତୁ କିଛିକ୍ଷଣ ପରେ ଭଟା ଉପସ୍ଥିତ ହେଲା ମାତ୍ରେ ସମସ୍ତ ଦର୍ପ ଚୂର୍ଣ୍ଣ ହୋଇଯାଏ । ସାଗର ନିଜର ଅକ୍ଷମତା ବୁଝିପାରି ଧୀରେ ଧୀରେ ଉର୍ମିରୂପ ହସ୍ତକୁ ଏ ଦୁରୂହ କାର୍ଯ୍ୟରୁ ସଙ୍କୁଚିତ କରି ଆଣେ । ମନୁଷ୍ୟ ହୃଦୟରେ ମଧ୍ୟ ସମୟ ସମୟରେ ଏହିପରି ଜୁଆର ଉଠେ । ସେତେବେଳେ ଆବେଗ ଉତ୍ତେଜନାରେ ହୃଦୟ ପୂର୍ଣ୍ଣ ହୋଇଯାଏ । ସେ ମନେ କରେ, ମୋର, ଅସାଧ୍ୟ କାର୍ଯ୍ୟ ଜଗତରେ କିଛି ନାହିଁ, ମୁଁ ଯେ କୌଣସି ତ୍ୟାଗ ସ୍ୱୀକାର କରିବାକୁ ସମର୍ଥ, ହୃଦୟର ବଳଦ୍ୱାରା ବାହ୍ୟ ପ୍ରକୃତିକୁ ଦମନ କରିବାକୁ ସକ୍ଷମ । ମନୁଷ୍ୟ ସେତେବେଳେ ଭାବର ଉଚ୍ଛ୍ୱାସରେ ଚତୁର୍ଦ୍ଦିଗ ପ୍ଲାବିତ କରି ଦେବାକୁ ଇଚ୍ଛା କରେ-। ହୃଦୟରୁ ସମସ୍ତ ଦୈନ୍ୟ, ଜଡ଼ତା ଦୂର ହୋଇଯାଏ । କିନ୍ତୁ ଭଟ୍ଟାର ଉପକ୍ରମ ସଙ୍ଗେ ସଙ୍ଗେ ସେ ଉତ୍ତେଜନା ଶୀତଳ ହୋଇ ଆସେ ଏବଂ ମନୁଷ୍ୟ ନିଜର କ୍ଷୀଣ ଶକ୍ତିର ପରିଚୟ ପାଇ ଲଜ୍ଜାରେ ମ୍ରିୟମାଣ ହୋଇ ଭାଙ୍ଗିପଡ଼େ । ମୋର ଅବସ୍ଥା ଠିକ୍ ସେହିପରି ହୋଇଅଛି । ମୁଁ ଏ ପର୍ଯ୍ୟନ୍ତ ନିଜକୁ ଚିହ୍ନିପାରି ନ ଥିଲି; ଅନ୍ତର୍ନିହିତ ଦୁର୍ବଳତାର ପରିଚୟ ପାଇପାରି ନ ଥିଲି । ଏହିପରି ନାନା ଭାବନା ମନରେ ଉଦିତ ହେବାକୁ ଲାଗିଲା । ଚିନ୍ତାର ଜଟିଳ ପାଶ କ୍ରମେ ଯେପରି ମୋର ଶ୍ୱାସରୋଧ କରି ଆସିଲା । ଅନନ୍ତର ବୃଶ୍ଚିକ ଦଂଶନ ଭୁଲିଯିବା ଲାଗି ନିଦ୍ରାଦେବୀଙ୍କର ଶାନ୍ତିମୟ କ୍ରୋଡ଼ରେ କେତେ ଥର ଆଶ୍ରୟ ଖୋଜିଲି, କିନ୍ତୁ ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା । ପ୍ରଭାତର କିଛି ପୂର୍ବରୁ ଟିକିଏ ତନ୍ଦ୍ରା ଆସିଲା । ସେ ପୁଣି ନାନା ଦୁଃସ୍ୱପ୍ନପୂର୍ଣ୍ଣ । ମୁଁ ସେତେବେଳେ ଶଯ୍ୟା ତ୍ୟାଗ କରେ, ସେତେବେଳେ ପୂର୍ବ ଦିଗ ଏକ ଗୋଲାପୀ ଆଭାରେ ରଞ୍ଜିତ ହୋଇ ଯାଇଅଛି, ତରୁ ଶାଖାରୁ ପକ୍ଷିମାନଙ୍କ କଳକଣ୍ଠରେ ଚତୁର୍ଦ୍ଦିଗ ମୁଖରିତ ହୋଇ ଉଠିଅଛି, ପ୍ରଭାତର ଶୀତଳ ସମୀରଣ ଘରେ ଘରେ ପରିମଳ ବିତରଣ କରୁଅଛି ଏବଂ କର୍ମମୟ ଜଗତରେ ଏକ ଅଭିନବ ଆନନ୍ଦ ଓ ଆଶୀର୍ବାଦର ଧାରା ଝରି ପଡ଼ୁଅଛି । କିନ୍ତୁ କାହାରି ସହିତ ମୋର ହୃଦୟର ମେଳ ନାହିଁ । ଏକ ବେସୁରା ରାଗିଣୀରେ ମୋର ଅନ୍ତର ସଂକ୍ଷୁବ୍‌ଧ ହୋଇ ଉଠୁଅଛି । ଗ୍ରାମର ପଶୁ-ପକ୍ଷୀ, ବୃକ୍ଷ-ଲତା, କାହାରି ମୋ ପ୍ରତି ସହାନୁଭୂତି ନାହିଁ । ସମସ୍ତେ ଯେପରି ଅପରିଚିତ ପରି ମୋ ଆଡ଼କୁ ଚାହିଁ ଅଛନ୍ତି । ସେଠାରେ ରହିବା ମୋ ପକ୍ଷରେ ଅସହ୍ୟ ହୋଇ ଉଠିଲା । ସେହିଦିନ ୧୨ଟା ଗାଡ଼ିରେ ଗୋଟିଏ ଅତ୍ୟାବଶ୍ୟକ କାର୍ଯ୍ୟର ଛଳନା କରି ମୁଁ କଟକ ଯାତ୍ରା କଲି ।

 

(୪)

 

ଯାହା ମନରେ ଚିନ୍ତାକୀଟ ପ୍ରବେଶ କରିଅଛି, ବାହାରର କୌଣସି ବସ୍ତୁ ତାକୁ ଶାନ୍ତି ଦେଇ ନ ପାରେ । ମନେ କରିଥିଲି, ସହରର କର୍ମସ୍ରୋତରେ ଗଭୀର ଅଧ୍ୟୟନ ଓ ବନ୍ଧୁମାନଙ୍କ ସହିତ ଆମୋଦ ଆଳାପ ଦ୍ୱାରା ଏ ଯନ୍ତ୍ରଣାର ଅବସାନ ହେବ; କିନ୍ତୁ ହୃଦୟର ବିଷଜ୍ୱାଳାରେ ସମସ୍ତ ବିଷମୟ ହୋଇ ଉଠିଲା । କେତେ ଥର ସଂକଳ୍ପ କଲି, ମାୟାଧର ପ୍ରଭୃତି କେତେଜଣ ଅନ୍ତରଙ୍ଗ ବନ୍ଧୁଙ୍କ ଆଗରେ ମୋର ଦୁଃଖକାହାଣୀ କହି ହୃଦୟର ଭାର ଟିକିଏ ଲଘୁ କରିବି । କିନ୍ତୁ ଦୁର୍ବଳ ମନ ଏଥିରେ ବିରୁଦ୍ଧାଚରଣ କଲା । ମିଥ୍ୟା ଅଭିମାନର ବଶବର୍ତ୍ତୀ ହୋଇ ଏ ହୀନତା ସ୍ୱୀକାର କରିବାକୁ ଆହୁରି କଷ୍ଟକର ମନେ କଲି । ଯେଉଁମାନେ ମୋର ମନର ଦମ୍ଭ ଓ ସାହସ ଦେଖି ବିସ୍ମିତ ହେଉଥିଲେ, ସେମାନେ ମୋର ଏ ଦୁର୍ବଳତା ଦେଖି କ’ଣ ମନେ କରିବେ ? ଯେଉଁମାନେ ମୋହର ବିବାହ କଥା ଶୁଣି ମୋତେ ଜଣେ ତ୍ୟାଗୀ ବୀର ବୋଲି ଭାବୁଥିଲେ, ସେମାନେ ବର୍ତ୍ତମାନ ଭୀରୁ କାପୁରୁଷ ବୋଲି ଘୃଣା କରିବେ, ଏ କଥା ମୋର ସହ୍ୟ ହେଲା ନାହିଁ ।

 

ଏତେବେଳେ ମଧ୍ୟ ଅନେକ ଲୋକ ମୋର ପ୍ରଶଂସା କରନ୍ତି, ମୋର ‘ସ୍ୱାର୍ଥତ୍ୟାଗ’ର ସୁଖ୍ୟାତି କରନ୍ତି । ଧିକ୍ ମୋତେ ! ଧିକ୍ ମୋର ‘ସ୍ୱାର୍ଥତ୍ୟାଗ’କୁ ! ସେ ପ୍ରଶଂସା ଶୁଣି ମୋର ହୃଦୟରେ ଶେଳବିଦ୍ଧ ହୋଇଯାଏ । ଭିତରର ଏ ଅନ୍ତର୍ଦାହ କଥା ବୁଝିବ କିଏ ? ମୋର ନିଜ ହାତଗଢ଼ା ଦୁର୍ଭାଗ୍ୟର କଥା କାହାକୁ କହିବି ? କଥାରେ ଅଛି, ‘‘ଆପ୍ କିଆକୁ ଇଲାଦ୍ କିଆ !’’

 

ମାତାଙ୍କଠାରୁ ପ୍ରାୟ ପ୍ରତି ୫/୭ ଦିନରେ ପତ୍ର ପାଏ । ପ୍ରତି ପତ୍ରର ମର୍ମ ପ୍ରାୟ ଏହିପରି ‘‘କେବେ ଆସିବୁ ? କେବେ ଛୁଟି ହେବ ? ମୋତେ ଏ ବିଷୟରେ ଆଉ କିଆଁ କଲବଲ, ଛଟପଟ କରି ଘାଣ୍ଟୁଛୁ ? ବିଚାରିଥିଲି, ତୋ ବାହାଘର ପରେ ତୋ ବିଷୟବାଡ଼ି’’ ତୋତେ ପମ୍ପି ଦେଇ ମୁଁ ଟିକିଏ ନିଶ୍ଚିନ୍ତ ମନରେ ଈଶ୍ୱରଙ୍କ ନାମ ନେବି । କିନ୍ତୁ ତୋ ଢଙ୍ଗ ରଙ୍ଗ ଦେଖି ମୋ ଆଖିରୁ ଲୁହ ଶୁଖିଲା ନାହିଁ । ପରଘରୁ ଝିଅଟା ଆସି ଦିନେ ହେଲେ ସୁଖ ପାଇଲା ନାହିଁ ସ୍ୱାମୀ ସ୍ତ୍ରୀ ଲୋକର ସବୁ-। ସେ ସୁଖ ଯାହା କପାଳେ ନାହିଁ, ମୁଁ ତାକୁ କି ପ୍ରବୋଧ ଦେବି ? ଆଉ ପାଠ ନ ପଢ଼ିଲେ କ’ଣ ହେବ ନାହିଁ । ତମମାନଙ୍କ ସୁଖରେ କଳିକା ଲାଗି ତୋ ବାପା ଯଥେଷ୍ଟ ସମ୍ପାଦି ଯାଇଅଛନ୍ତି । ତାକୁ ଧୋଇ ଶୁଖେଇ ଖାଇଲେ ସରିବ ନାହିଁ । ତାକୁ ଜଗାରଖା ନ କଲେ ବାର ଭୂତ ଖାଇଯିବେ । ମୁଁ ତ ଆଜି ଅଛି, କାଲି ନାହିଁ । ମୁଁ ଆଉ ଏ ଜଞ୍ଜାଳରେ କେତେ ଦିନ ଛନ୍ଦି ହୋଇ ଦଗଧନି ହେଉଥିବି ? ମୋ ପାଇଁକି ତୋ ମନରେ କଅଣ ଟିକିଏ ଦୟା ଉପୁଜୂ ନାହିଁ ? ଇତ୍ୟାଦି, ଇତ୍ୟାଦି-।’’

 

ମୁଁ ପ୍ରତି ପତ୍ର ମନୋଯୋଗ କରି ପଢ଼େ । ପ୍ରତି ପତ୍ରରୁ ମାତାଙ୍କର ଅଶାନ୍ତି ଓ ଅସନ୍ତୋଷର ଲକ୍ଷଣ ବୁଝିପାରେଁ, କଳ୍ପନା କର୍ଣ୍ଣରେ ଗୋଟିଏ ଅନାଥା ବାଳିକାର ନୀରବ ଦୀର୍ଘ ଶ୍ୱାସ ଶୁଣିପାରେ, ନିଜକୁ ଏ ସମସ୍ତ ଅନର୍ଥର ମୂଳ ବୋଲି ଶତ ଧିକ୍‌କାର ଦିଏଁ । କିନ୍ତୁ ସେତେବେଳେ ସେ ନିର୍ଜନ କକ୍ଷର ସେ ନିରାନନ୍ଦମୟ ଦୃଶ୍ୟ ଓ ଦଳାକଜ୍ଜ୍ୱଳବୋଳା ହସ୍ତ ମନେ ପଡ଼େ, ଯେତେବେଳେ ଭାବେଁ, ସେହି ନବଘନଶ୍ୟାମରୂପିଣୀକୁ ବକ୍ଷରେ ଧାରଣ କରି ସାର ଜୀବନଟା କଟାଇବାକୁ ହେବ, ସେତେବେଳେ ହୃଦୟ କମ୍ପିତ ହୁଏ, ସମସ୍ତ ବିବେକ ଲୁପ୍ତ ହୋଇଯାଏ । ମାତାଙ୍କ ପତ୍ରର କରୁଣ ଭାଷା ଓ ମାତାଙ୍କ କକର୍ଥନା ମୁଁ ଭୁଲିଯାଏଁ ।

 

ସମୟ କାହାକୁ ଅପେକ୍ଷା କରେ ନାହିଁ । ଦୁଃଖରେ ହେଉ ସୁଖରେ ହେଉ, ସମସ୍ତଙ୍କ ସମୟ ଗୁଜୁରି ଯାଏ । ମୋର ଏ ଦୁଃଖମୟ ଜୀବନର ୨/୩ ମାସ ଏହିପରି କଟିଗଲା । ପୂଜାଛୁଟି ଆଉ ଅଳ୍ପ ଦିନ ଅଛି । ଗୃହର ସୁଖଛବି ମନରେ ଅଙ୍କନ କରି ମୋର ସାଙ୍ଗମାନଙ୍କ ହୃଦୟ ଆନନ୍ଦରେ ନାଚି ଉଠୁଅଛି । ବିଦେଶର ଶୁଷ୍କ, ନୀରସ ଜୀବନକୁ ଆତ୍ମୀୟ ସ୍ୱଜନମାନଙ୍କ ଆଦର ସ୍ନେହରେ କିଛି ଦିନ ସୁଧାସିକ୍ତ କରି ଆସିବା ଲାଗି ସମସ୍ତେ ବ୍ୟାକୁଳ ହୋଇ ଉଠୁଅଛନ୍ତି । କିନ୍ତୁ ଦୁର୍ଭାଗ୍ୟ ମୁଁ- ମୋର ଆଶ୍ରୟ କେଉଁଠାରେ ? ଛୁଟିରେ ଶୀଘ୍ର ଘରକୁ ଯିବା ଲାଗି ମାତାଙ୍କଠାରୁ କେତେ ଖଣ୍ଡ ପତ୍ର ପାଇଲିଣି । ସେମାନେ ଚାତକ ପରି ସନ୍ତୃଷ୍ଣ ଭାବରେ ମୋତେ ଅନାଇ ବସିଥିବେ । ଦୀର୍ଘ ବିରହ-ଯନ୍ତ୍ରଣା ଏକ ମୁହୁର୍ତ୍ତରେ ଭୁଲିଯିବା ଆଶାରେ ମନକୁ ସାନ୍ତ୍ୱନା ଦେଉଥିବେ-। କିନ୍ତୁ ମୁଁ କ’ଣ କରିବି ? ଜାଣି ଶୁଣି କିପରି ଅଗ୍ନିକୁଣ୍ଡରେ ଝାସ ଦେବି ? ଯେଉଁ କଷ୍ଟ ବିଦେଶରେ ଟିକିଏ ସହ୍ୟ ହୋଇ ଆସୁଅଛି, ଘରକୁ ଗଲେ ପୁନରାୟ ସେ ସୁପ୍ତସିଂହ ତ ଜାଗ୍ରତ ହୋଇ ଉଠିବ । ନାଁ, ନାଁ, ବୃଥା କାହିଁକି ନିଜ ପ୍ରକୃତି ବିରୁଦ୍ଧରେ ସଂଗ୍ରାମ କରିବି ?

 

ପରୀକ୍ଷା ଆଉ ଅଳ୍ପଦିନ ରହିଲା, ଘରକୁ ଗଲେ ଆଦୌ ପଢ଼ାପଢ଼ି ହୋଇପାରିବ ନାହିଁ, ଜାଣିଶୁଣି ଗୋଟାଏ ବର୍ଷ ନଷ୍ଟ କରିବାକୁ ହେବ । ଏହିପରି ନାନା ଛଳନା ଦେଖାଇ ଘରକୁ ଖଣ୍ଡେ ଚିଠି ପକାଇ ଦେଇ ମୁଁ କିଛିକ୍ଷଣ ନିଶ୍ଚିନ୍ତ ରହିଲି ।

 

କଲେଜ ବନ୍ଦ ହୋଇଗଲା । ନାନା ସୁଖକଳ୍ପନା କରି ଉତ୍‌ଫୁଲ୍ଲ ହୃଦୟରେ ହସି ହସି କିଏ ଷ୍ଟେସନ ପାଖକୁ, କିଏ ଷ୍ଟିମର ପାଖକୁ, କିଏ ନଦୀକୂଳକୁ ଧାବମାନ ହେଲେ । କିନ୍ତୁ ମୁଁ ନିଷ୍ଠୁର, ମୁଁ ହୃଦୟହୀନ, ମୁଁ ଶୂନ୍ୟ ଦୃଷ୍ଟିରେ ଏ ସମସ୍ତ ଦୃଶ୍ୟ ଦେଖି ଅଟଳ ଅଚଳ ରହିଲି ।

 

(୫)

 

ଛୁଟିର ପ୍ରାୟ ୧୦/୧୨ ଦିନ ଅତୀତ ହୋଇଗଲାଣି । ଦିନେ ସକାଳେ ଖଣ୍ଡେ ବହି ଧରି ବସି ମୁଁ ଗଭୀର ଚିନ୍ତାମଗ୍ନ । ପୁସ୍ତକର ବର୍ଣ୍ଣନୀୟ ବିଷୟ ଆଡ଼କୁ ମୋର ମନ ନାହିଁ । କେବଳ ବହିକୁ ଏକ ଦୃଷ୍ଟିରେ ଚାହିଁ ମୁଁ ନାନା ବିଷୟ ଭାବୁଛି । ଏପରି ସମୟରେ ଟେଲିଗ୍ରାଫ୍ ପିଅନ ଆସି ହାତରେ ଖଣ୍ଡିଏ ଟେଲିଗ୍ରାମ୍ ଦେଲା । ମୋର ବକ୍ଷସ୍ଥଳ ଧଡ଼ଧଡ଼ ହେବାକୁ ଲାଗିଲା । ମୁଁ କମ୍ପିତ ହସ୍ତରେ ଲଫାଫାଖଣ୍ଡି ଖୋଲିଲି । ଟେଲିଗ୍ରାମର ନାମ ଏହି ‘‘ସୁଶୀଳା ଶକ୍ତ ବେମାର, ଅବସ୍ଥା ଆଶଙ୍କାପ୍ରଦ, ଶୀଘ୍ର ଆସନ୍ତୁ ।’’ କାଗଜଖଣ୍ଡି ଧରି ଅନେକକ୍ଷଣ ଶୂନ୍ୟପ୍ରାଣରେ ଉପରକୁ ଅନାଇ ରହିଲି । ସମସ୍ତ ଚିନ୍ତାସ୍ରୋତ ଯେପରି ହଠାତ୍ ବାଧା ପାଇ ଚକିତ ହୋଇଗଲା । ଥରେ ଭାବିଲି, ମୋ ଠାରୁ ବଳି ସଂସାରରେ ନିର୍ଦ୍ଦୟ ନିର୍ମମ କିଏ ଅଛି ? ଯାହାକୁ ଏତେ ଶ୍ରଦ୍ଧା ଏତେ ଆଦରରେ କଣ୍ଠରେ ଧାରଣ କରିବି ବୋଲି ତୋଳି ଆଣିଥିଲି, ତାକୁ ଏପରି ନିଷ୍ଠୁର ଭାବରେ ପଦଦଳିତ କରିଦେଲି ! କଳିକାଟି ଭଲ କରି ବିକଶିତ ନ ହେଉଣୁ ଥରେ ରଦିକିରଣର କୋମଳ ସଂସ୍ପର୍ଶ ଉପଭୋଗ ନ କରୁଣୁ, ଦୁଃଖଝଞ୍ଜାବାତରେ ଅକାଳରେ ଝଡ଼ି ପଡ଼ିଲା ! ଦୁଃଖିନୀ ଶ୍ଵଶ୍ରୁ ଠାକୁରାଣୀଙ୍କର ବିଦାୟକାଳୀନ କରୁଣ ପ୍ରାର୍ଥନା ମନେ ପଡ଼ିଲା - ‘‘ବାବା, ମୋର ଦୁଃଖୀଧନକୁ ତମ ହାତରେ ସମର୍ପଣ କରିଦେଲି, ତାର ଯେପରି କିଛି ଅଯତ୍ନ ନ ହୁଏ ।’’ ଆଉ ବେଶିକ୍ଷଣ ଭାବିପାରିଲି ନାହିଁ ।

 

ସେହି ଦିନ ୨ଟା ସମୟରେ ଗୃହାଭିମୁଖରେ ଯାତ୍ରା କଲି । ଘରକୁ ଆସି ଦେଖିଲି, ବୈଠକଖାନାରେ ଅନେକ ଲୋକ ରୁଣ୍ଡ, ସମସ୍ତଙ୍କ ମୁଖରେ ଗୋଟାଏ ବିଷାଦକାଳିମା’ ପଡ଼ି ଯାଇଅଛି । ମୁଁ କାହାରିକୁ କିଛି ନ କହି ଏକାବେଳକେ ଖଞ୍ଜା ଭିତରକୁ ପଶିଯାଇ ଦେଖିଲି, ମାତା ରୋଗିଣୀ ପାର୍ଶ୍ୱରେ ବସି ଆକୁଳ ଦୃଷ୍ଟିରେ ଚାହିଁ ରହିଅଛନ୍ତି, ଦାସୀ ପଙ୍ଖା କରୁଅଛି । ମୋତେ ଦେଖି ମାତାଙ୍କର ଶୋକସମୁଦ୍ର ଉଚ୍ଛୁଳି ଉଠିଲା, ସେ ରୋଦନ କରିବାକୁ ଲାଗିଲେ । ମୁଁ ରୋଗିଣୀର ଅବସ୍ଥା ଦେଖିବା ଲାଗି ଧୀରେ ଧୀରେ ଶଯ୍ୟା ନିକଟକୁ ଗଲି । ସମୀପସ୍ଥ ଦୀପାଲୋକର ଉଜ୍ଜ୍ୱଳ ରଶ୍ମିରେଖା ରୋଗିଣୀର ମୁଖମଣ୍ଡଳରେ ପଡ଼ିଅଛି । କିନ୍ତୁ ଏ କ’ଣ ? ରୋଗିଣୀ ଆଡ଼କୁ ଦୃଷ୍ଟିପାତ କଲାମାତ୍ରେ ମୁଁ ଚମକି ଉଠିଲି । କି ଏକ ଅମୃତଧାରା ପିଞ୍ଚନରେ ମୋର ହୃଦୟର ସମସ୍ତ ଜ୍ଜ୍ୱାଳାଯନ୍ତ୍ରଣା ପ୍ରଶମିତ ହୋଇଗଲା । କୃଷ୍ଣ ବର୍ଣ୍ଣରେ ଏପରି ରୂପ ମୁଁ କୌଣସିଠାରେ ଦେଖି ନାହିଁ । ପୀଡ଼ା ହେତୁ ମୁଖ ବିବର୍ଣ୍ଣ ହୋଇ ଯାଇଅଛି ସତ୍ୟ କିନ୍ତୁ କି ସୁଲଳିତ ଦେହ ! କି ନମନୀୟତା ! ଚାରିଆଡ଼େ ଯେପରି ଗୋଟିଏ ଲାବଣ୍ୟ ଓ କୋମଳତାର ତରଙ୍ଗ ଚହଟି ଯାଉଅଛି । ବିଶେଷତଃ ଚଞ୍ଚଳ ଆକର୍ଣ୍ଣବ-ସ୍ତୃତ ନୟନଯୁଗଳର ଏପରି ଅପୂର୍ବ ଶ୍ରୀ ଦେଖିବା ମୋ ପକ୍ଷରେ ଏହାହିଁ ପ୍ରଥମ ।

 

ମୁଁ ଦାସୀ ହାତରୁ ପଙ୍ଖା ନେଇ ନିଜେ ବ୍ୟଜନ କରିବାକୁ ଲାଗିଲି, ସୁଶୀଳାର ଆରୋଗ୍ୟ ନିମନ୍ତେ ଭଗବାନଙ୍କୁ ଅନ୍ତରର ପହିତ ପ୍ରାର୍ଥନା କଲି । ମୋର ଅନୁତାପବିଧୌତ ହୃଦୟର ଐକାନ୍ତିକ ବ୍ୟାକୁଳ ପ୍ରାର୍ଥନା ବୋଧହୁଏ କୃପାମୟଙ୍କ ଚରଣ ତଳେ ପହଞ୍ଚିଗଲା । ଚାରିଦିନପରେ କ୍ରମେ ସୁଶୀଳାର ଚୈତନ୍ୟ ସଞ୍ଚାର ହେଲା । ସେ ପଦେ ଅଧେ କଥା କହିବାକୁ ସମର୍ଥ ହେଲା । ମାତା ସୁଶୀଳାର ହସ୍ତ ଧାରଣ କରି ସାଶ୍ରୁ ନୟନରେ କହିଲେ, ‘‘ମା, ତମକୁ କଥା କହିବାର ଦେଖିବି, ମୋର ଏ ଭରସା ନ ଥିଲା ।’’ ବର୍ତ୍ତମାନ ସୁଶୀଳାର ସ୍ମୃତିଶକ୍ତି କ୍ରମେ ଫେରି ଆସୁଅଛି । ସେ କହିଲା, ‘‘ମୋର ଅସାର ଜୀବନରେ କିଛି ଲକ୍ଷ୍ୟ ନାହିଁ । ମୋର ମରଣହିଁ ମଙ୍ଗଳ ।’’ ମାତା ବାଧା ଦେଇ କହିଲେ, ‘‘ମା, ସେ କଥା ଆଉ ମୁହଁରେ ଧର ନା ! ଭଗବାନ୍ ଆମ ପ୍ରତି ସଦୟ ହୋଇଅଛନ୍ତି । ବସନ୍ତ ପାଞ୍ଚ ଦିନ ହେଲା ତୋ ଶେଯପାଖରେ ବସି ଦିନରାତି ସେବା କରୁଛି ।’’ ମୋତେ ସେଠାରେ ଉପସ୍ଥିତ ଦେଖି ମାତା ଏହି କଥା କହି ଘରୁ କାର୍ଯ୍ୟାନ୍ତରାର ଛଳନା କରି ବାହାରି ଗଲେ । ସୁଶୀଳାର କଥା ଶୁଣି ମୋର ହୃଦୟ ଉଛୁଳି ପଡ଼ିଲା । ମୁଁ ଆଉ ସହ୍ୟ କରି ପାରିଲି ନାହିଁ । ସୁଶୀଳାର ଶଯ୍ୟା ନିକଟକୁ ଯାଇ ତାହାର ହସ୍ତ ଧାରଣ କରି କହିଲି, ‘‘ସୁଶୀଳା ! ସୁଶୀଳା ! ମୋ ଦୋଷ କ୍ଷମା’ କର । ମୁଁ କ୍ଷମାର ଅଯୋଗ୍ୟ, ତଥାପି ତମ ପରି ଗୁଣବତୀ ରମଣୀ ପକ୍ଷରେ ସବୁ ସମ୍ଭବ ।’’ ମୋ କଥା ଶୁଣି ସୁଶୀଳାର କପୋଲ ଲଜ୍ଜାରେ ରକ୍ତିମାଭ ହୋଇଗଲା, ନେତ୍ର ନିମଳିତ ହୋଇ ଆସିଲା । ମୁଁ ତାର ବିବର୍ଣ୍ଣ ଓଷ୍ଠାଧରରେ ମୋର ଓଷ୍ଠାଧର ମୁଦ୍ରିତ କରିଦେଲି । ସୁଶୀଳାର ଶୀର୍ଣ୍ଣ ବାହୁଲତା ମୋର କଣ୍ଠରେ ବେଷ୍ଟିତ ହୋଇଗଲା ।

 

ମୋହର ଚୋରି

 

(୧)

 

ରାଧାଶ୍ୟାମ ବାବୁଙ୍କ ଆର୍ଥିକ ଅବସ୍ଥା ଏତେ ଶୋଚନୀୟ ବୋଲି ତାଙ୍କ ମୃତ୍ୟୁ ପୂର୍ବରୁ କାହାରି ଧାରଣା ନ ଥିଲା । ଜଣେ ସାଧୁ ସତ୍ ପୁରୁଷ ବୋଲି ତାଙ୍କର ସୁଖ୍ୟାତ ଥିଲେ ସୁଦ୍ଧା କୋଡ଼ିଏ ବର୍ଷ କାଳ ଜଜ୍‌କୋର୍ଟର ପିରସ୍ତାଦାରୀ କାମ କରି ସେ ସେ ବେଶ୍ ଦି’ ପଇସା ରଖିପାରି ନାହାନ୍ତି ଏ ସନ୍ଦେହ କାହା ମନରେ କେବେ ସ୍ଥାନ ପାଇ ନାହିଁ । କିନ୍ତୁ ରାଧାଶ୍ୟାମ ବାବୁଙ୍କ ଅନ୍ତେଷ୍ଟିକ୍ରିୟା ପରେ ଯେତେବେଳେ ମହାଜନମାନେ ପିପୀଳିକା ପଲପରି ତାଙ୍କ ଘରକୁ ଧାଉଡ଼ି ଦେବାକୁ ଲାଗିଲେ, ପ୍ରକୃତ ଅବସ୍ଥା ବୁଝିବାକୁ କାହାରି ବାକୀ ରହିଲା ନାହିଁ । ଏଥିରେ ଅନେକ ଶାନ୍ତିରେ ଟିକିଏ ନିଃଶ୍ୱାସ ମାରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ଲାଗି ଦଳ ଦଳ ହୋଇ ରାଧାଶ୍ୟାମ ବାବୁଙ୍କ ଦୁଆରେ ଉପସ୍ଥିତ ହେଲେ । ଏ ଦୁଃଖ ସମୟରେ ସୁଦ୍ଧା ରାଧାଶ୍ୟାମ ବାବୁଙ୍କ ସ୍ତ୍ରୀ ଆଗନ୍ତୁକ ଭଦ୍ରଲୋକଙ୍କ ଅଭ୍ୟର୍ଥନାରେ କୌଣସି ତ୍ରୁଟି କଲେ ନାହିଁ । ଭଦ୍ରଲୋକମାନେ ମଧ୍ୟ ବୈଠକ ଖାନାରେ ବସି ପାନ ଓ ଗୁଡ଼ାଖୁ ସଂଯୋଗରେ ରାଧାଶ୍ୟାମ ବାବୁଙ୍କ ପୁତ୍ରଦ୍ୱୟଙ୍କର ଭବିଷ୍ୟତ ବିଷୟରେ ନାନା ଆଶ୍ୱାସବାଣୀ ପ୍ରଦାନ କରିବାକୁ ଲାଗିଲେ ଓ ଆବଶ୍ୟକ ହେଲେ ପ୍ରତ୍ୟେକ ସେମାନଙ୍କ ପାଇଁ ଅସମ୍ଭବ ରକମର ତ୍ୟାଗ ସ୍ୱୀକାର କରିବାକୁ ପ୍ରତିଶ୍ରୁତ ହେଲେ ।

 

ସ୍ୱଭାବ ଦୋଷରୁ ହେଉ ବା ଅନୁଭବ ଗୁଣରୁ ହେଉ, ରାଧାଶ୍ୟାମ ବାବୁଙ୍କ ଚାକର ବଳିଆ ଏ ଲମ୍ବା ଚଉଡ଼ା କଥା ଗୁଡ଼ାକ ସହଜରେ ପରିପାକ କରିପାରିଲା ନାହିଁ । ସେ ମନେ ମନେ ଭାବିଲା, ‘‘ଆଉ କିଛି ଟାଣିବାର ଏ ଗୋଟିଏ ନୂଆ ଫନ୍ଦି । ସବୁ କଥା ଗାଧୋଇଗଲା, ତୁମ୍ଭେମାନେ ବସି ପ୍ରତିଦିନ ଯେତେ ଗୁଡ଼ାଖୁ ପାନ ଉଡ଼ାଉଛ, ସେତକ ଯଦି କୌଣସି ବାଟେ ଉଆପତ୍ର ଦିଅନ୍ତ, ତେବେ ଜାଣନ୍ତି ସେ ମୋ ଖାମିଦର କିଛି ଲୋକସାନ ହେଲାନାହିଁ ।’’

 

ଏଣେ ମହାଜନମାନେ ଯେତେବେଳେ ତାକିଦ୍‍ ଉପରେ ତାକିଦ୍‍, ପିଆଦା ଉପରେ ପିଆଦା ପଠାଇଲେ, ପରଦୁଃଖକାତର ଭଦ୍ରଲୋକଗୁଡ଼ିକ କ୍ରମେ ଦୁର୍ଲ୍ଲଭ ହୋଇପଡ଼ିଲେ । ପରିବାରଟିକୁ ରକ୍ଷା କରିବା ଲାଗି ସେମାନେ ଯେଉଁ ଅଭୟ ବାଣୀ ଉଚ୍ଚାରଣ କରିଥିଲେ ସେସବୁ ଅନେକ ଦିନରୁ ତାମ୍ରକୂଟଧୂମ ସହିତ ଅନନ୍ତ ଆକାଶରେ ମିଳାଇ ଯାଇଥିଲା । ତାର ପରୀକ୍ଷାଟା ଯେ ଏତେ ଶୀଘ୍ର ଉପସ୍ଥିତ ହେବ, ସେମାନେ ଏହା ସ୍ୱପ୍ନରେ ଭାବି ନ ଥିଲେ । ଯାହାହେଉ, ଅବସ୍ଥା ବିପର୍ଯ୍ୟୟ ଦେଖି ସେମାନେ ବୁଦ୍ଧିର କାର୍ଯ୍ୟ କରି ପରୀକ୍ଷାକ୍ଷେତ୍ରରୁ ଅପସୃତ ହୋଇ ପଡ଼ିଲେ । ବଳିଆ କହିଲା, ‘‘ଯାହାହେଉ, ଗୋଟାଏ ଜଞ୍ଜାଳରୁ ଖଲାସ ମିଳିଲା । ଏମାନଙ୍କ ଦୟା ଅପେକ୍ଷା ମହାଜନମାନଙ୍କ ନିଷ୍ଠୁରତା ସହସ୍ର ଗୁଣେ ଭଲ ।’’

 

ଏ ଋଣଜାଲରୁ କିପରି ମୁକ୍ତ ହେବେ, ଏହା ଭାବି ରାଧାଶ୍ୟାମ ବାବୁଙ୍କ ସ୍ତ୍ରୀ ବାସ୍ତବିକ ବଡ଼ ବିଚଳିତ ହୋଇ ପଡ଼ିଲେ । କ’ଣ କରିବେ, କିଛି ସ୍ଥିର କରିପାରିଲେ ନାହିଁ । ବଡ଼ପୁଅ ନୀଳମଣୀ ତ ଜଣେ ବେପରୁଆ ଲୋକ । କୌଣସି ଚିନ୍ତା ତା ମନରେ ବେଶି କ୍ଷଣ ସ୍ଥାନ ପାଏ ନାହିଁ-। ଯେତେ ବଡ଼ ବିପଦ ହେଉ ପଛକେ, ତାକୁ ସହଜରେ ଅଭିଭୂତ କରିପାରେ ନାହିଁ । କୌଣସି ବିଷୟ ଯେ ମନ ଉପରେ ଗୋଟିଏ ଆଧିପତ୍ୟ ବିସ୍ତାର କରିବ, ଏକଥା ତାକୁ ଅସହ୍ୟ ବୋଧହୁଏ । ଏଥିଲାଗି କୌଣସି କାର୍ଯ୍ୟରେ ସେ ନିଜେ ଧରାଛୁଆଁ ଦିଏ ନାହିଁ । ସର୍ବଦା ଗୋଟାଏ କିଛି ଖିଆଲ ଘେନି ଉଡ଼ି ଉଡ଼ି ବୁଲୁଥାଏ । ନୀଳମଣି ପରି ମେଧାବୀ ଓ ବୁଦ୍ଧିମାନ ଛାତ୍ର ସାଧାରଣତଃ ଦେଖାଯାନ୍ତି ନାହିଁ । ଯେ ଇଚ୍ଛା କରିଥିଲେ ଦେଶରେ ଗୋଟିଏ ବିଶିଷ୍ଟ ଆସନ ଲାଭ କରି ପାରିଥାନ୍ତା କିନ୍ତୁ ସେ ଉଚ୍ଚ ଆକାଙ୍‌କ୍ଷା ତା ମନକୁ କଦାପି ଆଲୋଡ଼ିତ କରି ନାହିଁ । ସୁତରାଂ ପଢ଼ାପଢ଼ି ପ୍ରତି ମମତାଟା ମଧ୍ୟ ସେହି ଅନୁପାତରେ - କେବଳ କଲେଜରେ ନାମଟା ଥାଏ ମାତ୍ର । ନୀଳମଣିର ଶକ୍ତି ଉପରେ ସମସ୍ତଙ୍କର ଆସ୍ଥା ଥିଲେ ସୁଦ୍ଧା ସମସ୍ତେ ତାକୁ ବଡ଼ ଦୟାର ପାତ୍ର ବୋଲି ମନେ କରନ୍ତି । ଏଥିଲାଗି ନୀଳମଣିକୁ ଘରର ବର୍ତ୍ତମାନ ଦୁର୍ଦ୍ଦଶା କଥା ଜଣାଇବା କେହି ଆବଶ୍ୟକ ବୋଧ କଲେ ନାହିଁ, କାରଣ ତାକୁ କହିବା ନ କହିବା ସମାନ ।

 

କୁଳମଣି ବୟସରେ ସାନ ହେଲେ ସୁଦ୍ଧା ବୈଷୟିକ ଜ୍ଞାନରେ ନୀଳମଣିଠାରୁ ଅନେକ ବଡ଼ । କିନ୍ତୁ ତାଦ୍ୱାରା ବା କ’ଣ ହୋଇ ପାରେ ?

 

ବଳିଆହିଁ ବର୍ତ୍ତମାନ ପରିବାରର ଏକମାତ୍ର ଭରସାର ସ୍ଥଳ । ସେ ଅନେକ ଦିନର ବିଶ୍ୱାସୀ ଚାକର, ଚାଲାଖ ଚତୁର ମଧ୍ୟ ଖୁବ୍ । ଦିନେ ରାଧାଶ୍ୟାମ ବାବୁଙ୍କ ସ୍ତ୍ରୀ ତାଙ୍କର ଅଳଙ୍କାର ବାକ୍‌ସଟି ବଳିଆ ଆଗରେ ରଖି ଦେଇ କହିଲେ, ‘‘ଦେଖ ବଳିଆ ! ସମ୍ବଳ ମଧ୍ୟରେ ବର୍ତ୍ତମାନ ମୋର ଏହି ଅଳଙ୍କାର ଦେଖୁଛି, ଏହାକୁ ଆଉ ରଖି ହେବ ନାହିଁ । ମହାଜନମାନଙ୍କ ଜୁଲମ ଦିନକୁ ଦିନ ବଳି ପଡ଼ିଲା । ସେମାନଙ୍କର ବା ଦୋଷ କ’ଣ ? ଆଉ କେତେ ଦିନ ସେମାନେ ସମ୍ଭାଳିବେ ? କି ପତିଆରା ଦେଖି ସେମାନେ ଆମକୁ ଆଉ ବିଶ୍ୱାସ କରିବେ ? ଘର ବା ଏଣିକି ଚଳିବ କିପରି ? ମୋ ପିଲାମାନେ ଯେବେ କଷ୍ଟ ପାଇଲେ, ଏ ଅଳଙ୍କାର ଥାଇ ମୋର କ’ଣ ହେବ ?’’ ବାକ୍‍ସପଣେ ହରିହର ମହାପାତ୍ର ଦୋକାନକୁ ନେଇ ଯା, ଓଜନ କରି ତାକୁ ଦେଇ ଆସିବୁ । ତାକୁ କହିବୁ, ସେ ନିଜେ ରଖୁ ବା ବିକ୍ରି କରିଦେଉ, ୧୦/୧୨ ଦିନ ମଧ୍ୟରେ ଯେପରି, ଟଙ୍କାଟା ମୋ ହାତପଇଠ ହୁଏ-। ମୁଁ ବିଚାରୁଛି ଏ ଅଳଙ୍କାରତକ ଖାଲି ଓଜନ ଦରରେ ବିକ୍ରି ହେଲେ ହଜାରେ ଟଙ୍କାରୁ ଊଣା ହେବ ନାହିଁ । ଋଣ ଶୁଝିବାରେ ପାଞ୍ଚଶ ଟଙ୍କା ପର୍ଯ୍ୟନ୍ତ ଗଲେ ବାକି ଟଙ୍କାରେ ଏବର୍ଷଟା କୌଣସି ପ୍ରକାରେ ଚଳାଚଳ ହୋଇଯିବା । ତେଣିକି କରମରେ ଯାହା ଥିବ ଦେଖାଯିବ ।’’

 

ରାଧାଶ୍ୟାମ ବାବୁଙ୍କ ସ୍ତ୍ରୀ ଏକଥାଗୁଡ଼ାକ ଏକା ନିଃଶ୍ୱାସକେ କହି ପକାଇଲେ । କିନ୍ତୁ ସେ ଯେତେ ମନୋଭାବ ଗୋପନ କରିବାକୁ ଚେଷ୍ଟା କଲେ ସୁଦ୍ଧା ତାଙ୍କ ଚକ୍ଷୁ କୋଣର ଗୋଟିଏ ଅଶ୍ରୁବିନ୍ଦୁ ବଳିଆର ଦୃଷ୍ଟି ଅତିକ୍ରମ କରିପାରିଲା ନାହିଁ । ବଳିଆ କି ଉତ୍ତର ଦେବ, କିଛି ଭାବି ସ୍ଥିର କରିପାରିଲା ନାହିଁ - କେବଳ ତଳକୁ ମୁହଁ ପୋତି ଛିଡ଼ା ହୋଇ ରହିଲା ।

 

ଏହି ସମୟରେ ନୀଳମଣି ପାଖଘରେ ବସି ଗୋଟିଏ ବେହେଲାର ତାର ବଦଳାଉଥିଲା-। ବୋଲିବା ବାହୁଲ୍ୟ, କିଛିଦିନ ହେଲା ବେହେଲା ବଜାଇବାକୁ ତାର ବଡ଼ ଝୁଙ୍କ ଉଠିଛି । ମା’ଙ୍କ କଥାଗୁଡ଼ିକ ସବୁ ତା’ କାନରେ ପଡ଼ିଲା । ବାପା ଯେ ଅନେକ ଗୁଡ଼ିଏ ଦେଣା ରଖି ଯାଇଅଛନ୍ତି ଓ ତାହା ପରିଶୋଧ କରିବାର ସେପରି କିଛି ଉପାୟ ନ ଥିବାରୁ ଘରେ ଯେ ଗୋଟିଏ ଅଶାନ୍ତିର ଛାୟା ଆସି ପଡ଼ିଅଛି, ଏହା ନୀଳମଣି ଅନେକ ଦିନରୁ ଲକ୍ଷ୍ୟ କରିଥିଲା; କିନ୍ତୁ କଥାଟା ଯେ ଏପରି ଗୁରୁତର ଆଉ ସେଥିଲାଗି ଯେ ତାକୁ ଭାଳେଣି କରିବାକୁ ପଡ଼ିବ, ଏହା ସେ ଭାବି ନ ଥିଲା । ସେ ମନେ କରିଥିଲା, ସଂସାରୀ ଜୀବମାନଙ୍କର ଏ ଗୋଟାଏ ସ୍ୱାଭାବିକ ଅବସ୍ଥା ଓ ସେ ଅବସ୍ଥାଟା କିଛି ଚିରକାଳ ଆସନ ଦଖଲ କରି ରହିବ ନାହିଁ । କିନ୍ତୁ କେଜାଣି କାହିଁକି, ଆଜି ମା’ଙ୍କ କଥାଗୁଡ଼ାକ ତା ଅନ୍ତରରେ ଟିକିଏ ଆଘାତ କଲା, ଏପରି କି, ସେ କଥା ମଧ୍ୟରେ ଯେ ଗୋଟାଏ ବେଦନାର ସ୍ୱର ଅଛି, ତାହା ତାର ବୁଝିବାକୁ ବାକି ରହିଲା ନାହିଁ ।

 

ନୀଳମଣି କ’ଣ ଭାବି ପ୍ରାୟ ଦୁଇ ମିନିଟ ପର୍ଯ୍ୟନ୍ତ ଘରର କଡ଼ିକୁ ଚାହିଁ ରହିଲା ଓ ହଠାତ୍ ଘରୁ ବାହାରି ପଡ଼ି ହସି ହସି ଯାଇ ମା’ଙ୍କୁ କହିଲା, ‘‘ମା, ଅଳଙ୍କାରଗୁଡ଼ାକ କ’ଣ ବିକ୍ରି କରିବାକୁ ଦଉଛୁ ?’’

 

ମା’ କହିଲେ, ‘‘ହଁ ରେ ବାପ ! ଆଉ ଉପାୟ କ’ଣ ? କେତେ ଦିନ ଆଉ ତୁମେମାନେ ପରର ଧାରତାବନ୍ଧା ହୋଇ ରହିବ ।’’

 

ନୀଳମଣି କହିଲା, ‘‘ହଁ, ମୋତେ ମଧ୍ୟ ସେ କଥା କେତେ ଜଣ କହିଲେଣି । ଏ ମହାଜନଗୁଡ଼ାଙ୍କର କ’ଣ ଟିକିଏ ଅକଲ ନାହିଁ ? ବାଟଘାଟ ଯେଉଁଠେଇଁ ଦେଖିଲେ ତୁଚ୍ଛା ସେହି କଥା । କୌଣସି ପ୍ରକାରେ ସେମାନଙ୍କର ପାଊଣା ଶୁଝି ଦେଲେ ମଣିଷ ତାଙ୍କ ଦାଉରୁ ଖଲାସ ପାଇବ ।’’

 

ମା’ କିଛି କଥା ନ କହି ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ତଳକୁ ମୁହଁ ପୋତି ରହିଲେ ।

 

ନୀଳମଣି ପୁନରାୟ କହିଲା, ‘‘ବଳିଆ ସୁନା ରୂପା କଥା କ’ଣ ଜାଣେ ଯେ, ତାହା ହାତରେ ଏ ସବୁ ଦଉଛୁ ? ଏ ତ ଆଉ ଶାଗ ମାଛ ମୂଲ ନୁହେଁ । ଆଛା, ମୁଁ ନିଜେ ଯାଇ ଏ ସବୁ ବିକ୍ରି କରିବାର ବନ୍ଦୋବସ୍ତ କରିବି । ହଁ, ଜଣେ ଲୋକ କେତେଗୁଡ଼ିଏ ତିଆରି ଗହଣା କିଣିବାକୁ ଖୋଜୁଥିଲା । ଦେଖେଁ, ସେ ଯଦି ନିଏ, ତେବେ ଗଢ଼ା ମୂଲଟା ଆଉ ଲୋକସାନ ଯିବ ନାହିଁ । ତୁ ତେବେ ଏସବୁ ରଖିଥା, ମୁଁ ୨/୩ ଦିନ ମଧ୍ୟରେ ହେଲା ନ ହେଲା ବୁଝିକରି କହିବି ।’’

 

ଏହା କହିଦେଇ ନୀଳମଣି କାମିଜ୍ ଖଣ୍ଡେ ଗଳାଇ ଘରୁ ବାହାରି ପଡ଼ିଲା । ମା’ ନୀଳମଣି କଥାରେ ସମ୍ପୂର୍ଣ୍ଣ ବିଶ୍ୱାସ ନ କଲେ ସୁଦ୍ଧା ବହୁଦିନର ପ୍ରିୟ ଅଳଙ୍କାରଗୁଡ଼ିକ ଯେ ଆଉ କେତେଟା ଦିନ ଅନ୍ତତଃ ଘରେ ରହିବ, ଏଥିରେ ଟିକିଏ ଆଶ୍ୱସ୍ତ ହୋଇ ବାକ୍‍ସଟି ନେଇ ଘର ଭିତରେ ରଖିଦେଲେ ।

 

ଏହାର ୫/୬ ଦିନ ପରେ ଦିନେ ସନ୍ଧ୍ୟାବେଳେ ନୀଳମଣି ଆସି ମା’ଙ୍କୁ କହିଲା, ‘‘ମା, ମୋର ଖଣ୍ଡିଏ ଚାକିରି ହେଇଛି।’’

 

ମା’ ଅତି ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ତୋର କି ଚାକିରି ହେଲା ରେ ?’’

 

ନୀଳମଣି - ଅନେକ ଦିନ ହେଲା ମୋର ପଢ଼ାପଢ଼ିରେ କାହିଁକି ଆଉ ମନ ଲାଗୁନାହିଁ । ବୃଥା ସମୟ କଟାଇବା ଅପେକ୍ଷା ବରଂ ଦି’ପଇସା ରୋଜଗାର କରିବାର ବାଟ ଦେଖିବା ଭଲ ବୋଲି ବିଚାରି ମୁଁ କିଛିଦିନ ତଳେ ଖଣ୍ଡିଏ ଚାକିରି ପାଇଁ ଦରଖାସ୍ତ ପକାଇ ଦେଇଥିଲି । ଆଜି ଖବର ପାଇଲି ଯେ କାମଖଣ୍ଡ ମୋର ହୋଇଛି । ବର୍ତ୍ତମାନ ୨୫ ଟଙ୍କା ଦରମା’ ମିଳିବ ଓ ଭବିଷ୍ୟତରେ ଉନ୍ନତିର ଆଶା ମଧ୍ୟ ଅଛି ।

 

ମା’ - ତେବେ ସତେ କ’ଣ ତୁ ପଢ଼ା ଛାଡ଼ିଲୁ ?

 

ନୀଳ- ଆଜି ଯାଇ ଚାକିରି କରିବି ବୋଲି ସ୍ଥିର ଜବାବ ଦେଇ ଆସିଲି ପରା ! ପଢ଼ା ନ ଛାଡ଼ି ଆଉ କରିବି କ’ଣ ?

 

ରାଧାଶ୍ୟାମ ବାବୁଙ୍କ ସ୍ତ୍ରୀଙ୍କର କିପରି ଗୋଟାଏ ଧାରଣା ଥିଲା ଯେ, ନୀଳମଣି ଦିନେ ନିଶ୍ଚୟ ଜଣେ ବଡ଼ଲୋକ ହୋଇ ବଂଶର ମୁଖ ଉଜ୍ଜ୍ୱଳ କରିବ, ଏପରି କି ତାର ଦୁର୍ବଳତା ଗୁଡ଼ାକ ମଧ୍ୟ ସେ ଭବିଷ୍ୟତ୍‌ ବଡ଼ଲୋକର ଅପରିହାର୍ଯ୍ୟ ଲକ୍ଷଣ ବୋଲି ଧରିନେଇ ବରଂ ତାର ପ୍ରଶୟ ଦେଉଥିଲେ । କିନ୍ତୁ ହଠାତ୍ ତାଙ୍କର ଆଶାଟା ଏଡ଼େ କ୍ଷୁଦ୍ର ପଚିଶ ଟଙ୍କାର ସୀମା’ ମଧ୍ୟରେ ଆବଦ୍ଧ ହୋଇ ଯିବାର ଦେଖି ସେ ଟିକିଏ ହତାଶ ହୋଇ ପଡ଼ିଲେ । ଯାହାହେଉ, ଘରର ବର୍ତ୍ତମାନ ଅବସ୍ଥା ଦୃଷ୍ଟିର ସେ ଏଇଟାକୁ ନିତାନ୍ତ ଦୁଃସମ୍ବାଦ ବୋଲି ମନେକଲେ ନାହିଁ ।

 

ଏ ଖବରଟି ଦେଇ ନୀଳମଣି ଚାଲିଯିବାକୁ ବାହାରିବାରୁ ମା’ ପଚାରିଲେ, ‘‘ହଇ ରେ ନୀଳୁ, ଅଳଙ୍କାର ବିକ୍ରି କଥା କ’ଣ ହେଲା ? କିଏ ପରା ନବାକୁ କହୁଥିଲା ?’’

 

ନୀଳ- ହଁ, ସେ ନବାକୁ କହୁଛି, କିନ୍ତୁ ତାର ଟଙ୍କାର ସୁବିଧା ହୋଇ ନ ଥିବାରୁ ନବାକୁ ଟିକିଏ ବିଳମ୍ବ ହେବ । ହଉ, ଏତେ ତରତର କାହିଁକି ?

 

ମା- ମହାଜନମାନେ କ’ଣ ସମ୍ଭାଳୁଛନ୍ତି ? ଶେଷରେ ମାମଲା ମକଦ୍ଦମା ହେଲେ କ’ଣ ଭଲ ହେବ ?

 

ନୀଳ - ଏତେ ଦିନ ତ ଗଲା, ଆଉ କେଇଟା ଦିନରେ କ’ଣ ଅଛି ? ଆଉ ଥରେ ସେମାନେ ଟଙ୍କା ପାଇଁ ଆସନ୍ତୁ, ଦେଖାଯିବ ।

 

ଏହା କହି ନୀଳମଣି ସେଠାରୁ ଚାଲିଗଲା ।

 

ଏହି ପାଞ୍ଚ ଦିନରେ କେତେ ଜଣଙ୍କୁ ଟଙ୍କା ଦେବାପାଇଁ କଣ୍ଟ କରା ହୋଇଥିଲା । ସେ ଦିନ ନ ଦେଲେ ସେମାନେ ନାଲିସ ଦାଏର କରିବେ । କିନ୍ତୁ ପାଞ୍ଚ ଦିନ ଗଲା, ମାସେ ଗଲା, କୌଣସି ମହାଜନ ଆଉ ଟଙ୍କା ମାଗିବାକୁ ଆସିଲେ ନାହିଁ । କଥା କ’ଣ ? ନୀଳମଣିଙ୍କ ମା’ ପ୍ରଥମେ କିଛି ବୁଝିପାରିଲେ ନାହିଁ । ଶେଷରେ ଭାବିଲେ, ଦାଣ୍ଡକୁ କେହି ଜଣେ ନ ଥିବାରୁ ସିନା ସମସ୍ତେ ଆମକୁ ହୀନମାନ ଦେଖୁଥିଲେ । କିଛି ନ ହେଉ ନୀଳୁର ଏହିକ୍ଷଣି ଖଣ୍ଡେ ଚାକିର ହେଲାଣି-। ବୋଧହୁଏ ସେଇଥିଲାଗି କେହି ସାହାସ କରି ମାଗୁ ନାହାନ୍ତି ।

 

କିନ୍ତୁ ମହାଜନମାନେ ବିନା କାରଣରେ ହଠାତ୍‌ ଯେ ଏପରି ନରମ ପଡ଼ିଗଲେ ଏପରି ଭାବିବା ବୃଥା । ପ୍ରକୃତ କଥା ହେଉଛି ଏହି- ମା’ଙ୍କଠାରୁ ଅଳଙ୍କାର ବିକ୍ରୀ କଥା ଶୁଣି ସେ ଦିନ ନୀଳମଣିର କୋମଳ ପ୍ରାଣରେ ବଡ଼ ଆଘାତ ଲାଗିଥିଲା । କି ଉପାୟରେ ଏହି ଆସନ୍ନ ବିପଦରୁ ରକ୍ଷା ମିଳିବ, ଏହା ଭାବି ସେ ଦିନ ସେ ଯାଇ ଅଫିସରେ ବୁଝିଲା ଯେ ଖଣ୍ଡିଏ କିରାନି କାମ ଖାଲିଅଛି ଓ ଆଗପଛ କିଛି ନ ଭାବି ସେ କାର୍ଯ୍ୟ ଖଣ୍ଡି ଗ୍ରହଣ କରିବାକୁ କୃତସଂକଳ୍ପ ହେଲା । ବୋଲିବା ବାହୁଲ୍ୟ, ରାଧାଶ୍ୟାମ ବାବୁଙ୍କ ପୁଅ ପକ୍ଷରେ ଏ କାର୍ଯ୍ୟଖଣ୍ଡି ପାଇବାକୁ ବେଶି କଷ୍ଟକର ହେଲା ନାହିଁ । ଚାକିରି ଖଣ୍ଡି ପାଇ ନୀଳମଣି ମହାଜନଙ୍କୁ କହି ନିଜ ନାମରେ ନୂତନ ତମସୁକ ଲେଖିଦେଲା ଓ ସେମାନଙ୍କ ସଙ୍ଗେ ଗୋଟିଏ ଚୁକ୍ତି କଲା ଯେ ସେ ପ୍ରତି ମାସରେ ସେମାନଙ୍କ ସୁଧତକ ନିକାଶ କରି ଦେଉଥିବ, କିନ୍ତୁ ତା ଛଡ଼ା ଅନ୍ୟ କାହାରିକୁ କେହି ଯେପରି ଟଙ୍କା ସମ୍ୱନ୍ଧରେ କିଛି ନ କହେ । ମହାଜନମାନଙ୍କର ଏଥିରେ ଲାଭ ଛଡ଼ା କ୍ଷତି ନାହିଁ, ସୁତରାଂ ସେମାନେ ବିନା ଆପତ୍ତିରେ ସମ୍ମତ ହେଲେ ।

 

(୨)

 

ନୀଳମଣି ପଢ଼ା ଛାଡ଼ିବା ପରେ ରାଧାଶ୍ୟାମ ବାବୁଙ୍କ ସ୍ତ୍ରୀ କୁଳମଣିଠାରେ ଆଶା ରଖି ଅନେକ ପରିମାଣରେ ଆଶ୍ୱସ୍ତ ହୋଇଥିଲେ । ନୀଳମଣି ପରି ବିଚକ୍ଷଣ ନ ହେଲେ ସୁଦ୍ଧା ତାର ପଢ଼ାପଢ଼ିରେ ଯେପରି ମନ, ସେ ଯେ ଯୋଗ୍ୟ ହୋଇ ଘରର ନାମ ରଖିପାରିବ, ସେ ବିଷୟରେ ତାଙ୍କର ସନ୍ଦେହ ନ ଥିଲା । କିନ୍ତୁ ଯେତେବେଳେ ଶୁଣିଲେ ଯେ, ସେ ବର୍ଷ ଏଣ୍ଟ୍ରାନ୍‌ସ ପରୀକ୍ଷାରେ କୁଳମଣି ଫେଲ ହୋଇଅଛି, ସେ ବଡ଼ ହତୋତ୍ସାହ ହୋଇ ପଡ଼ିଲେ । ବାପାଙ୍କ ମୃତ୍ୟୁ ଯୋଗୁଁ ସେ ବର୍ଷ ତାର ପଢ଼ା ଶୁଣାରେ ଅନେକ ବ୍ୟାଘାତ ଘଟିଥିଲା ଜାଣି ସୁଦ୍ଧା ତାଙ୍କ ମନ ବୁଝିଲା ନାହିଁ ।

 

କୁଳମଣି କିନ୍ତୁ ଏ ଖବର ପାଇ ବେଶି ଦୁଃଖିତ ହେଲା ନାହିଁ । ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ୍‌ ପ୍ରତି ତାର କାହିଁକି ପିଲାଦିନୁ ସେପରି ଗୋଟାଏ ମୋହ ନ ଥିଲା ଓ ସରକାରୀ କର୍ମ୍ମଚାରିମାନଙ୍କ ଦୁର୍ଦ୍ଦଶା ଆଖିରେ ଦେଖି ଚାକିରି ପ୍ରତି ତାର ଗୋଟାଏ ବିତୃଷ୍ଣା ଜନ୍ମି ଯାଇଥିଲା । କୌଣସି ଗୋଟିଏ ସ୍ୱାଧୀନ ବ୍ୟବସାୟ ଅବଲମ୍ୱନ କରିବାକୁ ତାର ଆନ୍ତରିକ ଇଚ୍ଛା; କିନ୍ତୁ ସେତକ କେତେ ଜଣଙ୍କ ଭାଗ୍ୟରେ ଜୁଟେ ?

 

ଫେଲ ହୋଇ ବିଶେଷ ଦୁଃଖିତ ନ ହେଲେ ସୁଦ୍ଧା ବର୍ତ୍ତମାନ କ’ଣ କରିବ, ଏ ଭାବନା ତାକୁ ବିବ୍ରତ କରି ପକାଇଲା । ପୁଣି ଯେ ନାମ ଲେଖାଇ ଯାଇ ସ୍କୁଲରେ ପଢ଼ିବ, ଏଥିଲାଗି ତାର ଆଦୌ ମନ ସୋରେଇଲା ନାହିଁ ।

 

ଦିନେ ଲୁଗା କିଣିବାକୁ ଯାଇ କିସନ୍‌ଲାଲ ମାରୁଆଡ଼ିଙ୍କ ସଙ୍ଗେ କୁଳମଣିର ଦେଖା ହେଲା-। ରାଧାଶ୍ୟାମ ବାବୁଙ୍କ ସଙ୍ଗେ କିସନ୍‌ଲାଲଙ୍କର ବଡ଼ ଘନିଷ୍ଠତା ଥିଲା, ଏପରି କି ବିବାହ ନିମିତ୍ତ୍ୟରେ ଭାର ବେଭାର ପର୍ଯ୍ୟନ୍ତ ଚଳୁଥିଲା । ରାଧାଶ୍ୟାମ ବାବୁଙ୍କଠାରୁ ଅନେକ ଉପକାର ପାଇଥିବାର କିସନ୍‌ଲାଲ ଆଜିକାଲି ସୁଦ୍ଧା ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି ।

 

କିସନ୍‌ଲାଲ କୁଳମଣିକୁ ତାଙ୍କ ଘରକଥା ପଚାରିବାରୁ ସେ ନିଃସଙ୍କୋଚରେ ସବୁକଥା କହିଗଲା । କିସନ୍‌ଲାଲ ଅନେକ ଦୁଃଖ ପ୍ରକାଶ କରି ଶେଷରେ କହିଲେ, ‘‘ସେହି ଚାକିରିକୁ ଚାଟି ଚାଟି ତୁମ ଜାତିର ଏ ଅବସ୍ଥା । ଏତେ ଲାଞ୍ଛନା ଅପମାନ ପାଇ ସୁଦ୍ଧା ଚାକିରି କାହିଁକି ଯେ ତୁମ୍ଭମାନଙ୍କୁ ଚୁମ୍ୱକ ପରି ଟାଣି ନେଉଛି ମୁଁ ବୁଝି ପାରୁ ନାହିଁ ।’’

 

‘‘ସମସ୍ତଙ୍କର ତ ଆଉ ସ୍ୱାଧୀନ ବ୍ୟବସାୟ କରିବାର ସୁବିଧା ନାହିଁ ?’’

 

‘‘ସୁବିଧା ନାହିଁ କାହିଁକି ? କହ, ମନ ନାହିଁ, ସାହସ ନାହିଁ ମୁଁ ଯେତେବେଳେ ପ୍ରଥମେ ଆମ ଦେଶରୁ ଏଠାକୁ ଆସେଁ; ମୋ ହାତରେ ପଇସାଟିଏ ସୁଦ୍ଧା ପାଣ୍ଠି ନ ଥିଲା । ଏଠାକୁ ଆସି ଜଣେ ମହାଜନ ଦୋକାନରେ କେତେ ବର୍ଷ ଚାକିରି କରି କେତୋଟି ଟଙ୍କା ହାତରେ ଜମେଇଲି ଓ ସେହି ଟଙ୍କାକୁ ପାଣ୍ଠି କରି ଖଣ୍ଡିଏ ଲୁଗା ଦୋକାନ ଆରମ୍ଭ କଲି । ସେହି ସାମାନ୍ୟ ପାଣ୍ଠି ବଢ଼ି ବଢ଼ି ମୋର ବର୍ତ୍ତମାନ ଳକ୍ଷାଧିକ ଟଙ୍କାର କାରବାର ଚାଲୁଛି । ମୁଁ ତୁମ ବି.ଏ. ଏମ୍‌.ଏ. ପାସ୍‌ କରି ନ ଥିଲି କି ଓକିଲ ବାରିଷ୍ଟର ହୋଇ ନ ଥିଲି । କେତେ ଜଣ ଚାକିରି କରି ଏତେ ପଇସା କମେଇଛନ୍ତି ? ତୁମେ ତ ଚାକିରି କରିବା ପାଇଁ ପାଠ ପଢ଼ୁଛ; କେତେ ଟଙ୍କା ରୋଜଗାର କରିବାର ଆଶା କର ଭଲା ?’’

 

‘‘ମୋର ମଧ୍ୟ ଗୋଟାଏ କିଛି ବାଣିଜ୍ୟ ବ୍ୟବସାୟ କରିବାକୁ ଭାରି ଇଚ୍ଛା, କିନ୍ତୁ ମୂଳଧନ କାହିଁ ?’’

 

‘‘ମୂଳଧନ ପାଇଁ କଥା ଅଟକି ଯାଏ ନାହିଁ । ମୂଳଧନ କରିନେବାକୁ ହୁଏ । ତୁମର ଯଦି ଏପରି ଇଚ୍ଛା, ମୋ ଦୋକାନରେ ଆସି କାମଦାମ ଶିଖ, ମୁଁ ମଧ୍ୟ ହିସାବ ପତ୍ର ରଖିବା ଲାଗି ଜଣେ ମୋହରିର ଖୋଜୁଥିଲି । କାରବାରଟା ଅନେକ ଚଢ଼ିଗଲାଣି । ଏବର୍ଷ ପୁଣି ଗଡ଼ଜାତର କାଠ ଓ ଲାଖ ବ୍ୟବସାୟ ହାତକୁ ନେଇଛି । ଦେଖୁଛି, ଆଉ ଜଣେ ଲୋକ ନ ରଖିଲେ ଚଳିବ ନାହିଁ । ତୁମେ ଏଥିରେ ଦିନାକେତେ ରହି ଯଦି ଭଲ କାମ ଦେଖାଅ, ତାହାହେଲେ କେତୋଟି କାରବାରର ଭାଗ ତୁମ ଉପରେ ଦେଇପାରେଁ ଓ ଦରମା’ ଛଡ଼ା ଲାଭର କିଛି ଅଂଶ ମଧ୍ୟ ତୁମେ ପାଇ ପାର । ଏଥିରେ ରହିଲେ ତୁମେ ବେପାର ଶିଖିବାର ଅନେକ ସୁବିଧା ପାଇବ । ତୁମେ ଯେପରି ପଢ଼ାଶୁଣା କରିଛ, ମୋର ବିଶ୍ୱାସ, ଏ କାମ ତୁମହାତରେ ଭଲ ଚଳି ପାରିବ ।’’

 

‘‘ଆପଣ ମୋ ପ୍ରତି ଖୁବ୍‌ ଅନୁଗ୍ରହ ଦେଖାଇଲେ । କହିଲେ କାଲିଠାରୁ ଆସି କାର୍ଯ୍ୟରେ ଯୋଗ ଦେବି ।’’

 

କୁଳମଣି ରହିବାର ସ୍ଥିର ହେବାରୁ କିସନ୍‌ଲାଲ ସାଧୁତା ବିଷୟରେ ଗୋଟିଏ ସୁଦୀର୍ଘ ବକ୍ତୃତା ଦେଇ ତାକୁ ବିଦାୟ ଦେଲେ । କୁଳମଣି ନିଜ ରୁଚି ଓ ଅଭିଳାଷର ଅନୁକୂଳ ସୁବିଧା ପାଇ ଅତ୍ୟନ୍ତ ଆନନ୍ଦିତ ହୋଇ ଘରକୁ ଫେରିଲା ।

 

 

 

 

ନୀଳମଣି ଓ ତାଙ୍କ ମାଆ ଏକଥା ଶୁଣି ନାନା ଆପତ୍ତି ଦେଖାଇ କୁଳମଣିକୁ ଏ ହୀନ କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ଅନେକ ଚେଷ୍ଟା କଲେ । କିନ୍ତୁ ତାର ଦୃଢ଼ ସଂକଳ୍ପ କେହି ଟଳାଇ ପାରିଲେ ନାହିଁ ।

 

(୩)

 

କେତେଟା ମାସ ମଧ୍ୟରେ କିସନ୍‌ଲାଲ ବୁଝି ପାରିଲେ ଯେ, କୁଳମଣିକୁ ରଖିବା ଦ୍ୱାରା ସେ ଯେ କେବଳ ତା ପ୍ରତି ଗୋଟାଏ ଅନୁଗ୍ରହ ଦେଖାଇ ଅଛନ୍ତି ତାହା ନୁହେଁ, ନିଜେ ମଧ୍ୟ ଜଣେ ବିଶ୍ୱାସୀ ଓ କାର୍ଯ୍ୟଦକ୍ଷ କର୍ମଚାରୀ ପାଇଅଛନ୍ତି । ପ୍ରଥମେ ପ୍ରଥମେ କିସନ୍‌ଲାଲ କୁଳମଣିର ଗତିବିଧି ଉପରେ ଗୋପନ ଭାବରେ ଦୃଷ୍ଟି ରଖିଥିଲେ । କିନ୍ତୁ ଯେତେବେଳେ ଦେଖିଲେ ଯେ, ସେ ସଂଶୟ ଅବିଶ୍ୱାସର ବହୁ ଉର୍ଦ୍ଧ୍ୱରେ, ସେ କ୍ରମେ ତା ଉପରେ କେତେ ଗୁଡ଼ିଏ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟର ଭାର ନ୍ୟସ୍ତ କଲେ । କୁଳମଣି ମଧ୍ୟ ସବୁ କାର୍ଯ୍ୟ ପ୍ରଫୁଲ୍ଲ ଚିତ୍ତରେ ଯତ୍ନ ସହକାରେ କରିବାକୁ ଲାଗିଲେ ଏବଂ ତାର ପ୍ରଭୁ ଯେ ଏତେ ଶୀଘ୍ର ତାର କର୍ମକୁଶଳତାର ପରିଚୟ ପାଇ ଅନେକ ପୁରାତନ କର୍ମଚାରୀଙ୍କ ଉପରେ ତାକୁ ସ୍ଥାନ ଦେଇଅଛନ୍ତି, ଏକଥା ବୁଝିପାରି ମନେ ମନେ ଟିକିଏ ଗର୍ବ ଅନୁଭବ କଲା ।

 

କୁଳମଣି ଜାଣେ, ତାର ବର୍ତ୍ତମାନ କାର୍ଯ୍ୟତତ୍‌ପରତା ଉପରେ ତାର ଚିରପୋଷିତ ବାଞ୍ଛାର ସଫଳତା ସମ୍ପୂର୍ଣ୍ଣ ନିର୍ଭର କରୁଅଛି । ଏଥିଲାଗି ନିଜର କାର୍ଯ୍ୟ ମନେ କରି ସେ ପରମ ଉତ୍ସାହରେ ସବୁ କାର୍ଯ୍ୟ ସମ୍ପନ୍ନ କରେ । ଦିନେ କେହି ତାଠାରେ କ୍ଳାନ୍ତି ବା ବିରକ୍ତିର ଲକ୍ଷଣ ଦେଖି ନାହିଁ । କାର୍ଯ୍ୟରେ ତାର ଶାନ୍ତି, କାର୍ଯ୍ୟରେ ତାର ଆନନ୍ଦ ।

 

କୁଳମଣିର ବିଚକ୍ଷଣ ବ୍ୟବସାୟ-ବୃଦ୍ଧି ଓ ବିନୟ-ନମ୍ର ବ୍ୟବହାର ଦେଖି କିସନ୍‌ଲାଲ କ୍ରମେ ତା ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ । ସେ ଅନ୍ୟାନ୍ୟ କର୍ମଚାରୀଙ୍କଠାରୁ ତାକୁ ଭିନ୍ନ ଚକ୍ଷୁରେ ଦେଖନ୍ତି- ସେ ଯେପରି ତାଙ୍କ ଘରର ଲୋକ ।

 

ଦିନେ କିସନ୍‌ଲାଲ କୁଳମଣି ହାତରେ ଦଶୋଟି ରାମାଭିଷେକୀ ମୋହର ଦେଇ କହିଲେ, ‘‘ଏଥିରେ ମଙ୍ଗୁ (କିସନ୍‌ଲାଲଙ୍କ ନାତି) ପାଇଁ ଗୋଟିଏ ହାର ତିଆରି କରାଯିବ । ମୁଁ ଆନନ୍ଦ ପୃଷ୍ଟିକୁ କହିଛି, ସେ କାଲି ଆଡ଼କୁ ଆସି ଏହାକୁ ନେଇଯିବ । ତୁମେ ବର୍ତ୍ତମାନ ଏତକ ନିଜ ପାଖରେ ରଖିଥାଅ ।’’ ଏହା କହି ଦେଇ କିସନ୍‌ଲାଲ ଘର ଭିତରକୁ ଚାଲିଗଲେ ।

 

କୁଳମଣି ମୋହରଗୁଡ଼ିକ ନେଇ ନିଜ ହାତ ବାକ୍‌ସର ଉପର ଡାଲାରେ ରଖିଦେଲା ଓ ସେହିଠାରେ ବସି କାର୍ଯ୍ୟ କରିବାକୁ ଲାଗିଲା ।

 

କିଛି ସମୟ ପରେ ନୀଳମିଣି କଚେରୀରୁ ଫେରି ସେଠାରେ ଉପସ୍ଥିତ ହେଲା ଓ କୁଳମଣିକୁ ଦେଖି କହିଲା, ‘‘କି ରେ କୁଳ ! ତୋର କ’ଣ ଏତେବେଳଯାଏ କାମ ସରି ନାହିଁ ? ଆଉ କେତେ ଡେରି ହେବ ?’’ ଏହା କହି ନୀଳମଣି ସେଠାରେ ବସିଗଲା ।

 

କୁଳମଣି କହିଲା, ‘‘କାମ ଆସି ସଇଲାଣି । ଟିକିଏ ବସ ସାଙ୍ଗହୋଇ ଘରକୁ ଯିବା ।’’

 

କୁଳମଣି ନିଜର ବାକ୍‌ସ ଖୋଲି କ’ଣ ହିସାବପତ୍ର ମିଳାଉଥିଲା । ଖୋଲା ବାକ୍‌ସ ଉପରେ ନୀଳମଣିର ଆଖି ପଡ଼ିବାରୁ ସେ ହସି ହସି କହିଲା, ‘‘କିରେ ! ତୋ ବାକ୍‌ସରେ ତ ଆଜି ଗଦା ଗଦା ମଉଡ଼ି ? ଖାଲି ଚିନିବୁହା ବଳଦ ପରି ଭାର ବୋହୁଛୁ, ନା କିଛି ମିଠା ପାଇଲୁଣି ?’’ ଏହା କହି ନୀଳମଣି ୨/୩ ଟି ମୋହର ନେଇ ଏପାଖ ସେପାଖ ପରୀକ୍ଷା କରିବାକୁ ଲାଗିଲା ଓ କୁଳମଣିକୁ ମୋହର ସମ୍ୱନ୍ଧରେ ନାନା ପ୍ରଶ୍ନ କରି ବିବ୍ରତ କରି ପକାଇଲା ।

 

କୁଳମଣି ତଥାପି କାଗଜ ଧରି ବସିଥିବାର ଦେଖି ନୀଳମଣି କହିଲା, ‘‘ଆରେ ? ସେତିକି ହୋଇଥାଉ । ଯାହା ରହିଲା, କାଲି କଲେ ହେବ ନାହିଁ ? ଯେଉଁ ଦରମା’ ତ, ତହିଁକି ପୁଣି ଦିନରାତି ଗଧ ପରି ମିହନ୍ତ !’’

 

କୁଳମଣି ଦେଖିଲା, ଆଉ କିଛି କାର୍ଯ୍ୟ ହୋଇପାରିବ ନାହିଁ । ନୀଳମଣି କୌଣସିଠାରେ ଏକ ମୁହୂର୍ତ୍ତ ସ୍ଥିର ହୋଇ ବସିପାରେ ନାହିଁ । ସେ ଯେତେବେଳେ ସେଠାକୁ ଆସେ ସବୁ ନଅଛଅ କରି ଦେଇ କୁଳମଣିର ନିୟମ ଶୃଙ୍ଖଳା ଆଦି ଆଲୁରୁ ବାଲୁରୁ କରିଦିଏ ।

 

କୁଳମଣି ଶେଷରେ କହିଲା, ‘‘ଆଚ୍ଛା ତେବେ ଥାଉ । ତୁମେ ତେବେ ଟିକିଏ ବସ, କଲିକତାରୁ କେତେଟା ମାଲ ଆସିଛି, ମୁଁ ତାକୁ ଗୋଦାମରେ ଦେଇ ଆସେଁ । ପନ୍ଦର ମିନିଟରୁ ବେଶି ବିଳମ୍ୱ ହେବ ନାହିଁ ଯେ ।’’

 

‘‘ତେବେ ଶୀଘ୍ର ଆ’’ ଏହା କହିଦେଇ ନୀଳମଣି ‘ଦୀପିକା’ ଖଣ୍ଡ ଧରି ପଢ଼ିବାକୁ ବସିଲା-। କୁଳମଣି ବାକ୍‌ସ ବନ୍ଦ ନ କରି ତରତର ହୋଇ ସଡ଼କ ଆରପାଖ ଗୋଦାମ ଘରକୁ ଚାଲିଗଲା ।

 

ନୀଳମଣି କାଗଜ ଖଣ୍ଡ ଧରି ନିବିଷ୍ଟ ଚିତ୍ତରେ ପଢ଼ୁଛି, ଏହି ସମୟରେ କିଏ ଡାକିଲା, ‘‘କି ହେ ନୀଳୁବାବୁ ?’’ ନୀଳମଣି ମୁହଁ ଟେକି ସଡ଼କ ଆଡ଼କୁ ଟିକିଏ ଅନାଇ ଦେଲା ଓ ହଠାତ୍‌କାଗଜ ଖଣ୍ଡ ପକାଇ ଦେଇ ‘‘ଗୋବିନ୍ଦ ବାବୁ ? ଏଣେ କୁଆଡ଼େ’’ କହି ଯାଇ ତାହାର ପୁରାତନ ବନ୍ଧୁଙ୍କୁ ଆଲିଙ୍ଗନ ପାଶରେ ବଦ୍ଧ କରି ଦେଲା । କିଛି ସମୟ କଥାବାର୍ତ୍ତା ହେଲାପରେ ଉଭୟ ବନ୍ଧୁ ପରସ୍ପରଠାରୁ ବିଦାୟ ନେଲେ । ନୀଳମଣି ଆସି ପୁନର୍ବାର ଦୋକାନରେ ବସିଛି, ଏପରି ସମୟରେ କୁଳମଣି ଫେରି ଆସିଲା । କୁଳମଣି ତହୁଁ ବାକ୍‌ସଟି ବନ୍ଦ କରି ଘର ଭିତରେ ରଖିଦେଇ ଘରେ କୋଲପ ପକାଇ ଦେଲା ଓ ଦୁଇଭାଇ ଯାକ ସାଙ୍ଗ ହୋଇ ଘରକୁ ଆସିଲେ ।

 

ତହୁଁ ଆରଦିନ କିସନ୍‌ଲାଲ ଯେତେବେଳେ ମୋହର ମଗାଇଲେ, କୁଳମଣି ଆଉ କିଛି ନ ଦେଖି ଥୋକପଣେ ଉଠାଇ ନେଇ ମୋହରତକ କିସନ୍‌ଲାଲଙ୍କ ହାତକୁ ବଢ଼ାଇ ଦେଲା । କିସନ୍‌ଲାଲ ଗଣିକରି ଦେଖିଲେ ଜମାରୁ ଛଅଟି ମୋହର ଅଛି । କୁଳମଣିକୁ ଏହାର କାରଣ ପଚାରିବାରୁ ସେ ବଡ଼ ଅପ୍ରତିଭ ହୋଇଗଲା ।

 

ସେ ଆଉ କିଛି କଥା ନ କହି ବାକ୍‌ସ ନିକଟକୁ ଦୌଡ଼ି ଆସିଲା । ସେ ମନେ କଲା, ଭାଇ କାଲି ମୋହର ଦେଖୁଥିଲେ, ସେ ଯେପରି ଅସାବଧାନ ଲୋକ, ବୋଧ ହୁଏ ବାକ୍‌ସ ମଧ୍ୟରେ କେଉଁଠାରେ ପକାଇ ଦେଇଅଛନ୍ତି । କିନ୍ତୁ ବାକ୍‌ସ ତମାମ ତନ୍ନ ତନ୍ନ କରି ଖୋଜି କେଉଁଠାରେ ମୋହର ନ ପାଇବାରୁ କୁଳମଣିର ମଥା ଘାଉଁରିଗଲା । ତାକୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା । କ’ଣ କରିବ ତାକୁ କିଛି ବୁଦ୍ଧି ବାଟ ଦିଶିଲା ନାହିଁ ।

 

ଏଣେ କିସନ୍‌ଲାଲ ଅନେକ ବିଳମ୍ୱ ହେବାର ଦେଖି କୁଆଡ଼େ ଗଲା ବୋଲି କୁଳମଣିକୁ ଡକାଇ ପଠାଇଲେ । ସେତେବେଳକୁ କୁଳମଣିର ଦେହ କଳାକାଠ ପଡ଼ିଗଲାଣି । ଓଠ ଶୁଖିଯାଇ ମୁହଁରୁ ବଚନ ବାହାରୁ ନାହିଁ । କିସନ୍‌ଲାଲ ପୁନରାୟ ମୋହର କଥା ପଚାରିବାରୁ ସେ ବହୁ କଷ୍ଟରେ ଉତ୍ତର ଦେଲା ‘‘ମୁଁ କାଲି ସବୁ ମୋହରତକ ମୋ ବାକ୍‌ସରେ ରଖି ଦେଇଥିଲି ଚାବି ବରାବର ମୋ ପାଖରେ ଅଛି । ଆଉ ଚାରୋଟି ମୋହର କୁଆଡ଼େ ଗଲା ମୁଁ ତ କିଛି ବୁଝି ପାରୁ ନାହିଁ ।’’

 

କିସନ୍‌ଲାଲ କିଛିକ୍ଷଣ ଅବାକ୍‌ ହୋଇ କୁଳମଣି ମୁହଁକୁ ଅନାଇଁ ରହିଲେ ଓ ପରେ ସେ କିପରି ଭାବରେ କେଉଁଠାରେ ମୋହର ରଖିଥିଲା, ବାକ୍‌ସର ଚାବି ବନ୍ଦ କରିଥିଲା କି ନା, ଇତ୍ୟାଦି ନାନା ପ୍ରଶ୍ନ କରିବାକୁ ଲାଗିଲେ । ଶେଷରେ କିସନ୍‌ଲାଲ କହିଲେ, ‘‘ବାକ୍‌ସ ବନ୍ଦ କରି ଚାବି ତ ବରାବର୍‌ ତୁମ ପାଖରେ ରଖିଛ, ଯେଉଁ ଘରେ ବାକ୍‌ସ ଥିଲା ତାହାର ଚାବି ମଧ୍ୟ ତୁମ ହାତରେ, ଆଜି ବାକ୍‌ସ ଖୋଲିଲାବେଳେ ସେହିପରି ବନ୍ଦ ଥିଲା ବୋଲି ତ କହୁଛ, ତେବେ ଜଣାପଡ଼ୁଛି ଘରଭିତରେ ବାକ୍‌ସ ଥିବା ମଧ୍ୟରେ କେହି ମୋହର ନେଇ ନାହିଁ । ଯଦି ନେଇଥାଏ ତାହା ପୂର୍ବରୁ । ଆଚ୍ଛା, ମୁଁ ତୁମ୍ଭଙ୍କୁ ମୋହର ଦେବାର କେତେ ସମୟ ପରେ ତୁମେ ବାକ୍‌ସ ବନ୍ଦ କରି ଘରକୁ ଗଲ-?’’

 

‘‘ପ୍ରାୟ ଅଧଘଣ୍ଟା ପରେ ।’’

 

‘‘ତେବେ ଏହି ଅଧଘଣ୍ଟାକ ମଧ୍ୟରେ କେହି ମୋହର ନେଇଛି । ଆଚ୍ଛା, ଏହି ସମୟ ମଧ୍ୟରେ କାଲି ତୁମ ନିକଟକୁ କିଏ କିଏ ଆସିଥିଲେ କହିପାରିବ କି ?’’

 

ଏ ପ୍ରଶ୍ନ ଶୁଣି ବିଦ୍ୟୁତ୍‌ ବିକାଶ ପରି ହଠାତ୍‌ କୁଳମଣି ମନରେ ଗୋଟିଏ ସନ୍ଦେହ ଜାଗ୍ରତ ହେଲା । ସେ ଭାବିଲା, ଆଉ ତ କେହି ସେଠାରେ ନ ଥିଲେ, କେବଳ ଭାଇ ବସି ମୋହରଗୁଡ଼ାକ ଦେଖୁଥିଲେ । ତେବେ କ’ଣ ଆଉ .... ? ଏ କଥା ଭାବିଲାମାତ୍ରେ କୁଳମଣିର ମନେ ହେଲା ତା ବକ୍ଷସ୍ଥଳରେ ଯେପରି କିଏ ଗୋଟାଏ ଲୌହଶଳାକା ବିଦ୍ଧ କରି ଦେଲା । ତାହାର ମୁଖ ଆହୁରି ମଳିନ ପଡ଼ିଗଲା । କି ଉତ୍ତର ଦେବ ସେ କିଛି ବୁଝି ପାରିଲା ନାହିଁ । କିସନ୍‌ଲାଲ ତାର ଉତ୍ତରର ପ୍ରତୀକ୍ଷା କରି ଅଛନ୍ତି ଦେଖି ଶେଷରେ ସେ କହିଲା, ‘‘ସେ ସମୟରେ ମୋ ପାଖକୁ କେହି ଆସିଥିବାର ତ ମୋର ହେଜ ହେଉ ନାହିଁ ।’’

 

କୁଳମଣି ଯେ ଟିକିଏ ହତବୁଦ୍ଧି ହୋଇ ପଡ଼ିଛି, କିସନ୍‌ଲାଲ ଏହା ବୁଝି ପାରିଲେ । ସେ କହିଲେ, ‘‘ଆଚ୍ଛା ତୁମେ ଭଲ କରି ହେଜି ମୋତେ ଦିନେ ଦୁଇଦିନ ମଧ୍ୟରେ କହ । ମୁଁ ମଧ୍ୟ ଭଲରକମ ଏହାର ସନ୍ଧାନ ନେଉଛି । ଗୋଟିଏ ବିଚାର ନ କରି ମୁଁ ଛାଡ଼ିବି ନାହିଁ । ବାକ୍‌ସ ଭିତରୁ ତହବିଲ ଚୋରି- ସହଜ କଥା ନୁହେଁ ।’’

 

କୁଳମଣି ସେ ଦିନ ଆସି ନୀଳମଣି ଆଗରେ ଚୋରି କଥା ଆନୁପୂର୍ବିକ ବର୍ଣ୍ଣନା କରିଗଲା-। ଦେଖିଲା, ନୀଳମଣିର କୌଣସି ଭାବାନ୍ତର ଲକ୍ଷିତ ହେଲା ନାହିଁ । ସେ ପଚାରିଲା, ‘‘ଆଚ୍ଛା, ମୁଁ ଗୋଦାମକୁ ଯିବା ଭିତରେ ଆଉ କେହି ସେଠାକୁ ଆସିଥିଲେ ?’’

 

‘‘ନା, ମୁଁ ତ ବରାବର ଥିଲି, ଆଉ କେହି ଆସିବାର ଦେଖି ନାହିଁ ।’’ କୁଳମଣି ଗୋଟିଏ ନିରାଶାର ଦୀର୍ଘ ନିଃଶ୍ୱାସ ପକାଇ ଚୁପ ହୋଇ ବସି ରହିଲା । ନୀଳମଣି କହିଲା, ‘‘ଯାହାର ତ ମାଲ ଗଲା, ଗଲା । ତୁ ଏଥିଲାଗି ଅକାରଣେ ଏତେ ବ୍ୟସ୍ତ ହଉଛୁ କାହିଁକି ?’’

 

କୁଳମଣି କହିଲା, ‘‘ଘଟନା ଯେପରି ହୋଇଛି, ମୋ ଉପରେ ପୁରା ସନ୍ଦେହ ହେବାର କଥା । ଅନ୍ୟ କାହାରିକୁ ସନ୍ଦେହ କରିବାର ତ କିଛି କାରଣ ଦେଖାଯାଉ ନାହିଁ ।’’ ନୀଳମଣି ହସି ହସି କହିଲା, ‘‘ତୁ ଗୋଟାଏ ପାଗଳ ନା କ’ଣ ? ତୋତେ ସନ୍ଦେହ କରିବି ଏଡ଼େ ଛାତି କାହାର ?’’

 

ନୀଳମଣିର ବେଖାତିର କଥା ଶୁଣି କୁଳମଣି ମନେ ମନେ ଟିକିଏ ବିରକ୍ତ ହୋଇ ସେଠାରୁ ଉଠି ଚାଲିଗଲା ।

 

ଏହାର ଦୁଇଦିନ ପରେ ଦୈବାତ୍‌ ମାଧବ କୁଣ୍ଡ ସଙ୍ଗେ କୁଳମଣିର ଦେଖା ହେଲା । ମାଧବ କୁଣ୍ଡ ରାଧାଶ୍ୟାମ ବାବୁଙ୍କର ଜଣେ ବଡ଼ ମହାଜନ । କୁଳମଣି ଜାଣେ, ବାପାଙ୍କ କାଳ ହେବା ପରେ ତାର ଅନେକ ଗୁଡ଼ାଏ ପାଉଣା ବାକୀ ଥିଲା । କିନ୍ତୁ ବର୍ତ୍ତମାନ ଶୁଣିଲା ଯେ ନୀଳମଣି ସବୁ ପରିଶୋଧ କରିଅଛନ୍ତି । ବାକୀ ଟଙ୍କା ପନ୍ଦରଟା ଥିଲା ଯେ, ତାହା ମଧ୍ୟ କାଲି ଛିଣ୍ଡାଇ ଦେଲେ । ଏ କଥା ଶୁଣି କୁଳମଣି ଭାବିଲା ବର୍ତ୍ତମାନ ତ ପହିଲା ସମୟ ନୁହେଁ, ଭାଇ ଟଙ୍କା ପାଇଲେ କେଉଁଠାରୁ-? ତେବେ କ’ଣ କଥାଟା ସତ୍ୟ ? କୁଳମଣି ସେଠାରେ ଆଉ ରହିପାରିଲା ନାହିଁ । ଭାଇଙ୍କୁ ସନ୍ଦେହ କରିବାକୁ ପ୍ରଥମେ ତାର ଇଚ୍ଛା ବା ସାହାସ ହେଉ ନ ଥିଲା । କିନ୍ତୁ ଉପାୟ କ’ଣ ? ଘଟନାଗୁଡ଼ାକ ତ ଆଉ ମିଥ୍ୟା ସାକ୍ଷ୍ୟ ଦେବେ ନାହିଁ ।

 

ରାଧାଶ୍ୟାମ ବାବୁଙ୍କ ସ୍ତ୍ରୀ କୁଳମଣିଠାରୁ ସବୁ କଥା ଶୁଣିଲେ । କୁଳମଣି ତା’ର ମନର ସନ୍ଦେହଟା ମଧ୍ୟ ତାଙ୍କ ନିକଟରେ ଗୋପନ କରି ନାହିଁ । ଶୁଣି ଦୁଃଖ, ଲଜ୍ଜା ଓ ଘୃଣାରେ ତାଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା । ହାୟ ! ଯାହାଠାରେ ସେ ଏତେ ଆଶା ଭରସା ବାନ୍ଧିଥିଲେ ତାର ଦଶା ଶେଷରେ ଏଇତା ହେଲା । ସେ ଆଉ ସମ୍ଭାଳି ନ ପାରି ରୋଦନ କରିବାକୁ ଲାଗିଲେ ।

 

କୁଳମଣି କହିଲା, ‘‘ମା, ତୁ ବୃଥା ଏତେ ବ୍ୟାକୁଳ ହେଉଛୁ କାହିଁକି ? ଆମ୍ଭମାନଙ୍କ ସନ୍ଦେହ ଅମୂଳକ ହୋଇପାରେ । ହୁଏତ ଭାଇ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ଏହିକ୍ଷଣି ତ କିଛି ଜଣା ଯାଇ ନାହିଁ, ଖାଲି ଗୋଟାଏ ଅନୁମାନ କରିବା କଥା ।

 

ମା’ କହିଲେ, ‘‘ତୁ ମୋତେ ବୁଝେଇବୁ କ’ଣ ? ମୋ ମନ ତ ମୋତେ କହୁଛି, ନୀଳୁ ଏଥିରେ ଅଛି । ଅନେକ ଦିନ ହେଲା ତାର ଢଙ୍ଗଢ଼ାଙ୍ଗ ମୋତେ କାହିକିଁ ଭଲ ଲାଗୁ ନାହିଁ । ଆଜିକାଲି ତାକୁ ଦଣ୍ଡେ ଘରେ ଦେଖିବାକୁ ସପନ । ନିତି ରାତିରେ ଘରକୁ ଫେରୁ ଫେରୁ ଦଶଟା କି ଏଗାରଟା । ଗଣ୍ଡାଏ କ’ଣ ଖାଇ ଦେଇ ଅଧରାତି ପର୍ଯ୍ୟନ୍ତ ଆଲୁଅ ଜାଳି କ’ଣ ସେ କରୁଥାଏ, ସେ ଜାଣେ । ରୂପ ଭେକ ତ ସବୁ ଗଲାଣି- ଦିନକୁ ଦିନ ଖାଲି ଖିନ୍ନ ହୋଇ ଯାଉଛି । ହଁ, କାଲି ଯେମିତି ବଳିଆ କହୁଥିଲା, ତା କୁରୁତା ପାକିଟିରୁ ଗୋଟିଏ ଗିନି ଓ କେତେ ପଇସା ତଳେ ଖସି ପଡ଼ିଲା । ଟଙ୍କା କେଇଟାତ ଯାହା ପାଏ ମୋ ହାତରେ । ସେ ଏତେ ପଇସା ପାଉଛି କେଉଁଠୁ ? ଆଉ କ’ଣ କରିଛି କେଜାଣି ? ମୋତେ ମରଣ ହେଲା ନାହିଁ ଯାହା ।’’ ଏହା କହି ଯେ ପୁନରାୟ କ୍ରନ୍ଦନ କରିବାକୁ ଲାଗିଲେ ।

 

କୁଳମଣି ଆଉ କିଛି ଉତ୍ତର ଦେଇ ପାରିଲା ନାହିଁ । ତା ମନରେ ଆଉ ଅଣୁମାତ୍ର ସନ୍ଦେହ ରହିଲା ନାହିଁ । ସେ ଭାବିଲା, ବୋଧହୁଏ ପେଶାଦାରମାନଙ୍କର କଟୁକଥା ସହି ନପାରି ସେ ଯେପରି କରି ପକାଇ ଅଛନ୍ତି । କପାଳରେ ଯାହା ଥାଉ ସବୁ ମୋତେ ମୁଣ୍ଡାଇବାକୁ ହେବ । ଏହିପରି ମନକୁ ଟିକିଏ ଦୃଢ଼ କରିନେଇ କୁଳମଣି କିସନ୍‌ଲାଲଙ୍କ ଘରଠାକୁ ବାହାରିଲା ।

 

କିସନ୍‌ଲାଲ କୁଳମଣିକୁ ଦେଖି ପୁଣି ଚୋରି ସମ୍ୱନ୍ଧରେ ନାନା ପ୍ରଶ୍ନ କରି ଶେଷରେ କହିଲେ, ‘‘ସେ ସମୟରେ ତୁମ ନିକଟକୁ କିଏ ଆସିଥିଲା, ତୁମର କିଛି ସ୍ମରଣ ହେଲା ?’’

 

କୁଳମଣି କହିଲା, ‘‘ନାଁ, ସେ ସମୟରେ ମୋ ନିକଟକୁ କେହି ଆସି ନାହାନ୍ତି । ମୁଁ ଏକା ବସି କାମ କରୁଥିଲି ।’’

 

କିସନ ଲାଲ ଏଥିମଧ୍ୟରେ ଅନେକ ଲୋକଙ୍କଠାରୁ ନାନା ତଦନ୍ତ କରି ଚୋରିର କିଛି କୂଳ କିନାରା ନ ପାଇବାରୁ କଥାଟା ବାହାର କରିବାକୁ ତାଙ୍କର ସଂକଳ୍ପ ଦୃଢ଼ତର ହୋଇ ଉଠିଥିଲା । କୁଳମଣିର ଉତ୍ତର ଶୁଣି ସେ କହିଲେ, ‘‘ତେବେ ଦେଖୁଛି କଅଁଳିଆ କଥାରେ କିଛି ହେବ ନାହିଁ । ପୁଲିସ ହାତରେ ଏହାର ଅନୁସନ୍ଧାନର ଭାର ନ୍ୟସ୍ତ କରିବାକୁ ହେବ ।’’

 

ଏକଥା ଶୁଣି କୁଳମଣି ଟିକିଏ ଚମକି ଉଠିଲା । କାଳେ ପୁଲିସ ତଦନ୍ତ ହେଲେ ଅସଲ କଥାଟା ବାହାରି ପଡ଼ିବ, ଏହା ଭାବି ସେ ବ୍ୟଗ୍ରତା ସହକାରେ କହିଲା, ‘‘ଆଉ ପୁଲିସ ହାତରେ ଏସବୁ ଦିଅନ୍ତୁ ନାହିଁ । ଆପଣ ନିଜେ ତଦନ୍ତ କରି ଯାହା କରିବାର ଗୋଟାଏ ଫଇସଲା କରି ଦିଅନ୍ତୁ-। ଯଦି କିଛି ଧରା ନ ପଡ଼େ ମୋ ପାଖରୁ ଯେତେବେଳେ ଯାଇଛି, ମୁଁ ଏଇଟା ହାତରୁ ସହିବି-।’’

 

କୁଳମଣିର ଭାବାନ୍ତର କିସନ୍‌ଲାଲଙ୍କ ଦୃଷ୍ଟିର ଅଗୋଚର ରହିଲା ନାହିଁ । ସେ କୁଳମଣିର ଅନୁରୋଧ ଶୁଣି ଟିକିଏ ବିସ୍ମିତ ହୋଇ ଚିନ୍ତା କରିବାକୁ ଲାଗିଲେ । କଥାଟା କ୍ରମେ ତାଙ୍କୁ ଆହୁରି ରହସ୍ୟମୟ ବୋଧ ହେଲା । କୁଳମଣିକୁ ସନ୍ଦେହ କରିବାକୁ ତାଙ୍କର ସାହସ ହେଉ ନଥିଲେ ସୁଦ୍ଧା ଘଟନାବଳୀର ନିର୍ଦ୍ଦେଶକୁ ସେ ଆଗ୍ରହ୍ୟ କରିପାରିଲେ ନାହିଁ । ସେ ଭାବିଲେ, ହୁଏତ କୁଳମଣି କୌଣସି ଲୋକକୁ ରକ୍ଷା କରିବାକୁ ଚେଷ୍ଟା କରୁଛି, ନାହିଁ ତ ସେ ନିଜେ ଏ କାର୍ଯ୍ୟ କରିଛି । ଏ ରହସ୍ୟ-ଜାଲ ଭେଦ କରିବାକୁ ତାଙ୍କର କୌତୁହଳ ଆହୁରି ବୃଦ୍ଧି ପାଇଲା ।

 

ସେଦିନ ପୁଲିସ ଥାନାକୁ ଏତଲା ପଠାଗଲା ।

 

ଦିନେ ନୀଳମଣିଙ୍କ ମା’ ନୀଳମଣିକୁ ଡାକି କହିଲେ, ‘‘ହଇରେ ନୀଳୁ । ମଉଡ଼ ଚୋରି କଥା କ’ଣ ହୋଇଛି, ଶୁଣିଲୁଣି ?’’

 

ନୀଳମଣି କହିଲା, ‘‘ହଁ ଶୁଣୁଛି, କଚିରିରେ ମାମଲା ଯାକେ ଗଲାଣି ?’’

 

ନୀଳମଣିର ଏପରି ନିଶ୍ଚିନ୍ତ ଭାବ ଦେଖି ମା’ଙ୍କ ମନରେ ବଡ଼ କଷ୍ଟ ହେଲା । ସେ କହିଲେ, ‘‘ଭାଇଟା ଏମିତି ଘାଣ୍ଟି ହେଉଛି, ତୋତେ କ’ଣ ଟିକିଏ ବାଧୁ ନାହିଁ ? ତୋର ଏସବୁ କି ଢଙ୍ଗ ରେ ନୀଳୁ ?’’

 

ନୀଳମଣି କହିଲା, ‘‘ତୁ ବୃଥା ବ୍ୟସ୍ତ ହେଉଛୁ କାହିଁକି ? କଥାଟା ମକଦ୍ଦମା ଉପରକୁ ଅଇଲାଣି, ଭଲ ହେଲା । ତାହାହେଲେ ପ୍ରକାଶ୍ୟ ଅଦାଲତରେ ସମସ୍ତେ ବୁଝିପାରିବେ ଯେ, ରାଧାଶ୍ୟାମ ଦାସଙ୍କ ପୁଅମାନେ ଏସବୁ ପ୍ରଲୋଭନର ଅନେକ ଉପରେ ।’’

 

ନୀଳମଣିଙ୍କ ମା’ ଏ କଥାରେ କି ଉତ୍ତର ଦେବେ ଠିକଣା କରିପାରିଲେ ନାହିଁ । ଏ ସମ୍ବନ୍ଧରେ ଭାଇଙ୍କୁ କୌଣସି କଥା କହିବାକୁ କୁଳମଣି ଅନେକ ରାଣ ପକାଇ ମାଙ୍କୁ ବାରମ୍ୱାର ନିଷେଧ କରିଥିଲା । ସେହି କଥା ସ୍ମରଣ କରି ସେ ନୀରବ ରହିଲେ ।

 

ଆଜି ମୋହର-ଚୋରି ମକଦ୍ଦମାର ବିଚାରର ତାରିଖ । ପେନାଲ କୋର୍ଡ଼ (ଦଣ୍ଡବିଧି ଆଇନ)ର ଅମୋଘ ବିଧିଦ୍ୱାରା ଅଭିଯୁକ୍ତ ହୋଇ କୁଳମଣି ଆଜି ଅଦାଲତରେ ଆସାମୀରୂପେ ଦଣ୍ଡାୟମାନ । ଶେଷଫଳ କ’ଣ ହେବ ଜାଣିବା ଲାଗି ଅନେକ ଲୋକ ଅଦାଲତ ଗୃହରେ ରୁଣ୍ଡ ହୋଇ ଅଛନ୍ତି । ଯେଉଁ ଭଦ୍ରଲୋକମାନେ ରାଧାଶ୍ୟାମ ବାବୁଙ୍କ ଦୁଃସ୍ଥ ପରିବାରକୁ ସାହାଯ୍ୟ କରିବା ଲାଗି ଅସାଧ୍ୟ ସାଧନ କରିବେ ବୋଲି ନାନା ଆସ୍ଫାଳନ କରୁଥିଲେ, ସେମାନେ ମଧ୍ୟ ବିଚାରାଳୟଟି ମଣ୍ଡନ କରିବାକୁ ଭୁଲି ଯାଇ ନାହାନ୍ତି । ଭାବଭଙ୍ଗ ଓ କଥାବାର୍ତ୍ତାରୁ ସେମାନଙ୍କର ଆଗ୍ରହାତିଶଯ୍ୟ ସ୍ପଷ୍ଟ ପ୍ରକାଶ ପାଉଅଛି । ମକଦ୍ଦମାର ପରିମାଣ କ’ଣ ହେବ ବୁଝିପାରି କିସନ୍‌ଲାଲ ଇଚ୍ଛାକ୍ରମେ ଆଜି ଅଦାଲତରେ ଅନୁପସ୍ଥିତ ହୋଇଅଛନ୍ତି ।

 

ମୁଦେଇ ତରଫରୁ ସମସ୍ତ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଅଛି । ମୁଦାଲା ତରଫରୁ କୌଣସି ସଫେଇ ସାକ୍ଷୀ ନାହିଁ । ବର୍ତ୍ତମାନ କେବଳ ମୁଦାଲାର ଶେଷ ଜବାବ ନିଆଗଲେ ସବୁ କାର୍ଯ୍ୟ ଶେଷ ହେବ । କୁଳମଣି ଆନୁପୂର୍ବିକ ସବୁ ଘଟନା ବର୍ଣ୍ଣନା କରିଗଲା ଓ ହାକିମ ଗୋଟି ଗୋଟି କରି ସବୁ ଲେଖିଗଲେ । ଶେଷରେ ମୁଦେଇ ତରଫର ଓକୀଲ ଉପେନ୍ଦ୍ର ବାବୁଙ୍କ ସୂଚନା ଅନୁସାରେ ହାକିମ ମୁଦାଲାକୁ ପ୍ରଶ୍ନ କରିବାକୁ ଆରମ୍ଭ କଲେ । ଅନ୍ୟାନ୍ୟ ପ୍ରଶ୍ନ ପରେ ସେ କୁଳମଣିକୁ ପଚାରିଲେ, ‘‘ମୋହରତକ ପାଇଲେ ତୁମର ସବୁ ଦେଣା ପରିଶୋଧ ହୋଇ ପାରିବ ବୋଲି ତୁମେ କାହା ଆଗରେ ପ୍ରକାଶ କରିଥିଲ ?’’

 

ଏ କଥା ଶୁଣି କୁଳମଣି ବଡ଼ ଆଶ୍ଚର୍ଯ୍ୟାନ୍ୱିତ ହେଲା ଓ ବିରକ୍ତି ସହକାରେ କହିଲା, ‘‘ହଁ, ଏ କଥା ମୁଁ କିସନ୍‌ଲାଲଙ୍କ ମୋହରିର ବୃନ୍ଦାବନ ମହାନ୍ତିଙ୍କୁ ପରିହାସରେ କହିଥିଲି, ଏଥିରୁ କ’ଣ ଆପଣ ସାବ୍ୟସ୍ତ କରୁଛନ୍ତି, ମୁଁ ମୋହର ନେଇଛି ବୋଲି ?’

 

ହାକିମ - ନା ଆହୁରି ମଧ୍ୟ ଅନେକ ପ୍ରମାଣ ଅଛି, ତୁମ ନିଜ ସାକ୍ଷ୍ୟ ତ ତୁମ ବିରୁଦ୍ଧରେ ପ୍ରଧାନ ପ୍ରମାଣ ।

 

କୁଳମଣି - ହଁ, ଯେତେବେଳେ ଅନ୍ୟ କିଛି ସନ୍ଧାନ ନ ମିଳିଲା, ମୁଁ ଯେ ଏଥିଲାଗି ସମ୍ପୂର୍ଣ୍ଣ ଦାୟୀ, ତାହା ମୁଁ ସ୍ୱୀକାର କରୁଅଛି, କିନ୍ତୁ…. -

 

ଉପେନ୍ଦ୍ରବାବୁ ହାକିମକୁ ଅନାଇ ଉତ୍ସାହରେ କହିଲେ, ‘‘ହଜୁର, ଏ ଜବାବଟା ଲେଖାଯାଉ-।’’

 

ପ୍ରଶ୍ନୋତ୍ତର ଲେଖା ହେଲାରୁ ଓକିଲ ମହାଶୟ ସଂଗ୍ରାମଜୟୀ ବୀର ପରି ପାର୍ଶ୍ୱସ୍ଥ ଜୁନିୟର ଓକିଲଙ୍କ କାନରେ କହିଲେ, ‘‘ଯେପରି ଫାନ୍ଦରେ ପକାଇ ଦେଲି ଅସଲ କଥାଟା ନ କହି ଯିବ କୁଆଡ଼େ ? କିନ୍ତୁ ଟୋକାଟା ଯାହାହେଉ ଖୁବ୍‌ ଚାଲାଖ ।’’

 

ନୀଳମଣି ଯେତେବେଳେ ଅଦାଲତରେ ପ୍ରବେଶ କଲା ସେତେବେଳକୁ କୁଳମଣିର ଜବାବ ଶେଷ ହୋଇଛି ଓ ହାକିମ ସ୍ଥିରଭାବରେ ବସି ରାୟ ଲେଖୁଅଛନ୍ତି । ନୀଳମଣି ଉଦାସୀନ ଭାବରେ ଦର୍ଶକମଣ୍ଡଳୀ ମଧ୍ୟରେ ଛିଡ଼ା ହୋଇ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରିବାକୁ ଲାଗିଲା । କୁଳମଣିର ଆଖି ମଧ୍ୟ ଭାଇଙ୍କ ଉପରେ ପଡ଼ିଲା । ସେ ଦେଖିଲା, ତାଙ୍କଠାରେ ଚିନ୍ତା ବା ଦୁଃଖର ଲକ୍ଷଣ ଲେଶମାତ୍ର ନାହିଁ- ସେ ମୁଖ ଚିରକାଳ ଯେପରି ପ୍ରସନ୍ନ ଓ ପ୍ରଶାନ୍ତ ଆଜି ମଧ୍ୟ ସେହିପରି । କୁଳମଣି ଆଉ ଭାଇଙ୍କ ଆଡ଼କୁ ଅନାଇ ପାରିଲା ନାହିଁ । ତାର ଚକ୍ଷୁ ଆପେ ଆପେ ନତ ହୋଇ ପଡ଼ିଲା ।

 

ଦଣ୍ଡଟା କ’ଣ ହେବ ଜାଣିବା ଲାଗି ସମସ୍ତେ ଉଦ୍‌ଗ୍ରୀବ ହୋଇ ରହିଅଛନ୍ତି । ଅଦାଲତ ଗୃହଟି ନୀରବ ନିସ୍ତବ୍‌ଧ । ସମସ୍ତଙ୍କ ଦୃଷ୍ଟି ଥରେ କୁଳମଣି ଉପରେ ଓ ଥରେ ହାକିମଙ୍କ ଉପରେ ପଡ଼ୁଅଛି । ହଠାତ୍‌ ବାହାରେ ଗୋଟାଏ ଗୋଳମାଳ ଶୁଣାଗଲା । ସମସ୍ତେ ଦୃଷ୍ଟି ଫେରାଇ ଦେଖିଲେ, ସ୍ୱୟଂ କିସନ୍‌ଲାଲ ଗଳଦ୍‌ ଘର୍ମ ହୋଇ ଜନତା ଭେଦ କରି ଅଗ୍ରସର ହେଉଅଛନ୍ତି ଓ ତାଙ୍କ ପଛେ ପଛେ ଆହୁରି ଗୋଟିଏ ଲୋକପ୍ରବାହ । କିସନ୍‌ଲାଲ ବହୁ କଷ୍ଟରେ ଭିଡ଼ ଅତିକ୍ରମ କରି ଏଜଲାସ୍‌ ନିକଟରେ ଉପସ୍ଥିତ ହେଲେ ଓ ଉତ୍ତେଜିତ ଭାବରେ ଚିତ୍‌କାର କରି କହିଲେ, ‘‘ହଜୁର, କୁଳମଣିକୁ ଖଲାସ ଦିଆଯାଉ, ଅସଲ ଚୋର ଧରାପଡ଼ିଛି- ସାକ୍ଷୀ ପ୍ରମାଣ ଦରକାର ନାହିଁ, ସାଥେ ସାଥେ ମାଲ ବରାମଦ ।’’ କିସନ୍‌ଲାଲଙ୍କ କଥା ଶୁଣି ସମସ୍ତଙ୍କର ବିସ୍ମୟର ସୀମା’ ରହିଲା ନାହିଁ । ନିଜେ କୁଳମଣି ମଧ୍ୟ ଅତିଶୟ ବିସ୍ମିତ ହୋଇ କିସନ୍‌ଲାଲଙ୍କ ଆଡ଼କୁ ଅନାଇ ରହିଲା ।

 

କିସନ୍‌ଲାଲ ଟିକିଏ ସୁସ୍ଥିର ହୋଇ ସବୁକଥା ବର୍ଣ୍ଣନା କରିଗଲେ । ଘଟନା ଦିନ କିସନ୍‍ଲାଲଙ୍କ ଘର ଚାକର ସିରିଆ ମଙ୍ଗୁ ଲାଲକୁ ଧରି ଦୋକାନ ନିକଟରେ ଛିଡ଼ା ହୋଇଥିଲା । ନୀଳମଣି ବାକ୍‌ସରୁ ମୋହର କାଢ଼ି ଦେଖିବା ସମୟରେ ତାର ଦୃଷ୍ଟି ତହିଁ ଉପରେ ପଡ଼ିଥିଲା । ସେତେବେଳେ ତାର ଲୋଭ ହୋଇଥିଲା କି ନା, କୁହାଯାଇ ନ ପାରେ । କିନ୍ତୁ କୁଳମଣି ଗୋଦାମକୁ ଚାଲିଯିବା ପରେ ଯେତେବେଳେ ସେ ଦେଖିଲା ନିକଟରେ ଆଉ କେହି ନାହାନ୍ତି, ନୀଳମଣି ଦୂରରେ ଛିଡ଼ା ହୋଇ କାହା ସଙ୍ଗେ କଥାବାର୍ତ୍ତା କରୁଅଛନ୍ତି, ସେ ଆଉ ଲୋଭ ସମ୍ଭାଳି ପାରିଲାନାହିଁ-। ସୁଯୋଗ ଅନେକ ଭଲ ଲୋକଙ୍କୁ ମଧ୍ୟ ଚୋର କରିଦିଏ । ସିରିଆର ଭାଇ ପଦିଆ ଗୋଟିଏ ମେସ୍‌ରେ କାମ କରେ । ସେ ସାଙ୍ଗେ ସାଙ୍ଗେ ମାଲତକ ଭାଇ ପାଖକୁ ଚାଲାଣ କରିଦେଲା । ମୋହର ସକାଶେ ଯେତେବେଳେ ନାନା ଧୁମ୍‌ଧଡ଼କ ଲାଗିଲା ସିରିଆକୁ କେହି ସନ୍ଦେହ କରିବା କଥା ଛାଡ଼, ତାର ନାମ ଗନ୍ଧ ସୁଦ୍ଧା କେହି ଧଇଲେ ନାହିଁ । ତାକୁ ସନ୍ଦେହ କରିବାର ମଧ୍ୟ କିଛି କାରଣ ନ ଥିଲା । ତା ପରେ କୁଳମଣି ନାମରେ ଯେତେବେଳେ ମକଦ୍ଦମା ଚାଲିଲା, ଦୁଇ ଭାଇଯାକ ନିଃଶ୍ୱାସ ମାରି ନିଶ୍ଚିନ୍ତ ହୋଇ ଗଲେ । କଥା ହେଲା ଯେ ଦଶହରା ଛୁଟି ତ ଆଉ ଅଳ୍ପଦିନ ରହିଲା ସେହି ସମୟରେ ପଦିଆ ମୋହର ତକ ସାଙ୍ଗରେ ଘରକୁ ନେଇ ଯିବ, ଅନ୍ୟ କାହା ହାତରେ ପଠାଇବା ନିରାପଦ ନୁହେ । କିଛି ଦିନ ପରେ ମେସ୍‌ରେ ଗୋଟିଏ ପିଲାର ଟଙ୍କା ଚୋରି ଯିବାରୁ ସେ ଦିନ ସକାଳେ ଚାକର ପୂଜାରିଙ୍କର ଜିନିଷପତ୍ର ପେଡ଼ି ପେଟରା ଖାନ୍‌ତଲାସ କରାଗଲା ଓ ପଦିଆର କିରାସିନି ତାବଲ ବାକ୍‌ସ ମଧ୍ୟରୁ ଟଙ୍କା ପରିବର୍ତ୍ତରେ ଚାରୋଟି ମୋହର ବାହାରି ପଡ଼ିଲା । କିସନ୍‌ଲାଲଙ୍କ ମୋହର ଚୋରି କଥା ମେସ୍‌ରେ ପିଲାମାନଙ୍କୁ ଅବିଦିତ ନ ଥିଲା ଓ ପଦିଆର ଭାଇ ଯେ କିସନ୍‌ଲାଲଙ୍କ ଘରେ ଥାଏ, ଏ କଥା ସେମାନେ ଜାଣନ୍ତି । କଥାଟା କ’ଣ, ଅନୁମାନ କରିବାକୁ ଆଉ ବେଶି ସମୟ ଲାଗିଲା ନାହିଁ । ସେମାନେ ସାଙ୍ଗେ ସାଙ୍ଗେ ମୋହର ସହିତ ପଦିଆକୁ ଘେନି କିସନ୍‌ଲାଲଙ୍କ ନିକଟରେ ଉପସ୍ଥିତ ହେଲେ । କିସନ୍‌ଲାଲ ସବୁ କଥା ଶୁଣି ଅବାକ୍‌-! ସିରିଆ ମଧ୍ୟ ଏପରି ଅବ୍ୟର୍ଥ ପ୍ରମାଣ ବିରୁଦ୍ଧରେ ବେଶିକ୍ଷଣ ଭୁରୁଡ଼ା ଭୁରୁଡ଼ି କରି ପାରିଲା ନାହିଁ । ଶେଷରେ ସବୁକଥା କହି ମୁନିବର କୃପାଭିକ୍ଷା କରିବାକୁ ଲାଗିଲା । କିସନ୍‌ଲାଲ ଆଉ ଏକ ମୁହୂର୍ତ୍ତ ବିଳମ୍ୱ ନ କରି ସିରିଆକୁ ଧରି ଅଦାଲତରେ ଉପସ୍ଥିତ ହେଲେ ।

 

ସବୁ କଥା ଶୁଣି ହାକିମ କୁଳମଣିକୁ ଖଲାସ ଦେଲେ ଓ ମକଦ୍ଦମାର ବିଚାର ଅନ୍ୟ ତାରିଖକୁ ମୁଲତବି ରହିଲା ।

 

କୁଳମଣି ଯେତେବେଳେ ବାହାରକୁ ଆସିଲା, କେହି ଆଲିଙ୍ଗନ, କେହି କରମର୍ଦ୍ଦନ ଇତ୍ୟାଦି କରି ତାକୁ ବ୍ୟତିବ୍ୟସ୍ତ କରି ପକାଇଲେ । କିସନ୍‌ଲାଲ କୁଳମଣି ପ୍ରତି ସସ୍ନେହ ଦୃଷ୍ଟି ନିକ୍ଷେପ କରି ଗମ୍ଭୀର ଭାବରେ କହିଲେ, ‘‘ତୁମ ନିଜ ଦୋଷରୁ ଏତେ କାଣ୍ଡ ହେଲା । ତୁମପରି ଚତୁର ଲୋକ ଯେ ଏପରି ନିର୍ବୋଧ ଭାବରେ କାର୍ଯ୍ୟ କରିବ, କିଏ ଏହା ଭାବିଥିଲା ? ଯୋଗକୁ କଥାଟା ସିନା ଧରା ପଡ଼ିଗଲା, ନ ହେଲେ ଆଜି- । ମୁଁ ବା ଏତେ କଥା ଜାଣନ୍ତି କିପରି ? ’’

 

କୁଳମଣି କୌଣସି ଉତ୍ତର ନ ଦେଇ ଚୁପ୍‌ ହୋଇ ରହିଲା । ସେ ପର୍ଯ୍ୟନ୍ତ ସବୁ ଘଟନା ତାକୁ ପ୍ରହେଳିକା ପରି ବୋଧ ହେଉଥିଲା । ସେ ଯେ ଖଲାସ ହୋଇଅଛି, ଏ କଥା ସେ ପୂରା ବିଶ୍ୱାସ କରି ପାରୁ ନ ଥାଏ ।

 

ଭାଇଙ୍କୁ ଦେଖି କୁଳମଣିର ହୃଦୟ ଅନୁତାପରେ ଦଗ୍‍ଧ ହୋଇଗଲା । ତାଙ୍କୁ କ’ଣ କହିବ, ସେ କିଛି ବୁଝି ପାରିଲା ନାହିଁ । ଉଭୟେ ଯେତେବେଳେ ଏକ ସଙ୍ଗରେ ଯାଇ ଘରେ ପହଞ୍ଚିଲେ, କୁଳମଣି କହିଲା, ‘‘ଭାଇ, ମୁଁ ଗୋଟାଏ ବଡ଼ ଅପରାଧ କରିଛି, ମୋତେ କ୍ଷମା’ କର ।’’ ଏହା କହି ସେ ନୀଳମଣିକୁ ସନ୍ଦେହ କରିଥିବା କଥା ସବୁ କହିଗଲା ।
 

 

ଏକଥା ଶୁଣି ନୀଳମଣି ଟିକିଏ ଚିନ୍ତା କରି କହିଲା, ‘‘ଏସବୁ କଥା ତୁ ମୋତେ ନ କହିବାରୁ ଏତେ ଗଣ୍ଡଗୋଳ ହେଲା । ମୁଁ ମଧ୍ୟ କେତେ କଥା ତୁମମାନଙ୍କଠାରୁ ଗୋପନ କରି ଭଲ କରି ନାହିଁ-। ଟଙ୍କା ଲାଗି ମହାଜନମାନେ ଅସ୍ଥିର କରିବାରୁ ମୁଁ ବାଧ୍ୟ ହୋଇ ଚାକିରି କରିଥିଲି । କିନ୍ତୁ ଦେଖିଲି ଯେ, ଏ ସାମାନ୍ୟ ଟଙ୍କାରେ ଘର ଖର୍ଚ୍ଚ ଚଳି ଦେଣା ପରିଶୋଧ ହେବା ଅସମ୍ଭବ । ଏଥିଲାଗି କିଛିଦିନ ମୋତେ ଖଣ୍ଡେ ଟିଉସନ୍‌ କରିବାକୁ ପଡ଼ିଲା । ତା ପରେ ପ୍ରିଣ୍ଟିଂ କମ୍ପାନୀର ମେନେଜରଙ୍କୁ ଧରାଧରି କରି ଛାପାଖାନାରେ ଖଣ୍ଡେ ଠିକା କାମ ଯୋଗାଡ଼ କଲି । ସେଠାରେ ସନ୍ଧ୍ୟା ସାତଟାଠାରୁ ଦଶଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ହୁଏ । ସମୟ ସମୟରେ ଘରଠାକୁ କାଗଜପତ୍ର ଆଣି କାମ କରେଁ । ଏଥିରେ ହାରାହାରି ମାସରେ ପନ୍ଦର ଟଙ୍କାରୁ କମ ପଡ଼େ ନାହିଁ । ଏ ଟଙ୍କାରୁ ଗୋଟିଏ ସୁଦ୍ଧା ମୁଁ ହାତରେ ନ ରଖି ପାଇଲା ମାତ୍ରକେ ମହାଜନମାନଙ୍କୁ ଶୁଝିଦିଏଁ । ଏହିପରି ଭାବରେ ପ୍ରାୟ ଅଧିକାଂଶ ଟଙ୍କା ପରିଶୋଧ ହୋଇଗଲା । ଏଥିମଧ୍ୟରେ ମୁଁ ଖଣ୍ଡେ ଦୁଇଖଣ୍ଡ ପାଠ୍ୟପୁସ୍ତକ ଲେଖିଥିଲି । ମୋର ତ ଆଉ ଛପାଇବାର ବଳ ନାହଁ । ମେନେଜର କ’ଣ କେଜାଣି ବିଚାରି କମ୍ପାନୀ ତରଫରୁ ବହିତକ ଛପାଇ ଦେଲେ । ସେ ବହି ପାଠ୍ୟପୁସ୍ତକରୂପେ ମନୋନୀତ ହୋଇ ଥିବାର ଶୁଣି ଏବେ ୧୫।୨୦ ଦିନ ତଳେ ବହି ସକାଶେ ସେ ମୋତେ ଶହେଟା ଟଙ୍କା ଦେଇଥିଲେ; କହିଅଛନ୍ତି, ଦ୍ୱିତୀୟ ସଂସ୍କରଣ ବେଳକୁ ଏ ବିଷୟରେ ଗୋଟିଏ ପକା ବନ୍ଦୋବସ୍ତ କରିଦେବେ । ଏ ଟଙ୍କାଟା ପାଇ ମୁଁ କେତେ ଜଣଙ୍କର ପାଉଣା ସମୁଦାୟ ତୁଟାଇ ଦେଇଅଛି । ଆଉ ଜଣେ ଦୁଇ ଜଣଙ୍କର ସାମାନ୍ୟ ଟଙ୍କା ବାକୀ ଅଛି । ମୁଁ କେବଳ ଏଥିରୁ ପନ୍ଦର ଷୋଳଟା ଟଙ୍କା ବାପାଙ୍କ ଫଟୋ ଖଣ୍ଡେ ଏନଲାର୍ଜ (Enlarge) କରାଇବା ପାଇଁ ହାତରେ ରଖିଥିଲି । ମା’ ବିରକ୍ତ ହେବେ ବୋଲି ମୁଁ ଆଜିପର୍ଯ୍ୟନ୍ତ ଏସବୁ କଥା କାହାକୁ ଫିଟେଇ କହି ନ ଥିଲି-। କିନ୍ତୁ ଏଥିରୁ ଏପରି ବିପରୀତ ଫଳ ହେବ ବୋଲି କିଏ ଜାଣିଥିଲା-?’’

 

ଏସବୁ କଥା ଶୁଣି କୁଳମଣି ନିର୍ବାକ୍‌ ବିସ୍ମୟରେ ଭାଇଙ୍କୁ ଚାହିଁ ରହିଲା ।

 

ପ୍ରତିଦାନ

 

ସେ ଦିନ ରାତ୍ରିରେ ନିଦ୍ରାର ବ୍ୟାଘାତ ହେବାରୁ ମୁଁ ବଡ଼ଡ଼ିଭୋରରୁ ଆସି ଦାଣ୍ଡଘରେ ଟିକିଏ ଶୋଇଥିଲି । ନିଦ ଯେ ଠିକ୍‌ ହୋଇଥିଲା, ଏପରି ନୁହେଁ, ତେବେ ମୁଁ ଜାଗ୍ରତ ଅବସ୍ଥାରେ ନ ଥିଲି । ଏହିପରି ଅର୍ଦ୍ଧ ସୁସୁପ୍ତି ଓ ଅର୍ଦ୍ଧ ଜାଗରଣରେ ରହି ମୁଁ କେତେ ଗୁଡ଼ାଏ କଅଣ ସ୍ୱପ୍ନ ଦେଖୁଥିଲି-। ସ୍ୱପ୍ନ କଥା ମୋର କିଛି ମନେ ନାହିଁ; ତେବେ ମନଟା କିପରି ଗୋଟାଏ କରୁଣ ଭାବରେ ପୂର୍ଣ୍ଣ ହୋଇ ଉଠିଥିଲା, ଯେପରି କି ଖଣ୍ଡେ ଅଜଣା ବିଷାଦର ମେଘ ଆସି ସମସ୍ତ ହୃଦୟକୁ ଆଚ୍ଛନ୍ନ କରି ରଖିଛି । ଏପରି ସମୟରେ ହରିଆ ଚାକର ଆସି ଡାକିଲା, ‘‘ବାବୁ, ବାବୁ, ମଧୁବାବୁ ଆସିଛନ୍ତି ।’’

 

ମୋର ହୃତପିଣ୍ଡର ସମସ୍ତ କାର୍ଯ୍ୟ ଯେପରି ଏକସଙ୍ଗେ ହଠାତ୍ ସ୍ଥଗିତ ହେଲା । ମୁଁ ଧଡ଼ପଡ଼ ହୋଇ ବିଛଣାରୁ ଦରଉଠା ହୋଇ ହଠାତ୍‌ ଚିତ୍କାର କରି ଉଠିଲି, ‘‘ ଏଁ, ଏଁ, ମଧୁବାବୁ ! କେଉଁ ମଧୁବାବୁ ? ’’

 

ହରିଆ କହିଲା, ‘‘ହେଡ଼୍‍ କିରାନି ବାବୁ ଡାକୁଛନ୍ତି ।’’

 

‘‘ଓଃ !’’- ଗୋଟାଏ ଗଭୀର ଦୀର୍ଘ ନିଃଶ୍ୱାସ ପକାଇ ମୁଁ କିଛିକ୍ଷଣ ନୀରବ ରହିଲି । ପରେ କହିଲେ, ‘‘ତାଙ୍କୁ କହି ଦେ, ମୋ ଦେହ ଆଜି ଭଲ ଲାଗୁ ନାହିଁ, କାଲି ଆସିବେ ।’’

 

ଏତିକି କହି ଦେଇ ମୁଁ ପୁନରାୟ ବିଛଣାରେ ପଡ଼ିଗଲି । ମୋର ବକ୍ଷସ୍ଥଳ ଦ୍ୱିଗୁଣ ବେଗରେ ସ୍ପନ୍ଦିତ ହେବାକୁ ଲାଗିଲା । ସମସ୍ତ ଧମନୀରେ ଉଷ୍ଣ ତାଡ଼ିତପ୍ରବାହ ଖେଳିଗଲା । ବହୁଦିନର ଗୋଟିଏ ସ୍ମୃତି ହୃଦୟର ଅନ୍ତସ୍ଥଳ ଭେଦ କରି ବୁଦ୍‌ବୁଦ୍‌ପରି ଉପରକୁ ଉଠିବାକୁ ଲାଗିଲା-। କ୍ରମେ ସେ ବିସ୍ମୃତିର ରାଜ୍ୟ ଛାଡ଼ି ସ୍ପଷ୍ଟରୁ ସ୍ପଷ୍ଟତର, ଆହୁରି ସ୍ପଷ୍ଟତର ହୋଇ ଉଠିଲା । ଦେଶକାଳର ସମସ୍ତ ବ୍ୟବଧାନ ଘୁଞ୍ଚିଗଲା । ଅତୀତ ଜୀବନର ଗୋଟିଏ କ୍ଷୁଦ୍ର ଅଙ୍କ ମୋ ଚକ୍ଷୁ ଆଗରେ ପୁନରାୟ ଅଭିନୀତ ହୋଇଗଲା ।

 

ସେ ଆଜିକି ଅନେକ ଦିନର କଥା । ତା ନାମ ଥିଲା ସେହି ମଧୁ । ଆମ୍ଭେମାନେ କଟକ କଲେଜରେ ବରାବର ଏକ ସଙ୍ଗରେ ପଢ଼ି ଆସିଛୁଁ । କିନ୍ତୁ ରୀତିମତ ଆଳାପ ପରିଚୟ ଥିଲେ ସୁଦ୍ଧା କଟକଠାରେ ଆମ୍ଭମାନଙ୍କର ଏତେ ଘନିଷ୍ଠତା ନ ଥିଲା । କଲିକତାକୁ ଆସି ଏକା ମେସ୍‌ରେ ରହିବାରୁ ସେ ଦୂରତା ଅନେକ ପରିମାଣରେ କମିଗଲା ।

 

ସେ ବର୍ଷ ବି.ଏ. ପରୀକ୍ଷାରେ ଆମେ ଯେ କେତେ ଜଣ ବିଶ୍ୱବିଦ୍ୟାଳୟର ପ୍ରଥମ ମୋହର ଛାପା ପାଇଲୁ, ତା ମଧ୍ୟରୁ କେତେ ମାରୁଆଡ଼ି ବ୍ୟବସାୟିଙ୍କ ପରି ଅନ୍ତର୍ବାଣିଜ୍ୟ କରିବା ଲାଗି ଓଡ଼ିଶାର ଚାରିଆଡ଼େ ଖେଦିଗଲୁଁ । ବାକୀ ଆମେ କେତେ ଜଣ ଏଥିରେ ସନ୍ତୁଷ୍ଟ ନ ରହି ଆମ ବିଦ୍ୟାର ଜାହାଜ ଉପରେ ଉପାଧିର ଧ୍ୱଜା ଉଡ଼ାଇ ଗଜେନ୍ଦ୍ରଗମନରେ ବଙ୍ଗରାଜଧାନୀକୁ ବ୍ୟବସାୟ ପାଇଁ ରମାନା ହେଲୁଁ । ନଜର ପକାଇ ଭିତରକୁ ଯାଇ ଦେଖିଲୁଁ ଯେ ବାସ୍ତବିକ ଯାହା ଶୁଣିଥିଲିଁ, କଲିକତା ହୀରା ଲୀଳା ମୋତି-ମାଣିକ୍ୟ ପ୍ରଭୃତି ଜହୁରାତ୍‌ ଜିନିଷର କେନ୍ଦ୍ରସ୍ଥଳୀ, ସେ କଥାଟା ଠିକ୍‌ - ବରଂ ତା ଅପେକ୍ଷା ଢେର ବେଶି । ଆମ ପୂର୍ବରୁ ଆଉ କେତେଜଣ ବ୍ୟବସାୟୀ ମଧ୍ୟ ଏଠାକୁ ଆସିଥିଲେ । ସେମାନେ ଏ ପର୍ଯ୍ୟନ୍ତ ସ୍ୱଦେଶକୁ ଫେରି ନାହାନ୍ତି- ଫେରିବାକୁ ମଧ୍ୟ ଆଉ ତାଙ୍କର ବେଶି ଡେରି ନାହିଁ । ସେମାନେ ପଥପ୍ରଦର୍ଶକ ହୋଇ ଆମ୍ଭମାନଙ୍କୁ କେତେଗୋଟି ବଡ଼ ବଡ଼ ଗୋଦାମ ସଙ୍ଗେ ଚିହ୍ନା-ପରିଚୟ କରାଇ ଦେଲେ ଏବଂ ଆମ୍ଭେମାନେ ମଧ୍ୟ କର୍ମକ୍ଷେତ୍ର ଠିକଣା କରିନେଇ ଟିକିଏ ନିଶ୍ଚିନ୍ତ ରହିଲୁଁ । କେବଳ ଏତିକି ନୁହେଁ, ସ୍ୱଦେଶର ଏହି ବେପାରିମାନଙ୍କ ସାହାଯ୍ୟରେ ଆମ୍ଭେମାନେ ଶୀଘ୍ର ବୁଝିପାରିଲୁ ଯେ, କଲିକତା କେବଳ କୁବେରପୁରୀ ନୁହେଁ, ଏହାକୁ ମର୍ତ୍ତ୍ୟର ଅମରାବତୀ କହିଲେ ମଧ୍ୟ ଅତ୍ୟୁକ୍ତ ହେବ ନାହିଁ । ଏଠାରେ ବ୍ୟବସାୟ ମଧ୍ୟ ଚଳିପାରେ, ଆଉ ପାରିଜାତ ସୌରଭ ଗ୍ରହଣ, ସୁରସୁନ୍ଦରୀମାନଙ୍କର ସଂଗୀତ ଶ୍ରବଣଠାରୁ ଆରମ୍ଭ କରି ସୁଧାର ଆସ୍ୱାଦ ପର୍ଯ୍ୟନ୍ତ ମିଳିପାରେ । ଯେଉଁ ଯୁଦ୍ଧରେ ରାଜ୍ୟାଧିକାର ସଙ୍ଗେ ସଙ୍ଗେ ଦକ୍ଷିଣା ସ୍ୱରୁପ କିଛି ଲୁଣ୍ଠନ ଦ୍ରବ୍ୟ ମଧ୍ୟ ଆତ୍ମସାତ୍‌ କରାଯାଇପାରେ, କେଉଁ ବୁଦ୍ଧିମାନ୍‌ ବ୍ୟକ୍ତି ସେ ସୁଯୋଗ ଛାଡ଼ି କେବଳ ରକ୍ତପାତରେ ସନ୍ତୁଷ୍ଟ ରହିବ ?

 

ଆଉ ମଧ୍ୟ କାହାଣୀରେ ଶୁଣାଥିଲା ଯେ, ଆମ ଦେଶର କେତେକ ସାଧବ ପୁଅ ଏଠାକୁ ବାଣିଜ୍ୟ କରିବାକୁ ଆସିଥିଲେ ଏବଂ ମାଲୁଣୀ ଘରେ ଆଶ୍ରୟ ନେଇ କୌଣସି ରାଜଜେମା ସଙ୍ଗେ ଦ୍ୟୁତକ୍ରୀଡ଼ାରେ ସର୍ବସ୍ୱ ହାରି ଶେଷରେ ଘରକୁ ଫେରିବା ବେଳେ କେତେଗୁଡ଼ିଏ ଭେଲ ମାଲରେ ବୋଇତ ବୋଝାଇ କରି ସ୍ୱଦେଶକୁ ଫେରିଗଲେ । ପିଲାଟି ମାଲ କାଟତି ହୋଇଗଲା ସତ (ଦୁନିଆର ସବୁ ମାଲର କାଟତି ଅଛି), ତେବେ ଚିହ୍ନରା ଚର୍‍ହାକମାନେ ବୁଝିପାରିଲେ ଯେ ସେ ସବୁ ସଚ୍ଚା ମାଲ ନୁହେଁ । ପୂର୍ବରୁ ଯେତେ ସତର୍କ ହୋଇଗଲେ ସୁଦ୍ଧା ରାଜକନ୍ୟାର ଲୋଭ ସମ୍ଭାଳିବା ଆମ୍ଭମାନଙ୍କ ପକ୍ଷରେ ବଡ଼ ଦୁଷ୍କର ହୋଇ ଉଠିଲା ଏବଂ ଆମ୍ଭେମାନେ ଶେଷରେ ଗୋଟି ଗୋଟି ହୋଇ ପଞ୍ଝା ପଞ୍ଝା ହୋଇ ଯାଇ ମାଲୁଣୀ ଘରେ ରୁଣ୍ଡ ହେଲୁଁ । ଯେଉଁ ବ୍ୟବସାୟରେ କେହି କେବେ ଲାଭବାନ୍‌ ହୋଇ ନାହିଁ, ଆମ୍ଭେ ବା ହୁଅନ୍ତୁ କିପରି ? ଘରଠାକୁ ଖବର ଗଲା, ଏଠାରେ ମାଲ ଯେପରି ସୁଲଭ, ସ୍ୱଦେଶକୁ ଫେରିଲେ ଦଶପଟ ଲାଭ ହେବ, ଅତଏବ ଆଉ ମୂଳଧନ ଆବଶ୍ୟକ ।

 

ସବୁ ଦଳରେ, ସବୁ ସମାଜରେ ଗୋଟା କେତେ ଗୋଠଛଡ଼ା ଥାନ୍ତି । ଇତିହାସ ପୁରାଣ ସମସ୍ତେ ଏହାର ସାକ୍ଷୀ । ଆମ ଦଳରେ ମଧୁ ଠିକ୍‌ ସେହିପରି । ସେ ବଳଦିଆଠାରୁ ଘାଟିଆ ପର୍ଯ୍ୟନ୍ତ କାର୍ଯ୍ୟ କରି ଆସିଛି । ଅତଏବ ସେ ବ୍ୟବସାୟ ଛଡ଼ା ଆଉ କିଛି ଜାଣେ ନାହିଁ ।

 

ସେ ଦିନବେଳେ ଗୋଦାମକୁ ଯାଇ ଖରିଦ ବିକ୍ରୀ କରି ଆସେ ଏବଂ ରାତ୍ରିରେ ଘରକୁ ଆସି ଲାଭ ଲୋକସାନର ଖାତା ମିଳାଉ ମିଳାଉ ଶୋଇପଡ଼େ । ତାକୁ କେହି କିଛି ପଚାରିଲେ ସେ କହେ, ‘‘ଭାଇ, ଅଦାବେପାରିର ଜାହାଜ ଖବରରେ କାମ କଅଣ ? ମୁଁ ବ୍ୟବସାୟ କରିବାକୁ ଆସିଛି, ବ୍ୟବସାୟ କରିବି, ମୋର ପାରିଜାତ ସନ୍ଧାନରେ କି ଆବଶ୍ୟକ ?’’
 

ସଂକ୍ଷେପରେ କହିବାକୁ ଗଲେ, ଆମ୍ଭମାନେ ଯେପରି କଲେଜର ଲେକ୍‌ଚରରେ Percentage (ଶତକଡ଼ା ଯେତିକି ରଖିବା ଦରକାର ତେତିକି) ମାତ୍ର ରକ୍ଷା କରି ପ୍ରସାଧନ କକ୍ଷଠାରୁ ଆରମ୍ଭ କରି ରଙ୍ଗମଞ୍ଚପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ବହୁଦର୍ଶିତା ଅର୍ଜ୍ଜନ କରିବାକୁ ଲାଗିଲୁ, ଏକଦେଶଦର୍ଶୀ ମଧୁ ସେହିପରି ମୁହଁରେ ତୁଣ୍ଡି ବାନ୍ଧିଦେଇ କେବଳ ମାଲ ବୋଝେଇରେ ବ୍ୟସ୍ତ ରହିଲା । ମଧୁର ଅରସିକତା ଦେଖି ତା ପ୍ରତି ଆମ୍ଭମାନଙ୍କର ବଡ଼ ଦୟା ହୁଏ ଏବଂ ତାହାର କର୍ତ୍ତବ୍ୟନିଷ୍ଠାରେ ଆମର ଯେ ଟିକିଏ ଇର୍ଷା ନ ହୁଏ, ଏପରି ନୁହେଁ । କ୍ରମେ ମଧୁ ସମସ୍ତଙ୍କର ଥଟା ବିଦ୍ରୂପ ହାସ୍ୟ ପରିହାସର ଲକ୍ଷ୍ୟସ୍ଥଳ ହୋଇ ଉଠିଲା । ଆମ ମେସ୍‌ର ଯୋଦ୍ଧାବୃନ୍ଦ ବେଳକାଳ ଉଣ୍ଡି ଏହି ଲାଖପଟା ଉପରେ ନିଜ ନିଜର ଲକ୍ଷ୍ୟଭେଦ କୌଶଳଟା ପରୀକ୍ଷା କରି ନିଅନ୍ତି । ଲାଖପଟା କିନ୍ତୁ ଛିନ୍ନ ଭିନ୍ନ ହୋଇଗଲେ ସୁଦ୍ଧା ସର୍ବଦା ସ୍ଥିର ଓ ଚଞ୍ଚଳ ରହିଥାଏ । ମଧୁକୁ ଦିନେ କେହି ଭାରକେନ୍ଦ୍ର ହରାଇବାର ଦେଖି ନାହିଁ, ବରଂ ଅନେକ ଥର ତା ଉପରେ ସମସ୍ତଙ୍କର ସମ୍ମିଳିତ ଚେଷ୍ଟା ବ୍ୟର୍ଥ ହେବାର ଦେଖି ଆମ୍ଭେମାନେ ଅସହିଷ୍ଣୁ ହୋଇପଡ଼ୁଁ । ସହିବା ଗୁଣଟା ଅନେକ ପରିମାଣରେ ମଧୁର ପ୍ରକୃତିଗତ ହେଲେ ସୁଦ୍ଧା ଏ ସ୍ଥଳରେ ବାଧ୍ୟ ହୋଇ ତାକୁ ପୁଷ୍ପୀଭାବ ଅବଲମ୍ବନ କରିବାକୁ ପଡ଼େ । କୌଣସି କଥାରେ ମଧୁ କିଛି ପ୍ରତିବାଦ କଲେ ସେହିଟା ଆମ୍ଭମାନଙ୍କୁ ବଡ଼ ଅସହ୍ୟ ହୋଇପଡ଼େ । ଯେଉଁ ସତ୍ତ୍ୱବଳରେ ମନୁଷ୍ୟ ଗୋରୁକାନ୍ଧରେ ଜୁଆଳି ଦେଇ ତାହାଦ୍ୱାରା ଭୂମି କର୍ଷଣ କରେ, ଯେଉଁ ସତ୍ତ୍ୱବଳରେ ଘୋଡ଼ା ପାଟିରେ ଲଗାମ ଦେଇ ମନୁଷ୍ୟ ତା’ ଉପରେ ସବାର ହୁଏ, ସେହି ସତ୍ତ୍ୱବଳରେ ଆମ୍ଭେମାନେ ମଧୁ ଉପରେ ଜବରଦସ୍ତି ଯଥୋତ୍କାରର କରି ବିଦେଶର ଶୁଷ୍କ ନୀରସ ଜୀବନକୁ ଟିକିଏ ସରସ କରି ନେଉଁ । ଏପରି ଅବିସମ୍ବାଦିତ ସତ୍ତ୍ୱକୁ ମଧୁ ଯଦି ଅଗ୍ରାହ୍ୟ କରେ ତାହାହେଲେ ତାହାଠାରୁ ବଳି ଅସ୍ୱାଭାବିକ କଥା ଆଉ କ’ଣ ଅଛି ? ମଧୁ କିନ୍ତୁ ଏଥିରେ ଆଦୌ ବିଚଳିତ ହୁଏ ନାହିଁ, ଏପରିକି ଅନେକ ଥର ସେ ଆମ୍ଭମାନଙ୍କ ସଙ୍ଗେ ସେ କୌତୁକରେ ଯୋଗଦିଏ ।

 

କାହିଁକି କେଜାଣି, ମୋତେ ମଧୁ ଟିକିଏ ବଡ଼ ସୁଖ ପାଏ ଏବଂ ମୋ ପାଖରେ ମନ ଫିଟାଇ ଦି’ଟା କଥା ମଧ୍ୟ କହେ । ତାହା ବୋଲି ମୁଁ ଯେ ଅନ୍ୟମାନଙ୍କ ଅପେକ୍ଷା ଏତକ ପାଇବାର ବେଶି ଉପଯୁକ୍ତ ତାହା ନୁହେଁ; ବରଂ ମଧୁକୁ ଅପଦସ୍ତ କରିବା ଲାଗି ନୂତନ ନୂତନ ଉପାୟ ଉଦ୍ଭାବନ କରିବାରେ ମୁଁ ସର୍ବାପେକ୍ଷା ଅଗ୍ରଣୀ । ତେବେ ମୁଁ ପ୍ରତ୍ୟକ୍ଷରେ ମଧୁ ପ୍ରତି ବିଶେଷ କିଛି ଅତ୍ୟାଚାର କରେ ନାହିଁ । ଆଉ ବାସ୍ତବିକ ମଧ୍ୟ ମଧୁର ଦୁରବସ୍ଥାରେ ମୋର ମନରେ ତା ପ୍ରତି ସମୟ ସମୟରେ ବଡ଼ ଦୟା ହୁଏ । ଅନ୍ୟାନ୍ୟମାନେ ଯେ କୌଣସି ମନ୍ଦ ଅଭିପ୍ରାୟରେ ମଧୁ ପ୍ରତି ଏପରି ବ୍ୟବହାର କରନ୍ତି, ତାହା ନୁହେଁ; ବରଂ ଭିତରେ ସମସ୍ତଙ୍କର ତା ପ୍ରତି ଗୋଟାଏ ସ୍ନେହର ଆକର୍ଷଣ ଥାଏ । କେବଳ କୌତୁକ ଦେଖିବା ଲାଗି ସମସ୍ତେ ଯୋଗ ଦିଅନ୍ତି ଏବଂ ପ୍ରକୃତରେ ମଧ୍ୟ ଅନ୍ୟ କୌଣସି ପ୍ରସଙ୍ଗରେ ଆମ୍ଭମାନଙ୍କର ଏତେ ଆମୋଦ ହୁଏ ନାହିଁ । ଏହିପରି ଆମୋଦ ଆହ୍ଲାଦରେ ଆମ ମେସ୍‌ଟି ସର୍ବଦା ସରଗରମ ଥାଏ ।

 

ଗ୍ରୀଷ୍ମ ଛୁଟି ହେବାକୁ ଆଉ ବେଶି ଦିନ ନାହିଁ । ଗୃହର ଶାନ୍ତିମୟ କ୍ରୋଡ଼କୁ ଫେରିଯିବା ଆଶାରେ ଆମ୍ଭମାନେ ପଢ଼ାପଢ଼ିର ଯେ କ୍ଷୀଣ ବନ୍ଧନଟି ଥିଲା, ତାହାକୁ ଛିଣ୍ଡାଇ ଦେଇ ସ୍ଫୁର୍ତ୍ତିରେ କଲିକତା ସହର ତମାମ୍‌ ପ୍ରଜାପତି ପରି ଘାଉଁରି ଖାଉଛୁଁ । କେବଳ ମଧୁ ନ ଥିବାରୁ ମଜଲିସ୍‍ଟା ଷୋଳପଣ ଜମି ପାରୁ ନାହିଁ । ବାସ୍ତବିକ ମଧୁର ଅଭାବକୁ ଆମ୍ଭମାନେ ଅନ୍ତରର ସହିତ ଅନୁଭବ କରୁଛୁଁ ।

 

ଦିନେ ସନ୍ଧ୍ୟାସମୟରେ ମୁଁ ଓ ବିଶ୍ୱନାଥ ଷ୍ଟେସନ ଆଡ଼େ ବୁଲି ଯାଇଥିଲୁଁ । ଫେରିବା ସମୟରେ ହାବଡ଼ାପୋଲ ଉପରେ ଟିକିଏ ଛିଡ଼ା ହୋଇ ନଦୀଜଳରେ ଚନ୍ଦ୍ରକିରଣର କ୍ରୀଡ଼ା ଦେଖୁଅଛୁଁ, ଅନ୍ୟାନ୍ୟ କଥା ପରେ ବିଶ୍ୱନାଥ କହିଲେ, ‘‘କାଲି ଅପ୍ରେଲ ପହିଲା ନାଁ ?’’ମୁଁ କହିଲି, ‘‘ହଁ, କାହିଁକି ?’’

 

ବିଶ୍ୱନାଥ କହିଲା,‘‘ଏଥର ମଧୁ ଘରକୁ ଚାଲିଯାଇ All fool's day ଟା ମାଟି କରି ଦେଲା ।’’

 

ମୁଁ କହିଲି, ‘‘ଆରେ ସତେ ତ ! ବର୍ଷକର ଗୋଟାଏ ଦିନ କଅଣ ତୁଚ୍ଛାଟାରେ ଚାଲିଯିବ-?’’ ପରେ ମୁଁ ଟିକିଏ ନୀରବ ରହି କହିଲି, ‘‘ଆଚ୍ଛା, ଗୋଟିଏ କାମ କଲେ ତ ହୁଅନ୍ତା, କୌଣସି ପ୍ରକାରେ ତାକୁ ଯେବେ ଥରେ ଏ ସମୟରେ କଲିକତାକୁ ଟାଣି ଆଣନ୍ତେଇଁ ତାହାହେଲେ ଭାରି ମଜା ହୁଅନ୍ତା । ଯେ କୌଣସି ପ୍ରକାରେ ତାକୁ ଅପ୍ରସ୍ତୁତ କରିବାର କଥା ତ ?’’ ବିଶ୍ୱନାଥ କହିଲା, ‘‘କିନ୍ତୁ ମଧୁ ଗୃହର ଅଭିନବ ମଧୁର ବନ୍ଧନ କାଟି ଆସିପାରିବ ତ ?’’

 

ମୁଁ କହିଲି, ‘‘ଆଛା, କାଲି ଏହାର ଉପାୟ କରିବା ।’’ ଏହିପରି କଥାବାର୍ତ୍ତା ହୋଇ ଆମ୍ଭେମାନେ ବସାକୁ ଫେରି ଆସିଲୁଁ ।

 

ତହୁଁ ଆରଦିନ ମୁଁ ଏହି ପତ୍ରଖଣ୍ଡି ଲେଖି ବିଶ୍ୱନାଥକୁ ଦେଖାଇଲି :-

 

ଭାଇ ମଧୁ,

 

ମୁଁ ଗୋଟିଏ State Scholaraship (ସରକାରୀ ବୃତ୍ତି) ପାଇ ବିଲାତ ଯାଉଛି । Scholarship (ବୃତ୍ତି) ପାଇବାର ଯେପରି କିଛି ଆଶା ନ ଥିବାରୁ ମୁଁ କାହାରିକୁ ନ କହି ଖଣ୍ଡେ Application (ଦରଖାସ୍ତ) ପକାଇ ଦେଇଥିଲି । କପାଳବାଜି ବୃତ୍ତି ମଞ୍ଜୁର ହୋଇଛି । ମୁଁ ଏହି ୮ ତାରିଖ ଦିନ ବମ୍ବେ ମେଲ୍‍ରେ କଲିକତା ଛାଡ଼ୁଛି । ମେସ୍‌ର ପ୍ରାୟ ସମସ୍ତ ଘରକୁ ଚାଲିଗଲେଣି । ମୁଁ ଏହି କେତୋଟା ଦିନ ଅନ୍ୟ କୌଣସି ମେସ୍‌ରେ ରହି କଟାଇ ଦେବି ।

 

ଭାଇ ! ଏହିକ୍ଷଣି କେତେକ ବର୍ଷ ସ୍ୱଦେଶ ଫେରିବାର କୌଣସି ଆଶା ନାହିଁ । ଭାଗ୍ୟରେ କଅଣ ଅଛି ପ୍ରଭୁ ଜାଣନ୍ତି । ସ୍ୱଦେଶ ଛାଡ଼ିବା ପୂର୍ବରୁ ତମକୁ ଥରେ ଦେଖି ପାରିଲେ କୃତାର୍ଥ ହୁଅନ୍ତି । କିନ୍ତୁ ତମେ କଅଣ ସତେ ଏ ଅଭାଗା ପାଇଁ ଏତେ ତ୍ୟାଗ ସ୍ୱୀକାର କରିବ ? ହଉ ତମ ଇଚ୍ଛା !

 

 

 

 

ଗରିବ ବନ୍ଧୁଟାକୁ ଟିକିଏ ମନରେ ରଖିଥିବ । ମୁଁ ବର୍ତ୍ତମାନ ବଡ଼ ବ୍ୟସ୍ତ ଥିବାରୁ ଆଉ କିଛି ଲେଖିପାରୁ ନାହିଁ । ପରେ ଆଉ ସବୁ ।ଇତି।

ତମର ସ୍ନେହର

ଇନ୍ଦ୍ରମଣି

 

ପତ୍ରଖଣ୍ଡି ପଢ଼ିସାରି ବିଶ୍ୱନାଥ କହିଲା, ‘‘ବାଃ, ବେଶ୍‌ ଉପାୟ ତ ବାହାର କରିଛ । ତେବେ ମଧୁର ବିଭାଘର ଦିନ ଦଶ ପନ୍ଦରଟା ହୋଇ ନାହିଁ । ସେ କ’ଣ ସତେ ସେ ମାୟା ଛାଡ଼ି ଏତେ ବାଟ ଆସିବ ? ହଉ ଚିଠି ଖଣ୍ଡେ ତ ହେଲେ ଦବ । ଦେଖାଯାଉ ।’’

 

ସେହି ଦିନ ମୁଁ ନିଜେ ଯାଇ ଚିଠିଖଣ୍ଡ ଡାକଘରେ ପକାଇ ଦେଇ ଜୟୋଲ୍ଲାସରେ ବସାକୁ ଫେରି ଆସିଲି ।

 

ସେ ପତ୍ର କଥା ମୋର ଆଉ ଆଦୌ ମନେ ନାହିଁ । ଘଟନାକ୍ରମେ ସେହି ୮ ତାରିଖ ଦିନ ଜଣେ ବନ୍ଧୁଙ୍କୁ ଛାଡ଼ି ଦେବା ଲାଗି ମୁଁ ଷ୍ଟେସନକୁ ଯାଇଥିଲି । ଟ୍ରେନ ଛାଡ଼ିବା ପରେ ମୁଁ ଗୋଟାଏ ସିଗାରେଟ୍‌ ଟାଣି ଟାଣିକା ଏକାକୀ ଶୂନ୍ୟ ମନରେ ଷ୍ଟେସନ ଭିତରୁ ବାହାରି ଆସୁଛି, ଏପରି ସମୟରେ ଗ୍ୟାସ ଆଲୁଅରେ ଦେଖିପାରିଲି ଯେ, ଏକ ସ୍ଥାନରେ ଜଣେ ଲୋକ ଶୋଇଛି ଓ ଆଉ କେତୋଟି ଆମ ଦେଶର ଲୋକ ତାକୁ ଘେରି ବିଷର୍ଣ୍ଣ ଭାବରେ ବସି ଅଛନ୍ତି । କଥାଟା କଅଣ ବୁଝିବା ଲାଗି ମୋର ଟିକିଏ କୌତୁହଳ ହେଲା । ମୁଁ ନିକଟକୁ ଯାଇ ଯାହା ଦେଖିଲି, ମୋର ଚକ୍ଷୁ ସ୍ଥିର ହୋଇଗଲା । ମୁଁ ଯେ ମଧୁକୁ ଏପରି ଅବସ୍ଥାରେ ଦେଖିବି, ଏହା ମୋହର କଳ୍ପନାରେ ଅଗୋଚର ଥିଲା । ଦେଖିଲି ମଧୁ ଅର୍ଦ୍ଧନିମୀଳିତ ନେତ୍ରରେ ଅଚେତନ ଅବସ୍ଥାରେ ତଳେ ଶୋଇଛି ଓ ଗୋଟିଏ ଲୋକ ତା ପାଖରେ ବସି ବିଞ୍ଚୁଛି । ମଧୁର ପାଣ୍ଡୁରା ମୁଖମଣ୍ଡଳରେ ଗୋଟିଏ ବିଷାଦର କାଳିମା ପଡ଼ିଯାଇଅଛି ପ୍ରଥମେ ଏସବୁ କଥା ମୋତେ ପ୍ରହେଳିକା ପରି ବୋଧ ହେଲା । ପରେ ପୂର୍ବ ଛାତ୍ରର କଥା ସ୍ମରଣ ହେବାରୁ ମୋର ପଞ୍ଜରାହାଡ଼ କେତେଖଣ୍ଡ ଭାଙ୍ଗିଗଲା ପରି ବୋଧ ହେଲା ।

 

କ’ଣ ହୋଇଛି, ଏତିକି କାହାରିକୁ ପଚାରି ବୁଝିବାକୁ ମୋର ଶକ୍ତି ନ ଥିଲା । ଶେଷରେ ମୁଁ ହୃଦୟର ସମସ୍ତ ବଳ ସଂଗ୍ରହ କରି ଗୋଟିଏ ଲୋକକୁ ପଚାରିବାରୁ ସେ ଯାହା କହିଲା, ସବୁ କଥା ମୋ ମଗଜରେ ପଶିପାରଲା ନାହିଁ । ତା କଥାରୁ କେବଳ ମୁଁ ଏତିକି ବୁଝିଲି ଯେ କୌଣସି ବନ୍ଧୁ ସଙ୍ଗେ ଦେଖା କରିବା ଲାଗି ମଧୁ ସେ ଦିନ ସକାଳ ଗାଡ଼ିରେ ଆସି ଷ୍ଟେସନରେ ପହଞ୍ଚିବା ସମୟଠାରୁ ତାକୁ ହଇଜା ଧରିଛି । ତାଙ୍କ ଗ୍ରାମର କେତୋଟି ଲୋକ ଦୈବାତ୍‌ ତାକୁ ଷ୍ଟେସନ ନିକଟରେ ଏପରି ଅବସ୍ଥାରେ ଦେଖି ତାର ଯଥାସାଧ୍ୟ ସେବା ଶୂଶ୍ରୂଷାରେ ଲାଗିଛନ୍ତି ।

 

ଏ କଥା ଶୁଣି ମୋ ମୁଣ୍ଡ ଉପରେ ଯେପରି ଆକାଶ ଭାଙ୍ଗି ପଡ଼ିଲା । ମୁଁ ଚିତ୍ରାର୍ପିତ ପ୍ରାୟ ଥକାମରା ହୋଇ ଛିଡ଼ା ହୋଇଗଲି । ମୋ ପାଦତଳେ ପୃଥିବୀ ଟଳମଳ ହେବାକୁ ଲାଗିଲା । ମୁଁ କଅଣ କରିବି, କୁଆଡ଼େ ଯିବି, କିଛି ସ୍ଥିର କରି ନ ପାରି ଗୋଟିଏ ଖୁଣ୍ଟକୁ ଧରି ତା ଉପରକୁ ଆଉଜି ପଡ଼ିଲି ।

 

କିଛି ସମୟ ପରେ ଗୋଟିଏ ଚିତ୍କାର ଶୁଣି ମୋର ଟିକିଏ ଚୈତନ୍ୟ ହେଲା । ଗୋଟିଏ ଲୋକଠାରୁ ବୁଝିଲି ଯେ, ରୋଗୀର ଶିରାମଇ ଉଠି ସେ ପ୍ରଳାପ କରୁଅଛି । ପୁନରାୟ ଶୁଣି ପାରିଲି, ମଧୁ ଚିତ୍କାର କରି ଉଠିଲା, ‘‘ଏଁ, ବମ୍ବେ ମେଲ୍‍ କେତେବେଳେ ଛାଡ଼ିବ ?-ଉଃ, ଆଉ କେତେ ଡେରି ଅଛି - ଇନ୍ଦ୍ରମଣି ଆସିଲାଣି ? - ଓହୋ ହୋ ।’’ ମଧୁର ଗୋଟିଏ ଗୋଟିଏ କଥା ମୋର ମର୍ମସ୍ଥଳରେ ଗୋଟିଏ ଗୋଟିଏ ଶର ପରି ଫୁଟିଗଲା । ମୁଁ ଆଉ ବେଶୀକ୍ଷଣ ସେଠାରେ ରହି ପାରିଲି ନାହିଁ ସେଥିମଧ୍ୟରୁ ଗୋଟିଏ ଲୋକ ମୋର ଏପରି ଅବସ୍ଥା ଦେଖି ମୋର ପରିଚୟ ଜାଣିବାକୁ ପଛେ ପଛେ ଆସିଲା । ମୁଁ ତାକୁ କିଛି ନ କହି ଦ୍ରୁତଗତିରେ ସହର ଆଡ଼କୁ ଦଉଡ଼ିଲି । ଯାହା ଲାଗି ମଧୁର ଏ ଦଶା ମୁଁ ଯେ ସେହି ପାଷାଣ୍ଡ ନାରକ, ଏ ଲୋକଟି ପାଖରେ ମୁହଁ ଖୋଲି ଏତକ କହିବାକୁ ମୋର ସାହସ ହେଲା ନାହିଁ ।

 

ସେ ସମୟରେ ମନର ଭାବ ଲେଖନୀ ମୁଖରେ ପ୍ରକାଶ କରିବା ମୋ ଶକ୍ତିର ଅତୀତ- ମୋର କାହିକିଁ, ସେପରି ଭାଷା ଏ ପର୍ଯ୍ୟନ୍ତ ଜଗତରେ ପୁଷ୍ଟ ହୋଇ ନାହିଁ । ତମର ମାନବ ଶାସ୍ତ୍ରରେ ଆଉ କି ପ୍ରାୟଶ୍ଚିତ୍ତର ବ୍ୟବସ୍ଥା ଅଛି, ମୁଁ ଜାଣେ ନାହିଁ । କିନ୍ତୁ ମୋର ସେହି ଏକ ମୂହୂର୍ତ୍ତକ ପ୍ରାୟଶ୍ଚିତ୍ତ ନିକଟରେ ତମର କବିକଳ୍ପିତ ଚଉରାଶି ନରକର ଯନ୍ତ୍ରଣା ବୋଧହୁଏ ଅତି ତୁଚ୍ଛ । ସେ ସମୟରେ କଥା ଦୂରେ ଥାଉ ଭିତରେ ତ ଏତେ ସଂଯମୀ ବୀରପୁରୁଷ ଅଛି, ଦେଖି ଥରେ ଏ ଜ୍ୱାଳାମୟୀ ସ୍ମୃତିର ଆସ୍ୱାଦ କଲା- ଦେଖିବା ଦେଖି ତମର କେତେ ଶକ୍ତି ! ତମର କେଡ଼େ ଧୈର୍ଯ୍ୟ !

 

ମୁଁ ଯେତେବେଳେ ସହର ଭିତରେ ପ୍ରବେଶ କଲି, ସହସ୍ର ସହସ୍ର ମକର, କୁମ୍ଭୀର ଯେପରି ମୋତେ ଗ୍ରାସ କରିବା ଲାଗି ମୁଖ ବ୍ୟାଦାନ କରି ଦୌଡ଼ିଲେ । ମନୁଷ୍ୟର ଟିକିଏ ହସ, ପକ୍ଷୀର ଟିକିଏ ଗାନ, ମୋର ମର୍ମସ୍ଥଳ ପର୍ଯ୍ୟନ୍ତ ଭେଦ କରି ମୋତେ ଉପହାସ କରିବାକୁ ଲାଗିଲେ-। ମୁଁ ବଜାର ବଜାର, ଗଳି ଗଳି ଯେତେ ଦୌଡ଼ିଲେ ସୁଦ୍ଧା ଏ ସବୁର ଦୂରନ୍ତ କବଳରୁ ନିଜକୁ ରକ୍ଷା କରି ପାରିଲି ନାହିଁ ।

 

ସେ ସମୟରେ ମୁଁ ଦର୍ପଣ ଧରି ମୋର ଚେହେରା ଦେଖି ନାହିଁ, କିନ୍ତୁ ମୁଁ ଯେତେବେଳେ ଡାକ୍ତରଙ୍କୁ ଗାଡ଼ିରେ ଧରି ଷ୍ଟେଷନ ନିକଟରେ ଆସି ପହଞ୍ଚିଲି, ଯେଉଁ ଲୋକମାନେ ମଧୁର ଶୁଶ୍ରୁଷା କରୁଥିଲେ, କେହି ମୋତେ ଚିହ୍ନି ପାରିଲେ ନାହିଁ । ପରେ ଚିହ୍ନିପାରି ଯେତେବେଳେ ମୋର ପରୋପକାର-ବ୍ରତର ଭୂୟସୀ ପ୍ରଶଂସା କରିବାକୁ ଲାଗିଲେ, ମୋର ଅନ୍ତଃକରଣରେ ଅସଂଖ୍ୟ ଶେଳ ବିଦ୍ଧି ହୋଇଗଲା ।

 

ମଧୁର ବିଛଣା ପର୍ଯ୍ୟନ୍ତ ଯିବାକୁ ମୋର ସାହସ ହେଲା ନାହିଁ । ରୋଗୀର ଅର୍ଦ୍ଧମୁଦ୍ରିତ ନେତ୍ରଦ୍ୱୟରୁ ଦିଓଟି ଜ୍ୟୋତିର ରେଖା ଆସି ଯେପରି ମୋତେ ଦଗ୍‌ଧୀଭୂତ କରିବାକୁ ଲାଗିଲା । ଡାକ୍ତର ଏଣୁତେଣୁ କଅଣ ଗୁଡ଼ାଏ ପରୀକ୍ଷା କରି ଯେତେବେଳେ ମୋତେ ଆସି କହିଲେ ଯେ, ‘‘ରୋଗୀର ଅବସ୍ଥା ଅଠାଠିକ, ଆଉ କୌଣସି ଆଶା ନାହିଁ ।’’ ମୁଁ କାନରେ ଆଙ୍ଗୁଳି ଦେଇ ସେହିଠାରେ ବସିଗଲି । ତା ପରେ କଅଣ ଘଟିଲା ମୋର ସ୍ମରଣ ନାହିଁ ।

 

ସେହି ଦିନଠାରୁ ମୋର କଲିକତାଠାରୁ ଦୋକାନପତ୍ର ଉଠିଲା ।

 

ମୁକ୍ତି

 

ଦୂର ବିଦେଶରେ ତିନି ଚାରି ବର୍ଷ ଚାକିରି କଲା ପରେ ଯେତେବେଳେ ଗୋପାଳ ବାବୁ ଘର ପାଖରେ ଖଣ୍ଡିଏ ଚାକିରି ହେବାର ସମ୍ବାଦ ପାଇଲେ, ତାଙ୍କ ମନ ଆନନ୍ଦରେ ବିହ୍ୱଳ ହୋଇ ଉଠିଲା । ଦୟାମୟଙ୍କ ଉଦ୍ଦେଶ୍ୟରେ ତାଙ୍କ ହୃଦୟର ନିଭୃତ କନ୍ଦରରେ ପ୍ରାର୍ଥନାରେ ଗୋଟିଏ ଉତ୍ସ ଖୋଲିଗଲା । ପେଟଜ୍ୱାଳା ଯୋଗୁଁ ବିଦେଶରେ କେତେ ବାଧାବିଘ୍ନ ନିକଟରେ ତାଙ୍କ ମୁଣ୍ଡ ନୁଆଁଇବାକୁ ପଡ଼ି ନାହିଁ ! କିନ୍ତୁ ଯା ! ଆଜିଠାରୁ ସବୁ ଦୁଃଖ ଦୁର୍ଦ୍ଦଶାର ଅବସାନ ହେଲା ।

 

ସେ ମନେ କରିଥିଲେ, ବନ୍ଧୁହୀନ ବିଦେଶର ନିର୍ମମ କବଳରେ ପଡ଼ି ତାଙ୍କର ସମସ୍ତ ସରସ କୋମଳ ଭାବଗୁଡ଼ିକ ନିଷ୍ପେଷିତ ହୋଇ ଯାଇଅଛି, ଅଛି କେବଳ ଗୋଟିଏ ନିରାଶାର କରୁଣ ହାହାକାର । କିନ୍ତୁ ଯେ ଆଜି ଚଳିତ ଭାବରେ ଦେଖିଲେ ହୃଦୟର ପ୍ରତ୍ୟେକ ତନ୍ତ୍ରୀ ଗୃହର ଏ ମଧୁର ନିମନ୍ତ୍ରଣରେ ସମସ୍ୱରରେ ବାଜି ଉଠିଲା ।

 

ଗୋପାଳ ବାବୁଙ୍କର ବିବାହ ପ୍ରାୟ ତିନି ବର୍ଷ ହେଲା ହୋଇ ଗଲାଣି, କିନ୍ତୁ ଦାମ୍ପତ୍ୟସୁଖ ଉପଭୋଗ କରିବା ଭାଗ୍ୟରେ ପ୍ରାୟ ଘଟି ନାହିଁ କହିଲେ ଚଳେ । ବର୍ଷରେ ଥରେ ଦିଥର ତାଙ୍କୁ ଘରକୁ ଯିବାକୁ ପଡ଼େ, କିନ୍ତୁ ସେ ସମୟରେ ଦିନଗୁଡ଼ାକୁ ଅଯଥା ଦ୍ରୁତଗତିରେ ଏପରି ଘିଡ଼ି ଘିଡ଼ି ହୋଇ ଚାଲିଯାଏ ଯେ, ମଝିରେ ତାରିଖଗୁଡ଼ାକ କେବେ ଆସି ସଂସାରରେ ନିଜ ନିଜ ରାଜ୍ୟତ୍ୱ କରି ଯାଇ ଅଛନ୍ତି, ଏ ବିଷୟରେ ତାଙ୍କର ସନ୍ଦେହ ହୁଏ । ବହୁ ଦିନର ବିଚ୍ଛେଦ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଲଜ୍ଜା ସଙ୍କୋଚର ଶିକୁଳା ଫିଟୁ ନ ଫିଟୁଣୁ ଛୁଟି ଶେଷ ହେବାର ଘଣ୍ଟା ଟଂ ଟଂ ହୋଇ କାନରେ ଆସି ତାରସ୍ୱରରେ ପ୍ରତିଧ୍ୱନିତ ହୋଇ ଉଠେ । ପୁଣି ମନଟା ନିତାନ୍ତ ଜଡ଼ ପଦାର୍ଥ ନୁହେ ଯେ, ଯେଉଁଠାରେ ଯେପରି ଭାବରେ ଭାଙ୍ଗିଯାଇଥିବ ଠିକ୍‌ ସେହି ସ୍ଥାନରେ ଯେପରି ଭାବରେ ପୁଣି ଯୋଡ଼ ଲାଗିଯିବ । ଅତଏବ ପ୍ରତିଥର ଏହିପରି ନୂଆ କରି ଦାମ୍ପତ୍ୟ ଶାସ୍ତ୍ରର ଅ, ଆଠାରୁ ଆରମ୍ଭ କରି ସତରଫଳା ଟିକିଏ ମଡ଼ାଇ ନେବାକୁ ହୁଏ ମାତ୍ର । ଏଥିରେ ପଢ଼ା ଶୁଣାର ଉନ୍ନତି ତ ବଡ଼ ବେଶି ହୁଏ ନାହିଁ, ବରଂ ସତରଫଳାର ମୋହଟା ମଧ୍ୟ ଭାଙ୍ଗିଯାଏ । ଏହିସବୁ କାରଣରୁ ଗୋପାଳବାବୁ ଏଥର ଅତୀତର କ୍ଷତିଟାକୁ ସୁଦେ ମୂଳେ ଆଦାୟ କରିବାକୁ କୃତସଂକଳ୍ପ ହେଲେ । ମନରେ ଭବିଷ୍ୟତ ପାଇଁ ଗୋଟି ଗୋଟି ହୋଇ କେତେ ‘ପ୍ଲାନ’ (ଆଗତ ଭବିଷ୍ୟ ଚିତ୍ର) ଫୁଟି ଉଠିଲା ଏବଂ ଅନଶନର କନ୍ଦି ବିକନ୍ଦିରେ ଭାବର ଅସଂଖ୍ୟ ଢେଉ ଖେଳିଗଲା ।

 

ଘରକୁ ଫେରିବା ବେଳେ ଗୋପାଳ ବାବୁ ସମସ୍ତଙ୍କ ମନ ଅନୁଯାୟୀ କେତେଗୁଡ଼ିଏ ବଛା ବଛା ସଉକିନିଆ ଜିନିଷ କିଣି ନେଇଗଲେ । ଆହା ! ଏ ସୁଖଟା ଜୀବନରେ ଆଉ ବୋଧହୁଏ କେବେ ଘଟିବ ନାହିଁ ପରା ? ଅତୀତ ଜୀବନ ଆଡ଼କୁ ମୁହଁ ବୁଲାଇ ଗୋପାଳ ବାବୁ ସହାନୁଭୁତିର ଗୋଟିଏ କରୁଣ ଦୀର୍ଘନିଃଶ୍ୱାସ ପକାଇଲେ ଓ ସେହି ଦିନ ଗୃହାଭିମୁଖରେ ଯାତ୍ରା କଲେ ।

 

ଏଥର ଘରକୁ ଆସି ଗୋପାଳ ବାବୁ ଏକ ନୂତନ ଜଳବାୟୁର ନୂତନ ପ୍ରଭାବ ଅନୁଭବ କଲେ । ଘରଟିକୁ କେନ୍ଦ୍ର କରି ଓ କଳ୍ପନାର ବ୍ୟାସାର୍ଦ୍ଧ ନେଇ ଭବିଷ୍ୟତ୍‌ ଜୀବନରେ ଛୋଟ ବଡ଼ କେତେଗୁଡ଼ିଏ ବୃତ୍ତ ଅଙ୍କନ କରିଗଲେ । ବୃତ୍ତଗୁଡ଼ିକ ପରସ୍ପରଠାରୁ ଦୂରବର୍ତ୍ତୀ ହେଲେ ସୁଦ୍ଧା ସମସ୍ତଙ୍କ ମଧ୍ୟରେ କେନ୍ଦ୍ରରୂପେ ଅଖଣ୍ଡ ଭାବରେ ରହିଲେ- ସେ ନିଜେ ଓ ତାଙ୍କ ସ୍ତ୍ରୀ କମଳା । କମଳା ବିଚାରିଲା, ‘‘ମୁଁ ତ ଆସି ପୁଅର ମା’ ହେଲି, ଆଉ ଗୁଡ଼ାଏ ଘୋଡ଼ାଘୋଡ଼ି କାହିଁକି ? ପେଟରେ ଭୋକ ରଖି ମୁହଁରେ ଲାଜ କଲେ ଫଳ କ’ଣ ? ଏ ସୁଯୋଗକୁ ହାତଛଡ଼ା କରିବା ଭଲ ନୁହେ । ନିଜ ଧନକୁ ନିଜେ ନ ଦେଖିଲେ ଅନ୍ୟର ବା ମୁଣ୍ଡ ବଥାଇବ କାହିଁକି ? ଫଳତଃ ଏଥରକ ଯେପରି ଆଉ ଥରେ ଉଭୟଙ୍କର ନୂଆ ହୋଇ ବିବାହ ହେଲା । ଏହିପରି ନୂତନ ଯାତ୍ରିଯୁଗଳ ଶିଶୁଟିକୁ କ୍ରୋଡ଼ରେ ଘେନି ସ୍ୱପ୍ନବିଭୋର ନେତ୍ରରେ ନିଜର କ୍ଷୁଦ୍ର-ତରୀ ଖଣ୍ଡିକ ମୃଦୁ ମନ୍ଦ ପବନରେ କେଉଁ ଅଜଣା ରାଜ୍ୟ ଆଡ଼କୁ ମେଲିଦେଲେ ।

 

ଗୋପାଳ ବାବୁଙ୍କର ସ୍ୱଦେଶକୁ ଫେରିବାର ମାସ ଦୁଇଟା ହୋଇ ନାହିଁ, ଖବର ଆସିଲା ଯେ, ତାଙ୍କର ଏକମାତ୍ର ଭଗିନୀ ଇନ୍ଦୁ ଦେଢ଼ ବର୍ଷରେ ଗୋଟିଏ ଅପୋଗଣ୍ଡ ଶିଶୁ ରଖି ଅକାଳରେ କାଳଗ୍ରାସରେ ପତିତ ହୋଇଅଛି । ଗତବର୍ଷ ଭଗିନୀପତିଙ୍କର ଯକ୍ଷ୍ମାରୋଗରେ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଏ ଦାରୁଣ ସମ୍ବାଦ ଶୁଣି ଗୋପାଳ ବାବୁ ହତବୁଦ୍ଧି ହୋଇ ପଡ଼ିଲେ । ଇନ୍ଦୁକୁ ସେ କୋଳରେ କାଖରେ ଧରି ମନୁଷ୍ୟ କରିଥିଲେ ଓ ଗଣ୍ଠିଧନ ପରି ତାକୁ ସ୍ନେହ କରୁଥିଲେ । ତାଙ୍କ ବାଲ୍ୟଜୀବନର କେତେ ମଧୁର ସ୍ମୃତି ସଙ୍ଗରେ ଇନ୍ଦୁ ଓତଃପ୍ରୋତ ଭାବରେ ଜଡ଼ିତ । ସେ ଆଉ ଇହଧାମରେ ନାହିଁ, ଏକଥା ଭାବିଲା ବେଳକୁ ତାଙ୍କ ହୃଦୟର ତନ୍ତ୍ରୀ ଛିନ୍ନ ହେବାକୁ ଲାଗିଲା । ଆହା-! ସେ ଅନାଥ ବାଳକଟିର ଦଶା କ’ଣ ହେବ ? ତାଙ୍କ ଘରେ ଆଉ ଯେ ଯେତେ ଥିଲେ ସୁଦ୍ଧା ବାପ ମା’ ଗଲା ପରେ ଆଉ ଆପଣାର ବୋଲି କିଏ ? ଶୋକର ବେଗ ଟିକିଏ କମି ଗଲାରୁ ଗୋପାଳ ବାବୁ ସେଠାକୁ ଯାଇ ସମସ୍ତଙ୍କୁ କୁହାପୋଛା କରି ଭଣଜା ନବକୁ ସଙ୍ଗରେ ଧରି ନିଜ ଘରକୁ ଘେନି ଆସିଲେ ।

 

ଭକ୍ତ ଶିଷ୍ୟ ଯେପରି ମୃତ ଗୁରୁଦେବଙ୍କର କିଛି ଗୋଟିଏ ସନ୍ତକ ରଖି ତାକୁ ପୁଷ୍ପଚନ୍ଦନ ଦେଇ ସଯତ୍ନରେ ପୂଜା କରେ ଗୋପାଳ ବାବୁ ସେହିପରି ଇନ୍ଦୁର ଶେଷ ଚିହ୍ନ ‘ନବ’ଟି ପାଇଁ ହୃଦୟରେ ଗୋଟିଏ ପବିତ୍ର କକ୍ଷ ଅଲଗା କରିଦେଲେ । ଭାବିଲେ ଆହା ! ବିଚାରୀ ଜୀବନରେ କେତେ ଦୁଃଖ ନ ଭୋଗିଲା ! ବୋଧହୁଏ ଆମ୍ଭମାନଙ୍କର କିଛି ଦୋଷ ଥିଲା; ହୁଏତ ସେ ବିବାହଟି ତାହା ପକ୍ଷରେ ସୁଖକର ହୋଇ ପାରିଲା ନାହିଁ, ଆଉ ଟିକିଏ ଭଲ ଘର ଦେଇଥିଲେ ଅବା ସେ ସୁଖରେ ବଞ୍ଚି ପାରିଥାନ୍ତା । ନିଜ ଉପରେ ଏହିପରି କେତେ ଜନ୍ମିତ ଅପରାଧର ଆରୋପ କରି ଗୋପାଳ ବାବୁ ଏହି ଛୋଟ ଭଣଜାଟିକୁ ମଣିଷ କରି ବାହାର ପ୍ରାୟଶ୍ଚିତ କରିବାକୁ ମନସ୍ଥ କଲେ ।

 

ସ୍ଥାନାନ୍ତରିତ କ୍ଷୁଦ୍ର ଚାରାଗଛ ପରି ନବ ମଧ୍ୟ ଶୀଘ୍ର ଗୋପାଳଙ୍କ ଘର ଆଦରି ନେଲା ଏବଂ କ୍ରମେ କ୍ରମେ ତାହାର ଚେରଗୁଡ଼ିକ ଗୋପାଳ ବାବୁଙ୍କ ଚାରିପାଖରେ ଗୁଡ଼େଇ ହେବାକୁ ଲାଗିଲା । ଏଡ଼େ ବକଟେ ପିଲାଠାରେ ଏତେ ଶକ୍ତି ଅଛି ବୋଲି ଯେ ଜାଣି ନ ଥିଲେ ଏବଂ ଏତେ ଶୀଘ୍ର ଯେ ତାଙ୍କଠାରୁ ଏପରି ଅଦ୍ଭୁତ କୌଶଳରେ କିପରି ଦସ୍ତଖତ ଲେଖାଇ ନେଲା, ତାହା ସେ ବୁଝିପାରିଲେ ନାହିଁ । ଚୈତନ୍ୟ ହେଲା ବେଳକୁ ସେ ଆଉ ନିଜ ଆୟତ୍ତରେ ନାହାନ୍ତି । ମାସ କେତେଟାରେ ଚେରଗୁଡ଼ିକ ତାଙ୍କ ଶିରା ପ୍ରଶିରାରେ ଭେଦି ତାଙ୍କୁ ଏପରି ସୁଦୃଢ଼ ଭାବରେ ଛନ୍ଦି ଦେଲା ଯେ, ତାଙ୍କର ଆଉ ଟିକିଏ ହଲଚଲ ହେବାର ଚାରା ରହିଲା ନାହିଁ ।

 

ପ୍ରଥମରେ ଗୋପାଳ ବାବୁ ନବକୁ ଆଣି କମଳାଠାରେ ସମର୍ପଣ କରିଦେଇ କହିଲେ, ‘‘ଦେଖ, ନବକୁ ରାଧୁଠଉଁ ତଫାତ୍‌ବୋଲି ଭାବିବ ନାହିଁ । ଆଜିଠାରୁ ଆମ୍ଭେମାନେ ହେଲେଇଁ ତାର ବାପ ମା’ । ସଂସାରରେ ତା’ ଠଉଁ ବଳି ଦୁଃଖୀ ଆଉ କେହି ନାହିଁ । ଆମେ ଟିକିଏ ତା’ ଖବର ନ ବୁଝିଲେ ଏ ଛେଉଣ୍ଡ ପିଲାଟିର କି ଦଶା ହେବ !’’ କମଳା ଏଥିରେ ବିଶେଷ ଆଗ୍ରହ ପ୍ରକାଶ ନ କଲେ ସୁଦ୍ଧା ସ୍ୱାମୀଙ୍କ କଥାର ପ୍ରତିଧ୍ୱନି ନ କରି ମୁହଁରେ ଯେ ଟିକିଏ ଆହା ଆହା ଚୁ ଚୁ ନ କଲା ଏପରି କଲା ଏପରି ନୁହେଁ । ସେ କିନ୍ତୁ ମନେ ମନେ ପାଞ୍ଚିଲା, ଏ ପୁଣି ଗୋଟାଏ କୁଗ୍ରହ କୁଆଡ଼ୁ ଜୁଟିଲା ! ଏ ପର୍ଯ୍ୟନ୍ତ ଏ ନାବ ଖଣ୍ଡି ଆମ ତିନିଜଣକୁ ଘେନି ଲହଡ଼ୀରେ ନାଚି ନାଚି ଖୁସିବାସିରେ ଚାଲୁଥିଲା, ୟାକୁ ଏଠାକୁ ଆଣିବା ଦ୍ୱାରା ଆଶଙ୍କାର କିଛି କାରଣ ନାହିଁ ତ ? ଏ ପୁଣି ମୋ ରାଧୁର କଣ୍ଟା ନ ହୁଏ ?

 

ଗୋପାଳ ବାବୁ ସାଧାରଣତଃ ଟିକିଏ ଗମ୍ଭୀର ପ୍ରକୃତିର ଲୋକ । କାହାରି ସଙ୍ଗେ ବେଶି ଗୁଡ଼ାଏ କଥାବାର୍ତ୍ତା କରିବାକୁ ଭଲ ପାଆନ୍ତି ନାହିଁ । କିନ୍ତୁ ନବ ଆସି ତାଙ୍କର ଏ ମୌନବ୍ରତ ଭାଙ୍ଗି ଦେଇଛି, ସେ ବର୍ତ୍ତମାନ ବାବଦୁକ କହିଲେ ଚଳେ । ଯେଉଁମାନେ ତାଙ୍କୁ ଭଲ କରି ଜାଣନ୍ତି, ସେମାନେ ତାଙ୍କର ଏ ଅଦ୍ଭୁତ ପରିବର୍ତ୍ତନରେ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ । ସେ ନବକୁ ଘେନି କେତେ ହସଖେଳ କରନ୍ତି, କେତେ କ୍ରୀଡ଼ାରେ ଯୋଗ ଦିଅନ୍ତି, କିନ୍ତୁ ତଥାପି ସେଥିରେ କ୍ଳାନ୍ତି ବା ତୃପ୍ତି ନାହିଁ । ପୁନର୍ବାର ବାଲ୍ୟଜୀବନ ଫେରି ପାଇଲା ପରି ସେ ଏକ ପ୍ରକାର ଆହ୍ଲାଦରେ ଆତ୍ମବିସ୍ମୃତ । ଯେଉଁ ଦିନ ନବ ଗୁରୁଣ୍ଡିବା ଅଧ୍ୟାୟ ସମାପ୍ତ କରି କାନ୍ଥ ବାଡ଼ ଧରି ଚାଲି ପ୍ରଥମରେ ୪/୫ ଇଞ୍ଚ ଉଚ୍ଚ ଦ୍ୱାରବନ୍ଧକୁ ଡେଇଁ ପଡ଼ିଲା, ସେ ଦିନ ଗୋପାଳ ବାବୁ ତାକୁ କୋଳକୁ ନେଇ ପାରିତୋଷିକ ସ୍ୱରୂପ ତା ମୁଖରେ ଅସଂଖ୍ୟ ଚୁମ୍ବନ ଦେଇ ତାକୁ ଅସ୍ଥିର କରି ପକାଇଲେ । ସନ୍ଧ୍ୟାକାଶରେ ଗୋଟି ଗୋଟି ହୋଇ ତାରା ଫୁଟିଲା ପରି ଯେତେବେଳେ ନବର ମୁହଁରୁ ମା, ମା, ଦା ଦା ପ୍ରଭୃତି ଅସ୍ଫୁଟ ଭାଷାଗୁଡ଼ିକ କ୍ରମେ କ୍ରମେ ଫୁଟି ଉଠିଲା, ଗୋପାଳ ବାବୁଙ୍କର ଆଉ ବିସ୍ମୟର ସୀମା’ ରହିଲା ନାହିଁ । ନବ ଯେ ଦିନେ ଜଣେ ଖୁବ୍‌ ବଡ଼ଲୋକ ହେବ, ଏ ବିଷୟରେ ସେ ଏକପ୍ରକାର ନିଃସନ୍ଦେହ ହୋଇଗଲେ । ଏତେ କମ୍‌ ବୟସରେ କେଉଁ ପିଲାଟା ଏପରି ତୀକ୍ଷ୍‍ଣ ବୁଦ୍ଧିର ପରିଚୟ ଦେଇଛି ? ତାଙ୍କ ଘରକୁ ଯେ ଆସନ୍ତି ସମସ୍ତେ ଗୋପାଳ ବାବୁଙ୍କ ମୁଖରେ ନବର ଗୁଣ କୀର୍ତ୍ତନ ଶୁଣି ଶୁଣି ଚିଟା ହୋଇଗଲେଣି, ତଥାପି ତାଙ୍କର ସେଥିପ୍ରତି ଲକ୍ଷ୍ୟ ନାହିଁ । ନବର ପ୍ରଶଂସା କଥାରେ କହିଲେ ନ ସରେ ।

 

ୟା ବୋଲି ଯେ ଗୋପାଳ ବାବୁ ରାଧୁକୁ ସ୍ନେହ ଆଦର ନ କରନ୍ତି, ଏପରି ନୁହେଁ । ଯେତେବେଳେ ନିଜର ପୁଅ ତ । କିନ୍ତୁ ନବପ୍ରତି ତାଙ୍କର ଭାବ ସମସ୍ତଙ୍କୁ ଦବେଇ ଦେଇ ପଦାକୁ ବାହାରି ପଡ଼େ । ଗୋପାଳ ବାବୁ ଅନେକ ଥର ନିଜ ସ୍ତ୍ରୀକୁ ଡାକି ନବ ସହିତ କ୍ରୀଡ଼ା କଉତୁକରେ ଯୋଗ ଦିଅନ୍ତି । କିନ୍ତୁ କମଳା ଯେ ସେଥିରେ ବ୍ୟଗ୍ରତା ଦେଖାଏ ନାହିଁ ଏକଥା ବେଶିଦିନ ତାଙ୍କ ଦୃଷ୍ଟିରୁ ଛପି ହୋଇ ରହିପାରିଲା ନାହିଁ । ସେ ମନେ କଲେ କମଳାର ହୃଦୟଟା ଟିକିଏ ଟାଣ, ସେଥିଲାଗି ଏ ନବ ଏ ପର୍ଯ୍ୟନ୍ତ ତା ଉପରେ ବେଶୀ ପ୍ରଭାବ ବିସ୍ତାର କରି ପାରି ନାହିଁ । ପୁଣି ମନକୁ ପ୍ରବୋଧ ଦେଲେ ନବ ପରି ପିଲା ପକ୍ଷରେ ଗୋଟାଏ ସ୍ତ୍ରୀଲୋକକୁ ନିଜର କରି ନେବାକୁ ବେଶି ଦିନ ଲାଗିବ ନାହିଁ । ପୁଣି ମନକୁ ପ୍ରବୋଧ ଦେଲେ ନବ ପରି ପିଲା ପକ୍ଷରେ ଗୋଟାଏ ସ୍ତ୍ରୀଲୋକକୁ ନିଜର କରି ନେବାକୁ ବେଶି ଦିନ ଲାଗିବ ନାହିଁ । ନବକୁ କ’ଣ କିଏ ସ୍ନେହ ନ କରି ରହି ପାରେ ? କମଳା ମନେ କରିଥିଲା, ଗୋପାଳ ବାବୁଙ୍କ ହୃଦୟରେ ତାର ଓ ରାଧୂର ପୂର୍ଣ୍ଣ ଅଧିକାର - ସେଇ ଦୁଇ ଜଣହିଁ ବାଣ୍ଟି କରି ତାଙ୍କୁ ଜୀବଦଶା ପର୍ଯ୍ୟନ୍ତ ଭୋଗ ଦଖଲ କରିବେ । କୌଣସି କାଳେ ଏ ନିଗୂଢ଼ ଦଖଲି ସ୍ୱରରେ ଯେ କିଛି ବାଧା ପଡ଼ିପାରେ, ଏ କଥା ସେ ଧାରଣାକୁ ମଧ୍ୟ ଆଣି ନଥିଲା-। ବର୍ତ୍ତମାନ ସେଥିରେ ନୂତନ ଭାଗୁଆଳି ଦେଖି କମଳା ସଖେଦ ବିସ୍ମୟରେ ଭାବିଲା, ଏ କି ଘୋର ଅନ୍ୟାୟ ! ମୋ ତପସ୍ୟାର ଫଳ, ମୋ ଅଣ୍ଟିର ମାଣିକ, ମୋ ରଙ୍କନିଧି ରାଧୁ କୁଆଡ଼େ ଗଲା ? ନାଁ ଆସି ଗାଦି ମାଡ଼ି ବସିଲା ଗୋଟାଏ କେଉଁଠିକାର ଅରକ୍ଷିତ ଛତରା ଟୋକା । ଇମିତିକା ମଣିଷ କ’ଣ ସଂସାରରେ ଥାନ୍ତି ? ମୋ ରାଧୁ ହେଲା ପଛ, ଏ ଛତରାଟୋକା ହେଲା ଆଗ ! ଏ କାଳିଆ କଦର୍ଜିୟା ପିଲାଟା ଠେଇଁ ଏମିତି କି ମହୁ ଲାଗିଛି ଯେ ତାରି ଠେଇଁ ସବୁ ଗେଲ, ସବୁ ସିନିହ ଅଜଡ଼ା ହେଉଛି । ଏତେ ସିନିହ ସୁଆଗ ଅଣ୍ଡିରି ପୁଅଙ୍କୁ ଶୋଭା ପାଏ ନାହିଁ ।

 

ଗୋପାଳ ବାବୁ ଦେଖିଲେ, ନବର ଲୋକବଶ କରିବାର କ୍ଷମତା ଉପରେ ତାଙ୍କର ଯେପରି ସ୍ଥିର ବିଶ୍ୱାସ ଥିଲା, ସେଟା ନିତାନ୍ତ ଅଭ୍ରାନ୍ତ ନୁହେ । ଅନ୍ତତଃ ନିଜର ସ୍ତ୍ରୀ ଉପରେ ସେ କ୍ଷମତାଟା କିଛି କାଟୁ କଲା ନାହିଁ । ସେ ସ୍ପଷ୍ଟ ବୁଝି ପାରିଲେ ଯେ, ସ୍ନେହ କରିବା ତ କାଠିକର ପାଠ, ସୁଖ ପାଇବା ତ ଦୂରର କଥା, ନବ କ୍ରମେ କମଳାର ଅଖିଳ କଣ୍ଟା ହୋଇ ଉଠୁଛି । ତେବେ ତ ଏ ସ୍ଥାନଟା ନବପକ୍ଷରେ ବଡ଼ ନିରାପଦ ନୁହେଁ । ଏକଥା ଭାବିଲା ବେଳକୁ ତାଙ୍କ ଦେହ ଶୀତେଇ ଉଠିଲା । କ’ଣ କରିବେ, ସେ କିଛି ବୁଝି ପାରିଲେ ନାହିଁ । ପାଖରେ ନବ ବସି ଖେଳୁଥିଲା । ପକ୍ଷୀ ଯେପରି ଶାବକଟିର ଭୟରେ କୌଣସି କାରଣ ଦେଖିଲେ ତାକୁ ପାଖକୁ ନେଇ ନିଜ ପକ୍ଷପୁଟରେ ଘୋଡ଼ାଇ ପକାଏ, ଗୋପାଳବାବୁ ସେହିପରି ନିଜକୁ ଟାଣିନେଇ ଦୃଢ଼ ଭାବରେ ବକ୍ଷରେ ଚାପି ଧଇଲେ ।

 

ନବ ଟିକିଏ କାନ୍ଦି ଉଠିଲେ କମଳାର ସେଇଟା ବଡ଼ ଅସହ୍ୟ ହୋଇ ପଡ଼େ । ‘‘ଏ ଘରେ ଆଉ ଚଳି ହେବ ନାହିଁ। ସଦାବେଳେ ଛୁଆଟାଏ କେଁ ଭେଁ ହେଲେ କାହାମନ ଥଣ୍ଡା ରହିବ ? ସଂସାରରେ କଅଣ ପିଲା ନାହାନ୍ତି ! ଏମିତି କୋଉ ପିଲାଟା ହରଘଡ଼ି ସ୍ୱର ମେଲେଇ ବସିଛି ? ଏଇଠେଇଁ ପିଲାଟିଏ ଚଳୁଛି ଯେ ଟିକିଏ ତୁଣ୍ଡ ମୁଣ୍ଡ ବାଜିବାକୁ ନାହିଁ । ବେଶି ଆଦର ପାଇଲେ ସମସ୍ତେ ଶକେଇ ହୁଅନ୍ତି ।’’ ଏହିପରି କେତେ କଥା କହି କମଳା ଚିତ୍କାର କରି ଉଠେ । ଗୋପାଳ ବାବୁ ମୂଷାଟି ପରି ପଦେ କିଛି କଥା ନ କହି ସେଠାରୁ ନେଇଯାଇ କଅଁଳା ସଅଁଳା କରି ତୁନି କରି ଦିଅନ୍ତି । ନବର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଘରର ଜିନିଷ ପତ୍ର ଭାଙ୍ଗିବା ପ୍ରବୃତ୍ତି ପ୍ରବଳ ହୋଇ ଉଠିଲା । ଆଜି ଶିଶିଟାଏ, କାଲି ଘଡ଼ିଟାଏ ପରଦିନ ଲଣ୍ଠନଟାଏ ଏହିପରି ନବକିଶୋରଙ୍କ ଅନୁଗ୍ରହରୁ ମଝିରେ ମଝିରେ ଘରର କେତେକ ଜିନିଷ ଅଳିଆ ଗଦାକୁ ସ୍ଥାନାନ୍ତରିତ ହେଲା । କମଳାର ଗୃହିଣୀପଣରେ ବେଶି ସୁନାମ ନ ଥିଲେ ସୁଦ୍ଧା ଏହି ସମୟରେ ତାଙ୍କର ମିତବ୍ୟୟ ନୀତିଟା ବେଶ୍‌ ଜାଗ୍ରତ ହୋଇ ଉଠିଲା ଏବଂ ସେହି ଅବସରରେ ପଦେ ଅଧେ କଡ଼ା କଥା ମଧ୍ୟ ମୁହଁରୁ ବାହାରି ଗଲା । ଏହା ହେବା ମଧ୍ୟ ସ୍ୱାଭାବିକ; ବିଶେଷତଃ ଯେତେବେଳେ ନୀତିଭଙ୍ଗକାରୀ ନିଜେ ବା ନିଜର କେହି ନୁହେଁ । ଗୋପାଳବାବୁ ବିଚରା କିନ୍ତୁ ଏଥିରେ ବଡ଼ ଅପଦସ୍ଥ ହୋଇପଡ଼ନ୍ତି-। ସେ ମନେ କରନ୍ତି, ଏ ସମସ୍ତ ବାକ୍ୟବାଣର ଲକ୍ଷ୍ୟସ୍ଥଳ ସେ ନିଜେ,ଏବଂ ସ୍ତ୍ରୀଙ୍କୁ ସନ୍ତୋଷ କରିବାପାଇଁ ସେ ନବକୁ ବେଳେ ବେଳେ ପଦେ ଅଧେ ଗାଳି ଦେବାକୁ ମଧ୍ୟ କୁଣ୍ଠିତ ହୁଅନ୍ତି ନାହିଁ ।

 

ନବ ବର୍ତ୍ତମାନ ଗୋପାଳ ବାବୁଙ୍କର ପ୍ରଧାନ ଚିନ୍ତାର ବିଷୟ ହୋଇ ଉଠିଲା । ଏଣିକି ନବ ଟିକିଏ ଚଲାବୁଲା କରି ପାରିଲାଣି ଅତଏବ ପଦେ ପଦେ ତାର ବିପଦ । ତାହାର ତ ଆହା ବୋଲି କହିବାକୁ ଏ ଇହସଂସାରରେ କେହି ନାହିଁ, କିଏ ତାହାଙ୍କୁ ଯତ୍ନ କରିବ, କିପରି ସେ ମନୁଷ୍ୟ ହେବ, ଏହିସବୁ ଚିନ୍ତା ଗୋପାଳ ବାବୁଙ୍କୁ ବିଚଳିତ କଲା । ସେ ଏଣିକି ଆଉ ପ୍ରକାଶ୍ୟ ଭାବରେ ନବକୁ ଆଦର ସ୍ନେହ କରିବାକୁ ସାହସ କଲେ ନାହିଁ । କମଳା ପାଖରେ ଥିଲାବେଳେ ନବର ହାସ୍ୟ କୌତୁକ ଦେଖି ଗୋପାଳବାବୁ କେତେ ଥର ମନେ ମନେ ପାଞ୍ଚନ୍ତି, କୋଳକୁ ଆଣି ତାକୁ ଗୋଟିଏ ବୋକ ଦେବି ବା ପଦେ ହସି କରି କଥା କହିବି, କିନ୍ତୁ କିପରି ଗୋଟାଏ ଅଜଣା ଭୟ ତାଙ୍କୁ ତର୍ଜନୀ ଦେଖାଇ ବାରଣ କରିଦିଏ । ସେ କେବଳ ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ କ୍ଷାନ୍ତ ହୁଅନ୍ତି । କିନ୍ତୁ ନବକୁ ନିର୍ଜନରେ ପାଇଲେ ସେ ଚାରିଆଡ଼କୁ ଆଖି ବୁଲାଇ ଦେଇ ଗାଢ଼ ଆଲିଙ୍ଗନରେ ଆବଦ୍ଧ କରି ପକାନ୍ତି । ଏହିପରି ସେ ମନର ଭାବକୁ ଯେତିକି ଗୋପନ କରିବାକୁ ଚେଷ୍ଟା କରନ୍ତି, ତାହା ତେତିକି ଫୁଟି ଉଠେ । କେତେବେଳେ ଭାବନ୍ତି, ଏ ମୋର କ’ଣ କରିବ ଯେ, ମୁଁ ସବୁ ସଂସାରିକ ସୁଖସ୍ୱାଚ୍ଛନ୍ଦ୍ୟରେ ଜଳାଞ୍ଜଳି ଦେଇ ୟାର କିଣା ଗୋଲାମ ପରି ରହିବି ? ଏ କ’ଣ ସୁଖ ନା ଦୁଃଖ ? କିନ୍ତୁ ସେ ଭାବନା କ୍ଷଣକ ପାଇଁ ।

 

ଗୋପାଳବାବୁ କିନ୍ତୁ ଯେତେ ସାବଧାନ ହେଲେ ସୁଦ୍ଧା କମଳା ଆଖିରେ ଧୂଳି ପକାଇ ପାରିଲେ ନାହିଁ । ତାଙ୍କର ଏପରି ପରିବର୍ତ୍ତନ ଦେଖି କମଳା ଭାବିଲା ଯେ, ମୋ ଉପରେ ସନ୍ଦେହ କରି ସେ ଏପରି ଭାବ ଦେଖାଉ ଅଛନ୍ତି । ସେ ତାଙ୍କର ହାବ ଭାବ ଓ କଥାବାର୍ତ୍ତାରୁ ଏହାର ଆଭ୍ରାନ୍ତ ପ୍ରମାଣ ପାଇ ପାରିଲା ଏବଂ ତାହାର ଭିତରର ଈର୍ଷା ଦ୍ୱିଗୁଣ ଜଳି ଉଠିଲା । ଯେତେବେଳେ ଗୋପାଳବାବୁ ବା ନବ ତା ପାଖରେ ନ ଥାନ୍ତି, ତାହାର ସୂକ୍ଷ୍ମ କଳ୍ପନା-ଚକ୍ଷୁ କାନ୍ଥ ବାଡ଼ ଭେଦ କରି ଉଭୟଙ୍କର କେତେ ରଙ୍ଗରହସ୍ୟ, ହାସ୍ୟପରିହାସ, ଗେଲକଉତୂକ ଦେଖି ଆସେ, କେତେ ଗୁପ୍ତ ମନ୍ତ୍ରଣା ଶୁଣି ଆସେ । ଏଣେ ଗୋପାଳ ବାବୁଙ୍କ ଶତ ଚେଷ୍ଟା ସତ୍ତ୍ୱେ ଅନ୍ତରର ଧୁନିଟିକୁ ଜାଗ୍ରତ ରଖିବାଲାଗି କମଳାର ଉପକରଣ ଅଭାବ ପଡ଼େ ନାହିଁ ।

 

ପ୍ରକାଶ୍ୟ କଳହ ଅପେକ୍ଷା ଏପରି ବିବାଦ କ୍ରମେ ବେଶି ଦୁଃସହ ହୋଇ ଉଠିଲା । ପରିବାର ମଧ୍ୟରେ କାମଦାମ, ଆମୋଦ-ଆହ୍ଳାଦ ସବୁ ହୁଏ, କିନ୍ତୁ ବିଷାଦର ମଳିନ ହାସ୍ୟ ପରି କୌଣସିଥିରେ ଶ୍ରୀ ବା ମାଧୁରୀ ନାହିଁ । ଏଥି ମଧ୍ୟରେ ନବ ଓ ରାଧୁ ପାଠଶାଳାରେ ନାଁ ଲେଖାଇ ସାରିଲେଣି, ଗୋପାଳ ବାବୁଙ୍କର ଗୋଟିଏ କନ୍ୟା ଲାଭ ହେଲାଣି; କିନ୍ତୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସେ ବ୍ୟବଧାନ ପୂର୍ବପରି ଅକ୍ଷୁର୍ଣ୍ଣ ରହିଅଛି । ଅଶରୀରୀ ଜୀବ ପରି ଗୋଟାଏ ଅବିଶ୍ୱାସର ଛାୟା ସର୍ବଦା ଘରର ଚାରିପାଖରେ ଘେରି ରହିଛି । ତାହାର ଦୌରାତ୍ମ୍ୟରେ ପରିବାରର ସମସ୍ତେ ଅଥୟ ହୋଇ ସାରିଲେଣି ।

 

ଗୋପାଳ ବାବୁ ଘରେ ଶାନ୍ତି ପାଇବେ ବୋଲି କେତେ ଆଶା ବାନ୍ଧି ଆସି ନ ଥିଲେ ! କିନ୍ତୁ ବର୍ତ୍ତମାନ କ’ଣ ହେଲା ? ସୃଷ୍ଟିକର୍ତ୍ତା ସମସ୍ତ ଦୁଃଖ ଶୋକ ସୃଷ୍ଟି କରି ତାହା ସଙ୍ଗେ ଆଶାର ଯେଉଁ ଅଦ୍ଭୁତ ବଟଣିଟିକ ଦେଇ ଅଛନ୍ତି, ସେଥିରେ ଆଉ କଥା ବା ପଚାରୁଛି କିଏ ? ହାତଖିଆ ଅକାଣ୍ଡିଆ ବଗଡ଼ା ଚାଉଳରେ ଭାତ ମଧ୍ୟ ଅକ୍ଳେଶରେ ଉଦରସ୍ଥ ହୋଇଯାଏ; ତେବେ ଚଟଣିରେ ପାଚକ ମସଲା ଅପେକ୍ଷା ଲଙ୍କାମରିଚର ଭାଗ ଏତେ ବେଶି ଥାଏ ଯେ, ସମୟ ସମୟରେ ପେଟରେ ନାନା ବିକାରର ମଧ୍ୟ ଆବିର୍ଭାବ ହୋଇପଡ଼େ ! ଆଉ କାହାର କ’ଣ କ୍ଷତି ହେଉ ନ ହେଉ ଅନ୍ତତଃ ଗୋପାଳ ବାବୁଙ୍କ ଭାଗରେ ସେ ଲଙ୍କାମରିଚରୁ ଗୋଟିକେତେ ଭଲ କରି ପଡ଼ୁଛି । କୁଆଡ଼େ ଗଲା ତାଙ୍କର ସେ ପ୍ରଫୁଲ୍ଲ ମୁଖକାନ୍ତି ? ସେ ସମୁଜ୍ଜଳ ହାସ୍ୟ ? ଅଛି କେବଳ ପାଣ୍ଡୁର ମୁଖମଣ୍ଡଳରେ ବିବାଦର କାଳିମା । ତା’ ଛଡ଼ା ମଧ୍ୟ ସେ ଏବେ ଟିକିଏ ଚିଡ଼ଳ ହୋଇ ପଡ଼ିଲେଣି । ସର୍ବଦା ଗୋଟାଏ ଅନ୍ୟମନସ୍କ ଭାବ ଯେପରି ବରାବର ଗୋଟାଏ କ’ଣ ଭାଳୁଛନ୍ତି ।

 

ଜ୍ୟେଷ୍ଠମାସିଆ ଦିନ, ସକାଳୁଆ କଚେରି ହେଉଛି, ଗୋପାଳ ବାବୁଙ୍କର ଜଣେ ଉପରିସ୍ଥ କର୍ମଚାରୀ ଟିକିଏ କ’ଣ ସାମାନ୍ୟ ତ୍ରୁଟିଲାଗି ଅନେକ ଅପମାନସୂଚକ କଥା କହି ଗାଳି ଦେଲେ । ସେ ତ୍ରୁଟି ମଧ୍ୟ ତାଙ୍କ ନିଜର ନୁହେଁ । ଗୋପାଳ ବାବୁଙ୍କ ପରି ସୁଦକ୍ଷ ବିଶ୍ୱସ୍ତ କର୍ମଚାରୀ ସେ ଅଫିସରେ ଆଉ ନାହାନ୍ତି କହିଲେ ଚଳେ । ଏଥିଲାଗି ଉପରିସ୍ଥ କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ପିଆଦା ପର୍ଯ୍ୟନ୍ତ ତାଙ୍କୁ ଟିକିଏ ଭୟ ଓ ଖାତିର କରନ୍ତି । ତାଙ୍କର ପ୍ରକୃତି ଶାନ୍ତ ଶିଷ୍ଟ ହେଲେ ସୁଦ୍ଧା ସେ ଜଣେ ସ୍ୱାଧୀନଚେତା ଲୋକ, ହଠାତ୍‌ ଏପରି ଅନ୍ୟାୟ ବ୍ୟବହାରରେ ମର୍ମାହତ ହୋଇ ସେ ସେହିକ୍ଷଣି କାର୍ଯ୍ୟରୁ ଇସ୍ତଫା ଦେବାକୁ ଉଦ୍ୟତ ହେଲେ । କିନ୍ତୁ ସହଯୋଗୀ କର୍ମଚାରୀମାନେ ନାନା ପ୍ରକାର ବୁଝାସୁଝା କରିବାରୁ ବହୁକଷ୍ଟରେ ଏଥିରୁ କ୍ଷାନ୍ତ ହେଲେ । ଯାହାହେଉ ସେ ଦିନ କୌଣସି କାର୍ଯ୍ୟରେ ତାଙ୍କର ମନ ଲାଗିଲା ନାହିଁ । ଯାହା ଏପର୍ଯ୍ୟନ୍ତ କେବେ ଘଟି ନ ଥିଲା, ଆଜି ତାହା ଶୁଣିବାକୁ ପଡ଼ିଲା । ସବୁ ଭାଗ୍ୟର ଦୋଷ । ଏହିପରି ନାନା କଥା ଭାବି ଯେ କ୍ଷୁର୍ଣ୍ଣ ମନରେ ଘରକୁ ଫେରି ଆସିଲେ ।

 

ଘରେ ଆସି ପୋଷାକପତ୍ର କାଢ଼ୁଛନ୍ତି, ଏପରି ସମୟରେ କମଳା ଏକ ଗୁରୁତର ଅଭିଯୋଗ ଘେନି ସେଠାରେ ହାଜର । ଗୋପାଳ ବାବୁ ସେତେବେଳେ ଏସବୁ ଶୁଣିବାକୁ ଆଦୌ ପ୍ରସ୍ତୁତ ନ ଥିଲେ ସୁଦ୍ଧା ଗୃହଲକ୍ଷ୍ମୀଙ୍କର ନାଟକୀୟ ଭାବଭଙ୍ଗୀ, ଶବ୍ଦବିନ୍ୟାସର ଛଟା ଏବଂ ମଝିରେ ମଝିରେ ରୌଦ୍ର କରୁଣାଦି ନାନାରସର ଅବତାରଣା ଦେଖି ତାଙ୍କର ଦୀର୍ଘ ଭୂମିକା ସମ୍ବଳିତ ନାଲିପଟି ଆଡ଼କୁ କାନ ନ ବୁଲାଇ ରହିପାରିଲେ ନାହିଁ । ନାଲିସର ସାରମର୍ମ ଏହା:- ସେଦିନ ସକାଳେ ନବ କୁଆଡ଼ୁ ଗୋଟାଏ ଖେଳନା ବାଜା ଆଣି ରାଧୁ ଆଗରେ ପେଁ ପେଁ କରି ବଜେଇ ତାହାର ସେପରି ବାଜା ନାହିଁ ବୋଲି ତାକୁ ନାନାଦି ଉପହାସ କଲା । ପିଲା ମନ ତ ସମ୍ଭାଳି ହବ କେତେକେ ! ରାଧୁ ସେଠୁଁ ବାଜା ପାଇଁ କାନ୍ଦି କାନ୍ଦି ଜିଦ୍‌ ଧଇଲା, ମୁଁ ବୁଝେଇ ବୁଝେଇ ଥକିଲି, ନାହିଁ ନ ବୁଝେ । ପାଖରେ କେଉଁଠି ମିଳୁଛି ଯେ, ପଇସା ଦେଇ କିଣି ଆଣିବି ? ନବକୁ କେତେ କଅଁଳା ସଅଁଳା କରି କହିଲି- ଆରେ ଟିକିଏ ଦେ, ସେ ଧରିଥାଉ, ସେ ପୁଣି ବୁଝିଗଲାରୁ ତୋ ବାଜା ତୋତେ ଫେରାଇ ଦେବି ଯେ । ନବ କି ବୁଝିବା ଜନ୍ତୁ । ଓଲଟି ହଟୁଣୁ ତା ଆଗରେ ବେଶି ବଜେଇ ବଜେଇ ନାଚିଲା । ଏଣେ ଦେଖ ରାଧୁର ନାଟ, ରାହାଧରି ଝୋଲମରା ପରି ହୋଇଗଲା । କିଛିକ୍ଷଣ ପରେ ନବ ବାଜାଟିକୁ ରଖିଦେଇ କୁଆଡ଼େ ଗଲାରୁ ମୁଁ ତୁନିକରି ରାଧୁକୁ ଟିକିଏ ଧରେଇ ଦେଇ ବୋଧ କରି ଦେଲି । ନବ ତେଣୁ ଆସି ରାଧୁ ହାତରେ ବାଜାଟିକୁ ଦେଖି ବାଘ ପରି ମୁସ୍ତେଜ୍‌ ହୋଇ ଉଠିଲା । ତାକୁ ମାରେ କି ନ ମାରେ ! ରାଧାକୁ ବୁଝେଇ ମୁଁ ନବ ହାତକୁ ବାଜାଟା ବଢ଼େଇ ଦେଲା ବେଳକୁ ‘କିଆଁ ସେ ମୋ ବାଜା ଧଇଲା ନା’ କହି ଫିଙ୍ଗିଲା ଯେ ସେଇଟାକୁ ମୋ ଉପରକୁ- ଦେଖ ମୋ ମୁଣ୍ଡ କ’ଣ ହୋଇଛି ! ଆଖି ଫୁଟି ଯିବାକୁ ଆଉ କେତେ ଘଡ଼ି ଥିଲା ! ମୋତେ ଓ ରାଧୁକୁ ଆଜି ଆମ ଘରକୁ ପଠାଇ ଦିଅ, ତେମେ ପଛକେ ତମ ନବକୁ ଘେନି ଘର କରୁଥାଅ । ମୁଁ ଆଉ ଏ ଘରେ ଦଣ୍ଡେ ପାଣି ଛୁଇଁବି ନାହିଁ ଇତ୍ୟାଦି ।

 

ନବ ନିକଟରେ ଥିଲା, କମଳା ମୁଣ୍ଡ ଦେଖାଇଲା ବେଳକୁ ସେ ଆଉ ସମ୍ଭାଳି ନ ପାରି କହିଲା ‘‘ଖୁଣ୍ଟରେ ବାଜି ମାଇଁଙ୍କ ମୁଣ୍ଡ ଫୁଲି ଯାଇଛି, ମୁଁ କାହିଁକି’’ । କମଳା ସମକ୍ଷରେ ତା’ ବିରୁଦ୍ଧରେ ମିଥ୍ୟାର ଅଭିଯୋଗ ଦେଖି ଗୋପାଳ ବାବୁ ନବ ଆଡ଼କୁ ଆଖି ତରାଟି ‘ଚୁପ୍‌’ ବୋଲି କହି ବନ୍ଦ କରି ଦେଲେ । ଗୋପାଳ ବାବୁ ମାନବ ଚରିତ୍ରରେ ବିଶେଷଜ୍ଞ ନ ହେଲେ ସୁଦ୍ଧା ପରିବାରରେ କେତେକ ଜଣ ଲୋକଙ୍କର ସ୍ୱଭାବ ଚରିତ୍ର ବୁଝିବାର କ୍ଷମାତାଟିକ ତାଙ୍କର ଥିଲା । ତେଣୁ କମଳାର କଥାଗୁଡ଼ିକ ନିର୍ମଳ ସତ୍ୟ ବୋଲି ବିଶ୍ୱାସ କରି ପାରିଲେ ନାହିଁ । ଆଉ କିଛି ପ୍ରମାଣ ତାଙ୍କର ହସ୍ତଗତ ନ ହେଲେ ସୁଦ୍ଧା ଗୋଟାଏ ଟିଣର ଖେଳନା ବାଜି ମୁଣ୍ଡଟା କିପରି ଏଡ଼େ ଫୁଲିଯିବ, ଏ କଥା ସେ ନାନା ଚିନ୍ତା ସତ୍ତ୍ୱେ ହୃଦୟଙ୍ଗମ କରି ପାରିଲେ ନାହିଁ । ଖେଳନା ଦ୍ୱାରା ଟିକିଏ ଛିଣ୍ଡିଯିବା କି ଚିରି ହୋଇଯିବା ଅବା ହୋଇପାରେ । ବାସ୍ତବିକ ମଧ୍ୟ ସେଇୟା, ନବ ଗୋଟିଏ ଖେଳନା ଆଣି ବଜାଇବା ଛଡ଼ା ଅଭିଯୋଗରେ ସତ୍ୟର ଭିତ୍ତି ନାହିଁ ବୋଇଲେ ଚଳେ । ଯାହା ହେଉ ଗୋପାଳ- ବାବୁ ସବୁ କଥା ବୁଝି ପାରିଲେ କିନ୍ତୁ ନାନା କାରଣରୁ ସେ ଦିନର ବିଚାରଟା ଓଲଟାଆଡ଼ୁ ଆରମ୍ଭ କରିଦେଲେ । ସେ ରାଗରେ ନବର କାନକୁ ଧରି ଦୁଇଟା ଚାପୁଡ଼ା ମାରି କହିଲେ, ‘‘ହାରମଜାଦା ଟୋକା ! ୟାକୁ ଆଣି ମୁଁ ନାକରେ କାନ୍ଦି ସାରିଲିଣି । ତୁ ଏ ଘରୁ ନ ଗଲେ ମଙ୍ଗଳ ନାହିଁ, ତୁ ହେଉଛୁ ସବୁ ଅନର୍ଥର ମୂଳ !’’ ଏହା କହି ଆଉ କାହାରି ଆଡ଼କୁ ନ ଅନାଇ ଗୁଡ଼ାଖୁ ଦେବାଲାଗି ସେ ଚାକରକୁ ଡାକିଲେ । ଏପରି ଅସମୟରେ ଗୁଡ଼ାଖୁର ତଲବ ଦେଖି ଚାକରଟି ମଧ୍ୟ ବଡ଼ ଶଙ୍କିତ ଭାବରେ ନିଜ କାର୍ଯ୍ୟରେ ଲାଗିଗଲା ।

 

ନବ ମାଡ଼ ଖାଇବା କଥା ଛାଡ଼, ମାମୁଙ୍କଠାରୁ ସ୍ନେହ ଆଦର ଛଡ଼ା ଦିନେ କଟୁକଥା ଶୁଣି ନାହିଁ । ଆଜି ଏ ଘୋର ଅପମାନରେ ତା ମନରେ ଗୋଟିଏ ଦୁର୍ଜୟ ଅଭିମାନର ଉଦ୍ରେକ ହେଲା । ସେ ପୂର୍ବରୁ ଥରେ ଦାଦାଙ୍କ ବିଭାଘରକୁ ଯାଇ ଦିନାକେତେ ତାଙ୍କ ଗାଆଁରେ ରହି ଆସିଥିଲା । ଆଜି ଏପରି ଅନ୍ୟାୟ ବିଚାରରେ ତା ମନଟା ଘରଆଡ଼କୁ ଅତ୍ୟନ୍ତ ଆକୃଷ୍ଟ ହୋଇ ପଡ଼ିଲା । ତାହାଛଡ଼ା ସେ ଶୁଣିଥିଲା ଯେ, ତାହାର ସହପାଠୀ ହରି ତା ବାପାଙ୍କଠାରୁ ମାଡ଼ ଗାଳି ଖାଇ ଚାଷଗାଁକୁ ପଳାଇ ଯାଇଥିବାରୁ ତାର ସେହି ଦିନଠାରୁ ଟିକିଏ ପ୍ରତିପତ୍ତି ବଢ଼ିଯାଇଛି । ଯାହାହେଉ ସେ କାହାରିକୁ କିଛି ନ କହି ସାହସ କରି ଗୋବିନ୍ଦପୁର ଅଭିମୁଖରେ ବାହାରି ପଡ଼ିଲା ।

 

ସେ ଦିନ ସକାଳୁ ଖଣ୍ଡ କେତେ ମେଘ ଗୁପ୍ତଚର ପରି ଲୁଚି ଲୁଚି ଆକାଶରେ ଭାସି ବୁଲୁଥିଲେ । ବେଳ ଦି’ଘଡ଼ିକି ତିନିଘଡ଼ି ଅଛି, ସେମାନେ କି ଇସରା ଦେଲେ କେଜାଣି ମେଘସବୁ ଅସଂଖ୍ୟ ଦଳବଳ ଘେନି ବିଜୁଳିପତାକା ଉଡ଼ାଇ ଘଡ଼ଘଡ଼ିଭେରୀ ବଜାଇ ଆସି ରଣସ୍ଥଳରେ ଉପସ୍ଥିତ ହୋଇଗଲେ । ଏପରି ପାଣି ପଥରମାଡ଼ ଆଉ ଦେଖା ନାହିଁ । ରାତ୍ରିରେ ଟିକିଏ ବର୍ଷା ଛାଡ଼ିବାରୁ ଗୋପାଳ ବାବୁ ବୁଲିଯିବା ବାହାନାରେ ଯାଇ ଅନେକ ସ୍ଥାନରେ ନବର ଖୋଳ-ତଲାସ କରି ବିଷର୍ଣ୍ଣ ମନରେ ଫେରି ଆସିଲେ । ଚାକରବାକର ମଧ୍ୟ ପାଖ ଆଖ ଖୋଜି କିଛି ଫଳ ହେଲା ନାହିଁ । ଶେଷରେ ଗୋପାଳ ବାବୁ ବିରକ୍ତ ହୋଇ କହିଲେ, ‘‘ଯାଉ ସେ କୁଆଡ଼େ ଯାଉଛି । ତାକୁ ଆଉ କେହି ଖୋଜାଖୋଜି କରନା ।’’

 

ସେ ଦିନ ରାତ୍ରରେ ଶତଚେଷ୍ଟା କରି ତାଙ୍କ ଆଖିକି ନିଦ ମାଡ଼ିଲା ନାହିଁ । ଟିକିଏ ଯାଇ ବିଛଣାରେ ପଡ଼ନ୍ତି, ପୁଣି ଆସି ବରଣ୍ଡାରେ ବୁଲନ୍ତି । ପାହାନ୍ତା ବେଳକୁ ଟିକିଏ ତନ୍ଦ୍ରା ଆସିଲା ସତ୍ୟ, କିନ୍ତୁ ଗୋଟାଏ ଭୟାନକ ସ୍ୱପ୍ନ ଦେଖି ସେ ଉଠି ବସିଲେ ।

 

ଟିକିଏ କଅଁଳ ଖରା ପଡ଼ିଗଲାଣି । ଗୋପାଳ ବାବୁ ଦାଣ୍ଡରେ ଛିଡ଼ା ହୋଇ ଏକଦୃଷ୍ଟିରେ କ’ଣ ଭାବୁଛନ୍ତି । କେତେ ଗୁଡ଼ିଏ ପାନରା କାଲି ଅନେକ ରାତିରେ କଟକରୁ ଆସି ପହଞ୍ଚିଥିଲେ । ବର୍ଷା କଥା ପଡ଼ୁ ପଡ଼ୁ ସେମାନେ କହିଲେ, ‘‘ବାବୁ, ସେ ତରଫକୁ ଯେଉଁ ବର୍ଷା ହେଲା, ଏଆଡ଼କୁ କାହିଁ ? ବଡ଼ ବଡ଼ କେତେ ଗଛ ଯେ ଭାଙ୍ଗି ପଡ଼ିଲା, ତାର ସୁମାରି ନାହିଁ । ସାତ ଆଠ ବର୍ଷର କାଳିଆ ହୋଇ କରି ପିଲାଟିଏ ଏଣୁ ଯାଉଥିଲା । ସେ ଭଲଲୋକ ଘରର ପିଲା ହବ, ଗୋଟିଏ ନେଳିଆ ଅଙ୍ଗୀ ପିନ୍ଧିଛି । ମାଇଲା ଯେ ଗୋଟାଏ ଚଉଳ, ତାକୁ ନେଇ କୋଶ ହାତ ଦୂରରେ ଫୋପାଡ଼ି ଦେଲା । ସେଇଠେଇଁ ସାଙ୍ଗେ ସାଙ୍ଗେ ତାର ପ୍ରାଣ ବାହାରିଗଲା ।’’

 

ଗୋପାଳ ବାବୁ କାହାରିକୁ କିଛି ନ କହି ଭୂଇଁକୁ ଧରି ସେହିଠାରେ ଥକା ହୋଇ ବସି ପଡ଼ିଲେ ।

 

ମାଳତୀ

 

ରାତି ଅଧକୁ ବଳି ପଡ଼ିଲାଣି । ଆକାଶ ନିବିଡ଼ ମେଘାଚ୍ଛନ୍ନ । କିଛି ସମୟ ଆଗରୁ ଅସରାଏ ଖୁବ୍‌ ଟାଣୁଆ ବର୍ଷା ହୋଇ ଯାଇଛି । କିନ୍ତୁ ଝଡ଼ ତୋଫାନ୍‌ ବନ୍ଦ ହୋଇ ନାହିଁ । ଚାରିଆଡ଼େ ଘୁଘୁ ସୁସୁ ଶବ୍ଦ ଶୁଣା ଯାଉଛି । ପବନ ବଡ଼ ବଡ଼ ଗଛଗୁଡ଼ାକ ସଙ୍ଗେ ଏକ ଉତ୍କଟ କ୍ରୀଡ଼ାରେ ମତ୍ତ । ଚିଲିକା ବକ୍ଷରେ ମଧ୍ୟ ତାଣ୍ଡବ ନୃତ୍ୟ ଲାଗିଅଛି । ଢେଉଗୁଡ଼ାକ ଅଶାନ୍ତ ଚଞ୍ଚଳ ଶିଶୁଦଳପରି ଉଚ୍ଛୃଙ୍ଖଳ ଭାବରେ ଗୋଡ଼ାଗୋଡ଼ି ହୋଇ ତଟ ଉପରେ ଆସି କଳ କଳ ଶବ୍ଦ କରି ପଡ଼ିଯାଉଛନ୍ତି । କୂଳରେ ବନ୍ଧା ହୋଇଥିବା ନୌକାଗୁଡ଼ିକ ଏ ତାଣ୍ଡବ ଲୀଳାରେ ଯୋଗ ଦେବା ନିମନ୍ତେ ନିଜ ନିଜର ବନ୍ଧନ ରର୍ଜ୍ଜୁକୁ ଅସହିଷ୍ଣୁ ଭାବରେ ଟଣା ଓଟରା କରୁଛନ୍ତି ଏବଂ ସଙ୍ଗେ ସଙ୍ଗେ ନିଜର ନିଃସହାୟ ଅବସ୍ଥା ବୁଝି ଖାଲି ଗୁଡ଼ାଏ ମନେ ମନେ ଭଟର ଲଟର ହେଉଛନ୍ତି । ଏ ସମୟରେ ସୁଦ୍ଧା କଦବା କ୍ୱଚିତ୍‌ ଖଣ୍ଡେ ଖଣ୍ଡେ ମାଛଧରା ଡଙ୍ଗା ମଧ୍ୟରୁ କ୍ଷୁଦ୍ର ଆଲୋକ ରେଖାଟିଏ ଜଳରେ ପ୍ରତିବିମ୍ବିତ ହେଉଅଛି ।

 

ଅଦୁରବର୍ତ୍ତୀ ଧୀବର ପଲ୍ଲୀଟି ନିର୍ଜନ ନିସ୍ତବ୍‌ଧ । କେବଳ ଗୋଟିଏ କ୍ଷୁଦ୍ର କୁଟୀରରୁ ଗୋଟିଏ କ୍ଷୀଣ ଆଲୋକରେଖା ଆସି ମଝିଦାଣ୍ଡରେ ପଡ଼ିଅଛି । ଘରଟି ନୀଚ ଓ ଗ୍ରାମର ଅନ୍ୟାନ୍ୟ ଘରଠାରୁ ଟିକିଏ ଅଲଗା । ଘରର କବାଟ ଭିତରୁ କିଳା ହୋଇଥିଲେ ମଧ୍ୟ କବାଟ ଫାଙ୍କ ଦେଇ ଭିତର ଆଲୁଅ ପଦାକୁ ବାହାରୁଅଛି । ଭିତରେ ମିଞ୍ଜି ମିଞ୍ଜି ହୋଇ ଯେଉଁ ଦୀପଟି ଜଳୁଛି ତାହା ଅନ୍ଧାର ଯେତେ ଦୁର କରୁନାହିଁ, ଘରେ ତାହା ଅପେକ୍ଷା ବେଶୀ ଧୁଆଁର ସୃଷ୍ଟି କରୁଅଛି । ଘର ଭିତରେ ଖଣ୍ଡିଏ କାଠର ଭାଡ଼ି ଓ କେତେଗୁଡ଼ିଏ ଶିକା ଉପରେ ହାଣ୍ଡି, ପଲମ, ବାଉଁଶିଆ, ଡାଲା ପ୍ରଭୃତି ଛଡ଼ା ଅନ୍ୟ କୌଣସି ମୂଲ୍ୟବାନ୍‌ ଜିନିଷ ଦୃଷ୍ଟିଗୋଚର ହୁଏ ନାହିଁ । ଘରର ଫାଙ୍କା ସ୍ଥାନରେ ଦୁଇ ତିନିଖଣ୍ଡ ଛିଣ୍ଡା ମଶିଣା ଉପରେ ଛୋଟ ବଡ଼ ତିନୋଟି ଶିଶୁ ବିପର୍ଯ୍ୟସ୍ତ ଭାବରେ ନିଦ୍ରାମଗ୍ନ । କାହା ଉପରେ ଖଣ୍ଡେ ଲୁଗା ପଡ଼ିଛି ତ କାହା ଉପରେ ନାହିଁ । ଘରର ଏକ ପାଖରେ ଢାଳ କଂସା ପ୍ରଭୃତି କେତେ ଖଣ୍ଡ ବାସନ କୁସନ ପଡ଼ିଛି । ଆଉ ଏକ ପାଖରେ ଗୋଟିଏ ମଳିନମସନା ସ୍ତ୍ରୀଲୋକ କାନ୍ଥକୁ ଆଉଜି ଆଉ ଗୋଟିଏ କ୍ଷୁଦ୍ର ଶିଶୁକୁ କୋଳରେ ଧରି ଅର୍ଦ୍ଧସୁପ୍ତ ଅବସ୍ଥାରେ ବସି ଢୁଳାଉଛି । କେତେବେଳେ ଶିଶୁଟି କାନ୍ଦି ଉଠିଲେ ସ୍ତ୍ରୀଲୋକଟି ତାକୁ ସାନ୍ତ୍ୱନା ଦେଉଛି; ପୁଣି କେତେବେଳେ ଚମକି ପଡ଼ିଲା ପରି ଉଠି ଦୁଆର ଆଡ଼କୁ ଉତ୍ସୁକ ଭାବରେ ଅନାଇ ରହୁଛି ଓ କାନ ଡେରୁଛି । କିଛି ସମୟ ପରେ ପୁଣି କ’ଣ ଭାବି ଟିକିଏ ଆଖି ବୁଜି କାନ୍ଥକୁ ଆଉଜି ପଡ଼ୁଛି । ଏହିପରି ଭାବରେ ଯେପରି କାହାର ପ୍ରତୀକ୍ଷାରେ ରହି ସେ ଥରକୁ ଥର ଉଠୁଛି ଓ ଥରକୁ ଥର ନିଦ୍ରାର ତାଡ଼ନାରେ ଟିକିଏ ଶୋଇପଡ଼ୁଛି । ଶେଷରେ ସେ ଦୁଆର ଫିଟାଇ ବାହାରକୁ ଯାଇ ଦେଖିଲା ଯେ ଆଉ ଅନ୍ଧାର ନାହିଁ, ଚାରିଦିଗ ଚନ୍ଦ୍ରାଲୋକରେ ଶୁଭ୍ର ଓ ଉଜ୍ଜ୍ୱଳ ଦେଖାଯାଉଛି ଆକାଶର ଆଉ ବେଶି ମେଘ ନାହିଁ, ପବନର ବେଗ ମଧ୍ୟ ଟିକିଏ କମି ଆସିଛି ।

 

ସେ ଚାରିଆଡ଼କୁ ଚାହିଁ ଦେଖିଲା, କେଉଁଠାରେ ଜନ ମାନବର ସଞ୍ଚାର ନାହିଁ, ମେଘ କୋଳରେ ଚାନ୍ଦ ହସୁଚି । ତାରାଗୁଡ଼ିକ ମିଟି ମିଟି ଚାହିଁ ରହିଛନ୍ତି । ଆଉ ଖଣ୍ଡେ ଖଣ୍ଡେ ମେଘ ଆକାଶରେ ଭାସି ବୁଲୁଛନ୍ତି । ସ୍ତ୍ରୀଲୋକଟିର ନାମ ମାଳତୀ । ବୟସ ବାଇଶି ତେଇଶି ହେବ । ତାର ସ୍ୱାମୀ ସୁବଳ ବେହେରା ଦିହିପହରୁ ଡଙ୍ଗା ନେଇ ମାଛ ଧରିବାକୁ ଯାଇଛି । ଏତେବେଳଯାଏ ଦେଖା ନାହିଁ । ମାଳତୀ ଆଉ ଥରେ ଚିଲିକା ଆଡ଼କୁ ଚାହିଁ ଦେଇ ଦୀର୍ଘ ନିଃଶ୍ୱାସଟିଏ ପକାଇ ଦେଇ ଘର ଭିତରକୁ ଅଗ୍ରସର ହେଲା । ପୁଣି କ’ଣ ଭାବି ଶିକୁଳି ଲଗାଇ ଦେଇ କିଛି ଦୂରରେ ଥିବା ଗୋଟିଏ କୁଡ଼ିଆ ଆଡ଼କୁ ଗଲା ।

 

ସେ କୁଡ଼ିଆରେ ଥାଏ ସାବୀ । ସେ ବଡ଼ ଦୁଃଖିନୀ । ତାର ସ୍ୱାମୀ ନାହିଁ କି ଅନ୍ୟ କେହି ସାହା ଭରସା ନାହିଁ । ଅଛନ୍ତି ଖାଲି ଦୁଇଟି ଅପୋଗଣ୍ଡ ଶିଶୁ । ସେହି ଶିଶୁ ଦିଓଟି ପାଇଁ ଯେପରି ସେ ସଂସାରରେ ବଞ୍ଚି ରହିଛି । ସେହିମାନେହିଁ ତାର ଗୋଡ଼ର ଶାଙ୍କୋଳି ପୁଣି ସେହିମାନେହିଁ ତାର ଅନ୍ଧକାରମୟ ଜୀବନର ଏକମାତ୍ର ଆଲୋକ ରେଖା । କେତେବେଳେ ମାଛ ଶୁଖୁଆ ବିକି କେତେବେଳେ କାହାର କାମ ଧନ୍ଦା କରି ଦେଇ ଯାହା ପାଏ ସେଥିରେ ତାର ଓ ପିଲାମାନଙ୍କର ଖାଲି ବଞ୍ଚି ରହିବାକୁ ମଧ୍ୟ କଷ୍ଟକର ହୁଏ । ଏଡ଼େ ବଡ଼ ଗାଁଟା ଯାକରେ କେବଳ ସୁବଳ ବେହେରା ଯୋଗୁଁ ସେ ଆଜି ପର୍ଯ୍ୟନ୍ତ ପିଲାଟିମାନଙ୍କୁ ବଞ୍ଚାଇ ପାରିଛି ।

 

ସୁବଳର ଦେହ ଯେପରି ସୁଦୀର୍ଘ ଓ ବଳିଷ୍ଠ ତାର ମନଟି ସେହିପରି ଉଦାର ଓ ପ୍ରଶସ୍ତ । ତାର ରୋଜଗାର ନିଜ ପରିବାରର ଭରଣପୋଷଣ ପାଇଁ ଯଥେଷ୍ଟ ନ ଥିଲେ ସୁଦ୍ଧା ସେ ସାଗର ପିଲାମାନଙ୍କୁ ସେଥିରୁ ଏକାବେଳକେ ବଞ୍ଚିତ କରେ ନାହିଁ । ଛେଉଣ୍ଡ ପିଲାମାନେ ଯେତେବେଳେ ‘‘କକା’’ ‘‘କକା’’ କହି ତା ପାଖକୁ ଦଉଡ଼ି ଆସନ୍ତି ସେ ସେମାନଙ୍କୁ ସ୍ନେହରେ କୋଳକୁ ଟାଣି ନିଏ ଓ ସେମାନଙ୍କ ସଙ୍ଗେ ବାଳକ ପରି ଖେଳ କୌତୁକରେ ମାତିଯାଏ ।

 

ଏଥିରେ ଯଦି କେହି ବାଧା ଦେଉଥାନ୍ତା ସେ ମାଳତୀ । କିନ୍ତୁ ମାଳତୀ ପକ୍ଷରେ ତାର ସ୍ୱାମୀର ସବୁ କାର୍ଯ୍ୟ ସୁନ୍ଦର- ତାର ଗୁଣ ସୁନ୍ଦର, ଦୋଷ ସୁନ୍ଦର, ହସ ସୁନ୍ଦର, ରାଗ ସୁନ୍ଦର । ମାଳତୀର ନିଜର ବୋଲି କିଛି ଗୋଟାଏ ନାହିଁ । ତାର ବାପ ବିଦିଆ ବେହେରା ଗ୍ରାମର ଜଣେ ମାବପର ଲୋକ । ଦଶ ପଚିଶ ଗାଁରେ ତାର ନାମଡାକ, ପାଞ୍ଚ ସାତଖଣ୍ଡ ତାହା ତାର ଭଡ଼ା ଲାଗେ-। ସଦାବେଳେ କାରବାର ଲାଗି ରହିଥାଏ । ଭଲ ଘରଟିଏ ଦେଖି ଝିଅକୁ ବାହା ଦେବ ବୋଲି ତାର ଭାରି ଇଚ୍ଛା ଥିଲା । ଭଲ ପାତ୍ର ମଧ୍ୟ ମିଳିଥିଲା । କିନ୍ତୁ ସୁବଳର ରୂପ ଗୁଣ ମୋହରେ ମାଳତୀ ସବୁ ଛାଡ଼ି ଦାରିଦ୍ର୍ୟକୁ ବରଣ କଲା । ବାପର ବୁଝା ଶୁଝା କ୍ରୋଧ ବିଚାର କୌଣସି କଥାକୁ ଭ୍ରୂକ୍ଷେପ ନ କରି ସେ ଆସି ସୁବଳର କୁଟୀରରେ ଆଶ୍ରୟ ଗ୍ରହଣ କଲା । ସେହିଦିନୁ ସୁବଳ ମାଳତୀର ଇଷ୍ଟଦେବତା ।

 

ସୁବଳର ଚାଲିଯାଏ ମାଛ ଧରିବାକୁ, ଆଉ ମାଳତୀ ଘରେ ତାର ଭାବନାର ପସରା ମେଲାଇ ଦେଇ ବସିଯାଏ । ସେ ଭାବନାର ଅନ୍ତ ନାହିଁ । ସମ୍ଭବ ଅସମ୍ଭବ ସବୁ ପ୍ରକାର ଚିନ୍ତା ଆସି ମାଳତୀର ମନକୁ ଆଲୋଡ଼ିତ କରି ପକାଏ । ସେ ଯନ୍ତ୍ର ପରି ଘର କାମ ସବୁ କରିଯାଏ । କିନ୍ତୁ ତାର ମନ ପଡ଼ିଥାଏ ଯାଇ ସେହି ଚିଲିକାର ସୁଦୂର ନୀଳ ବକ୍ଷରେ ସୁବଳର ଡଙ୍ଗାଟି କିପରି ପାଣି ଉପରେ ଚାଲୁଥିବ, କିପରି ହଲୁଥିବ, ପାଦେ ପାଦେ କେତେ ବିପଦ ଆସି ବାଟ ଉଗାଳୁଥିବ- ସୁବଳ କିପରି ତାର ବଳିଷ୍ଠ ରାଜରେ କ୍ଷେପଣୀ ଧରି ଭୀମ ବିକ୍ରମରେ ସେସବୁ ଅତିକ୍ରମ କରୁଥିବ- ଓଃ କି କଷ୍ଟକର ଏ ନାଉରୀ ଜୀବନ ! ଖରା ନାହିଁ, ଶୀତ ନାହିଁ, ଝଡ଼ ନାହିଁ, ବର୍ଷା ନାହିଁ, ସବୁବେଳେ ପେଟପାଇଁ କି ଭୀଷଣ ସଂଗ୍ରାମ । ବିପଦ ସଙ୍ଗେ କି ଅବିଶ୍ରାନ୍ତ ଯୁଦ୍ଧ ।

 

ମାଳତୀ ସାବୀର କୁଡ଼ିଆ ଆଡ଼କୁ ଏତେ ନିର୍ଜନ ରାତିରେ ଯିବାର କାରଣ ହେଉଛି ଯେ ସାବୀ ଚାରି ପାଞ୍ଚ ଦିନ ହେଲା ବାଧିକା ପଡ଼ିଛି, ତାର ଉଠିବାକୁ ବଳ ନାହିଁ । ମାଳତୀ ମଝିରେ ମଝିରେ ଯାଇ ତାକୁ ଜୋର କରି ପାଣି ଟିକିଏ କି ତୋରାଣି ଟିକିଏ ପିଆଇ ଦେଇ ଆସେ । ପିଲାଟାମାନଙ୍କୁ ଘରକୁ ଆଣି ଗଣ୍ଡାଏ କ’ଣ ଖାଇବାକୁ ଦେଇଦିଏ । ଆଉ ଟିକିଏ ଭୁଲାଇ କରି ରଖିନିଏ । ସାବୀର କୁଡ଼ିଆ ଖଣ୍ଡି ମଧ୍ୟ ଭାଙ୍ଗି ପଡ଼ିବା ଉପରେ ବସିଲାଣି । ସୁବଳ କେତେ ଥର ତାକୁ ଟିକିଏ ଛୁଆଣି ଛପର କରି ସଜାଡ଼ି ଦେବାକୁ ବସିଲାଣି । କିନ୍ତୁ ଲଗାଣ ବର୍ଷା ଯୋଗୁ କିଛି କରିପାରୁ ନାହିଁ । ଆଉ ତାକୁ ହେଲେ କ’ଣ ଡର ଅଛି ? ଦିନେ ଦିଦିନ ନିଜର ବ୍ୟବସାୟ ବନ୍ଦ କରି କେଉଁଠାକୁ ଯାଇ ନଡ଼ା ଦଶ ବୋଡ଼ି କି କାଠ ବାଉଁଶ ଦି’ଖଣ୍ଡ ଆଣିଲେ ସିନା ହେବ । ଏକା ଲୋକ କେଉଁଆଡ଼କୁ ପାରିବ ସେ ?

 

ମାଳତୀ ସାବୀର କୁଡ଼ିଆ ଘର ପାଖକୁ ଯାଇ ଦେଖିଲା, ଘରଟା ଖଣ୍ଡିଆଭୂତ ପରି ଦାନ୍ତନିକୁଟି କରି ଛିଡ଼ା ହୋଇଛି । ଘରର ନଡ଼ା କୁଟା ସବୁ ପବନରେ ତଳେ ସଜାଡ଼ି ହୋଇ ପଡ଼ିଛି-। ଆଉ ଘର ଭିତରେ ଦର ଦର ହୋଇ ବର୍ଷାପାଣି ପଡ଼ୁଛି । ଚାରିଆଡ଼ ଖାଲି ଖାଁ ଖାଁ ହେଉଛି । ମାଳତୀକୁ ସ୍ଥାନଟା କିପରି ମାଡ଼ି ପଡ଼ିଲା ପରି ଲାଗିଲା । ସେ ଘର ପାଖକୁ ଯାଇ ‘ସାବୀ’ ‘ସାବୀ’ ବୋଲି ଅନେକ ଥର ଡାକିଲା । କିନ୍ତୁ କିଛି ସୋର ଶବଦ ପାଇଲା ନାହିଁ । ଶେଷରେ କବାଟରେ ହାତ ମାରିଦେବାରୁ କବାଟ ଠିଆ ମେଲା ହୋଇଗଲା । ଆଉ ସାଙ୍ଗେ ସାଙ୍ଗେ ଘୁ ଘୁ କରି ଗୁଡ଼ାଏ ଶୀତଳ ପବନ ଘର ଭିତରେ ପଶିଗଲା । ପିଲା ଦିଟା ଚିରିଚିରେଇ ଉଠିଲେ କିନ୍ତୁ ସାବୀର ଟିକିଏ ଉଁ ଚୁଁ ନାହିଁ କାହିଁକି ? ଏଡ଼େ ବଡ଼ କିନ୍‌କିନିଆ ଥଣ୍ଡା ପବନରେ ତାର ନିଦ ଭାଙ୍ଗୁନାହିଁ କିପରି ? ସେ ମାଳତୀ ପାଖକୁ ଯାଇ ତାର ଦେହରେ ହାତ ମାରି ଦେଇ ଚମକି ପଡ଼ିଲା- ଦେହଟା ଯାକ ହିମ କାକର ! ମାଳତୀ ବୁଝି ପାରିଲା ଯେ ସାବୀର ପ୍ରାଣ ଅନେକ ଆଗରୁ ପିଣ୍ଡ ଛାଡ଼ି ଚାଲିଗଲାଣି । କ’ଣ କରିବ ତାକୁ କିଛି ବୁଦ୍ଧି ଦେଖାଗଲା ନାହିଁ- ସେ କେତେବେଳେ ଯାକେ ଥକା ହୋଇ ବସି ରହିଲା । କିଛ ସମୟ ପରେ ନିଦ୍ରିତ ଶିଶୁ ଦୁଇଟିଙ୍କୁ ଧରି ସେ ନିଜ ଘରକୁ ଫେରି ଆସିଲା ।

 

ସେମାନଙ୍କୁ ମଶିଣାରେ ଶୁଆଇ ଦେଲା ପରେ ମାଳତୀ ମୁଣ୍ଡରେ ଭାବନାର ଜୁଆର ଆସିଗଲା । ସେ ଭାବିଲା ସାବୀ ତ ମରି ସରଗକୁ ଚାଲିଗଲା । ସେ ଖାଲି ଘାଣ୍ଟି ହେବାକୁ ରହିଲା-। ସେ ଘାଣ୍ଟି ହେଲେ କିଛି ଚିନ୍ତା ନ ଥିଲା, କିନ୍ତୁ ସୁବଳ ଯେ ତା ସଙ୍ଗେ ଘାଣ୍ଟି ହୋଇଯିବ । ସେମାନଙ୍କର ପାଞ୍ଚ ପାଞ୍ଚଟା ପିଲା, ସେମାନଙ୍କ ପାଟିରେ ଦି’ବେଳା ଦି’ମୁଠା ଲେଖାଏଁ ଆଧାର ଦେବାକୁ ତାର ବଳ ନାହିଁ । ପୁଣି ଭଗବାନ ଆଣି ଦେଲେଣି ବୋଝ ଉପରେ ଲଳିତା ବିଡ଼ା । ସମ୍ଭାଳି ନ ପାରି ଘେନି ତ ଆସିଲା, ପିଲା ଦୁଇଟାଙ୍କୁ ଏବେ କରେ କ’ଣ ? ସୁବଳ ଦେଖିଲେ କ’ଣ କହିବ, କ’ଣ କରିବ, ତାର ଠିକଣା କ’ଣ ? ଏହିପରି ନାନା ଚିନ୍ତା ତା ମୁଣ୍ଡରେ ଖେଳିଗଲା ।

 

ରାତି ପାହି ଆସିଲା ବେଳକୁ ସୁବଳ ଆସି ପହଞ୍ଚି ଗଲା ତାର ଜାଲବିଡ଼ା ଧରି । ମାଳତୀ କବାଟ ଫିଟାଇ ଦେଇ ପଦାକୁ ଧଡ଼ପଡ଼ି ହୋଇ ବାହାରି ପଡ଼ିଲା । ସୁବଳ ତାକୁ ଦେଖି ହସି ହସି କହିଲା ‘‘ନାବକେଳି ସାରି ଫେରିଲେ ହରି’’ ମାଳତୀ କହିଲା, ‘‘ଆହା, ହା ନାବକେରୀ ? କୋଉ ଏକ ସକାରୁ ଯାଇଛି ଯେ ପୁଣି ଆସି ଦିନ ଉଇଁବାକୁ ବସିଲେଣି । ଏଡ଼େ ବଡ଼ ଝଡ଼ି ତୋଫାନରେ ଲୋକେ କ’ଣ ମାଛ ଧରିବାକୁ ଯାଆନ୍ତି ? ନ ହେଲେ ସେ ମାଛ ? ନ ହେଲେ ସେ ପଇସା ? କାହିଁକି ଆମ ଜୀବନ କ’ଣ ଜୀବନ ନୁହେଁ ? ସୁବଳ କହିଲା, ‘‘ନାହିଁ ଲୋ, ଆଜି କି ଦୁର୍ଯୋଗରେ ବାହାରିଥିଲି, ମାଛ ଫାଛ କିଛି ନାହିଁ । ଖାଲି ଭୁଆଁ ବୁଲା ସାର ହେଲା, ଲାଭ ଭିତରେ ଯେ ଜାଲ ଖଣ୍ଡି ଛିଣ୍ଡିଯାଇଛି-।’’

 

ଏକଥା ଶୁଣି ମାଳତୀର ଛାତି ଭିତର ଥରି ଉଠିଲା । ସେ ଗୋଟାଏ କ’ଣ ବାହାନା କରି ଘର ଭିତରକୁ ଚାଲିଗଲା । କିଛି ସମୟ ପରେ ଆସି କହିଲା, ‘‘ଏ, ଶୁଣିଲଣି, ସାବୀଟି ଆଜି ରାତିରେ ମରିଗଲା ।’’ ‘‘ଏଁ କେତେବେଳେ ?’’ ଏତିକି କହିଦେଇ ସୁବଳ ଗୁମ୍‌ହୋଇ ବସି ରହିଲା, ପରେ କହିଲା, ‘‘ଭଗବାନଙ୍କ ଏ କି ବିଚାର । ହଉ, ତୁ ଯା, ପିଲା ଦି’ଟାଙ୍କୁ ଘେନିଯାଅ, ମୁଁ ମଡ଼ା ଉଠାଇବାର ବ୍ୟବସ୍ଥା କରେ । ଆମର ପାଞ୍ଚୋଟି ପିଲା ଥିଲେ, ଏବେ ହେଲେ ସାତୋଟି । ତେତେବେଳେ ଯାହା ଯୋଗ, ସେଥିକି ଉପାୟ କ’ଣ ? ଆଉ ଭାବିବାକୁ ବେଳ ନାହିଁ, ତୁ ଯା’’

 

ସୁବଳର କଥା ଶୁଣି ମାଳତୀ ମୁଣ୍ଡରୁ ବଡ଼ ବୋଝଟାଏ ଖସି ପଡ଼ିଲା । ସେ ସୁବଳକୁ ପିଲାଙ୍କ ଶୋଇବା ସ୍ଥାନକୁ ଟାଣିନେଇ କହିଲା, ‘‘ହେଇ ଦେଖ୍‌ ଇଏ କ’ଣ ?’’ ସୁବଳ ଆଉ କଥା କହିପାରିଲା ନାହିଁ । କେବଳ ମାଳତୀକୁ ନିଜ ଛାତି ଉପରକୁ ଆଉଜାଇ ଆଣିଲା ।

 

***